ରାଜଧାନୀରେ ଭାଗବତ, ଆସିବେ ନଡ୍ଡା ଆର୍‌ଏସ୍‌ଏସ୍‌ ବୈଠକ ବଢ଼ାଇବ ବିଜଦ ଚିନ୍ତା!

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଷ୍ଟ୍ରୀୟ ସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମନ୍ଦଳ ବୈଠକ ସୋମବାର ଠାରୁ ଆରମ୍ଭ ହେଉଛି ଭୁବନେଶ୍ୱରରେ । କିନ୍ତୁ ଶନିବାର ଦିନ ଅନୁଷ୍ଠିତ ହୋଇଛି ଆର୍‌ଏସ୍‌ଏସ୍‌ ରାଷ୍ଟ୍ରୀୟ ଅଧିକାରୀ ବୈଠକ । ଓଡ଼ିଶାରେ ଆର୍‌ଏସ୍‌ଏସ୍‌ର ଏହି ବାର୍ଷିକ ବୈଠକ ପ୍ରଥମ ଥର ଅନୁଷ୍ଠିତ ହେଉଛି । ଏଥିରେ ଯୋଗ ଦେବାକୁ ଆସୁଛନ୍ତି ଭାଜପାର ଭାବୀ ସଭାପତି ତଥା ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ଜଗତ୍‌ ପ୍ରକାଶ ନଡ୍ଡା । ଜେପି ନଡ୍ଡା ଓଡ଼ିଶାରେ ଆର୍‌ଏସ୍‌ଏସ୍‌ର ଏହି ବୈଠକ ସକାଶେ ରହିବେ ତିନି ଦିନ । ଶନିବାର ଦିନ ପଦାଧିକାରୀଙ୍କ ବୈଠକରେ ଯୋଗ ଦେଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ, ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ ଓଡ଼ିଶାରେ ରହିବେ ୯ ଦିନ । ଏହି କାରଣରୁ ଉକ୍ତ ବୈଠକର ରାଜନୈତିକ ଗୁରୁତ୍ୱ ଯଥେଷ୍ଟ ବଢ଼ିଯାଇଛି । ବିଶେଷତଃ ଭାଜପା ଫୋକସ୍‌ରେ ପୂର୍ବ ଭାରତ ବିଶେଷକରି ଓଡ଼ିଶା ରହିଥିବାରୁ ଆର୍‌ଏସ୍‌ଏସ୍‌ର ସର୍ବୋଚ୍ଚ ନୀତି ନିୟାମକ ମନ୍ଦଳୀର ଏହି ବୈଠକ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି । ଶନିବାର ଦିନ ମୋହନ ଭାଗବତ ରାଜଧାନୀରେ ପହଞ୍ଚିବା ପରେ ବୌଦ୍ଧିକ ସମାବେଶରେ ଯୋଗ ଦେଇଛନ୍ତି ।
ପ୍ରଥମ ଥର ଓଡ଼ିଶାରେ ଏଭଳି ବୈଠକ ଆୟୋଜନ କରିବାକୁ ଆର୍‌ଏସ୍‌ଏସ୍‌ ନିଷ୍ପତ୍ତି ନେଲା କାହିଁକି? ଏକଥା ଅଛପା ନାହିଁ ଯେ, ଭାଜପାର ଚିନ୍ତନ ଆଧାର ବା ବ୍ରେନ୍‌ କିମ୍ବା ମେରୁଦନ୍ଦ ହେଉଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ । ଭାଜପା ପାଇଁ ୨୦୨୪ ନିର୍ବାଚନ ସକାଶେ ଆର୍‌ଏସ୍‌ଏସ୍‌ ପ୍ରସ୍ତୁତି ଆରମ୍ଭ କରିଦେଇ ସାରିଲାଣି । ଏହି କାରଣରୁ ଓଡ଼ିଶାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପଛରେ ରାଜନୈତିକ କାରଣ ଥାଇପାରେ ବୋଲି ମନେ କରାଯାଉଛି । ଓଡ଼ିଶାରେ ଭାଜପା ଏବେ ମୁଖ୍ୟ ବିରୋଧୀ ଦଳ । ଏକଦା ଏହି ଦଳକୁ ବିଜୁ ପଟନାୟକ ସାଇନ୍‌ବୋର୍ଡ଼ ପାର୍ଟି ବୋଲି କହିଥିଲେ । କିନ୍ତୁ ଇତିମଧ୍ୟରେ ଓଡ଼ିଶାରେ ଏହି ଦଳର ଜନାଧାର ବଢ଼ିଛି । ଗତ ନିର୍ବାଚନରେ ପାଖାପାଖି କୋଟିଏ ଭୋଟ ମିଳିଛି ଏହି ଦଳକୁ । ଲୋକସଭାର ୮ଟି ଆସନ ଜିଣିଛି ଭାଜପା । ବିଧାନସଭାରେ ବିଜୁ ଜନତା ଦଳକୁ ହରାଇ ପାରି ନଥିଲେ ସୁଦ୍ଧା ଭୋଟ ହାରରେ ଏକ ଚ୍ୟାଲେଞ୍ଜ ଦେଇପାରିଛି ଶାସକ ଦଳକୁ ।
ଆର୍‌ଏସ୍‌ଏସ୍‌ର ୭ଦିନିଆ ଅଧିବେଶନରେ ଭାଜପାର କାର୍ଯ୍ୟକାରୀ ସଭାପତି ନଡ୍ଡାଙ୍କ ଛଡ଼ା ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବାର ସମ୍ଭାବନା ରହିଛି । ଅଖିଳ ଭାରତୀୟ କାର୍ଯ୍ୟକାରୀ ମନ୍ଦଳ ହେଉଛି ଆର୍‌ଏସ୍‌ଏସ୍‌ର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା । ବିଭିନ୍ନ ରାଜ୍ୟ ଆର୍‌ଏସ୍‌ଏସ୍‌ ଓ ଏହାର ଅନୁବନ୍ଧିତ ସଂସ୍ଥାଗୁଡ଼ିକର ସର୍ବୋଚ୍ଚ ପଦାଧିକାରୀମାନେ ଏହି କାର୍ଯ୍ୟକାରୀ ମନ୍ଦଳ ବୈଠକରେ ଅଂଶ ଗ୍ରହଣ କରିବେ । ଏମାନଙ୍କ ସଂଖ୍ୟା ୪୦୦ରୁ ଅଧିକ । ଜାତୀୟ ଓ ବିଭିନ୍ନ ରାଜ୍ୟର ରାଜନୀତି ଛଡ଼ା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବ ଏହି ଅଖିଳ ଭାରତୀୟ କାର୍ଯ୍ୟକାରୀ ମନ୍ଦଳ । ବିଭିନ୍ନ ଦିନ ବିଭିନ୍ନ ଗୋଷ୍ଠୀର ଯେଉଁସବୁ ବୈଠକ ହେବ, ସେଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟ ମୋହନ ଭାଗବତ । ଶେଷ ତିନିଦିନ ଉପସ୍ଥିତ ରହିବେ ଜେପି ନ‡ା । ନ‡ାଙ୍କ ଉପସ୍ଥିତି କାରଣରୁ ବୈଠକର ରାଜନୈତିକ ଗୁରୁତ୍ୱ ବଢ଼ିଯାଇଛି ।
ଆର୍‌ଏସ୍‌ଏସ୍‌ ସହ ସଂଶ୍ଳିଷ୍ଟ ସଂସ୍ଥାଗୁଡ଼ିକ ମଧ୍ୟରେ ଅଛି ଭାରତୀୟ ମଜଦୁର ସଂଘ, ଶିକ୍ଷା ବିକାଶ ସମିତି, ବନବାସୀ କଲ୍ୟାଣ ଆଶ୍ରମ, ସ୍ୱଦେଶୀ ଜାଗରଣ ମଞ୍ଚ, ଧର୍ମ ଜାଗରଣ ସମିତି, ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ । ଶନିବାର ଦିନ ଏକ ବୌଦ୍ଧିକ ସମାବେଶକୁ ମଧ୍ୟ ଉଦ୍‌ବୋଧନ ଦେଇଛନ୍ତି ମୋହନ ଭାଗବତ ।
ଓଡ଼ିଶା ପାଇଁ ଏହି ବୈଠକର ବିଶେଷ ରାଜନୈତିକ ଗୁରୁତ୍ୱ ଅଛି । ନବୀନ ପଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ପ୍ରାୟ ୨୦ ବର୍ଷ ହେଲା କ୍ଷମତାରେ ଅଛି । ବର୍ତ୍ତମାନର ଅବସ୍ଥାରେ ଏହି ରାଜ୍ୟରେ ଭାଜପା ସକାଶେ ଏକ ବିରାଟ ସୁଯୋଗ ସୃଷ୍ଟି ହେବାକୁ ଯାଉଥିବା ସଂଘ ନେତାମାନେ ଆକଳନ କରୁଛନ୍ତି । ହିନ୍ଦୁତ୍ୱ ଏବଂ କ୍ଷମତା ଦଖଲ ପାଇଁ ଓଡ଼ିଶାକୁ ସଂଘ ଏକ ପରୀକ୍ଷାଗାର ଭାବେ ଗ୍ରହଣ କରିବା ଲାଗି ଯୋଜନା କରିଛି । ଯେହେତୁ ନବୀନଙ୍କ ଯୁଗ ସରିଆସୁଥିବା ମନେ କରାଯାଉଛି, ସେଥିଲାଗି ଖାଲି ପଡ଼ିବାକୁ ଯାଉଥିବା ସ୍ଥାନ ପୂରଣ ଲାଗି ଏବେଠୁ ସଂଘ ପରିବାର ଯୋଜନା କରିବା ମତଲବରେ ଅଛନ୍ତି । ଓଡ଼ିଶାରେ ଭାଜପା ପାଇଁ ବାତାବରଣ ସୃଷ୍ଟି ସକାଶେ ଏହି ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଛି ବୋଲି ଜଣେ ବରିଷ୍ଠ ନେତା ଏହି ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏହା ମଧ୍ୟ ୨୦୨୪ ନିର୍ବାଚନରେ କେନ୍ଦ୍ରରେ ପୁନର୍ବାର ସରକାର ବଜାୟ ରଖିବା ଲାଗି ସାହାଯ୍ୟ କରିବ ।
ଗତ ସାଧାରଣ ନିର୍ବାଚନରେ ଭାଜପାର ଭୋଟ ହାର ୩୮ ପ୍ରତିଶତ ପାର୍‌ ହୋଇଥିଲା । ୨୦୧୪ ନିର୍ବାଚନ ତୁଳନାରେ ଏହା ପ୍ରାୟ ୧୭ ପ୍ରତିଶତ ଅଧିକ । ବିଧାନସଭାରେ ମଧ୍ୟ ଭାଜପାକୁ ୩୨.୫ ପ୍ରତିଶତ ଭୋଟ ମିଳିଥିଲା, ଯାହା ପୂର୍ବ ନିର୍ବାଚନ ତୁଳନାରେ ୧୪ ପ୍ରତିଶତ ବେଶୀ । ରାଜ୍ୟରେ ଆର୍‌ଏସ୍‌ଏସ୍‌ର ୨ହଜାର ଶାଖା ଅଛି । ସ୍ୱୟଂ ସେବକଙ୍କ ସଂଖ୍ୟା ଅଢ଼େଇ ଲକ୍ଷରୁ ଅଧିକ । ଏହାର ସଠିକ ରାଜନୈତିକ ଉପଯୋଗ ହିଁ ଭାଜପାକୁ ବିରାଟ ସୁଯୋଗ ଆଣିଦେଇ ପାରେ ବୋଲି ବିଶ୍ଲେଷକମାନେ ମନେ କରୁଛନ୍ତି ।
ଯଦିଓ ବିଜଦ ନେତାମାନେ ଆର୍‌ଏସ୍‌ଏସ୍‌ ବୈଠକର ରାଜନୈତିକ ଉପଯୋଗିତାକୁ ସ୍ୱୀକାର କରୁନାହାନ୍ତି, ତେବେ ମୋହନ ଭାଗବତ ୯ଦିନ ଧରି ଓଡ଼ିଶାରେ ରହିବା, ଭାଜପାର ଆଗାମୀ ଅଧ୍ୟକ୍ଷ ଜେପି ନଡ୍ଡା ୩ଦିନ ସଂଘ କର୍ମକର୍ତ୍ତାଙ୍କ ସହ ବିତାଇବା ଘଟଣାକୁ ଅନେକ ଶାସକ ଦଳର ନେତା ସନେ୍ଦହ ଚକ୍ଷୁରେ ଦେଖୁଛନ୍ତି । ବିଜଦ ନେତା ପ୍ରତାପ ଦେବ ୨୦୧୭ର ଭାଜପା ଜାତୀୟ କାର୍ଯ୍ୟକାରିଣୀର ଉଦାହରଣ ଦେଇ କହିଛନ୍ତି, ଓଡ଼ିଶାରେ ଏହି କାର୍ଯ୍ୟକାରିଣୀ ବୈଠକ ବସିଥିଲେ ମଧ୍ୟ ୨୦୧୯ରେ ଲୋକେ ବିଜଦ ସପକ୍ଷରେ ମତ ଦେଇଛନ୍ତି । ତେଣୁ ଆର୍‌ଏସ୍‌ଏସ୍‌ ବୈଠକର କୌଣସି ରାଜନୈତିକ ଗୁରୁତ୍ୱ ରହିବ ନାହିଁ । କିନ୍ତୁ ଭାଜପା କାର୍ଯ୍ୟକାରିଣୀ ବୈଠକ ଏବଂ ସଂଘର ନୀତି ନିର୍ଦ୍ଧାରକ ବୈଠକ ମଧ୍ୟରେ ଅନେକ ପ୍ରଭେଦ ଅଛି । ଭାଜପା ପାଇଁ ବାତାବରଣ ସୃ୍‌ଷ୍ଟି କରିବା ଦାୟିତ୍ୱ ସଂଘର । ଓଡ଼ିଶାରେ ବି ଭାଜପା ସକାଶେ ଏକ ଅନୁକୂଳ ବାତାବରଣ ଅଛି । ଏବେ ଭାଜପା ନବୀନ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରୁନାହିଁ । ଆର୍‌ଏସ୍‌ଏସ୍‌ର ଷ୍ଟ୍ରାଟେଜୀ ପରେ ହୁଏତ ଭାଜପାର ରଣନୀତିରେ ପରିବର୍ତ୍ତନ ଆସିପାରେ । ଓଡ଼ିଶାରେ ଭାଜପାକୁ ଶାସକ ଦଳ କରିବାକୁ ହେଲେ ସଂଘର ସହଯୋଗ ଓ ମାର୍ଗ ଦର୍ଶନ ନିତାନ୍ତ ଆବଶ୍ୟକ ବୋଲି ଅନେକ ଭାଜପା ନେତା ମଧ୍ୟ ସ୍ୱୀକାର କରୁଛନ୍ତି ।
ଆସନ୍ତା ୯ ଦିନ ଭିତରେ ବହୁ ବୈଠକ ବସିବ ସଂଘ ନେତାମାନଙ୍କ ମଧ୍ୟରେ । ଆଲୋଚନାର ବିବରଣୀ ବାହାରକୁ ଆସିବା ସମ୍ଭାବନା କ୍ଷୀଣ । କିନ୍ତୁ ପରବର୍ତ୍ତୀ କାଳରେ ନିଷ୍ପତ୍ତି ଯେତେବେଳେ କାର୍ଯ୍ୟରେ ରୂପାୟିତ ହେବ, ସେତେବେଳେ ଜଣାପଡ଼ିବ ଯେ, କେଉଁ ମାର୍ଗରେ ଯାଉଛି ଭାରତୀୟ ଜନତା ପାର୍ଟି? ତେବେ ପୂର୍ବାନୁମାନ ହେଲା, ଆର୍‌ଏସ୍‌ଏସ୍‌ର ଏହି ବୈଠକ ଶାସକ ଦଳ ଏବଂ ନବୀନ ସରକାରଙ୍କ ପାଇଁ ଏକ ସତର୍କ ଘଣ୍ଟି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*