ରାଜଧାନୀରେ ବଢ଼ି ଚାଲିଛି ଅପରାଧ ଅନେକ ମାମଲାର ଥଳକୂଳ ପାଉନି ପୁଲିସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢ଼ି ଚାଲିଛି ଅପରାଧ । ଅପରାଧୀମାନେ କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ସେମାନଙ୍କ ଅପରାଧର କାୟା ବସ୍ତାର କରୁଛନ୍ତି । ରାଜଧାନୀର ଅଧାରୁ ଅଧିକ ଥାନାରେ ଦକ୍ଷ ଅଫିସରଙ୍କ ଅଭାବ ଯୋଗୁଁ ଅପରାଧୀମାନେ ପୁଲିସର ହାତପାହାନ୍ତାରୁ ଖସିଯିବାକୁ ସକ୍ଷମ ହେଉଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଥଳକୁଳ ପାଉନି କମିଶନରେଟ୍‌ ପୁଲିସ । ଦୀପାବଳି ଦିନ ସୁନ୍ଦରପଦା ହାଉସିଂବୋର୍ଡର ଅମରେଶ ନାୟକଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ପିଟି ପିଟି ଅତି ବିଭତ୍ସ ଭାବେ ହତ୍ୟା କରିବା ଘଟଣାକୁ ଗୋଟିଏ ସପ୍ତାହ ବିତିଲାଣି । ଏପର୍ଯ୍ୟନ୍ତ ଅପରାଧୀଙ୍କ ଥଳକୁଳ ପାଉନି କମିଶନରେଟ୍‌ ପୁଲିସ । ସେହିଭଳି ଅପରାଧୀମାନଙ୍କ ତାଲିକା ପ୍ରସ୍ତୁତ କରି ହାତବାନ୍ଧି ବସିଛି ପୁଲିସ । ସେହିଭଳି ଆଇଆଇଟି ଛାତ୍ରଙ୍କ ମୃତୁ୍ୟ ଘଟଣା ହେଉ କି ଏମ୍ସ ହସ୍ପିଟାଲରେ ସୁଇପରଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣା ହେଉ । ଧଉଳି ଥାନା ଅଞ୍ଚଳରେ ରହୁଥିବା ମହିଳା ଆଇନ୍‌ଜୀବୀ ଦୀପାଳିଙ୍କ ମୃତୁ୍ୟ ଘଟଣା ହେଉ କି ବାଲିପାଟଣାରେ ଠିକାଦାରଙ୍କ ଘରୁ ଲୁଟ୍‌ ଘଟଣା ହେଉ । ଏଭଳି ସମ୍ବେଦନଶୀଳ ଘଟଣା ଉପରୁ ଏପର୍ଯ୍ୟନ୍ତ କମିଶନରେଟ୍‌ ପୁଲିସ ପରଦା ହଟାଇ ପାରିଲା ନାହିଁ ।
କମିଶନରେଟ ପୁଲିସ୍ ଏବେ ଟ୍ରାଫିକ ଉପରେ ଗୁରୁତ୍ୱ ଦେବାରେ ଲାଗିଛି । ଫଳରେ ରାଜଧାନୀରେ ଆଇନ ଶୃଙ୍ଖଳା କିଛି ମାତ୍ରାରେ ଭୁଶୁଡିବାରେ ଲାଗିଲାଣି । ଅସାମାଜିକ ବ୍ୟକ୍ତିମାନେ ବିଭିନ୍ନ ଅଞ୍ଚଳରୁ ଲୁଟ କରିବାରେ ଲାଗି ପଡ଼ିଛନ୍ତି । କମିଶନରେଟ ପୁଲିସ୍ର ଏବେ କିଛି ଅଞ୍ଚଳରେ ହତ୍ୟା ଘଟୁଛି ତ ଅନ୍ୟ କେତେବେଳେ ଲୁଟ୍ । କିଛି ସ୍ଥାନରେ ପୁଲିସ୍ ଲୁଟେରାମାନଙ୍କୁ ଗିରଫ କରୁଥିଲେ ମଧ୍ୟ ବହୁ ଲୁଟେରାଙ୍କ ଟେର ପାଇ ପାରୁନାହିଁ ପୁଲିସ୍ । ଫଳରେ ସେମାନେ ରାଜଧାନୀରେ ଖୁଲ୍ଲମଖୁଲ୍ଲା ଲୁଟ କରିଚାଲିଛନ୍ତି । ଗୋଟିଏ ପଟେ ଗୋଟିଏ ହତ୍ୟାକନ୍ଦ ଉପରେ ପରଦା ନ ଉଠୁଣୁ ଆଉ ଗୋଟିଏ ହତ୍ୟାକାନ୍ଦ ଘଟିଯାଉଛି । ଗୋଟିଏ ବଡ଼ ଲୁଟର ପର୍ଦ୍ଦାଫାସ ହେଉନଥିବା ବେଳେ ଆଉ ଏକ ବଡ଼ ଲୁଟ ଘଟିଯାଉଛି । ତେବେ, ଗତ ୨୨ ତାରିଖରେ ଲିଙ୍ଗରାଜ ଥାନା ଅଧିନ ଦିବ୍ୟବିହାର ଅଞ୍ଚଳରେ ରହୁଥିବା ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇଙ୍କ ଘରୁ ପ୍ରାୟ ୮ ଲକ୍ଷ ଟଙ୍କାର ଜିନିଷ ଲୁଟ୍ ହୋଇଥିଲା । ଏହି ଘଟଣା ତଦନ୍ତ ପରେ ପୁଲିସ୍ ଲୁଟେରାମାନଙ୍କୁ ଧରି ପାରିନାହିଁ । ସେହିପରି ମଞ୍ଚେଶ୍ୱର ଥାନା ଅଧିନ ଚକେଇଶିଆଣିରେ ରହୁଥିବା ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଜଣେ ଆସିଷ୍ଟାନ୍ଦ ପ୍ରଫେସରଙ୍କ ଘରୁ ଲୁଟ ଘଟଣାର ତଦନ୍ତ ତଦନ୍ତରେ ହିଁ ରହିଯାଇଛି । ସେହିଭଳି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବାରମ୍ବାର ଲୁଟ୍ ହେଉଥିବା ବେଳେ ପୁଲିସ୍ ଲୁଟେରାମାନଙ୍କୁ ନଧରି ହାତବାନ୍ଧି ବସିଛି । ସମଗ୍ର ରାଜଦାନୀରେ ଲୁଟର ମାତ୍ରା ବହୁ ବଢ଼ିବାରେ ଲାଗିଛି । ପ୍ରତିଦିନ ପ୍ରାୟ ସମସ୍ତ ଥାନାକୁ କିଛି ନା କିଛି ଲୁଟ ବା ଚୋରିର ଅଭିଯୋଗ ଆସୁଛି । ପୁଲିସ୍ ମାମଲା ରୁଜୁ ମଧ୍ୟ କରୁଛି । କିଛି ମାମଲାରେ ପୁଲିସ୍ ଲୁଟ୍ର ଟେର ମଧ୍ୟ ପାଇ ପାରୁ ନାହିଁ । ହେଲେ ବହୁ ଲୁଟ୍ ମାମଲା ଗୁଡିକ କାଗଜପତ୍ରରେ ସୀମିତ ହୋଇ ରହିଯାଉଛି ।
ବାଲିପାଟଣା ଅଞ୍ଚଳରେ ଜଣେ ଠିକାଦାରଙ୍କ ଘରୁ ଚୋରୀ ଉଦ୍ୟମ କରୁଥିବା ବେଳେ ସିସିଟିଭିରେ କଏଦ ହୋଇଛି ଲୁଟ ବେଳର ଦୃଶ୍ୟ । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳର ଜଣେ ଠିକାଦାର ରମାକାନ୍ତ ପନ୍ଦାଙ୍କ ଘରେ ଚୋରି କରିବା ପାଇଁ ପ୍ରବେଶ କରୁଥିଲେ ୨ ଚୋର । ଘରେ ପ୍ରବେଶ କରିବା ପରେ ଚୋରି ଉଦ୍ୟମ କରିଥିଲେ । ମାତ୍ର ଚେରି କରିବାରେ ବିଫଳ ହୋଇଥିଲେ । ଘରେ ପ୍ରବେଶ କରିବା ସମୟରେ ସିସିଟିଭିରେ କାଳେ ଭିଜୁଆଲ କଏଦ ହୋଇଯିବ ସେଥିପାଇଁ ମୁହଁରେ ଏକ କପଡା ବାନ୍ଧିଥିଲେ । ଏହାସହ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଥିଲେ ଚୋର । ଚୋରି କରିବାରେ ବିଫଳ ହେବାରୁ ସେମାନେ ସିସିଟିଭି ଭାଙ୍ଗିବା ପରେ ଘରର କବାଟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ପରେ ସେଠାରୁ ଘର ବାହାରରେ ଥିବା ଏକ ବାଇକକୁ ଧରି ଚୋରମାନେ ଚମ୍ପଟ ମାରିଥିଲେ । ଏନେଇ ରମାକାନ୍ତ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିପାଟଣା ଥାନା ପୁଲିସ୍ ଘଟଣାର ତଦନ୍ତ ଜାରି ରଖିବା ସହ ଖୁବଶୀଘ୍ର ଚୋରି କରିଥିବା ୨ ଜଣଙ୍କୁ ଗିରଫ କରାଯିବ ବୋଲି ବାଲିପାଟଣା ଥାନା ଅଧିକାରୀ କହିଛନ୍ତି । କିଛିଦିନ ତଳେ ରମାକାନ୍ତଙ୍କ ୧୨ ଲକ୍ଷ ଟଙ୍କାର ଆଇରନ ପାଇପକୁ ଝରକା ତାଡି ଲୁଟି ନେଇଥିଲେ । ରାଜଧାନୀ ଭୁବନେଶ୍ୱରର ହାଇସିକୁ୍ୟରିଟି ଜୋନରୁ ହୋଇଛି ଚୋରି । ତାଲା କି ସର୍ଟର ତାଡି ନୁହେଁ, ଛାତ କାଟି ଫିଲ୍ମ ଷ୍ଟାଇଲରେ ଚୋରି । ଦୁର୍ବୃତ୍ତମାନେ ଚୋରି କରିବା ପରେ ଶୋ’ରୁମରେ ମଦ ମାଂସର ପାର୍ଟି କରି ସିସିଟିଭିର ହାର୍ଡ ଡିସ୍କ ତାଡି ନେଇ ଯାଇଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ନିକଟସ୍ଥ ସୌଭାଗ୍ୟନଗରର ନୀଳକଣ୍ଠ ମନ୍ଦିର ଅଞ୍ଚଳରେ ଥିବା ‘ଟାଇଲ ଏନ୍ଦ ବା୍ଥ’ ଏଭଳି ଫିଲ୍ମ ଷ୍ଟାଲରେ ଲୁଟ ହୋଇଛି । ଘଟଣାରେ ଆଶ୍ଚର୍ଯ୍ୟର କଥା କି ଦୋକାନଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଏୟାରପୋର୍ଟ ୱାଚ ଟାୱାର ଓ ସାଧାରଣ ଲୋକଙ୍କ ଯିବା ଆସିବା ରାସ୍ତା । ତଥାପି ଅତି ସାବଧାନତାର ସହ ଚୋରି କରିବାରେ ଦୁର୍ବୃତ୍ତମାନେ ସଫଳ ହୋଇଛନ୍ତି । ଅପରାଧୀମାନଙ୍କ ଉପରେ ଲଗାମ୍‌ ଲଗାଇବାକୁ ହେଲେ ରାଜଧାନୀକୁ ଦକ୍ଷ ଅଫିସରଙ୍କ ଆବଶ୍ୟକତା ରହିଛି । ନ ହେଲେ ଅପରାଧୀମାନଙ୍କ ଉପରେ ଲଗାମ୍‌ ଲଗାଇବାରେ ବିଫଳ ହେବ କମିଶନରେଟ୍‌ ପୁଲିସ । ଆଉ ଅପରାଧୀମାନଙ୍କ ଥଳକୁଳ ନ ପାଇ ପୁଲିସ ହାତବାନ୍ଧି ବସିବା ହିଁ ସାର ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*