ରମଣ ମୁନ୍ଦ ଉପରେ ୧୦୦ କୋଟିର ଠକେଇ ଅଭିଯୋଗ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଗି ଚାଲିଛି ମସୁଧା!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଘରୋଇ ସଂସ୍ଥା ପ୍ରତି ରାଜ୍ୟ ସରକାରଙ୍କ ପ୍ରୀତି ଏବେ ପୁଣି ପଦାରେ ପଡିଛି । ଛାତ୍ରଛାତ୍ରୀଙ୍କଠାରୁ ସରକାରଙ୍କ ଧାର୍ଯ୍ୟ ପିସ୍‌ରୁ ଅଧିକ ଅର୍ଥ ଆଦାୟ କରି ୧୦୦କୋଟିରୁ ଅଧିକ ଟଙ୍କା ଲୁଟ୍‌ କରିଥିବା ଏକ ଶିକ୍ଷାନୁଷ୍ଠାନ ଏବେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଆବେଦନ କରିଛି । ଆଇନ ବିଭାଗର ବିରୋଧ ସତ୍ତ୍ୱେ ବୈଷୟିକ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଅନୁମୋଦନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଇଛନ୍ତି । କ୍ୟାବିନେଟରେ ଏ ନେଇ ଖୁବଶୀଘ୍ର ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ନିୟମ ଅନୁସାରେ ଯଦି କୌଣସି ଶିକ୍ଷାନୁଷ୍ଠାନକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଏ, ତେବେ ଓପିଇଆଇ ର ଧାରା ୪(୧୦)ରେ ଥିବା ଦନ୍ଦବିଧାନ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଯେହେତୁ ଉକ୍ତ ଶିକ୍ଷାନୁଷ୍ଠାନକୁ ପିଲାଙ୍କଠୁ ଲୁଟ୍‌ କରିଥିବା ଟଙ୍କା ଫେରାଇବାର ନିଦେ୍ର୍ଦଶ ଦିଆଯାଇଛି, ସେହି କାରଣରୁ ବିଶ୍ୱବିଦ୍ୟାଳୟ ହେଲେ ଲୁଟ୍‌ ୧୦୦କୋଟିରୁ ଅଧିକ ଅର୍ଥ ଏହି ଅନୁଷ୍ଠାନକୁ ଦେବାକୁ ପଡ଼ିବ ନାହିଁ । ଅନ୍ୟପଟେ ବିଶ୍ୱବିଦ୍ୟାଳୟ ପାଇଁ ଥିବା ୫୦୦କୋଟିର ପ୍ରକଳ୍ପକୁ ମଞ୍ଜୁରି ମିଳିବ । ଯେହେତୁ ଏହି ଶିକ୍ଷାନୁଷ୍ଠାନ ଏବଂ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଜଣକ ଆଇନ ବିଭାଗ, ପିପିବି (ପଲିସି ପ୍ଲାନିଂ ବଡି) ଏବଂ ଏଫଏସସି (ଫିସ୍‌ ଷ୍ଟ୍ରକଚର କମିଟି) ନିଦେ୍ର୍ଦଶକୁ ଫୁ କରି ପଦକ୍ଷେପ ନେଉଛନ୍ତି, ସେଥିରୁ ସ୍ପଷ୍ଟ ବୁଝାପଡୁଛି ଯେ, ଏହି ଘଟଣା ପଛରେ ଏକ ବଡ ର୍ୟାକେଟ୍‌ କାମ କରୁଛି । ତୃତୀୟ ମହଲାର ବରିଷ୍ଠ ଅଧିକାରୀଙ୍କ ସହ ଜଣେ ପୂର୍ବତନ ବିଧାୟକ ଏହାର ପ୍ରଚ୍ଛଦପଟ୍ଟରେ ଥିବା ଯେଉଁ ଅଭିଯୋଗ ହେଉଛି, ତାହା ତଦନ୍ତ ସାପେକ୍ଷ ।
ଅଭିଯୋଗ ଅନୁଯାୟୀ ଏହି ଘଟଣା ପଛର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ତଥା ତୃତୀୟ ମହଲାର ଅତି ନିକଟତର ବୋଲି ଦାବି କରୁଥିବା ଡକ୍ଟର ଅଜୟ କୁମାର ନାୟକ । ଏହି ଘରୋଇ ସଂସ୍ଥା ସିଭି ରମଣ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଫି ଠାରୁ ଅଧିକ ଫି ଆଦାୟ କରୁଛି । ପାଖାପାଖି ୪ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୧୦୦କୋଟିରୁ ଅଧିକ ଟଙ୍କା ଅଧିକ ଫି ଆକାରରେ ନେଇସାରିଛି । ସେ ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ପରେ ୨୦୧୦ରେ ସେ ସମୟର ମନ୍ତ୍ରୀ ରଘୁ ମହାନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେବା ପରେ ତକ୍ରାଳୀନ ସଚିବ ସୌରଭ ଗର୍ଗ ଅକ୍ଟୋବର ୧୨, ୨୦୧୦ରେ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏହା ବିରୁଦ୍ଧରେ କଲେଜ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏଫଏସସି ନିକଟକୁ ମାମଲା ଗଲା ପରେ କଲେଜ ଅଧିକ ଫି ନେଉଛି ବୋଲି ମାନିଥିଲା । ନଭେମ୍ବର ୬, ୨୦୧୭ରେ କଲେଜକୁ ପିଲାଙ୍କ ଟଙ୍କା ଫେରାଇବା ପାଇଁ ଚିଠି ହୋଇଥିଲା । ଏହା ପୂର୍ବରୁ ୩୦୦ରୁ ଅଧିକ ପିଲା ଏହି ଫି ସଂକ୍ରାନ୍ତରେ ଆଫିଡେଭିଟ୍‌ କରିବା ପରେ ବିଚାର କରିବା ପାଇଁ ପିପିବିର ସଦସ୍ୟ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ସରକାରୀ କାର୍ଯ୍ୟାନୁଷ୍ଠାନ ନେବା ମୁଡରେ ଥିବା ଜାଣି ଗଳା ରାସ୍ତା ବାଛିବା ପାଇଁ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଆବେଦନ କରିଥିଲା । ଓଡ଼ିଶା ବୈଷୟିକ ବୃତ୍ତିଗତ ଶିକ୍ଷା ଆଇନ ୨୦୦୭ର ଦନ୍ଦ ବିଧାନ ୪(୧୦) ଅନୁସାରେ ଦୋଷୀ ସାବ୍ୟସ୍ତ ହେଲେ କଲେଜର ସ୍ୱୀକୃତି ପ୍ରତ୍ୟାହାର ହେବ, ୩ବର୍ଷ କାରାଦନ୍ଦ ସହ ପ୍ରତି ପିଲା ପିଛା ଲକ୍ଷାଧିକ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି । ତେଣୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଗଲେ କଲେଜ ଏହି ଜୋରିମାନାରୁ ବାଦ ପଡିଯିବ । ତେବେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଆବେଦନକୁ ବିରୋଧ କରିଥିଲା ରାଜ୍ୟ ସରକାରଙ୍କ ଆଇନ ବିଭାଗ । ସେତିକି ନୁହେଁ ତକ୍ରାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଉକ୍ତ କଲେଜ ଦ୍ୱାରା ରାଜ୍ୟ ସରକାରଙ୍କ ବିରୋଧରେ କରାଯାଇଥିବା ମାମଲା ସମ୍ପର୍କରେ ବିସ୍ତୃତ ବିବରଣୀ ବୈଷୟିକ ଶିକ୍ଷା ବିଭାଗକୁ ମାଗିଥିଲେ । ମାତ୍ର ବୈଷୟିକ ବିଭାଗର ସେହି ଅଧିକାରୀ ଶ୍ରୀ ନାୟକ ୩୦.୮.୨୦୧୭ରେ ଉକ୍ତ କଲେଜ ଦ୍ୱାରା ହାଇକୋର୍ଟ ଏବଂ ସୁପି୍ରମକୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ କରାଯାଇଥିବା ସମସ୍ତ ମାମଲା କଲେଜ ଉଠାଇ ନେଇଥିବାର ଦର୍ଶାଇଥିଲା । ତେବେ ଅଭିଯୋଗରେ କୁହାଯାଇଛି ଯେ, ଆରଟିଆଇରୁ ମିଳିଥିବା ସୂଚନାନୁସାରେ ୧୯.୨.୨୦୧୯ରେ କଲେଜ ଅଧ୍ୟକ୍ଷ ରାଜ୍ୟ ବୈଷୟିକ ଶିକ୍ଷା ବିଭାଗକୁ ପତ୍ରରେ ଉକ୍ତ କଲେଜ ଦ୍ୱାରା ହାଇକୋର୍ଟ ଓ ସୁପି୍ରମକୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ କରାଯାଇଥିବା ମାମଲା ଏ ପର୍ଯ୍ୟନ୍ତ ବଳବତ୍ତର ଥିବା ଦର୍ଶାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି କେମିତି ଦୁଇ ବର୍ଷ ପୂର୍ବେ ଉକ୍ତ ଯୁଗ୍ମ ସଚିବ ୧୦୩୦୦/୨୦୧୩ ଅପସାରିତ ହୋଇଛି ବୋଲି ଉଲ୍ଲେଖ କଲେ? ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ସୁପି୍ରମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଫି କମିଟିର ସଦସ୍ୟ ସଚିବ ସିଭି ରମଣ କଲେଜ ବିରୋଧରେ କରାଯାଇଥିବା ଅଧିକ ଫି ଆଦାୟ ଅଭିଯୋଗର ତଦନ୍ତ ଆରମ୍ଭ ପାଇଁ ରାଜ୍ୟ ବୈଷୟିକ ଓ ଶିକ୍ଷା ବିଭାଗକୁ ବାରମ୍ବାର ନିଦେ୍ର୍ଦଶ ଦେଉଥିବାବେଳେ ବିଭାଗ କିନ୍ତୁ ଏହି ଫାଇଲଟିକୁ ଚାପି ରଖିଥିଲେ । ଏହି ସବୁ ଘଟଣା ଭିତରେ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ଆବେଦନ କରାଯାଇଥିଲା । ରାଜ୍ୟ ସରକାର ପ୍ରଥମେ ଏହାକୁ ଆଇନ ବିଭାଗକୁ ପଠାଇଥିଲାବେଳେ ଆଇନ ବିଭାଗ ମଧ୍ୟ ଏହାକୁ ବିରୋଧ କରିଥିଲା । ତେବେ ଏହାକୁ ଗୁରୁତ୍ୱ ନଦିଆଯାଇ ଫାଇଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ବୈଷୟିକ ବିଭାଗର ଯୁଗ୍ମ ସଚିବ କାହା ବଳରେ ବଳିୟାନ ହୋଇ ସବୁ ନୀତି ନିୟମକୁ ଏଡାଇ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଲାଗି ପଡିଛନ୍ତି ।
ଅଭିଯୋଗ ହୋଇଛି ଯେ, ଏହି ଘଟଣା ପଛରେ ଜଣେ ପୂର୍ବତନ ବିଧାୟକଙ୍କ ସମ୍ପୃକ୍ତି ରହିଛି । କଲେଜ ଟ୍ରଷ୍ଟିଙ୍କ ଦ୍ୱାରା ପରିିଚାଳିତ ଏକ ଚାଟାର୍ଡ ଆକାଉଣ୍ଟସ ଫାର୍ମ ଜଣେ ତାମିଲ ବ୍ୟବସାୟୀଙ୍କର । ୫୦୦କୋଟିର ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପାଇଁ ୫୦କୋଟିର ଡିଲ୍‌ ହୋଇଛି । ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ବାରମ୍ବାର ବିରୋଧ ଓ ବିକ୍ଷୋଭ କରିଥିଲେ ମଧ୍ୟ ସମସ୍ତେ ନିରବତା ଅବଲମ୍ବନ କରୁଛନ୍ତି । ଏହା ପଛରେ ଏକ ପ୍ରଭାବଶାଳୀ ର୍ୟାକେଟ୍‌ କାମ କରୁଛି । ତେବେ ଏହି ଅଭିଯୋଗ କେତେ ସତ, ତାହା ତଦନ୍ତ ସାପେକ୍ଷ । ଅନ୍ୟ ପଟେ ଅଭିଯୋଗ ମିଳିବା ପରେ ଆମେ କଲେଜର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବାର ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*