‘ମୋଦୀ ସରକାରଙ୍କ ପାଖରେ ଶରଣ ପଶିଛନ୍ତି ନବୀନ ସରକାର’ ଏବେ କାଳିଆ ନୁହେଁ, କେବଳ ହକି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କେନ୍ଦ୍ରର ମୋଦୀ ସରକାରଙ୍କ ପାଖରେ ନବୀନ ସରକାର ଶରଣ ପଶିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ ଦେଇଥିବା ଟିପ୍ପଣୀର ବିଶେଷ ରାଜନୈତିକ ଗୁରୁତ୍ୱ ଅଛି । ନିରଞ୍ଜନ କାଳିଆ ଯୋଜନାକୁ ନେଇ ଏହି ମନ୍ତବ୍ୟ ଦେଇଛନ୍ତି ।
କେବଳ ଚାଷୀଙ୍କୁ ନୁହେଁ, ଓଡ଼ିଶାବାସୀଙ୍କ ସହ ବଡ଼ ବିଶ୍ୱାସଘାତ କରିଛନ୍ତି ନବୀନ ପଟନାୟକ । ଚାଷୀ ସଂଗଠନଗୁଡ଼ିକ ଏହାକୁ ଶତାବ୍ଦୀର ସବୁଠୁ ବଡ଼ ବିଶ୍ୱାସଘାତକତା ବୋଲି କହୁଛନ୍ତି । କାଳିଆ ବିଜୁ ଜନତା ଦଳକୁ ଯାହା ଦବା କଥା ନର୍ବାଚନରେ ଦେଇସାରିଛି । ସୁତରାଂ ରାତ୍‌ ଗୟୀ ତୋ ବାତ୍‌ ଗୟୀ । ସେଥିପାଇଁ ଚାଷୀଙ୍କ ଅପେକ୍ଷା ହକି ଏବେ ଅଧିକ ନିଜର ହୋଇସାରିଛି । ହକିରେ ଆନ୍ତର୍ଜାତିକ ସମ୍ମାନ ଓ ପ୍ରତିଷ୍ଠା ମିଳିବାକୁ ଥିବାରୁ ଋଣ ବୋଝରେ ଦବି ଯାଉଥିବା ଓଡ଼ିଶା ସରକାର ପୁଣି ଦ୍ୱିତୀୟ ଥର ସକାଶେ ବିଶ୍ୱକପ୍‌ ହକି ଆୟୋଜନ କରିବାକୁ ଯାଉଛନ୍ତି । କହିବା ନିଷ୍ପ୍ରୟୋଜନ, ୨୦୨୪ ନିର୍ବାଚନର ବର୍ଷକ ପୂର୍ବରୁ ଏହି ବିଶ୍ୱକପ୍‌ ହେବ ଭୁବନେଶ୍ୱର ଏବଂ ରାଉରକେଲାରେ । ୨୦୧୮ରେ ନିର୍ବାଚନର ୫ମାସ ପୂର୍ବରୁ ଓଡ଼ିଶା ଆୟୋଜନ କରିଥିଲା ବିଶ୍ୱକପ୍‌ ହକି ପ୍ରତିଯୋଗିତା ।
ସେତେବେଳେ ନବୀନଙ୍କ ଛାତି ହକି ସକାଶେ ଧକ୍‌ଧକ୍‌ କରିଥିଲା । ତାଙ୍କୁ ଦେଖାଦେଖି ଓଡ଼ିଶାର ଲୋକଙ୍କ ଛାତି ମଧ୍ୟ ଧକ୍‌ଧକ୍‌ ହୋଇଥିଲା ହକି ପାଇଁ । ପାଣି ପରି ଟଙ୍କା ଉଡ଼େଇ ଥିଲେ ସରକାର । ଏହା ଥିଲା ଖଣି ଟଙ୍କା । ହକିର ଧାର୍‌ ଧାରୁ ନଥିବା ସଲ୍‌ମାନ ଖାଁଙ୍କୁ ବାରବାଟୀ ଷ୍ଟାଡିୟମ୍‌କୁ ଆଣି ୧୦ କୋଟି ଟଙ୍କା ଗଣିଦେଇଥିଲେ ରାଜ୍ୟ ସରକାର । ବିଶ୍ୱକପ ହକି ପ୍ରତିଯୋଗିତା କାରଣରୁ ଓଡ଼ିଶାରେ ହକିର କିଭଳି ବିକାଶ ଘଟିଲା, ତାହା ନିଜେ ମୁଖ୍ୟମନ୍ତ୍ରୀ ଜାଣିଥାଇ ପାରନ୍ତି । କିନ୍ତୁ ବଡ଼ ମାଇଲେଜ୍‌ ମିଳିଗଲା ନବୀନ ପଟନାୟକଙ୍କୁ ।
କାଳିଆ କାରଣରୁ ତକ୍ରାଳ ଯାହା ମିଳିବା କଥା ଗତ ଏପି୍ରଲ୍‌-ମେ’ରେ ପାଇସାରିଛନ୍ତି ନବୀନ ପଟନାୟକ । ଏବେ ସେଥିରୁ ମିଳିବାର ନାହିଁ । କେବଳ ବିବାଦରେ ଛନ୍ଦି ହେବା କଥା । କିନ୍ତୁ ଚାଷୀମାନେ ଆମକୁ ମିଳୁ ବୋଲି ମାଗିଥିଲେ କି? ନବୀନ ପଟନାୟକ ନିଜ ଆଡ଼ୁ କାଳିଆ ଯୋଜନା ଘୋଷଣା କରିଥିଲେ । ବଞ୍ଚôଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ ବୋଲି କହିଥିଲେ । ଏହି ଯୋଜନାକୁ ବନ୍ଦ କରିବା ପାଇଁ ଭାଜପା ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଥିଲେ । ସବୁଠୁ ମଜା କଥା, ପଞ୍ଚମ ଥର ପାଇଁ ଯେଉଁଦିନ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ, ସେହିଦିନ ହିଁ କାଳିଆ ଯୋଜନା କଥା ଉଲ୍ଲେଖ କରି ରାଜ୍ୟର ୭୫ଲକ୍ଷ ଚାଷୀ କାଳିଆ ଯୋଜନାରେ ଲାଭବାନ ହେବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ସଂଖ୍ୟା ବଢ଼ିବ କ’ଣ କାଳିଆ ମୋଦୀଙ୍କ କିଷାନ୍‌ ପାଖରେ ଆତ୍ମ ସମର୍ପଣ କରିସାରିଛି ।
ଏହାପରେ ବି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ନବୀନ ସରକାର । ଭାଜପା ପକ୍ଷରୁ ସମ୍ମିଶ୍ରଣର ସାମାନ୍ୟତମ ସମ୍ଭାବନା ନାହିଁ ବୋଲି ସ୍ପଷ୍ଟୀକରଣ ଦିଆଯିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କିିମ୍ବା ତାଙ୍କ ପ୍ରବକ୍ତା କେହି ପାଟି ଖୋଲୁ ନାହାନ୍ତି । ଅଦ୍ଭୁତ ସରକାର ।
କାଳିଆ ଗାଇଡ୍‌ ଲାଇନ ବଦଳି ଗଲେ କେନ୍ଦ୍ର ଯୋଜନା ସହ ଏହା ମିଶିଯାଇ ପାରିବ କି? ଏହା କଦାପି ସମ୍ଭବ ନୁହେଁ ଜାଣି ମଧ୍ୟ ନବୀନ କ୍ୟାବିନେଟ୍‌ କିଭଳି କାଳିଆ ଗାଇଡ୍‌ ଲାଇନ୍‌ରେ ପରିବର୍ତ୍ତନ କଲେ? ଯେଉଁ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି, ସେଥିରେ ପିଏମ୍‌ କିଷାନ ଯୋଜନା ସହ କାଳିଆ କାମ କରିବ ବୋଲି ଉଲ୍ଲେଖ ଅଛି । ବଡ଼ ବିଚିତ୍ର ବିଜ୍ଞପ୍ତି ।
ପିଏମ୍‌ କିଷାନ୍‌ ନିଧି ଯୋଜନା ସାରା ଦେଶ ପାଇଁ ଲାଗୁ ହୋଇସାରିଛି । ଏହାର ନିର୍ଦ୍ଦିଷ୍ଟ ଗାଇଡ୍‌ ଲାଇନ୍‌ ଅଛି । ପୂର୍ବରୁ ୫ଏକର ଜମି ଥିବା କୃଷକ ବର୍ଷକୁ ଦୁଇଟି କିସ୍ତିରେ ୬ହଜାର ଟଙ୍କା ପାଇବେ ବୋଲି ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ ଥିଲା । ଦ୍ୱିତୀୟ ଥର ସରକାର ଗଢ଼ିବା ପରେ ଏହି ଗାଇଡ୍‌ ଲାଇନକୁ ସଂଶୋଧନ କରିଛନ୍ତି ମୋଦୀ ସରକାର । ଏବେ ସବୁ ବର୍ଗର ଚାଷୀ ଏହି ସହାୟତା ପାଇବେ ବୋଲି ସ୍ଥିର ହୋଇଛି । କେନ୍ଦ୍ର ଯୋଜନାରେ ଭାଗଚାଷୀ କିମ୍ବା ନାମମାତ୍ର ଚାଷୀ କିଷାନ୍‌ ନିଧି ଅର୍ଥ ପାଇବାର ବ୍ୟବସ୍ଥା ନାହିଁ । ପୁଣି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବା ଲାଗି ଆଧାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ।
କିନ୍ତୁ କାଳିଆ ଯୋଜନାରେ ଆଳିଆ ଭର୍ତ୍ତି । ଚାଷୀଙ୍କ ଅପେକ୍ଷା ଅଣଚାଷୀ ହିଁ ରାଜନୈତିକ ଭତ୍ତା ପାଇବା ଭଳି ପ୍ରଥମ କିସ୍ତିର ଟଙ୍କା ପାଇସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୭୫ ଲକ୍ଷ ଘୋଷଣା ପାଣିର ଗାର ହୋଇସାରିଛି । ପୂର୍ଣ୍ଣାଙ୍ଗ କାଳିଆ ତାଲିକା ପ୍ରକାଶ କରିବାକୁ ଡରୁଥିବା ସରକାର ଏବେ ଗାଇଡ୍‌ ଲାଇନ ବଦଳାଇ କ’ଣ ପ୍ରମାଣିତ କରିବାକୁ ଚାହାନ୍ତି?
ଯେକୌଣସି ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯେକୌଣସି ଆର୍ଥିକ ସହାୟତା ସ୍କିମ୍‌ ନିଜ ଅର୍ଥରୁ ବ୍ୟବସ୍ଥା କରିପାରିବେ । ଏହାକୁ କେନ୍ଦ୍ର ରୋକିପାରିବ ନାହିଁ । ସୁତରାଂ ପିଏମ୍‌ କିଷାନ୍‌ ନିଧି ଲାଭାର୍ଥୀ ହେବା ପାଇଁ ଯୋଗ୍ୟ ଚାଷୀମାନେ ନବୀନ ସରକାରଙ୍କ କାଳିଆ ଟଙ୍କା ପାଇବାରେ କିଛି ଅସୁବିଧା ନାହିଁ । ନବୀନ ଏହାକୁ ୧୦ରୁ ୨୦ ମଧ୍ୟ କରିପାରନ୍ତି । ମାତ୍ର ଆତ୍ମ ସମର୍ପଣ କରି କାଳିଆର ମୃତୁ୍ୟଘଣ୍ଟି ବଜାଇବା ସକାଶେ ଗାଇଡ୍‌ ଲାଇନ୍‌ରେ ଅବାସ୍ତବ ସଂଶୋଧନ ଅର୍ଥ ଚାଷୀଙ୍କୁ ସିଧାସଳଖ ଠକିବା ।
ବୋଧହୁଏ ସେଥିପାଇଁ ପିସିସି ସଭାପତି ନିରଞ୍ଜନ ପଟନାୟକ ନବୀନ ସରକାରଙ୍କ ପାଇଁ ଶରଣ ଶବ୍ଦ ବ୍ୟବହାର କରିଛନ୍ତି । କିନ୍ତୁ ଯିଏ ଶରଣ ଦେବେ, ସିଏ ଏପର୍ଯ୍ୟନ୍ତ ଶରଣ ଦେଲୁ ବୋଲି କହୁ ନଥିବା ବେଳେ ମାଗି କଲ୍ୟାଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆଦୌ ଶୋଭା ପାଉନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*