ମୋଦୀ-ଜିନ୍‌ପିଙ୍ଗ ବୈଠକରେ ଉଠିଲା ନାହିଁ କାଶ୍ମୀର ପ୍ରସଙ୍ଗ ବୈଠକକୁ ସଫଳ ବତାଇ ଆସନ୍ତାବର୍ଷଚୀନ୍‌ ଯିବାକୁ ମୋଦୀ ଦେଲେ ସହମତି

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ଚେନ୍ନାଇ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିତୀୟ ଅନୌପଚାରିକ ବୈଠକ ଶନିବାର ଶେଷ ହୋଇଥିଲା ବେଳେ ଏହାକୁ ସଫଳ ବୋଲି ବତାଇ ଜିନ୍‌ପିଙ୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ବାଣିଜ୍ୟ ସାଙ୍ଗକୁ ଅନ୍ୟାନ୍ୟ ଏକାଧିକ ଦ୍ୱିପାକ୍ଷିକ ବିଷୟ ଉପରେ ଦୁଇ ନେତା ଦୁଇଦିନ ଧରି ଆଲୋଚନା କରିଥିଲେ । ଶନିବାର ଦୁଇ ଦେଶର ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ଆଲୋଚନା ସମୟରେ । ତେବେ ଭାରତ ଆସିବା ପୂର୍ବରୁ କାଶ୍ମୀର ବାବଦରେ ଚୀନ୍‌ ରାଷ୍ଟ୍ରପତି ମତ ଦେଇଥିବାରୁ ତାହା ଆଲୋଚନା ବେଳେ ଆସିବ କି ନାହିଁ ତାହାକୁ ନେଇ ସମସ୍ତଙ୍କ ନଜର ଥିଲା । କାଶ୍ମୀର ପ୍ରସଙ୍ଗ ଏଠାରେ ଜିନ୍‌ପିଙ୍ଗ ଉଠାଇଥିଲେ ନିଶ୍ଚିତ ଭାବରେ ଭାରତ ପଡ଼ିଥା’ନ୍ତା ଅଡୁଆରେ । ହେଲେ ମୋଦୀ ଓ ସିଙ୍କ ମଧ୍ୟର ଶିଖର ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ଆଦୌ ଉତ୍‌ଥାପିତ ହୋଇନାହିଁ ବୋଲି ବୈଦେଶିକ ସଚିବ ଶନିବାର ପ୍ରକାଶ କରିଛନ୍ତି । ଏହା ପାକିସ୍ତାନ ସକାଶେ ବଡ଼ ଝଟ୍‌କା ହୋଇଛି ବୋଲି ବିଚାର କରାଯାଉଛି ।
ତାମିଲନାଡୁର ମମଲ୍ଲାପୁରମଠାରେ ଭାରତ-ଚୀନ ମଧ୍ୟରେ ଏକ ନୂତନ ସଂପର୍କର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦୁଇ ଦିନରେ ପ୍ରାୟ ୬ଘଣ୍ଟାର ଅନୌପଚାରିକ ସାକ୍ଷାତ ଓ ବାର୍ତ୍ତାଳାପ ପରେ ଦୁଇ ପଡୋଶୀ ଏହି ନୂଆ ସଂପର୍କକୁ ‘ଚେନ୍ନାଇ କନେକ୍ଟ’ର ନାମ ଦେଇଛନ୍ତି । ଚେନ୍ନାଇ କନେକ୍ଟ ଯୋଗୁ ଦୁଇ ଦେଶ ମଧ୍ୟରେ ସହଯୋଗର ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ କହିଥିଲେ । “ଐତିହାସିକ ସହର ଚେନ୍ନାଇ ଭାରତ ଏବଂ ଚୀନ ମଧ୍ୟରେ ସାଂସ୍କୃତିକ ଏବଂ ବ୍ୟବସାୟିକ ଆଦାନପ୍ରଦାନର ସାକ୍ଷୀ ଅଟେ । ଗତ ୨୦୦୦ ବର୍ଷ ମଧ୍ୟରେ ଅଧିକାଂଶ ସମୟରେ ଭାରତ ଏବଂ ଚୀନ ଆର୍ଥିକ ଶକ୍ତିସଂପନ୍ନ ଦେଶଭାବେ ଉଭା ହୋଇସାରିଛନ୍ତି, ଆଉ ଚଳିତ ଶତାବ୍ଦୀରେ ମଧ୍ୟ ଦୁଇ ଦେଶ ସେଦିଗରେ ଲଗାତାର ଆଗକୁ ବଢିଚାଲିଛନ୍ତି ବୋଲି ଏହି ଅବସରରେ ମୋଦୀ କହିଥିଲେ । ଚେନ୍ନାଇ ଶିଖର ସମ୍ମିଳନୀରେ ଆମ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମତ ବିନିମୟ ହୋଇଛି । ଆମେ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ଦିଗରେ କାର୍ଯ୍ୟ କରିବୁ ଚେନ୍ନାଇ କନେକ୍ଟ ଭାରତ-ଚୀନର ସଂପର୍କକୁ ଅଧିକ ମଜଭୁତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡା ପ୍ରଧାନମନ୍ତ୍ରୀ ଉହାନ ସମ୍ମିଳନୀ ଆମ ଦ୍ୱିପାକ୍ଷିକ ସଂପର୍କକୁ ଏକ ନୂତନ ଗତି ପ୍ରଦାନ କରିଛି ବୋଲି କହିବା ସହ ପ୍ରଥମ ଅନୌପଚାରିକ ବୈଠକ ବେଳର ପ୍ରତିଶ୍ରୁତି ମଧ୍ୟ ସାକ୍ଷାତବେଳେ ମନେ ପକାଇଥିଲେ ।
ଏହା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ବିବାଦର ରୂପ ନେବାକୁ ଦିଆନଯିବା ଏବଂ ପରସ୍ପରର ଚିନ୍ତାକୁ ଧ୍ୟାନରେ ରଖିବା ବୋଲି ମୋଦୀ କହିଥିଲେ । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ ମଧ୍ୟ ନିଜ ସମ୍ବୋଧନରେ ଭାରତରେ ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମନ୍ଦଳୀକୁ ମିଳିଥିବା ସ୍ୱାଗତ ସମ୍ବର୍ଦ୍ଧନାରେ ସେ ଅଭିଭୂତ ହୋଇପଡିଛନ୍ତି ବୋଲି କହିଥିଲେ । ଏଥିସହିତ ସେ ମୋଦୀଙ୍କୁ ତୃତୀୟ ଅନୌପଚାରିକ ବୈଠକ ପାଇଁ ଚୀନକୁ ଆମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସିଙ୍କ ନିମନ୍ତ୍ରଣକୁ ସାଦରେ ସ୍ୱୀକାର କରିଥିବା ଜଣାପଡିଛି ।
ଉଠିଲାନି କାଶ୍ମୀର ପ୍ରସଙ୍ଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନାବେଳେ କାଶ୍ମୀର ପ୍ରସଙ୍ଗ ଉଠିନଥିବା ଜଣାପଡିଛି । ବୈଦେଶିକ ସଚିବ ବିଜୟ ଗୋଖଲେ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଭାରତ ଗସ୍ତରେ ଆସିବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଡକାଇ ତାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଜିନପିଙ୍ଗ୍‌ ଏବଂ ଇମ୍ରାନଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ବାବଦ ଆଲୋଚନା ହୋଇଥିଲା । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜିନପିଙ୍ଗ, ମୋଦୀଙ୍କ ସହ ଆଲୋଚନାବେଳେ ହୁଏତ କାଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି ଅନୁମାନ କରାଯାଉଥିଲା । ହେଲେ ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତବେଳେ କାଶ୍ମୀର ପ୍ରସଙ୍ଗ ଆଦୌ ଉଠାଇନଥିଲେ । ଏହାକୁ ଭାରତର ଏକ ବଡ ବିଜୟ ବୋଲି ମଧ୍ୟ କୁହାଯାଉଛି । କାରଣ ଭାରତ ଲଗାତାର ଜାମ୍ମୁ-କାଶ୍ମୀରକୁ ଏହାର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିବା ସହ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଚାହେଁ ନାହିଁ ବୋଲି କହିଆସୁଛି । ଚୀନ ଭାରତର ଏହି ଆଭିମୁଖ୍ୟକୁ ବିଚାରି ଏହି ପ୍ରସଙ୍ଗ ଉଠାଇ ନଥିବାରୁ ଏହାକୁ ଦେଶର ଏକ ବଡ ବିଜୟ ଭାବେ ଦେଖାଯାଉଛି । ଶନିବାର ଗୋଖଲେ ଏବାବଦରେ ଗଣମାଧ୍ୟମକୁ ସୂଚନା ଦେଇ “କାଶ୍ମୀର ପ୍ରସଙ୍ଗ ବୈଠକବେଳେ ଉଠିନଥିଲା କି ଏହି ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିଲା । କାରଣ ଏଦିଗରେ ଆମର ଆଭିମୁଖ୍ୟ ପୁରାପୁରି ସ୍ପଷ୍ଟ ରହିଛି । ଜାମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ” ବୋଲି କହିଥିଲେ । ହେଲେ ଆତଙ୍କବାଦ ପୂରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହା ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଥିବା ସଂପର୍କରେ ଗୋଖଲେ କହିଥିଲେ । ମୋଦୀଙ୍କୁ ପରବର୍ତ୍ତୀ ଶିଖର ସମ୍ମିଳନୀ ପାଇଁ ଚୀନକୁ ଆସିବାକୁ ଜିନପିଙ୍ଗ୍‌ ନିମନ୍ତ୍ରଣ କରିଥିବା କଥା ସୂଚନା ଦେଇଥିଲେ । ମୋଦୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ହେଁ, ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ । ଦୁଇ ନେତା ଅନୌପଚାରିକ ସମ୍ମିଳନୀର ଚିନ୍ତାଧାରାକୁ ଖୁବ ପ୍ରଶଂସା କରିଥିଲେ । ଏପରି ସମ୍ମିଳନୀ ବାର୍‌ ବାର୍‌ ହେଲେ ଦୁଇ ଦେଶର ନେତୃବର୍ଗ ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ ହୋଇପାରିବ ବୋଲି ଜିନପିଙ୍ଗ୍‌ କହିଥିବା ସଂପର୍କରେ ଗୋଖଲେ ପ୍ରକାଶ କରିଥିଲେ ।
ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ତାଙ୍କର ଦ୍ୱିଦିବସୀୟ ଭାରତ ଗସ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଦୁଇ ନେତା ତାମିଲନାଡୁର କୋବଲମସ୍ଥିତ ତାଜ୍‌ ଫିସରମ୍ୟାନ ରିସର୍ଟଠାରେ ୱାନ-ଟୁ-ୱାନ୍‌ ବୈଠକ କରିଥିଲେ । ବନ୍ଦ କୋଠରୀରୁ ସମୁଦ୍ର ତଟ ଯାଏ ମୋଦୀ ଓ ଶିଙ୍କ ମଧ୍ୟରେ ଅନେକ ସମୟ ଧରି ଆଲୋଚନା ହୋଇଥିଲା । ପ୍ରାୟ ୯୦ ମିନିଟ୍‌ ଧରି ଦୁଇ ନେତା ଆଲୋଚନା କରିଥିଲେ । ପରେ ମୋଦୀ ଏବଂ ଜିନପିଙ୍ଗ୍‌ଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା । ଏହି ଆଲୋଚନାବେଳେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ୍‌ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ମୋଦୀ ଏବଂ ଜିନପିଙ୍ଗ୍‌ କୂଟନୈତିକ ସଂପର୍କ ବୃଦ୍ଧି ଉପରେ ଜୋର ଦେଇଥିଲେ । ଏହାଛଡା ବ୍ୟାପାର, ନିବେଶ ଏବଂ ସେବା ବାବଦ ଚର୍ଚ୍ଚା ସକାଶେ ନୂଆ ରଣନୀତି ପ୍ରସ୍ତୁତ କରିବା ସକାଶେ ବୈଠକବେଳେ ଆଲୋଚନା ହୋଇଥିଲା ।
ବୈଠକବେଳେ ଚୀନ ରାଷ୍ଟ୍ରପତି ମାନସରୋବର ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ବିଷୟରେ ଆଲୋଚନା କରିଥିଲେ । ଏହାଛଡା ତାମିଲନାଡୁ ଏବଂ ଚୀନ ମଧ୍ୟରେ ସଂପର୍କ ସ୍ଥାପନ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ବୈଠକରେ । କିଛି ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ବୈଠକବେଳେ କଥାବାର୍ତ୍ତା ହୋଇଥିଲେ । ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନ ନେଇ ମଧ୍ୟ ମୋଦୀ-ଜିନପିଙ୍ଗ୍‌ ଆଲୋଚନା କରିଥିଲେ । ଏହାଛଡା ଚୀନ ଭାରତ ସହ ବ୍ୟାପାରବାଣିଜ୍ୟ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ବୈଠକବେଳେ ଭାରତ-ଚୀନ ମଧ୍ୟରେ ପର୍ଯ୍ୟଟନ ଧାରା ବୃଦ୍ଧି ଉପରେ ଜୋର ଦେଇଥିବା ଜଣାପଡିଛି ।
ସିଙ୍କୁ ହାତବୁଣା ଶାଲ ଉପହାର ଦେଲେ
ଜିନପିଙ୍ଗ୍‌ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଜ ଫିସରମ୍ୟାନ କୋବ ହୋଟେଲରେ ଚାଲିଥିବା ଏକ ପ୍ରଦର୍ଶନୀରେ ମଧ୍ୟ ସାମିଲ୍‌ ହୋଇଥିଲେ । ଏହି ଅବସରରେ ମୋଦୀ, ଚୀନ ରାଷ୍ଟ୍ରପତିଙ୍କୁ ଏକ ସିଲ୍କ ଶାଲ୍‌ ଉପହାରରେ ପ୍ରଦାନ କରିଥିଲେ । ଏହି ଶାଲ୍‌ରେ ଜିନପିଙ୍ଗ୍‌ଙ୍କ ଫଟୋ ରହିଛି, ଯାହାକୁ କଳାକାର ହାତରେ ବୁଣି ପ୍ରସ୍ତୁତ କରିଥିଲେ । ୫ ଦିନରେ ପ୍ରସ୍ତୁତ ହୋଇଥିବା ଉକ୍ତ ଶାଲ୍‌ରେ ରେଶମ ଏବଂ ସୁନା ଜରି ବ୍ୟବହାର କରାଯାଇଛି । ଜିନପିଙ୍ଗ ମଧ୍ୟ ଏହି ଅବସରରେ ମୋଦୀଙ୍କ ମୁହଁ ଥିବା ଏକ ଫଳକ ଉପହାରରେ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀଙ୍କୁ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ, ସିଙ୍କୁ ନାଚିୟାରକୋଇଲ୍‌ ଦୀପ ଉପହାରରେ ପ୍ରଦାନ କରିଥିଲେ । ଉକ୍ତ ଦୀପକୁ ଅନ୍ୟମ ଦୀପ(ଲ୍ୟାମ୍ପ) ମଧ୍ୟ କୁହାଯାଇଥାଏ । ଏହାକୁ ୮ ଜଣ ପ୍ରସିଦ୍ଧ ଶିଳ୍ପୀ ନିର୍ମାଣ କରିଥିଲେ । ଦୀପଟି ୬ଫୁଟ୍‌ ଉଚ୍ଚ ଏବଂ ୧୦୮ କେଜି ଓଜନର ଅଟେ । ପିତ୍ତଳରେ ନିର୍ମିତ ଏହି ଦୀପକୁ ବନାଇବାକୁ ୧୨ ଦିନ ଲାଗିଥିଲା । ଏହାଛଡା ପ୍ରଧାନମନ୍ତ୍ରୀ ମୋଦୀ ତଞ୍ଜାବୁର ପେଣ୍ଟିଂର ଏକ ଡ୍ୟାନ୍ସିଂ ସରସ୍ୱତୀ ଜିନପିଙ୍ଗ୍‌ଙ୍କୁ ଉପହାରରେ ପ୍ରଦାନ କରିଥିଲେ । ଏକ କାଠରେ ନିର୍ମିତ ଏହି ପେଣ୍ଟିଂ ଉଚ୍ଚତା ୩ ଫୁଟ, ଓସାର ୪ ଫୁଟ ଏବଂ ୪୦ କେଜି ହୋଇଥିବା ଜଣାପଡିଛି ।
ସାରା ବିଶ୍ୱ ହେବ ଲାଭାନ୍ୱିତ
ମହାବଳୀପୂରମ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିତୀୟ ଅନୌପଚାରିକ ଶିଖର ବୈଠକ ଶେଷ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଶନିବାର ଦିନ ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ସେ ଓ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଖୁବ୍‌ ଫଳପ୍ରଦ ଆଲୋଚନା କରିଛନ୍ତି । ବିଶେଷ କରି ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ କରିବା ଲାଗି ଦୁହେଁ ଆଲୋଚନା କରିଥିଲେ । ଚୀନ୍‌ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରି କହିଛନ୍ତି ଚେନ୍ନାଇ କନେକ୍ଟ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗତିଶୀଳ କରିଦେବ । ପ୍ରଧାନମନ୍ତ୍ରୀ ଶନିବାର ଦିନ ମଧ୍ୟ ସୋସିଆଲ ମିଡ଼ିଆରେ ନିଜ ପ୍ରତିକ୍ରିୟା ଇଂରାଜୀ, ତାମିଲ ଏବଂ ମାନ୍ଦାରିନ୍‌ରେ ପ୍ରଦାନ କରିଥିଲେ । ୨ ଦିନ ଧରି ଦୁଇ ନେତାଙ୍କୁ ମିଳିଥିବା ଆତିଥ୍ୟତା ପାଇଁ ସେ ଧନ୍ୟବାଦ ଅର୍ପଣ କରି କହିଛନ୍ତି ତାମିଲନାଡ଼ୁର ଭାଇ ଓ ଭଉଣୀ ମାନଙ୍କ ଆତିଥ୍ୟତା ଅତିବ ଚମକ୍ରାର ରହିଥିଲା । ଶୁକ୍ରବାର ଦିନ ମଧ୍ୟ ୩ ଭାଷାରେ ନିଜ ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ରଖିଥିଲେ ପ୍ରଧାନମନ୍ତ୍ରୀ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*