ମୋଦୀ-ଗୋଟାବାୟାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶ୍ରୀଲଙ୍କା ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଭାରତ ଦେବ ୨୮୬୫କୋଟି ଋଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସ୍ଥାନୀୟ ହାଇଦ୍ରାବାଦ ହାଉସଠାରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ବୈଠକ ପରେ ମିଳିତ ବିବୃତିବେଳେ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ସକାଶେ ୨୮୬୫ କୋଟି ଟଙ୍କା(୪୦୦ ମିଲିଅନ ଡଲାର) ର ଋଣ ସୁବିଧା(ଲାଇନ୍‌ ଅଫ୍‌ କ୍ରେଡିଟ୍‌) ଦିଆଯିବ ବୋଲି ଘୋଷଣା କରିଥିଲେ । ଏହାଛଡା ୭୧୬ କୋଟି ଟଙ୍କା(୧୦୦ ମିଲିଅନ ଡଲାର)ର ଋଣ ସୋଲାର ଯୋଜନାରେ ଖର୍ଚ୍ଚ କରିବା ସକାଶେ ପଡୋଶୀ ଶ୍ରୀଲଙ୍କାକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଭାରତୀୟ ଆବାସ ପରିଯୋଜନା ଅନ୍ତର୍ଗତ ଶ୍ରୀଲଙ୍କାରେ ପୂର୍ବରୁ ହିଁ ୪୬ ହଜାର ଘର ନିର୍ମାଣ କରାଯାଇସାରିଛି । ସେହିପରି ତାମିଲ ସଂପ୍ରଦାୟର ଲୋକଙ୍କ ପାଇଁ ଆଉ ୧୪ ହଜାର ଘରର ନିର୍ମାଣ ଚାଲିଛି । ଶ୍ରୀଲଙ୍କା ସରକାର ତାମିଲଙ୍କ ସମାନତା, ନ୍ୟାୟ ଏବଂ ସମ୍ମାନ ପ୍ରଦାନ ଦିଗରେ କାର୍ଯ୍ୟ କରିବେ ବୋଲି ମୋଦୀ ଏହି ଅବସରରେ ଆଶାବ୍ୟକ୍ତ କରିଥିଲେ ।
ଏହାପରେ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଉଦେ୍ଦଶ୍ୟରେ କହିଥିଲେ ଯେ, ଆପଣଙ୍କୁ ଶ୍ରୀଲଙ୍କା ଜନତା ପକ୍ଷରୁ ବହୁମତ ମିଳିଛି । ଶ୍ରୀଲଙ୍କାବାସୀ ଏକ ମଜଭୁତ୍‌ ଦେଶ ଦେଖିବାକୁ ଚାହୁଁଛନ୍ତି ବୋଲି ଏହା ଦର୍ଶାଉଛି । ଏହା କେବଳ ଭାରତ ହିତରେ ନୁହେଁ, ଅଧିକନ୍ତୁ ପୁରା ଭାରତ ମହାସାଗର ଅଞ୍ଚଳ ପାଇଁ ଗରୁତ୍ୱପୂର୍ଣ୍ଣ ଅଟେ । ‘ନେବରହୁଡ ଫାଷ୍ଟ ପଲିସୀ’( ପଡୋଶୀ ପ୍ରାଥମିକତା ନୀତି) ଅନ୍ତର୍ଗତ ଆମେ ଶ୍ରୀଲଙ୍କାକୁ ପ୍ରାଥମିକତା ଦେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ ଲଢିଥାଏ । ଶ୍ରୀଲଙ୍କାଙ୍କୁ ଆତଙ୍କବାଦ ସହ ମୁକାବିଲା ପାଇଁ ଆମେ ୩୫୮ କୋଟି ଟଙ୍କା(୫୦ ମିଲିଅନ ଡଲାର)ର ଆର୍ଥିକ ସହାୟତା ପ୍ରଦାନ କରିବୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପାକସେ ମିଳିତ ବିବୃତିରେ କହିଥିଲେ ଯେ, ଭାରତ ଶ୍ରୀଲଙ୍କା ଭାରତୀୟ ଧୀବରଙ୍କ ନୌକା ରଖାଯାଇଥିବା ପ୍ରସଙ୍ଗ ଉଠାଇଥିଲା । ତେଣୁ ଆମେ ଖୁବ୍‌ଶୀଘ୍ର ଆମ ହେପାଜତରେ ଥିବା ନୌକାଗୁଡିକୁ ଖୁବଶୀଘ୍ର ଛାଡିବା ନେଇ ପଦକ୍ଷେପ ନେବୁ ବୋଲି ଗୋଟାବାୟା କହିଥିଲେ । ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣକ୍ରମେ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବାୟା ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଶୁକ୍ରବାର, ରାଷ୍ଟ୍ରପତି ଭବନରେ ତାଙ୍କୁ ଔପଚାରିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ଗୋଟାବାୟା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହା ପୂର୍ବରୁ ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତି ବନିବା ପରେ ଏହା ହେଉଛି ଗୋଟାବାୟାଙ୍କର ପ୍ରଥମ ବିଦେଶ ଯାତ୍ରା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*