ମୁହଁ ଖୋଲନ୍ତୁ, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନବୀନ: ସାରା ବିଶ୍ୱରେ ଦେଶର ନାକ କାଟିଦେଲେ ଦେବାଶିଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୧୬ ତାରିଖ ରାତିରେ ନିଆଳି ରତନପୁରର ବୀରପୁତ୍ର ମନୋଜ ବେହେରାଙ୍କ ମରଶରୀର ସାମ୍ନାରେ ତାଙ୍କ ଦାଦାଙ୍କୁ ତଣ୍ଟିଆ ଦେଇ ଚର୍ଚ୍ଚା ଘେରକୁ ଆସିଥିଲେ କଟକ-ବାରବାଟୀ ବିଜୁ ଜନତା ଦଳ ବିଧାୟକ ଦେବାଶିଷ ସାମନ୍ତରାୟ । ପାଖରେ ଥିଲେ ମନ୍ତ୍ରୀ ପ୍ରତାପ ଜେନା । ପାଖରେ ଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ । ଶହଶହ ଶୋକାକୁଳ ଜନତା । ଶେଷ ସମ୍ମାନ ଦେବା ପାଇଁ ଉପସ୍ଥିତ ବନ୍ଧୁକଧାରୀ ପୁଲିସ । ମଝିରେ ଜାତୀୟ ପତାକା ଘୋଡ଼ାଯାଇଥିବା ବୀର ସହିଦ ମନୋଜଙ୍କ କଫିନ୍‌ । ଏଭଳି ପରିସ୍ଥିତିରେ ବି ବିଜୁ ଜନତା ଦଳ ବିଧାୟକ ସହିଦଙ୍କ ଦାଦାଙ୍କୁ ପ୍ରଥମେ ଧକ୍କା ଓ ପରେ ତଣ୍ଟିଆ ଦେଇ ପୁତୁରାଙ୍କ ଶବ ପାଖରେ ବସାଇ ଦେଇଥିଲେ ।
ଦୁଇଦିନ ଧରି ବିଧାୟକଙ୍କ ଉଦ୍ଧତ ଆଚରଣ ପ୍ରଦର୍ଶିତ କରୁଥିବା ଭିଡିଓଟି ଘୂରି ବୁଲିଲା ସୋସିଆଲ୍‌ ମିଡିଆରେ । ଘୂରି ବୁଲିଲା ଚ୍ୟାନେଲ୍‌ଗୁଡ଼ିକରେ । କିନ୍ତୁ ନିର୍ବିକାର ଥିଲେ ବିଧାୟକ ସାମନ୍ତରାୟ । ସମ୍ପୂର୍ଣ୍ଣ ନୀରବ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଚୁପ୍‌ ରହିଥିଲା ବିଜୁ ଜନତା ଦଳ । ସତେ ଯେମିତି କିଛି ହିଁ ଘଟିନାହିଁ ।
୧୯ ତାରିଖ ଦିନ ଚାରିଆଡ଼ୁ ସମାଲୋଚନାର ଝଡ଼ ବୋହିବା ଆରମ୍ଭ କଲା ଏହି ଭିଡିଓକୁ ନେଇ । ଟିପ୍ପଣୀ ଦେବାକୁ ବାହାରି ଆସିଲେ ମୁଖପାତ୍ର ସସ୍ମିତ୍‌ ପାତ୍ର । ଏହି ସବ୍‌ଜାନ୍‌ତା ମୁଖପାତ୍ର ଏଭଳି ଭିଡିଓର କୌଣସି ଦମ୍‌ ନାହିଁ ଏବଂ ମାମୁଲି ଘଟଣା ବୋଲି କହିବାକୁ କୁଣ୍ଠା ପ୍ରକାଶ କରି ନଥିଲେ ।

ଏହାଦ୍ୱାରା ସହିଦ୍‌ଙ୍କ ପ୍ରତି ତାଙ୍କର ସମ୍ମାନ ଜଣାପଡ଼ି ଯାଉଥିଲା । ଶାସକ ଦଳର ଅହଂକାର ଏବଂ ଔଦ୍ଧତ୍ୟର ଏହା ଥିଲା ଏକ ପ୍ରତିଫଳନ ମାତ୍ର । କିନ୍ତୁ କ୍ରମଶଃ ସମାଲୋଚନା ବଢ଼ୁଥିବାରୁ ଅସ୍ତବ୍ୟସ୍ତ ବିଧାୟକ ସାମନ୍ତରାୟ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଥିଲେ । କ୍ଷମା ମାଗିବାକୁ ତିନିଦିନ ସମୟ ଲାଗିଗଲା ଦେବାଶିଷଙ୍କୁ । ଏହା ମାମୁଲି କି ଅମାମୁଲି, ତାହା ସସ୍ମିତ୍‌ ପାତ୍ରଙ୍କୁ ଭଲ ଭାବେ ଜଣା ବି ଥିବ । ତେବେ ଦେବାଶିଷ କେତେକ ଗୋଳମାଳିଆ ସନେ୍ଦଶ ଦେବାକୁ ଚେଷ୍ଟା କରିଥିଲେ । ସେ ମରଶରୀରକୁ କାନ୍ଧ ଦେଇଥିବା କହିଥିଲେ । ଏପରି କି ସହିଦଙ୍କ ବାପାଙ୍କ ସହ କଥା ହୋଇଥିଲି, ପତ୍ନୀଙ୍କୁ ବୁଝାଇଥିଲି । ତାଙ୍କ ଘରେ ବସିଥିଲି । ଏମିତି ଏମିତି କିଛି ଦୋଷ ଛଡ଼ାଇବା ଭଳି କଥା କହିବା ଅବସରରେ ମୁଁ ଜାଣି ନଥିଲି ଯେ, ଯାହାଙ୍କୁ ତଣ୍ଟିଆ ମାରିଛି, ସେ ମନୋଜଙ୍କ ସମ୍ପର୍କୀୟ ବୋଲି । ତେବେ ବିଧାୟକ ସାମନ୍ତରାୟ ଯୋଡ଼ ହସ୍ତରେ ଅନ୍ୟମାନଙ୍କୁ ନିବେଦନ କରିଥିଲେ ଯେ, ଘଟଣାର ଆଉ ରାଜନୀତିକରଣ କରନ୍ତୁ ନାହିଁ ।
କିନ୍ତୁ ଉଦ୍ଧତ ସାମନ୍ତରାୟଙ୍କ ଅଶୋଭନୀୟ ଆଚରଣ ଓଡ଼ିଶାର ଗୁଣଗାରିମାରେ କଳା ବୋଳିଦେଇଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍‌ ରହିଥିଲେ ନବୀନ ପଟନାୟକ । ବ୍ରାହ୍ମଣଙ୍କ ସମ୍ପର୍କରେ ତଥାକଥିତ ମନ୍ତବ୍ୟକୁ ନେଇ ପଚରା ଉଚରା ନକରି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମନ୍ଦଳରୁ ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରିଦେଇଥିଲେ । ହେଲେ ଏତେବଡ଼ ସାଙ୍ଘାତିକ ଘଟଣାରେ ନବୀନ ନୀରବ ରହିବା ପ୍ରମାଣିତ କରୁଥିଲା ଯେ, ତାଙ୍କ ମୁଖପାତ୍ର ସସ୍ମିତ୍‌ ଯାହା କହିଥିଲେ, ତାହା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଛି ।
ହେଲେ ଦେବାଶିଷଙ୍କ ଚର୍ଚ୍ଚିତ ତଣ୍ଟିଆ ସାରା ବିଶ୍ୱରେ ଭାରତର ନାକ କାଟି ଦେଇଛି । ଏହାକୁ ସୁଯୋଗ ଭାବେ ଗ୍ରହଣ କରିଛି ପାକିସ୍ତାନ । ପାକିସ୍ତାନ ଚ୍ୟାନେଲ୍‌ଗୁଡ଼ିକରେ ବିଧାୟକଙ୍କ ତଣ୍ଟିଆମରା ଦୃଶ୍ୟ ଭାଇରାଲ୍‌ ହେବାରେ ଲାଗିଛି । ଏହାକୁ ତୁହାକୁ ତୁହା ପ୍ରଚାର କରାଯାଉଛି । ‘ଆଜାଦ୍‌ ଟିଭି’ ଆଙ୍କର ମୁକ୍ତାବର୍‌ କହୁଛନ୍ତି, ‘ଭାରତୀୟ ସୈନିକଙ୍କ ସହ ଭାରତୀୟ ରାଜନେତାମାନେ କ’ଣ କରୁଛନ୍ତି… । ଆପଣ ଜାଣି ହଇରାଣ ହେବେ, ପରିଶାନ୍‌ ମଧ୍ୟ ହେବେ । ପୁଲ୍‌ୱାମା ଘଟଣାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭାରତୀୟ ରାଜନେତାଙ୍କ ବାସ୍ତବତା କିଛି ଭିନ୍ନ ଅଟେ । ସୋସିଆଲ୍‌ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହୋଇଛି । ଯାହା ଭାରତୀୟ ରାଜନୈତିକ ନେତାମାନଙ୍କର ପୋଲ୍‌ ଖୋଲିଦେଇଛି । ଓଡ଼ିଶାରେ ବିଜୁ ଜନତା ଦଳର ଜଣେ ନେତା ମୃତ ସୈନିକଙ୍କ ପରିବାର ଲୋକଙ୍କ ସହ ଖରାପ ବ୍ୟବହାର କରୁଛନ୍ତି । ଏହି ନେତା ଜଣଙ୍କ ସୈନିକଙ୍କ ସମ୍ପର୍କୀୟଙ୍କୁ ତଣ୍ଟିଆ ଓ ଧକ୍କା ମାରୁଛନ୍ତି । ଏହା ନେତାଙ୍କର ସୈନିକଙ୍କ ପ୍ରତି କୁମ୍ଭୀର କାନ୍ଦଣାକୁ ପ୍ରତିପାଦିତ କରୁଛି ।’
ଯାହାହେଉ, ନବୀନ ବାବୁ ବିଶ୍ୱକପ୍‌ ହକି କରି ବିଦେଶରେ ନାଁ କମେଇ ଥିଲେ । ଅବଶ୍ୟ ସେଥିପାଇଁ ତାଙ୍କୁ ପୁଳାପୁଳା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । କିନ୍ତୁ କୌଣସି ବିଦେଶୀ ଚ୍ୟାନେଲ୍‌ରେ ତାଙ୍କୁ ନେଇ ଏମିତି ଚମକ୍‌ଦାର୍‌ ଖବର ପରିବେଶିତ ହୋଇ ନଥିଲା । ମାତ୍ର ଟଙ୍କା ଖର୍ଚ୍ଚ ନକରି କେବଳ ଧକ୍କା ଓ ତଣ୍ଟିଆରେ ଅଜସ୍ର ନାଁ କମେଇ ଦେଇପାରିଲେ ବାହୁବଳି ବିଧାୟକ ଦେବାଶିଷ ସାମନ୍ତରାୟ । ନିଜ ଦଳ ପାଇଁ ଆଣିଲେ ଅଜସ୍ର ସୁନାମ । ଅବଶ୍ୟ ଏଥିପାଇଁ ଭାରତର ଏବଂ ଭାରତୀୟ ସୈନିକଙ୍କ ନାକ ଯେ କଟିଗଲା, ସେକଥା ଦେବାଶିଷ କିମ୍ବା ତାଙ୍କ ବନ୍ଧୁ ନବୀନ ଜାଣିପାରି ନଥିବେ ।
ଏବେ ସମସ୍ତଙ୍କ ଅପେକ୍ଷା ଦେବାଶିଷଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନବୀନ? ନା, ବିଦେଶରେ ଓଡ଼ିଶାର ଏବଂ ବିଜୁ ଜନତା ଦଳର ଭିନ୍ନ ଯଶବାନା ଉଡ଼ାଇ ଥିବାରୁ ନବୀନ ପୁରସ୍କୃତ କରୁଛନ୍ତି ଦେବାଶିଷଙ୍କୁ?
ଜୁଏଲ୍‌ଙ୍କୁ ଭିଡ଼ିଲେ ଦେବାଶିଷ
ଅତ୍ୟନ୍ତ ଲଜ୍ୟାଜନକ ପରିସ୍ଥିତିରେ ପଡ଼ିଛନ୍ତି କଟକ ବାରବାଟୀ ବିଧାୟକ । ଘଟଣାର ତିନିଦିନ ପରେ କ୍ଷମା ମାଗି ଅଡ଼ୁଆ ଟାଳିଦେବାକୁ ଚେଷ୍ଟା କରିଥିଲେ ଦେବାଶିଷ । ଆଉ କେହି ଏହାକୁ ନେଇ ରାଜନୀତି ନକରିବାକୁ ଦେବାଶିଷ ଅନ୍ୟମାନଙ୍କୁ ଯୋଡ଼ହସ୍ତରେ ନିବେଦନ କରିଥିଲେ । କିନ୍ତୁ ପାକ୍‌ ମିଡିଆରେ ତାଙ୍କ ଚର୍ଚ୍ଚିତ ତଣ୍ଟିଆ ଭିଡିଓ ବାରମ୍ବାର ପ୍ରସାରିତ ହେବା ଏବଂ ଭାରତକୁ ଅପମାନ କରିବା ନେଇ ଏହାକୁ ଏକ ମାଧ୍ୟମ ରୂପେ ବ୍ୟବହାର କରାଯିବା ପରେ ବିଜଦ ବିଧାୟକଙ୍କ ଅଡୁଆ ବଢ଼ିଛି । କୌଣସି ଘଟଣାରେ ଦୁଇଥର କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି ଦେବାଶିଷ । ଯେଉଁ ଘଟଣାକୁ ଭିତ୍ତିହୀନ ଓ ଦମ୍‌ ନଥିବା କହିଥିଲେ ମୁଖପାତ୍ର ସସ୍ମିତ ପାତ୍ର, ସେହି ଭିତ୍ତିହୀନ ଘଟଣା ପାଇଁ ଆଜି ଦଳକୁ ସାରା ଦେଶରେ ନିନ୍ଦିତ ହେବାକୁ ପଡ଼ିଛି । ଅତ୍ୟନ୍ତ ବିବ୍ରତ ଦେବାଶିଷ ହଠାତ୍‌ ଦ୍ୱିତୀୟ କ୍ଷମାପ୍ରାର୍ଥନା ବେଳେ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମଙ୍କୁ । କହିଛନ୍ତି ସଂପୃକ୍ତ ଦୂର ସମ୍ପର୍କୀୟ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ଆଡ଼କୁ ମାଡ଼ିଯାଉଥିଲେ । ଏଥିପାଇଁ ସେ ତାଙ୍କୁ ଟାଣିଆଣି ଥିଲେ । ସେ ଜୁଏଲ୍‌ଙ୍କୁ ଧକ୍କା ମାରିଥିଲେ । ସେଥିପାଇଁ ତାଙ୍କୁ ହାତ ଧରି ତଳେ ବସାଇ ଦେଇଥିଲେ ।
ଗୋଟିଏ ଭୁଲ୍‌ ଲୁଚାଇବା ପାଇଁ ଦେବାଶିଷ ପୁଣି ମିଛ କହିଛନ୍ତି । ସହିଦ ମନୋଜଙ୍କ ସମ୍ପର୍କୀୟଙ୍କୁ ଆଜି “ଦୂର’ କରିଦେଲେ ବିଧାୟକ । ପ୍ରଥମ କ୍ଷମାପ୍ରାର୍ଥନା ବେଳେ ତାଙ୍କ ଦାଦା ବୋଲି ଜାଣିନଥିଲି ବୋଲି କହିଥିଲେ । ଅର୍ଥାତ୍‌ ସାଧାରଣ ଲୋକଙ୍କୁ ବାଡ଼େଇବାର ଅଧିକାର ଏହି ବାହୁବଳି ବିଧାୟକଙ୍କର ଅଛି ବୋଲି ପରୋକ୍ଷରେ ସେ ସୂଚନା ଦେଇଥିଲେ । ପ୍ରଥମ କ୍ଷମାପ୍ରାର୍ଥନା ବେଳେ ଜୁଏଲ୍‌ଙ୍କ କଥା ସେ ଆଦୌ ଉଠାଇନଥିଲେ । ସମ୍ପର୍କୀୟ ଜଣକ ଜୁଏଲ୍‌ଙ୍କୁ ଧକ୍କା ମାରୁଥିବା ଭିଡିଓରେ ଆଦୌ ଦେଖାଯାଉନାହିଁ । ଦ୍ୱିତୀୟ କ୍ଷମାପ୍ରାର୍ଥନା ବେଳେ ମିଛ କହିବାକୁ ଯାଇ ଦେବାଶିଷ କହିଛନ୍ତି ଯେ, ତାଙ୍କ ହାତ ଧରି କେବଳ ସେ ବସାଇ ଦେଇଥିଲେ । ହାତ ଧରିବା ଓ ତଣ୍ଟିଆ ମାରିବା ଭିତରେ ଆକାଶ ପାତାଳ ପ୍ରଭେଦ ଅଛି ବୋଲି ବିଜଦର ଏହି ବରିଷ୍ଠ ବିଧାୟକ ବୋଧହୁଏ ଅଜଣା ଅଛନ୍ତି । ତେବେ ଦ୍ୱିତୀୟ କ୍ଷମାପ୍ରାର୍ଥନା ପରେ ବିବାଦ ଏତେ ସହଜରେ ତୁଟିଯିବ ବୋଲି ମନେହେଉନାହିଁ ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ : ଧର୍ମେନ୍ଦ୍ର
ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତଣ୍ଟିଆ ମାରିବା ଘଟଣା ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଅଟେ । ଏହା ସହିଦଙ୍କ ପରିବାର ପ୍ରତି ଅପମାନ ଅଟେ । ତୁରନ୍ତ ମୁଖ୍ୟମନ୍ତ୍ରୀ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଆ ଆଜି ଅପମାନିତ : ନିରଞ୍ଜନ
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦାୟିତ୍ୱହୀନତା ଏବଂ ବିଜଦ ନେତାଙ୍କ ଦାଦାଗିରି ପାଇଁ ଓଡ଼ିଶା ଆଜି ଅପମାନିତ । ପାକିସ୍ତାନ ଆମକୁ ତାତ୍ସଲ୍ୟ କରୁଛି । ବଡ଼କଥା ହେଉଛି ଏଭଳି ଘଟଣା ଘଟିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବିଧାୟକଙ୍କ ବିରୋଧରେ । ଏଥିରୁ ପ୍ରମାଣିତ ହେଉଛି ଯେ ଓଡ଼ିଶାର ସହିଦଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର କୌଣସି ସମ୍ମାନ ନାହିଁ । ଏଥିସହ ରାଜ୍ୟବାସୀ ଏବଂ ଦେଶ ପ୍ରତି ମଧ୍ୟ ତାଙ୍କର ସମ୍ମାନ ନାହିଁ । ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ ।
ତାଙ୍କୁ ବାନ୍ଧ : ଦାମ
ପାକିସ୍ତାନ ଚ୍ୟାନେଲ୍‌ରେ ବିଧାୟକଙ୍କ ଦବଙ୍ଗଗିରି ଏବଂ ସହିଦଙ୍କ ପରିବାରର ଜଣେ ସଦସ୍ୟଙ୍କୁ ତଣ୍ଟିଆ ମାରିବା ଘଟଣା ପ୍ରକାଶିତ ହେବା ପରେ ବିଧାୟକଙ୍କୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ସେ କହିଛନ୍ତି ଯେ ଯଦି ଓଡ଼ିଶା ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଭିଜିତ ଜେଲ୍‌ ଗଲେ ତେବେ ଦେବାଶିଷ ଜେଲ୍‌ ଯିବେ ନାହିଁ କାହିଁକି? ତାଙ୍କୁ ତୁରନ୍ତ ଗିରଫ କରିବା ଦରକାର । ଏହା ଖାଲି ସହିଦଙ୍କ ପରିବାରକୁ ନୁହେଁ ବରଂ ଓଡ଼ିଶାକୁ ଏବଂ ଭାରତକୁ ଅପମାନିତ କରିଛି । ବଡ଼କଥା ହେଉଛି ଏଡ଼େବଡ଼ ଘଟଣା ଘଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍‌ ରହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*