ମୁହଁତୋଡ଼ ଜବାବ ପାଇଁ ଜଳ-ସ୍ଥଳ-ଆକାଶରେ ଭାରତ ସଜାଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ମଙ୍ଗଳବାର ଭୋର୍‌ରୁ ଭାରତୀୟ ବାୟୁସେନାର ଅତର୍କିତ ତଥା ଲକ୍ଷ୍ୟଭେଦ ଆକ୍ରମଣରେ ବଡ଼ ଅପମାନିତ ଓ ନିନ୍ଦିତ ହୋଇଥିବା ପାକିସ୍ତାନ ବୁଧବାର ସାମରିକ କାର୍ଯ୍ୟାନୁଷ୍ଠାନର ଆରମ୍ଭକରି ଯୁଦ୍ଧର ମାହୋଲ ବନାଇ ଦେଇଛି । ଭାରତୀୟ ସୀମା ଭିତରକୁ ପାକ୍‌ ବାୟୁସେନାର ବିମାନ ପ୍ରବେଶ କରି ପରିସ୍ଥିତିକୁ ଅଧିକ ଘନୀଭୂତ କରିଥିଲା ବେଳେ ନିୟନ୍ତ୍ରଣରେଖାର ବିଭିନ୍ନ ସେକ୍ଟରରେ ତୁହାକୁ ତୁହା ଗୁଳିବର୍ଷଣ କରି ସମୁଦ୍ର ଅଞ୍ଚଳକୁ ଉତ୍ତେଜନା ପ୍ରବଣ କରିଦେଇଛି ପାକିସ୍ତାନ । ଆତଙ୍କୀଙ୍କ ବିରୋଧରେ ଭାରତର ପ୍ରଚନ୍ଦ ପ୍ରହାରରେ ଅସ୍ତବ୍ୟସ୍ତ ହୋଇଯାଇଥିବା ପାକିସ୍ତାନ ବୁଧବାର ଏହାକୁ ଯୁଦ୍ଧର ରୂପ ଦେବାର ଚେଷ୍ଟା କରି ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଭାରତୀୟ ପ୍ରତିରକ୍ଷା କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିବାର ପ୍ରୟାସ କରିଥିଲା ସୀମା ଭିତରକୁ ବିମାନ ଉଡ଼ାଇ ।

ତେବେ ଏହାକୁ ସଜାଗ ଭାରତୀୟ ସେନା ପନ୍ଦ କରିଦେଇଛି । ଭାରତୀୟ ବାୟୁସେନା ଭିତରକୁ ପଶିଆସିଥିବା ପାକିସ୍ତାନୀ ଏଫ୍‌-୧୬ ବିମାନକୁ ଭାରତୀୟ ମିଗ୍‌-୨୧ ବିମାନଗୁଡ଼ିକ ପ୍ରତିଆକ୍ରମଣର ସ୍ୱରୂପ ଦେଖାଇ ଡରାଇଦେବା ସହ ଗୋଟିଏ ଏଫ୍‌-୧୬ ବିମାନକୁ ଖସାଇ ମଧ୍ୟ ପକାଇଛନ୍ତି । ସଜାଗ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଦେଖି ପାକ୍‌ ବିମାନଗୁଡ଼ିକ ନିଜ ଦେଶକୁ ତୁରନ୍ତ ଚାଲିଯିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ତାହାରି ଭିତରେ ଭାରତୀୟ ବାୟୁସେନାର ଏକ ମିଗ୍‌ ବିମାନ ପାକ୍‌ ଅଧିକୃତ କାଶ୍ମୀରରେ ଖସିପଡ଼ିଥିଲା । ଏହାକୁ ଚଳାଉଥିବା ପାଇଲଟ୍‌ ୱିଙ୍ଗ କମାନ୍ଦର ଅଭିନନ୍ଦନ ପାକିସ୍ତାନର କବ୍‌ଜାରେ ଅଛନ୍ତି । ତାଙ୍କୁ ତୁରନ୍ତ ଭାରତକୁ ପଠାଇବା ଲାଗି ଦାବି ଉପସ୍ଥାପିତ କରିସାରିଛନ୍ତି ଭାରତ ସରକାର ।
ମଙ୍ଗଳବାର ଭାରତୀୟ ବାୟୁସେନାର ସଠିକ୍‌ ଆକ୍ରମଣକୁ ନେଇ ପାକିସ୍ତାନୀ ଜନତାଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେଣୁ ଅନୁମାନ ଲଗାଯାଉଥିଲା କିଛି ଏକ କାର୍ଯ୍ୟାନୁଷ୍ଠାନ ପ୍ରତି ଆକ୍ରମଣ ବାହାନାରେ ପାକିସ୍ତାନ କରିବ ବୋଲି । ଆଉ ବୁଧବାର ପାକିସ୍ତାନର ଲଢ଼ୁଆ ବିମାନଗୁଡ଼ିକ ଭାରତୀୟ ସୀମା ଭିତରେ ପ୍ରବେଶ କରିବାର ଦୁଃସାହସ କରିଥିଲେ । ଭାରତ କେବଳ ଆତଙ୍କବାଦୀ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା ବେଳେ ପାକିସ୍ତାନ ବୁଧବାର ଦିନ ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ଆକ୍ରମଣ ଉଦ୍ୟମ କରି ପ୍ରକାଶ୍ୟ ଯୁଦ୍ଧର ଆରମ୍ଭ କରାଇବାର ସ୍ଥିତି ବନାଇ ଦେଇଥିଲା । ଏଭଳି କିଛି କାନ୍ଦ ପାକିସ୍ତାନ କରିବାର ଆଶଙ୍କା ଥିବାରୁ ସଜାଗ ଥିଲେ ଭାରତୀୟ ସେନା । ତାରି ଫଳରେ ଶତ୍ରୁ ଦେଶର ସବୁ ଉଦ୍ୟମ ପନ୍ଦ କରାଯାଇଛି । ପାକିସ୍ତାନର ଗୋଟିଏ ବିମାନ ଖସାଯାଇଥିବା ସ୍ପଷ୍ଟ ହୋଇଛି । ସେଇ ବିମାନର ଭଗ୍ନାଂଶ ସୀମାରେ ଥିବା ଆମ ସେନା ଯବାନମାନେ ଖସିପଡିବା ଦେଖିଥିବା କହିଛନ୍ତି ।
ବନ୍ଦ ହେଲା ଏୟାରପୋର୍ଟ
ବୁଧବାର ସକାଳ ବେଳା ଉଭୟ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନଗୁଡ଼ିକ ସୀମାବର୍ତ୍ତୀ ଅଞ୍ଚଳରେ ଉଡ଼ାଣ ଭରିବା ଫଳରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାର ଏକ ଆଶଙ୍କାପୂର୍ଣ୍ଣ ଅବସ୍ଥା ସୃଷ୍ଟି ହୋଇଥିଲା । ଆଉ ସେହି ସମୟରେ ଉଭୟ ପଟର ବହୁ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା ବ୍ୟବସାୟିକ ଉଡ଼ାଣ ପାଇଁ । ଫଳରେ ମାହୋଲ ଅଧିକ ଗମ୍ଭୀର ହୋଇଯାଇଥିଲା । ଶ୍ରୀନଗର, ପଠାନକୋଟ୍‌, ସିମ୍‌ଲା, ପିଥୋରାଗଡ଼, ଅମୃତସର, ଜମ୍ମୁ, ଧର୍ମଶାଳା, ଡେରାଡୁନ, ଲେହ ଏବଂ ଚନ୍ଦିଗଡ଼ ଭଳି ବହୁ ବିମାନବନ୍ଦରକୁ ମଧ୍ୟାହ୍ନ ବେଳକୁ ବନ୍ଦ କରିଦିଆଯାଇଥିଲା । ଘରୋଇ ବିମାନଗୁଡ଼ିକର ଚଳାଚଳ ବନ୍ଦ କରାଯାଇ ବିମାନ ବନ୍ଦର ଭିତରେ ଥିବା ଲୋକଙ୍କୁ ପଦାକୁ ନିଆଯାଇ ଅଞ୍ଚଳ ସିଲ୍‌ କରାଯାଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ପରିସ୍ଥିତି ସାମାନ୍ୟ ହେବା ଦେଖି ପୁଣିଥରେ ବହୁ ବିମାନ ବନ୍ଦରରୁ ସ୍ୱାଭାବିକ ସେବା ଚଳାଚଳ ଅନୁମତି ମିଳିଥିଲା । ସୂଚନା ଅନୁସାରେ ପାକିସ୍ତାନ ମଧ୍ୟ ବୁଧବାର ଇସ୍‌ଲାମାବାଦ, ଲାହୋର ଏବଂ କରାଚି ଭଳି ବହୁ ବିମାନ ବନ୍ଦରକୁ ବନ୍ଦ କରିଦେଇଥିଲା ସାଧାରଣ ନାଗରିକଙ୍କ ଲାଗି । ନିୟନ୍ତ୍ରଣରେଖା ନିକଟରେ ପାକିସ୍ତାନୀ ସେନା ପକ୍ଷରୁ ପ୍ରବଳ ଗୁଳିଗୋଳା ମାଡ଼ ହେଉଥିବାରୁ ପୁଞ୍ଚ ଓ ରାଜୌରୀ ଜିଲାର ବହୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି ।
ଦିଆଗଲା ପ୍ରମାଣ
ପୁଲୱାମା ହମ୍‌ଲା ପରେ ଭାରତ ପାକିସ୍ତାନ ଉପରେ ସମସ୍ତ ଦୋଷ ଲଦିଥିଲା । କାରଣ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ ସେହି ହମ୍‌ଲାର ଉତ୍ତରଦାୟିତ୍ୱ ନେଇଥିଲା । ସେତିକି ବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରମାଣ ଦେବାକୁ ଭାରତକୁ କହିଥିଲେ । ବୁଧବାର ଭାରତ ପକ୍ଷରୁ ପୁଲୱାମା ଘଟଣାରେ ଜୈଶର ସମ୍ପର୍କ ବାବଦରେ ସଠିକ୍‌ ପ୍ରମାଣ ପାକିସ୍ତାନକୁ ପ୍ରଦାନ କରାଯାଇଛି । ଭାରତରେ ପାକିସ୍ତାନର କାର୍ଯ୍ୟନିର୍ବାହୀ ହାଇକମିଶନର ସୟଦ ହାଇଦର ଶାହାଙ୍କୁ ବୁଧବାର ଅପରାହ୍ନରେ ବୈଦେଶିକ ବିଭାଗକୁ ଡକାଯାଇ ସେଇ ପ୍ରମାଣ ପ୍ରଦାନ ହୋଇଥିଲା । ଏଥିସହ ପାକିସ୍ତାନର ବାୟୁସେନା ଭାରତୀୟ ସୀମା ଟପି ମିଲିଟାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାର ପ୍ରୟାସ କରିଥିବାରୁ ଏଥିଲାଗି ଜୋର୍‌ଦାର ବିରୋଧ ଦର୍ଜ ମଧ୍ୟ କରାଯାଇଥିଲା ।
ଭାରତର ଜୋରଦାର ପ୍ରସ୍ତୁତି
ପାକିସ୍ତାନ କଲବଲ ଅବସ୍ଥାରେ ଥିବାରୁ କିଛି ନା କିଛି ଘଟଣା ଘଟାଇବା ସକାଶେ ପ୍ରୟାସ କରିବ ବୋଲି ଭାରତ ଅନୁମାନ କରିଥିଲା । ସବୁବେଳେ ଯୁଦ୍ଧ ଆରମ୍ଭ କରିଥିବା ପାକିସ୍ତାନ ବୁଧବାର ମଧ୍ୟ ସେଭଳି ଆସ୍ଫର୍ଦ୍ଧା କରିଛି । ଏଭଳି ପରିସ୍ଥିତିରେ ସୂଚନା ମିଳୁଛି ଜଳ-ସ୍ଥଳ ଓ ଆକାଶରେ ଭାରତ ନିଜ ସ୍ଥିତିକୁ ସୁଦୃଢ଼ କରି ସୁରକ୍ଷାର ଅଭେଦ୍ୟ ଘେର ବନାଇ ନେଇଛି । ଏଥିସହ ତିନିସେନା ଆବଶ୍ୟକ ପଡ଼ିଲେ ତୁରନ୍ତ ଆଟାକ୍‌ କରିବାର ଅବସ୍ଥାରେ ତୟାର ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଭାରତ ପକ୍ଷରୁ ରାଡର୍‌ ଏବଂ ସତର୍କ ଓ ନିୟନ୍ତ୍ରଣ ବ୍ୟବସ୍ଥାର ବ୍ୟବହାର ଆରମ୍ଭ ହୋଇଛି । ଏଭଳି ଅତ୍ୟାଧୁନିକ ସିଷ୍ଟମ୍‌ ଲଗାଯାଇଛି ଯେ ଶତ୍ରୁ ବିମାନ ବହୁ ତଳେ ଉଡ଼ିଆସିଲେ ମଧ୍ୟ ଏହାକୁ ରାଡର୍‌ରେ ଧରାଯାଇ ପାରିବ । ଏଥିସହ ଆମର ପ୍ରାୟ ୧୩ଶହରୁ ବେଶୀ ଲଢ଼ୁଆ ବିମାନ ଓ ପାଇଲଟ୍‌ ସଜ ହୋଇ ବସିଛନ୍ତି । ଭାରତୀୟ ସେନା ସୁପରସୋନିକ୍‌ କ୍ରୁଜ୍‌ ମିଜାଇଲ୍‌ ବ୍ରହ୍ମୋସ, ଅଗ୍ନି, ପୃଥ୍ୱୀ, ଆକାଶ ଏବଂ ନାଗ ର ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋଇ ବସିଛି । ସୀମାରେ ଆମର ଅତ୍ୟାଧୁନିକ ୫ହଜାରରୁ ବେଶୀ ଟ୍ୟାଙ୍କ ପ୍ରସ୍ତୁତ ଥିଲାବେଳେ ଭାରତୀୟ ବାୟୁସେନା ଓ ଭାରତୀୟ ନୌସେନା ମଧ୍ୟ ଚରମ ପ୍ରସ୍ତୁତିରେ ଅଛି । ସୂଚନା ଅନୁସାରେ ଏୟାର୍‌ କ୍ରାଫ୍ଟ କ୍ୟାରିୟର ସାଙ୍ଗକୁ ଯୁଦ୍ଧପୋତ ଏବଂ ପରମାଣୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବୁଡ଼ା ଜାହାଜକୁ ଆଲର୍ଟରେ ରଖାଯାଇସାରିଛି । ଅତ୍ୟାଧୁନିକ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପାକିସ୍ତାନ ନୌସେନାର ଜବାବ ଦେବା ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି । ଏହାର ଡେକ୍‌ ଉପରେ ଏକାଧିକ ଲଢ଼ୁଆ ବିମାନ ଉଡ଼ାଣ ଭରିପାରିବ । ଜଣେ ରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତର ତିନିସେନା ସହ ଅର୍ଦ୍ଧସାମରିକ ବାହିନୀଗୁଡ଼ିକ ସଂପୂର୍ଣ୍ଣ ଭାବରେ ହାଇଆଲର୍ଟରେ ଅଛନ୍ତି । ବହୁ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ତଥା ବଡ଼ ବଡ଼ ଭିତ୍ତିଭୂମିଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖାଯିବା ସହ ସୁରକ୍ଷାଘେର ଆହୁରି ବଢ଼ାଇ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*