ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କୁ ଟଣାଓଟରା, ଘୋଷାଡି ବାହାର କଲେ ବିଜୁ ଗୁଣ୍ଡାବାହିନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ରସୁଲପୁର

ବିଜୁ ଜନତା ଦଳର ଦର୍ଶନ ଓ ସଂସ୍କାର କିପରି ତାହା କାହାକୁ ଅଛପା ନାହିଁ । ଶନିବାର କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଶହୀଦ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଗ୍ରାମକୁ ଯାଇଥିଲା ବେଳେ ନିଜ ଉଦ୍ଧତ ଆଚରଣ ଦେଖାଇଥିଲେ । ସେ ଶହୀଦଙ୍କ ଦାଦାଙ୍କୁ ତଣ୍ଟିଆ,ଧକ୍କା ଦେଇଥିଲେ । ଏହାଥିଲା ବିଜଦ ଷ୍ଟାଇଲର ଶ୍ରଦ୍ଧାଞ୍ଜଳି । ମଙ୍ଗଳବାର ଧର୍ମଶାଳାରେ ମଧ୍ୟ ଜଣେ ମହିଳାଙ୍କୁ ବିଜଦ କର୍ମୀମାନେ ଧକ୍କା,ତଣ୍ଟିଆ ଦେବା ସହ ଘୋଷାଡୁ ଥିବା ଦେଖିବାକୁ ମିଳିଥିଲା । ବଡ଼କଥା ହେଉଛି ଏହି ସଭାରେ ନିଜେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।
ମଙ୍ଗଳବାର ଯାଜପୁର ଜିଲାକୁ ତୋଫାନିଗସ୍ତରେ ଆସି ଧର୍ମଶାଳାର ବିକାଶ ସମାବେଶରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ, ଶିଳାନ୍ୟାସ କଲେ । ହେଲେ ଯେଉଁ ସରକାର ମା’କୁ ସମ୍ମାନର ନାରା ଦେଇଆସୁଛି, ତଣ୍ଟି ଫଟାଇ କହିବୁଲୁଛି ସେହି ଦଳର ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜଦ ଗୁନ୍ଦାମାନେ ଜଣେ ମହିଳାଙ୍କୁ ତଣ୍ଟିଆ ମାରିବା ସହ ଧକ୍କା ମାରିଥିଲେ । ଅନ୍ୟ ସମସ୍ତେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପ୍ରତିବାଦ କରିନଥିଲେ । ଧର୍ମଶାଳାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ସ୍ମୃତିରେଖା ପହଞ୍ଚି ମୁଖ୍ୟମନ୍ତ୍ରୀ ହାଏ ହାଏର ସ୍ଲୋଗାନ ଦେଇଥିଲେ । ସେ ଏବଂ ତାଙ୍କ ସମର୍ଥକମାନେ କଳାପତାକା ଦେଖାଇଥିଲେ । ଏହା ଦେଖି ମହିଳାଙ୍କ ଉପରକୁ ଝାମ୍ପିପଡିଥିଲେ ବିଜୁ ଯୁବ ଜନତାଦଳର କର୍ମକର୍ତ୍ତାମାନେ । ତାଙ୍କୁ ଟଣାଓଟରା କରିବା ସହ ଘୋଷାରି ଘୋଷାରି ବାହାରକୁ ନେଇଥିଲେ । ମହିଳାଙ୍କୁ ଏପରି ବ୍ୟବହାର କରାଯାଉଥିଲା ବେଳେ ଉପସ୍ଥିତ ପୁଲିସମାନେ ମଧ୍ୟ ନୀରବଦ୍ରଷ୍ଟା ସାଜିଥିଲେ । ଧର୍ମଶାଳାର ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିବା ଜଣେ ମହିଳା ନେତ୍ରୀଙ୍କୁ ବିଜୁ ଗୁନ୍ଦାବାହିନୀର ଏହି ଆଚରଣକୁ ସର୍ବସାଧାରଣରେ ନିନ୍ଦା କରାଯାଇଥିଲା ବେଳେ ଏହା ଦଳର ମହିଳାଙ୍କ ପ୍ରତି ସମ୍ମାନର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ।
ଏ ସମ୍ପର୍କରେ ସ୍ମୃତିରେଖା କହିଛନ୍ତି ଯେ, ନବୀନ ସରକାର ନାରୀମାନଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛନ୍ତି । ମାତ୍ର ସରକାର ନାରୀମାନଙ୍କୁ ନେଇ ସମାବେଶ କରୁଛନ୍ତି । ଧର୍ମଶାଳାର ବିଧାୟକ, ଜମି,ଖଣି, ଚିଟ୍‌ଫନ୍ଦ ଦୁର୍ନୀତିରେ ସାମିଲ ଅଛନ୍ତି । ତାଙ୍କୁ ସହଯୋଗ କରି ଅଞ୍ଚଳରେ ନବୀନ ବାବୁ ଅରାଜକତା ସୃଷ୍ଟି କରୁଛନ୍ତି । ଗରିବ, ଦଳିତ ମହିଳାଙ୍କୁ ସୁରକ୍ଷା ମିଳୁନି । ଏହାକୁ ବିରୋଧ କରି ଆମେ କଳାପତାକା ପ୍ରଦର୍ଶନ କରିଥିଲୁ । ପୁଲିସ୍‌ ଆମକୁ ଥାନାକୁ ଆଣିଥିଲା । ତେବେ ବିଜଦର ଗୁନ୍ଦାମାନେ ଯେଭଳି ଟଣାଓଟଣା ଓ ଅସଦାଚରଣ କଲେ ତାହା ନବୀନ ବାବୁଙ୍କ ଗାଁକୁ କାମ, ମା’କୁ ସମ୍ମାନର ଜ୍ୱଳନ୍ତ ପ୍ରମାଣ ଦେଇଛି ।
ଜାରକା ମହୋତ୍ସବ ପଡିଆରେ ଆୟୋଜିତ ଏହି ସମାବେଶରେ ମଞ୍ଚରେ ମାତ୍ର ୨୧ମିନିଟ୍‌ ରହିଥିଲେ ମୁଖ୍ୟମନ୍ତ୍ରୀ । ଆଉ ନିଜ ଭାଷଣକୁ ୩ ମିନିଟ୍‌ ମଧ୍ୟରେ ସୀମିତ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ କର୍ମୀମାନଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା । ସଭାରେ କିଛି ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଭାଷଣ ଦେବାର ସୁଯୋଗ ମଧ୍ୟ ମିଳିନଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଏହି ସଭାରେ ଜଣେ ଦାଗି ପୁଲିସ୍‌ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା । ଏହି ଅଧିକାରୀ ଜଣଙ୍କ ଟମକା ଥାନାରେ ଥିଲାବେଳେ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏବଂ ନିଲମ୍ବିତ ହୋଇଥିଲେ । ସଭାରେ ୮୦ ଭାଗ ଥିଲେ ମହିଳା । ସମାବେଶକୁ ଆସିବା ପାଇଁ ବିଧାୟକ ଅଙ୍ଗନୱାଡି ଦିଦିଙ୍କୁ, ମହିଳା ସ୍ୱଂୟସହାୟକ ଗୋଷ୍ଠୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେମାନଙ୍କୁ କୁହାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ତୁମମାନଙ୍କ ପାଇଁ ଭିନ୍ନଭିନ୍ନ ଯୋଜନା କରୁଛନ୍ତି, ଯଦି ତୁମେ ଏହି କାର୍ଯ୍ୟକ୍ରମରେ ସାମିଲ ନହେବ ତେବେ ଏହିସବୁ ଯୋଜନାକୁ ବନ୍ଦ କରିଦିଆଯିବ । ଅନେକ ଅଙ୍ଗନୱାଡି କର୍ମୀ ସଭାପାଇଁ ନିଜ କେନ୍ଦ୍ରକୁ ବନ୍ଦ କରି ଏଠାକୁ ଆସିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*