ମାରିକ୍‌ ଫାଇଲ ବାହାର କରନ୍ତୁ ନବୀନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପୂର୍ବତନ ଡିଜିପି ବିଜୟ ଶର୍ମାଙ୍କ ସାର୍ଟିଫିକେଟ୍‌ ଦୁର୍ନୀତି ଉପରେ ତଦନ୍ତ କରିବେ ତିନିଜଣିଆ ପ୍ରଶାସନିକ ଟିମ୍‌ । ଫଳ କ’ଣ ହେବ, ତାହା ଏବେ ପୂର୍ବାନୁମାନ କରିବା ସହଜ ନୁହେଁ । ବିଜୟଙ୍କୁ ଖତରେ ପରିଣତ କରିପାରନ୍ତି କିମ୍ବା କ୍ଳିନ୍‌ଚିଟ୍‌ ଦେଇ ଅନ୍ୟ କେଉଁ ଜାଗାରେ ଭଲ ପଦବୀରେ ଅବସ୍ଥାପିତ କରିପାରନ୍ତି ସରକାର । କିନ୍ତୁ ତା’ ପୂର୍ବରୁ ଆଉ ଜଣେ ପୂର୍ବତନ ଡିଜିପି ସଞ୍ଜୀବ୍‌ ମାରିକ୍‌ଙ୍କ ଲୋକପାଳ ରିପୋର୍ଟ ସାର୍ବଜନୀନ କରି ପ୍ରଶାସନିକ ସ୍ୱଚ୍ଛତାର ପ୍ରମାଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଏକଥା କଂଗ୍ରେସ ମଧ୍ୟ ଆଜି ଦାବି କରିଛି ।
ସେପ୍ଟେମ୍ବର ୨୭ ତାରିଖରେ ନିର୍ଭୟରେ ପ୍ରକାଶ ପାଇଥିଲା ‘ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ହିଁ ଗାଏବ୍‌ କରିଛି ଲୋକାୟୁକ୍ତଙ୍କ ରିପୋର୍ଟ’ । କିନ୍ତୁ ଇତିମଧ୍ୟରେ ଦୁଇମାସ ବିତିଯାଇଥିଲେ ମଧ୍ୟ ସଞ୍ଜୀବ ମାରିକଙ୍କ ବିରୋଧରେ ଲୋକପାଳ ଦେଇଥିବା ରିପୋର୍ଟ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ହଜାଇ ଦେଇଥିଲା ବା ଲୁଚାଇ ରଖିଛି, ତାହାର କୌଣସି ସ୍ପଷ୍ଟୀକରଣ ଏପର୍ଯ୍ୟନ୍ତ ସରକାର ଦେଇ ନାହାନ୍ତି ।
ଲୋକପାଳ ଜଷ୍ଟିସ୍‌ ଶରତ ଚନ୍ଦ୍ର ମହାପାତ୍ର ୨୦୦୮ ମାର୍ଚ୍ଚ ୨୭ ତାରିଖରେ ସଞ୍ଜୀବ ମାରିକ୍‌ଙ୍କ ବିରୋଧରେ ରାଜ୍ୟପାଳଙ୍କୁ ରିପୋର୍ଟ ଦେଇଥିଲେ । ଏହାକୁ କେହି ମନା କରିପାରିବେ ନାହିଁ । ମୂଳ ଅଭିଯୋଗଟି ଆସିଥିଲା ସଞ୍ଜୀବ ମାରିକ୍‌ ଯେତେବେଳେ ଆଇଜି ଥିଲେ । ଭଦ୍ରକ ଜେଲ୍‌ରେ ଥିବା କିଛି ସାଂଘାତିକ ବିହାରୀ ଅପରାଧୀଙ୍କୁ ଖସାଇବା ଲାଗି ହୋଇଥିବା ଚକ୍ରାନ୍ତରେ ସଞ୍ଜୀବ୍‌ ମାରିକ୍‌ଙ୍କ ଭୂମିକା ଥିବା ଅଭିଯୋଗ ଉଠିଥିଲା । ୨୦୦୭ ମେ’ ମାସରେ ତକ୍ରାଳୀନ ଡିଜି ଅମରାନନ୍ଦ ପଟନାୟକ ସଞ୍ଜୀବ୍‌ଙ୍କୁ ସସ୍‌ପେନ୍ଦ କରିଥିଲେ । ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରୁ ସରକାର ପ୍ରକୃତ ତଥ୍ୟ ଜାଣିବା ନିମନ୍ତେ ତଦନ୍ତ ଦାୟିତ୍ୱ ଲୋକପାଳ ଜଷ୍ଟିସ୍‌ ଏସ୍‌.ସି. ମହାପାତ୍ରଙ୍କୁ ଦେଇଥିଲେ । ଲୋକପାଳ ମହାପାତ୍ର ୨୦୦୮ ମାର୍ଚ୍ଚ ମାସରେ ତଦନ୍ତ ରିପୋର୍ଟ ରାଜ୍ୟପାଳଙ୍କୁ ଦେଇଥିଲେ ।
ରାଜ୍ୟପାଳ ଏହି ତଦନ୍ତ ରିପୋର୍ଟ ସାଧାରଣ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠାଇ ଦେଇଥିଲେ । ମାତ୍ର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଘରୋଇ ବିଭାଗର ମନ୍ତ୍ରୀ ଭାବେ ଗ୍ରହଣ କରି ନଥିଲେ ମୁଖ୍ୟମନ୍ତ୍ରୀ । ଓଲଟି ୨୦୧୫ରେ ମାରିକ୍‌ଙ୍କୁ ଲୋକପାଳଙ୍କ ପ୍ରତିକୂଳ ରିପୋର୍ଟ ଥିବା ସତ୍ତ୍ୱେ ଡିଜିପି କରିଦେଲେ ନବୀନ । ଆହୁରି ଉଲ୍ଲେଖନୀୟ ଯେ, ମାରିକ୍‌ଙ୍କୁ ସସ୍‌ପେନ୍ଦ କରିଥିବାରୁ ସେତେବେଳକାର ଡିଜିପି ଅମରାନନ୍ଦ ପଟନାୟକଙ୍କୁ ରାତିଅଧିଆ ବଦଳି କରିଦେଇଥିଲେ ସରକାର ।
ଲୋକପାଳଙ୍କ ରିପୋର୍ଟକୁ ନିଜେ ମୁଖ୍ୟମନ୍ତ୍ରୀ ଲୁଚାଇ ରଖିଛନ୍ତି ବୋଲି ରାଜ୍ୟପାଳଙ୍କ ଦପ୍ତରରୁ ଦିଆଯାଇଥିବା ଚିଠିରୁ ସ୍ପଷ୍ଟ ହେବା ସତ୍ତ୍ୱେ ଏବେ ବି ସ୍ୱଚ୍ଛତା କଥା କହୁଥିବା ମୁଖ୍ୟମନ୍ତ୍ରୀ ନୀରବ ଅଛନ୍ତି ।
ବହୁ ଅଭିଯୋଗ ବିଜୟ ଶର୍ମାଙ୍କ ନାମରେ ରହିଛି । ତାଙ୍କ ପେଡ଼ି ଖୋଲୁ । ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । କିନ୍ତୁ ତା’ପୂର୍ବରୁ ଲୋକପାଳ ମାରିକ୍‌ଙ୍କ ବିରୋଧରେ କି ରିପୋର୍ଟ ଦେଇଥିଲେ, ତାହାକୁ ସାର୍ବଜନୀନ କରନ୍ତୁ ସରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*