ମାଗଣା ଶଙ୍ଖ ବାଣ୍ଟି ମତ ଲୋଡ଼ିବ ବିଜଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ବିକାଶ ଅପେକ୍ଷା ଉପହାର ଏବଂ ସ୍ଥଳବିଶେଷରେ ପ୍ରଲୋଭନକୁ ଶେଷ ଭରସା ଭାବେ ଧରି ନେଇଛି ବିଜୁ ଜନତା ଦଳ । ମାଗଣା ବଣ୍ଟନ ଯୋଜନାର ଶେଷ କିସ୍ତିରେ ଘରେ ଘରେ ଶଙ୍ଖ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି ଶାସକ ଦଳ । ଠାକୁର ଦେଖାକୁ ଠାକୁର ଦେଖା, ସାଥିରେ କଦଳୀ ବିକା । ନିର୍ବାଚନ ଚିହ୍ନ ୧୯ବର୍ଷ ପରେ, ୪ଟି ନିର୍ବାଚନ ଜିତିଥିବା ବିଜୁ ଜନତା ଦଳ ଘର ଘରକୁ ଯାଇ ମାଗଣାରେ ବାଣ୍ଟିବ ଦଳର ନିର୍ବାଚନ ସଙ୍କେତ ଶଙ୍ଖ । ଶଙ୍ଖ ଠାକୁର ଘରେ ରଖ, ଆମକୁ ଭୋଟ ଦିଅ । ଶଙ୍ଖ ମାର୍ଫତ୍‌ରେ ଇସ୍ତାହାର ପ୍ରସ୍ତୁତ କରିବାର ଯେଉଁ ଯୋଜନା ରଖିଛି ବିଜୁ ଜନତା ଦଳ, ତାହା କଂଗ୍ରେସର ଅନୁକରଣ ବୋଲି ଜଣାପଡ଼ିଯାଉଛି । ଏହାଛଡ଼ା ଭାରତୀୟ ଜନତା ପାର୍ଟି ମଧ୍ୟ ପରିବାରକୁ ଦଳ ସହ ଯୋଡ଼ିବା ପାଇଁ ମୋ’ ପରିବାର ଭାଜପା ପରିବାର ଯୋଜନା ଆରମ୍ଭ କରିଦେଇଛି । ଏହା ମଧ୍ୟ ପ୍ରଭାବିତ କରିଛି ଶାସକ ଦଳକୁ । ସେଥିପାଇଁ ‘ଘରେଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ ଭଳି ଯୋଜନା ମାଧ୍ୟମରେ ବିଜଦ ସଂକେତ ଦେବାକୁ ଚାହେଁ ଯେ ଲୋକେ ଯାହା ଚାହିଁବେ ସେହି ଅନୁସାରେ ଇସ୍ତାହାର ପ୍ରସ୍ତୁତ କରାଯିବ । ଚାରିଟି ନିର୍ବାଚନ ବିତିବା ପରେ ଏବେ ଲୋକଙ୍କ ମତ ଲୋଡ଼ିବା ପଛରେ ବିଜଦର ଭୟ ନା ଆସ୍ଥା, ତାହା ବୁଝାପଡ଼ିଯାଉଛି ।
ମଙ୍ଗଳବାର ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ । ଏହି ଜୟନ୍ତୀରେ ପ୍ରତିବର୍ଷ ପରି ଏଥର ମଧ୍ୟ ଶାସକ ଦଳ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଘୋଷଣା କରିପାରେ । କିନ୍ତୁ ଆଗତୁରା ଶଙ୍ଖ ବାଣ୍ଟିବା କଥା ଘୋଷଣା କରିଛନ୍ତି ଦୁଇ ମୁଖପାତ୍ର ବିଧାୟକ ଅରୁଣ ସାହୁ ଏବଂ ସସ୍ମିତ୍‌ ପାତ୍ର । ନିର୍ବାଚନ କାର୍ଯ୍ୟସୂଚୀ ୬ କିମ୍ବା ୭ ତାରିଖରେ ଘୋଷଣା ହେବାର ସମ୍ଭାବନା ଥିବାରୁ ଏହି ଶଙ୍ଖ ବଣ୍ଟା କାର୍ଯ୍ୟକ୍ରମକୁ ଘର ପର୍ଯ୍ୟନ୍ତ ନେବା ପାଇଁ ଏହା ହେଉଛି ଶାସକ ଦଳର ଶେଷ ଚେଷ୍ଟା । କଂଗ୍ରେସ ଠାରୁ ଏହାକୁ କପି କରିଛି ବିଜଦ । ଶଙ୍ଖ ବଣ୍ଟା ଘୋଷଣା ଅନେକ ପ୍ରଶ୍ନ ମଧ୍ୟ ଠିଆ କରାଇ ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*