ମହିଳା କମିଶନ ସଦସ୍ୟାଙ୍କ ସାଙ୍ଘାତିକ ଅଭିଯୋଗ ବବି ଗାଳି କଲେ, କହିଲେ ଗେଟ୍‌ଆଉଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ମହିଳା କମିଶନର ସଦସ୍ୟା ତିଳୋତ୍ତମା ନାୟକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଳର ପ୍ରଭାବଶାଳୀ ଗୋଷ୍ଠୀର ନାୟକ କୁହାଯାଉଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ । ଏହି ଅଭିଯୋଗର ଚେର ପ୍ରାକ୍‌ ଟିକଟ ବଣ୍ଟନ କେଳେଙ୍କାରୀରେ ଅଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ଶାସକ ଦଳରେ । ସାଧାରଣ କୌଣସି ମହିଳା ଏଭଳି ଅଭିଯୋଗ ଆଣିଥିଲେ ନିର୍ବାଚନ କାଳରେ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ନଥାନ୍ତା । ହେଲେ ଅଭିଯୋଗ ଆଣିଛନ୍ତି ରାଜ୍ୟ ମହିଳା କମିଶନର ସଦସ୍ୟା ତିଳୋତ୍ତମା ।
ତିଳୋତ୍ତମା ଯାହା କହିଛନ୍ତି, ତାହାକୁ ତର୍ଜମା କଲେ ଅନେକ କଥାର ନଥା ବାହାରି ଆସୁଛି ପଦାକୁ । ବବି ଦାସ ଟିକଟ କଥା ବୁଝୁଛନ୍ତି । ଏହାହିଁ ତିଳୋତ୍ତମାଙ୍କ ଅଭିଯୋଗର ମୂଳ ବିନ୍ଦୁ । ଭବାନୀପାଟଣା ଆସନରୁ ବିଜୁ ଜନତା ଦଳ ଟିକଟରେ ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି ତିଳୋତ୍ତମା । ଗତ ନିର୍ବାଚନ କାଳରେ ମଧ୍ୟ ଟିକଟ ଦୌଡ଼ରେ ସେ ଥିଲେ । ତେବେ ତାଙ୍କୁ ପରବର୍ତ୍ତୀ କାଳରେ ମହିଳା କମିଶନରେ ଥଇଥାନ କରାଯାଇଥିଲା । ନବୀନ ସରକାର ସବୁ ସାମ୍ବିଧାନିକ ଏବଂ ଅର୍ଦ୍ଧ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସମ୍ପୂର୍ଣ୍ଣ ରାଜନୀତିକରଣ କରିସାରିଛନ୍ତି । ଏଥିରୁ ବାଦ୍‌ ପଡ଼ିନାହିଁ ଗୁରୁତ୍ୱପୂର୍ଣ୍ଣ ମହିଳା କମିଶନ । କମିଶନର ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ପ୍ରାୟତଃ ଆସନ୍ତି ନାହିଁ କାର୍ଯ୍ୟାଳୟ । ରାଜ୍ୟରେ ମହିଳା ଶୋଷଣ ଏବଂ ଯୌନ ନିର୍ଯାତନା ଅଭିଯୋଗ ବଢ଼ିବଢ଼ି ଚାଲିଥିଲେ ହେଁ, ମହିଳା କମିଶନ ରାଜନୀତିରୁ ଊଦ୍ଧ୍ୱର୍କୁ ଉଠିପାରି ନାହିଁ । ଏହା ସ୍ୱତନ୍ତ୍ର ବିତର୍କର ଅପେକ୍ଷା ରଖେ । ତେବେ ମହିଳା କମିଶନର ସଦସ୍ୟା ତିଳୋତ୍ତମା ଶାସକ ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟା । ବିଭିନ୍ନ ସାଂଗଠନିକ କାର୍ଯ୍ୟକଳାପରେ ସେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଛନ୍ତି । ତେଣୁ ବବି ଦାସଙ୍କ ବିରୋଧରେ ଖରାପ ବ୍ୟବହାର ଅଭିଯୋଗର ବଡ଼ ରାଜନୈତିକ ଗୁରୁତ୍ୱ ରହିଛି ।
ପ୍ରଣବ ପ୍ରକାଶ ଓରଫ ବବି ଏବେ ବିଜୁ ଜନତା ଦଳର ମୁଖ୍ୟ କାର୍ପଟ୍‌ଦାର୍‌ ପାଲଟିଛନ୍ତି । ଅବଶ୍ୟ କିଛିଦିନ ହେଲା ତାଙ୍କ ପାଖକୁ ଟିକଟ ଆଶାୟୀ ଯିବା ବେଳେ ସେ ‘ମୁଁ ଅନ୍ୟ ଜିଲା କଥା ବୁଝୁ ନାହିଁ, ଆପଣ ଅମୁକଙ୍କ ପାଖକୁ ଯାଆନ୍ତୁ’ ବୋଲି ସେ କହୁଥିବା ଅନେକ କହୁଛନ୍ତି । କିନ୍ତୁ ବବି ଅଛନ୍ତି କଳହାନ୍ଦି ଜିଲାର ଦଳୀୟ ପ୍ରଭାରୀ । ତିଳୋତ୍ତମା ହେଉଛନ୍ତି କଳାହାନ୍ଦି ଜିଲାର ଭବାନୀପାଟଣା ବିଧାନସଭା ଆସନ ପାଇଁ ଟିକଟ ଆଶାୟୀ । ବବି ମଧ୍ୟ ତୃତୀୟ ମହଲାର ସୁପର୍‌ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି ବିଜୁ ଜନତା ଦଳରେ ସମସ୍ତେ ଜାଣନ୍ତି ଏବଂ ଏହାକୁ ନେଇ ଆଲୋଚନା ମଧ୍ୟ ହୁଏ । ଏହି କାରଣରୁ ବବିଙ୍କ ଘର ଆଗରେ ଅଧିକାଂଶ ସମୟରେ ଗାଡ଼ିଘୋଡ଼ା ଭିଡ଼ ଦେଖିବାକୁ ମିଳେ । ସେ କୌଣସି ବଡ଼ ପଦପଦବୀରେ ନାହାନ୍ତି । ମନ୍ତ୍ରୀପଦ ଦୁଇବର୍ଷ ତଳୁ ଗଲାଣି । ଯେତେବେଳେ ପ୍ୟାରୀ ମହାପାତ୍ର କ୍ଷମତାର ତୁଙ୍ଗରେ ଥିଲେ, ସେତେବେଳେ ତାଙ୍କ ଘର ଆଗରେ ଯେତିକି ଗାଡ଼ି ଲାଗୁ ନଥିଲା, ତା’ଠୁ ଅଧିକ ଗାଡ଼ି ବବି ଦାସଙ୍କ ଘର ଆଗରେ ଲାଗିବା ପଛର ରହସ୍ୟ କ’ଣ? ସେ କ’ଣ ବିଶେଷ କ୍ଷମତାକେନ୍ଦ୍ର କି? ଏହା କ’ଣ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ମାର୍ଗଦର୍ଶକଙ୍କ ଦୃଷ୍ଟିରେ ପଡ଼ୁନାହିଁ?
କଳାହାନ୍ଦି ଜିଲାର ବିଜଦ ନେତ୍ରୀ ତିଳୋତ୍ତମା ଅଭିଯୋଗ କରିଛନ୍ତି ଯେ, ସୋମବାର ସକାଳେ ନିର୍ବାଚନ ବିଷୟରେ ଆଲୋଚନା କରିବାକୁ ସେ ଯାଇଥିଲେ ପ୍ରଣବଙ୍କ ଘରକୁ । ପ୍ରଣବ ଗାଳିଗୁଲଜ କଲେ । ଗେଟ୍‌ଆଉଟ୍‌ କହି ତଡ଼ିଦେଲେ । ଅନ୍ୟ କେତେଜଣ ମହିଳା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କୁ ମଧ୍ୟ ଅଶୋଭନୀୟ ବ୍ୟବହାର ଦେଖାଉଥିଲେ ବବି । ଏହାର ସେ ପ୍ରତିବାଦ କରିବାରୁ ହିଁ ଫିଡିକି ଯାଇଥିଲେ ବବି ଏବଂ ତାଙ୍କୁ ମଧ୍ୟ ଗାଳି କରିଥିଲେ ।
ଏହି ବିଜଦ ନେତ୍ରୀଙ୍କ ଅଭିଯୋଗ ହେଲା, ସେ ଜଣେ ଦଳିତ ମହିଳା । ୱାର୍ଡ଼ ମେମ୍ବରରୁ ମହିଳା କମିଶନ ସଦସ୍ୟ ଯାଏଁ ଆସିଛନ୍ତି । ନବୀନ ବାବୁ ତାଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି । କିନ୍ତୁ ବବିବାବୁ ଏମିତି ବ୍ୟବହାର ଦେଖାଇଲେ ଯେ, ଏଭଳି ବ୍ୟବହାର ଏବଂ ଅସମ୍ମାନ ଆଗରୁ କେବେ ପାଇ ନଥିଲି ।
ନିର୍ଭୟରେ ପୂର୍ବରୁ ପ୍ରକାଶ ପାଇଥିଲା ଯେ, କୌଣସି ସୂତ୍ରରୁ ସବୁଜ ସଙ୍କେତ ପାଇ ତିଳୋତ୍ତମା ପ୍ରଚାରରେ ମାତିଗଲେଣି । ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଅଭିଯାନ ଆରମ୍ଭ କରିବା ପରଠାରୁ ବିଜଦର ଅନେକ ମହିଳା ନେତ୍ରୀ ଟିକଟ ପାଇବା ପାଇଁ ଅଧିକ ଆଶାୟୀ ହୋଇପଡ଼ିଛନ୍ତି । ସୋମବାର ନିର୍ଭୟ ସଂସ୍କରଣରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ମହିଳା ବଢ଼େଇବେ ନବୀନଙ୍କ ମୁନ୍ଦ ବିନ୍ଧା । ତିଳୋତ୍ତମା ଏକ ଆରମ୍ଭ ମାତ୍ର । ନିଜେ ସେ କହିଛନ୍ତି ଯେ, ନବୀନ ବାବୁ କହିଥିଲେ ୩୩ ପ୍ରତିଶତ ମହିଳାଙ୍କୁ ଟିକଟ ମିଳିବ । ଦଳ ପାଇଁ ଆମେ କାମ କରୁଛୁ । ଆମର ବି ଆଶା ଅଛି । ଗତ ୧୬ ତାରିଖ ଦିନ ବବି ଦାସ କଳାହାନ୍ଦି ଯାଇ ସମସ୍ୟା ବୁଝିଥିଲେ । ତେଣୁ ତାଙ୍କୁ ଦେଖାକରି ସମସ୍ୟା ଜଣାଇବାକୁ ଆଜି ତାଙ୍କ ଘରକୁ ଯାଇଥିଲି । ହେଲେ ସେ ଅଭିଯୋଗ ଶୁଣିବା ବଦଳରେ ଖରାପ ଭାଷାରେ ଗାଳିଗୁଲଜ କରି ତଡ଼ିଦେଲେ । ମୁଁ ଜଣେ ମହିଳା କମିଶନ ସଦସ୍ୟ ହୋଇ ଯଦି ତାଙ୍କଠାରୁ ଏମିତି ବ୍ୟବହାର ପାଉଛି, ତେବେ ରାଜ୍ୟର ଅନ୍ୟ ମହିଳାଙ୍କୁ ମୁଁ କେମିତି ସୁରକ୍ଷା ଦେବି, ଏବେ ଚିନ୍ତା କରୁଛି ।
ତିଳୋତ୍ତମା ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରି ନାହାନ୍ତି । ଭେଟିବେ ଏବଂ ମହିଳା କମିଶନର ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ତିଳୋତ୍ତମା ଯେଉଁ ବୋମାଟି ଫୁଟାଇଛନ୍ତି, ଏହା ଆଗକୁ ଭିନ୍ନ ରୂପ ଦେଇପାରେ ଦଳୀୟ ଅସନ୍ତୋଷକୁ । ଟିକଟ ଗୁରୁତର ସମସ୍ୟା ସୃଷ୍ଟି କରିବ ଶାସକ ଦଳ ସକାଶେ । ଗୋଟିଏ ଗୋଟିଏ ଆସନରେ ଅନେକ ଆଶାୟୀ । ମୁଖ୍ୟମନ୍ତ୍ରୀଙ୍କୁ କେହି ଭେଟିପାରନ୍ତି ନାହିଁ । ତେଣୁ ଦ୍ୱିତୀୟ କ୍ଷମତାକେନ୍ଦ୍ର ସହ ଜଡ଼ିତ ବିଧାୟକମାନେ ବିଭିନ୍ନ ଆଶାୟୀଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଭଳି ଗୁରୁତର ଅଭିଯୋଗ ରହିଛି । ଆଗକୁ ଏହା ସାମ୍ନାକୁ ଆସିଲେ, ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।
ତିଳୋତ୍ତମାଙ୍କ ଅଭିଯୋଗ ଉପରେ ବବିଙ୍କ ପ୍ରତିକି୍ରୟା ଜଣାପଡ଼ି ନାହିଁ । ଦଳ ପକ୍ଷରୁ ମଧ୍ୟ କେହି ସ୍ପଷ୍ଟୀକରଣ ଦେଇ ନାହାନ୍ତି । କିନ୍ତୁ ଏହା ରାଜ୍ୟ ମହିଳା କମିଶନଙ୍କ ବାସ୍ତବ ଚିତ୍ର ଏବଂ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ପରିସ୍ଥିତି ବାବଦରେ ଅନେକ କିଛି ଗୋପନ କଥା ସାମ୍ନାକୁ ଆଣିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*