ମହାରାଷ୍ଟ୍ର ସରକାର ଗଠନ ପାଇଁ ୧୭ରେ ସୋନିଆ-ଶରଦ ଭେଟ ଚୂଡାନ୍ତ ହେଲା ସର୍ବନିମ୍ନ କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ
ଗୁରୁବାର ମଧ୍ୟ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ବାବଦ କୌଣସି ଠୋସ୍‌ କାର୍ଯ୍ୟଧାରା ସମ୍ଭବ ହୋଇନାହିଁ । ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ୩ ଦଳ ରାକପା-କଂଗ୍ରେସ ଏବଂ ଶିବସେନା ସମୟ କାଟିଛନ୍ତି । ତେବେ ସରକାର ଗଠନର ଅନିଶ୍ଚିତତା ୧୭ ତାରିଖରେ ଦୂର ହୋଇଯିବ ବୋଲି ଅନୁମାନ ଲଗାଯାଉଛି । କାରଣ ସେହିଦିନ ନୂଆଦିଲ୍ଲୀଠାରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଭେଟିବେ । ଏହି ଦୁଇ ନେତାଙ୍କ ଭେଟଭାଟରେ ସରକାର ଗଠନ ଚୂଡାନ୍ତ ରୂପ ପାଇବ ବୋଲି ଗୁରୁବାର ଏକ ସୂତ୍ର ବତାଇଛନ୍ତି । ଶିବସେନା ସହ ମିଶି ରାକପା ଏବଂ କଂଗ୍ରେସ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ପ୍ରୟାସରେ ଅଛନ୍ତି । ଭାଜପା ସରକାର ଗଠନ ପାଇଁ ଅକ୍ଷମତା ପ୍ରକାଶ କରିବା ପରେ ଶିବସେନା ରାଜି ହେବା ସହ କଂଗ୍ରେସ ଓ ରାକପା ପାଖରୁ ସମର୍ଥନ ଲୋଡ଼ିଥିଲା । ତେବେ ସମର୍ଥନପତ୍ର ପ୍ରଦତ୍ତ ସମୟସୀମା ଭିତରେ ନଦେଇ ପାରିବାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଯାଇଛି । ବର୍ତ୍ତମାନ ତିନୋଟି ଯାକ ଦଳ ସର୍ବନିମ୍ନ କାର୍ଯ୍ୟଧାରାକୁ ଚୂଡ଼ାନ୍ତ କରିବା ଲାଗି ଲାଗିପଡ଼ିଛନ୍ତି । ବିଶେଷ କରି କୃଷକମାନଙ୍କ ଲାଗି ବଡ଼ ପ୍ୟାକେଜକୁ ସର୍ବନିମ୍ନ କାର୍ଯ୍ୟକ୍ରମରେ ରଖାଯାଇଛି । ଏହି ସର୍ବନିମ୍ନ କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ ଯାଇ ସୋନିଆ ଓ ଶରଦଙ୍କ ଭେଟ ହେବ ବୋଲି ସେହି ସୂତ୍ର କହିଛନ୍ତି । ତେବେ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ପରେ ଶରଦ ଓ ସୋନିଆଙ୍କ ଭେଟ ବିଷୟ କାର୍ଯ୍ୟସୂଚୀ ପଦାକୁ ଆସୁଥିଲା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଥାକ୍‌ରେଙ୍କୁ ଆନୁଷ୍ଠାନିକ ଭାବରେ ଶରଦ ଓ ସୋନିଆ କେବେ ଭେଟିବେ ତାହା ଏଯାଏ ଫାଇନାଲ ହୋଇନାହିଁ । କଂଗ୍ରେସ ଓ ରାକପାର ୧୦ଜଣିଆ ସମନ୍ୱୟ କମିଟି ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତି ଦିଗରେ ବୁଧବାରଠାରୁ ବୈଠକ କରିଚାଲିଛନ୍ତି । ସେହି ସୂତ୍ରଙ୍କ କହିବା ଅନୁସାରେ ଗୁରୁବାର ଦିନ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ବାଲା ସାହେବ ଥୋରାଟ ଏବଂ ରାଜ୍ୟ ରାକପା ସଭାପତି ଜୟନ୍ତ ପାଟିଲ ଉଦ୍ଧବଙ୍କୁ ଦେଖା କରିବାକୁ ଯାଇଥିଲେ । ସେମାନେ ଥାକ୍‌ରେଙ୍କ ସହ ପ୍ରାରମ୍ଭିକ ପର୍ଯ୍ୟାୟ କଥାବାର୍ତ୍ତା କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଆଉଥରେ ତିନି ଦଳର ନେତାମାନଙ୍କ ବୈଠକ ବସିଥିଲା । ଏଥିରେ ସର୍ବନିମ୍ନ କାର୍ଯ୍ୟକ୍ରମ ଚୂଡାନ୍ତ ରୂପ ପାଇଥିବା କୁହାଯାଉଛି । ବର୍ତ୍ତମାନ ଏହି ଡ୍ରାଫ୍ଟ ତିନି ଦଳର ପ୍ରମୁଖଙ୍କ ନିକଟକୁ ଗୃହୀତ ହେବା ଲାଗି ପଠାଯିବ ।
ଭାଜପା ଓ ଶିବସେନା ନିର୍ବାଚନ ପୂର୍ବରୁ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼ିଥିଲେ । ୨୮୮ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଭାଜପାକୁ ୧୦୫ ଓ ଶିବସେନାକୁ ୫୬ଟି ଆସନ ମିଳିଥିଲା । ମେଣ୍ଟକୁ ୧୬୧ ଆସନ ଅର୍ଥାତ୍‌ ବହୁମତ ମିଳିଥିଲେ ମଧ୍ୟ ଦୁଇ ଦଳ ମଧ୍ୟରେ ସରକାର ଗଠନର ଫର୍ମୁଲାକୁ ନେଇ ସହମତି ହେବାରୁ ମେଣ୍ଟ ସରକାର ଗଢ଼ିପାରିନାହିଁ । ପରେ ଶିବସେନା ଏନ୍‌ଡିଏରୁ ବାହାର ହେବା ସହ କେନ୍ଦ୍ର ସରକାରରୁ ନିଜ ମନ୍ତ୍ରୀ ଓହରାଇ ଆଣିବା ସାଙ୍ଗକୁ ଏବେ ରାକପା ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବାର ଯୋଜନାରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*