ମହାରାଷ୍ଟ୍ର ରାଜନୀତିର ପ୍ରଭାବ ପ୍ରତିଫଳିତ ହେବ ଓଡ଼ିଶାରେ ମୋଦୀଙ୍କ ନବୀନ ପ୍ରୀତି ଏବେ ବଦଳିବାର ନାହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ମହାରାଷ୍ଟ୍ର ରାଜନୀତିର ପ୍ରଭାବ ଦେଶରେ ପଡ଼ିବ । ପରୋକ୍ଷରେ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବ । ଯେଉଁମାନେ ଆଶା ବାନ୍ଧି ବସିଥିଲେ ଯେ, ଆସନ୍ତା ଜୁଲାଇ ବେଳକୁ ରାଜ୍ୟସଭା ଗଣିତ ବଦଳିଯିବା ପରେ ମୋଦୀ ସରକାରଙ୍କ ବିଜୁ ଜନତା ଦଳ ନୀତିରେ ପରିବର୍ତ୍ତନ ଘଟିବ, ସେମାନଙ୍କୁ ଆଉ କିଛି ନୂଆ ସମୀକରଣ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।
ନିକଟ ଭବିଷ୍ୟତରେ ମୋଦୀ ସରକାରଙ୍କର ବିଜଦ ନୀତିରେ କୌଣସି ପରିବର୍ତ୍ତନ ହେବାକୁ ଯାଉ ନାହିଁ । ବରଂ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବାକୁ ଯାଉଥିବା ସରକାର ନବୀନଙ୍କ ଉପରେ ଅଧିକ ନିର୍ଭର କରିବେ । ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ରାକପାକୁ ଭୂୟସୀ ପ୍ରଶଂସା କରିଥିଲେ ଶୃଙ୍ଖଳା ସକାଶେ । କିନ୍ତୁ ସେହି ଦଳରେ ବିଶୃଙ୍ଖଳା ସୃଷ୍ଟି ପାଇଁ ନିଜେ ଭାଜପା ଉଦ୍ୟମ କରିବା କାହାକୁ ହଜମ ହେଉନାହିଁ । ତେବେ ସେ ଯାହା ହେଉନା କାହିଁକି ମୋଦୀଙ୍କ ପାୱାର୍‌ କାର୍ଡ଼ ବିଫଳ ହୋଇଛି ବୋଲି ଏବେ ସମସ୍ତେ ମନେ କରୁଛନ୍ତି ।
ରାଜ୍ୟସଭାରେ ବିଜୁ ଜନତା ଦଳର ଶୃଙ୍ଖଳାକୁ ମଧ୍ୟ ପିଏମ୍‌ ମୋଦୀ ପ୍ରଶଂସା କରିଥିଲେ ଖୁବ୍‌ । ରାକପା ଉପା ଅଂଶୀଦାର ହୋଇଥିବା ବେଳେ ବିଜଦ କିନ୍ତୁ ଗତ ଜୁନ୍‌ ମାସ ଠାରୁ କେନ୍ଦ୍ର ସରକାରଙ୍କ ଆଡ଼କୁ ଝୁଙ୍କି ହୋଇ ରହିଛି । ନବୀନ ପଟନାୟକ ଏବଂ ବିଜଦ ପ୍ରତି ପିଏମ୍‌ ମୋଦୀ ଅଦ୍ଭୁତ ଭଲ ପାଇବା ଦେଖାଇ ଆସୁଛନ୍ତି । ପ୍ରତି ବଦଳରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ରାଜ୍ୟସଭାରେ ପାଶ୍‌ କରାଇ ନେବା ଦିଗରେ ଏନ୍‌ଡିଏକୁ ଆଖିବୁଜା ସମର୍ଥନ କରିଆସୁଛି ବିଜଦ ।
ଲୋକସଭାରେ ଭାଜପାର କୌଣସି ସମସ୍ୟା ନାହିଁ ସଂଖ୍ୟାଗରିଷ୍ଠତାକୁ ନେଇ । କିନ୍ତୁ ସମସ୍ୟା ରହିଛି ରାଜ୍ୟସଭାରେ । ଏବେ ମହାରାଷ୍ଟ୍ରର ରାଜନୈତିକ ସମୀକରଣର ଦ୍ରୁତ ପରିବର୍ତ୍ତନ ଘଟିଛି । ଆରମ୍ଭରୁ ଏନ୍‌ଡିଏ ସହ ରହିଥିବା ଶିବସେନା ଭାଜପା ସହ ସମ୍ପର୍କ ଛିନ୍ନ କରିସାରିଛି । ଖୁବ୍‌ଶୀଘ୍ର ଉପାର ଅଂଶୀଦାର ଦଳ ହେବାକୁ ଯାଉଛି ସେନା । ତେଣୁ କଂଗ୍ରେସ ନିଦେ୍ର୍ଦଶରେ ଏହି ଦଳ ପରିଚାଳିତ ହେବ ସଂସଦରେ । ରାଜ୍ୟସଭାରେ ଦଳର ତିନିଜଣ ସଦସ୍ୟ ଅଛନ୍ତି । ଭାଜପା ସହ ମେଣ୍ଟ କାରଣରୁ ଲୋକସଭାରେ ଶିବସେନାକୁ ୧୮ଟି ଆସନ ମିଳିଛି । ଏନ୍‌ଡିଏରୁ ଓହରି ଗଲେ ବି ଲୋକସଭାରେ ଭାଜପା କିମ୍ବା ସରକାରଙ୍କ ପାଇଁ କୌଣସି ସମସ୍ୟା ନାହିଁ । କିନ୍ତୁ ସମସ୍ୟା ଦେଖାଦେବ ରାଜ୍ୟସଭାରେ । ରାଜ୍ୟସଭାରେ ଏବେ ମୋଦୀ ସରକାରଙ୍କ ଅଧିକାଂଶ ପ୍ରସ୍ତାବକୁ ବିରୋଧ କରିବ ଶିବସେନା ।
୩୭୦ ଧାରା ଉଚ୍ଛେଦ, ତିନି ତଲାକ୍‌ ବିଲ୍‌, ଆର୍‌ଟିଆଇ ସଂଶୋଧନ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ବିଜଦ ଏନ୍‌ଡିଏକୁ ସମର୍ଥନ ଜଣାଇ ଥିଲା । ତେଣୁ ନିରାପଦରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍‌ଗୁଡ଼ିକୁ ପାଶ୍‌ କରାଇ ନେଇଥିଲେ ସରକାର । ଆଗକୁ ୟୁନିଫର୍ମ ସିଭିଲ୍‌ କୋର୍ଡ଼ ଓ ଏନ୍‌ଆର୍‌ସି ପାଇଁ ବିଲ୍‌ ଆଣିବାକୁ ଯାଉଛନ୍ତି ସରକାର । ଏହାଛଡ଼ା ପୁଞ୍ଜି ବଜାର ସକାଶେ ଏବଂ କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଲାଗି ବିଲ୍‌ ଆସିବାର ସମ୍ଭାବନା ମଧ୍ୟ ରହିଛି । ସରକାର ସମସ୍ୟାରେ ପଡ଼ିବେ ରାଜ୍ୟସଭାରେ । ରାଜ୍ୟସଭାରେ ଏନ୍‌ଡିଏର ନିରଙ୍କୁଶ ସଂଖ୍ୟାଗରିଷ୍ଠତା ନାହିଁ । ପୁଣି ସେଥିରୁ ଶିବସେନାର ତିନି ଜଣ ଉପା ଆଡ଼କୁ ଚାଲିଯିବେ । ଏହି କାରଣରୁ ମୋଦୀ ସରକାରଙ୍କ ପ୍ରତି ଅତି ନରମ ମନୋଭାବ ଦେଖାଇ ଆସୁଥିବା ବିଜୁ ଜନତା ଦଳ ପ୍ରତି ନିଜେ ପିଏମ୍‌ ମୋଦୀ ଅଧିକ ସହାନଭୂତିଶୀଳ ହୋଇପଡ଼ିବେ ।
୨୪୫ ଜଣିଆ ରାଜ୍ୟସଭାରେ ଭାଜପାର ୮୧ ଜଣ ସଦସ୍ୟ ଅଛନ୍ତି । ଅନ୍ୟ ସହଯୋଗୀ ଦଳ ଏବଂ ମନୋନୀତ ତଥା ସ୍ୱାଧୀନ ସଦସ୍ୟଙ୍କୁ ମିଶାଇଲେ ଏନ୍‌ଡିଏର ଶକ୍ତି ୧୨୦ ଭିତରେ ରହିବ । ଏଥିପାଇଁ ଅଣଭାଜପା ଏବଂ ଅଣ କଂଗ୍ରେସ ଦଳର ସମର୍ଥନ ନିହାତି ଆବଶ୍ୟକ କରିବେ ସରକାର ।
ଶିବ ସେନା ଉପାରେ ଯୋଗ ଦେବା ପରେ ଏହାର ଶକ୍ତି ପହଞ୍ଚôବ ୭୮ରେ । ଏହା ଭିତରେ ତୃଣମୂଳ କଂଗ୍ରେସର ୧୩ ଜଣଙ୍କୁ ନିଆଯାଇଛି । କଂଗ୍ରେସର ନିଜସ୍ୱ ଶକ୍ତି ହେଲା ୪୬ ।
ମାତ୍ର ଅନ୍ୟ ପକ୍ଷରେ ଯେଉଁ ନିରପେକ୍ଷ ଗୋଷ୍ଠୀ ଅଛନ୍ତି, ସେମାନଙ୍କ ଭିତରେ ରହିଛନ୍ତି ବିଜଦ (୭), ସପା (୯), ଟିଆର୍‌ଏସ୍‌ (୬), ବସପା (୪), ଟିଡିପି (୨), ୱାଇଏସ୍‌ଆର୍‌ କଂଗ୍ରେସ (୨) । ୩୭୦ ଧାରା ଉଚ୍ଛେଦ ସମୟରେ ବିଜଦ ଛଡ଼ା ଟିଆର୍‌ଏସ୍‌, ଟିଡିପି ଓ ୱାଇଏସ୍‌ଆର୍‌ ଏବଂ ବସପା ମଧ୍ୟ ସରକାରଙ୍କ ପକ୍ଷ ସମର୍ଥନ କରିଥିଲେ ।
ୟୁନିଫର୍ମ ସିଭିଲ୍‌ କୋଡ଼୍‌ ବା ଏକକ ଆଚାର ସଂହିତା ସପକ୍ଷରେ ସୁପି୍ରମକୋର୍ଟ ମତ ଦେଇଛନ୍ତି । ମୋଦୀ ସରକାର ଏହାକୁ ବିଲ୍‌ ଆକାରରେ ଆଣିବାକୁ ଯାଉଛନ୍ତି ଏହି ଶୀତ ଅଧିବେଶନରେ । ଏହା ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଜଦୟୁ ପରି ଏନ୍‌ଡିଏ ସହଯୋଗୀ ଏହାକୁ ବିରୋଧ କରିପାରନ୍ତି । ସେଥିପାଇଁ ବିଜଦ ସମର୍ଥନ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ ମୋଦୀ ସରକାରଙ୍କୁ ।
ଏତେଶୀଘ୍ର ମୋଦୀ ସରକାରଙ୍କ ଓଡ଼ିଶା ନୀତିରେ କୌଣସି ପରିବର୍ତ୍ତନର ସୂଚନା ମିଳୁ ନାହିଁ । ତେବେ ଆସନ୍ତା ରାଜ୍ୟସଭା ନିର୍ବାଚନ ପରେ ଚିତ୍ର ବଦଳିବ କି ନାହିଁ, ତାହାର ଏକ ସ୍ପଷ୍ଟ ଆଭାସ ମିଳିଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*