ମହାରାଷ୍ଟ୍ର ଗଠବନ୍ଧନରୁ ସର୍ବାଧିକ ଲାଭବାନ ହୋଇଛି ରାକପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ମୁମ୍ବାଇ

ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡି ସରକାରରେ ସବୁଠାରୁ ବେଶୀ ଲାଭବାନ୍‌ ହେବାକୁ ଯାଉଛି ରାକପା । ଗଠବନ୍ଧନରେ ସାମିଲ୍‌ ହୋଇଥିବା ଶିବସେନା ପାଖରେ ସବୁଠୁ ଅଧିକ ବିଧାୟକ ରହିଥିଲେ ମଧ୍ୟ ସରକାର ଗଠନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ରାକପାକୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବା ସହ ମନ୍ତ୍ରିମନ୍ଦଳରେ ଅଧିକ ବିଧାୟକଙ୍କୁ ସ୍ଥାନ ମିଳିବ ବୋଲି ଜଣାପଡିଛି । ମହାରାଷ୍ଟ୍ର ମନ୍ତ୍ରିମନ୍ଦଳରେ ଥିବା ୪୩ଟି ପଦରୁ ରାକପାର ୧୬ ଜଣଙ୍କୁ ସ୍ଥାନ ମିଳିବାକୁ ଥିବାବେଳେ ଶିବସେନାର ୧୫ ଜଣ ଏବଂ କଂଗ୍ରେସର ୧୨ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ସୂତ୍ରରୁ ପ୍ରକାଶ । କଂଗ୍ରେସକୁ ବାଚସ୍ପତି ପଦ ଦିଆଯିବା ପରେ ଶିବସେନା ନିଜ ଭାଗରୁ ଗୋଟିଏ ପଦ ରାକପାକୁ ଦେଇଦେଇଥିବା ଜଣାପଡିଛି । ଇତିମଧ୍ୟରେ କଂଗ୍ରେସ ବିଧାୟକ ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଭାବେ ନିର୍ବାଚିତ ହୋଇସାରିଛନ୍ତି । ଏଥିସହିତ ଭାଜପାକୁ ମହାରାଷ୍ଟ୍ରରୁ କ୍ଷମତାଚୁ୍ୟତ କରିବା ଲକ୍ଷ୍ୟରେ କଂଗ୍ରେସ ମହାରାଷ୍ଟ୍ରରେ ସବୁଠୁ ଅଧିକ କ୍ଷତି ସହିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜଣେ କଂଗ୍ରେସ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଆମେ ଉପ-ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ଚାହୁଁଥିଲୁ, ହେଲେ ଏବେ ଆମକୁ କେବଳ ବାଚସ୍ପତି ପଦ ସହ ସନ୍ତୁଷ୍ଟ ହେବାକୁ ପଡିଛି ।
ସୂଚନା ଅନୁସାରେ, ୧୫ ଦିନ ତଳେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ ଏବଂ ଏଆଇସିସି ସାଧାରଣ ସଂପାଦକ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ରାକପା ଏବଂ ଶିବସେନା ନେତାଙ୍କର ଏକ ବୈଠକ ହୋଇଥିଲା, ଯେଉଁଥିରେ କଂଗ୍ରେସକୁ ଉପ-ମୁଖ୍ୟମନ୍ତ୍ରୀ, ବାଚସ୍ପତି ପଦ ସହ ୧୨ଟି କ୍ୟାବିନେଟ୍‌ ମନ୍ତ୍ରୀ ପଦ ଦିଆଯିବାକୁ ସହମତି ପ୍ରକାଶ ପାଇଥିଲା । ହେଲେ ପରବର୍ତ୍ତୀ ବୈଠକରେ ରାକପା ୨ ଉପ-ମୁଖ୍ୟମନ୍ତ୍ରୀ ପଦର ପ୍ରସ୍ତାବକୁ ବିରୋଧ କରିଥିଲା । ଏହାପରେ କଂଗ୍ରେସକୁ ବାଚସ୍ପତି ପଦ ଦିଆଯିବା ସର୍ତ୍ତରେ ଉପ-ମୁଖ୍ୟମନ୍ତ୍ରୀ ପଦ ଦାବିରୁ ହଟିବା ପାଇଁ କୁହାଯାଇଥିଲା ।
ଅପରପକ୍ଷରେ, ରାକପାକୁ ଉପ-ମୁଖ୍ୟମନ୍ତ୍ରୀ ମିଳିବ ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ କିଏ ଏହି ପଦରେ ଅଧିଷ୍ଠିତ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । କିଛି ରିପୋର୍ଟରେ ଏହି ପଦ ଅଜିତ୍‌ ପାୱାରଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲେ ହେଁ ଦଳ ଏନେଇ କିଛି ନିଷ୍ପତ୍ତି ହୋଇନାହିଁ ବୋଲି କହିଛି । ମିଳିଥିବା ସୂଚନା ଅନୁସାରେ ରାକପା ନିକଟରେ ଗୁରୁତ୍ୱପୂର୍ଣ୍ଣ ଗୃହ ମନ୍ତ୍ରଣାଳୟ ରହିବ । ରାକପା ମୁଖ୍ୟ ଶରଦ ପାୱାରଙ୍କ ଘନିଷ୍ଠ ଜୟନ୍ତ ପାଟିଲ୍‌ ଏହି ପଦ ପାଇଁ ପ୍ରମୁଖ ଦାବିଦାର ହୋଇଥିବା କୁହାଯାଇଛି । ଏହାପୂର୍ବରୁ ମଧ୍ୟ କଂଗ୍ରେସ-ରାକପା ସରକାରରେ ପାଟିଲ୍‌ ଗୃହମନ୍ତ୍ରୀ ଦାୟିତ୍ୱ ସ୍ୱଳ୍ପ ସମୟ ପାଇଁ ନିର୍ବାହ କରିଥିଲେ । ସେହିପରି କଂଗ୍ରେସ ମନ୍ତ୍ରିମନ୍ଦଳରେ ରାଜସ୍ୱ ବିଭାଗ ପାଇବ ବୋଲି ସୂତ୍ରରୁ ପ୍ରକାଶ । ବାଲାସାହେବ ଥୋରାଟ ଅବା ଅଶୋକ ଚଭନଙ୍କୁ ଏହି ପଦ ମିଳିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଶିବସେନା ହାତରେ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ରହିବ ବୋଲି ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*