ମହାରାଷ୍ଟ୍ର କ୍ଷମତା ଲଢେଇ, ୫୯ବର୍ଷରେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଶାସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କୌଣସି ଦଳ ସରକାର ଗଠନରେ ସଫଳ ନହେବାରୁ ମହାରାଷ୍ଟ୍ରରେ ଲାଗିଛି ରାଷ୍ଟ୍ରପତି ଶାସନ । ଅନୁଚ୍ଛେଦ-୩୫୬ ଅନ୍ତର୍ଗତ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ବେଳେ ରାଜ୍ୟର ୫୯ବର୍ଷ ଇତିହାସରେ ଏହା ତୃତୀୟ ଥର ଅଟେ । ୧୯୬୦ ମସିହାରେ ମହାରାଷ୍ଟ୍ର ଅସ୍ଥିତ୍ୱକୁ ଆସିଥିଲା ।
ପ୍ରଥମ ଥର, ୧୯୮୦ : ଶରଦ ପାୱାର ୧୯୭୮ରେ କଂଗ୍ରେସର ବସନ୍ତ ଦାଦା ପାଟିଲ ସରକାରଙ୍କୁ ଭାଙ୍ଗିଥିଲେ । ସେ ଏହି ସରକାରରେ ମନ୍ତ୍ରୀ ଥିଲେ । ଶରଦ ପ୍ରଗତିଶୀଳ ଲୋକତାନ୍ତ୍ରିକ ଫ୍ରଣ୍ଟ ଗଠନ କଲେ ଏବଂ କ୍ଷମତାକୁ ଆସିଲେ । ୧୯୭୮ରୁ ୧୯୮୦ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଲେ । ତେବେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀ ପୁଣି ଥରେ କ୍ଷମତାକୁ ଫେରିବା ପରେ ଫେବୃଆରୀ ୧୯୮୦ରେ ପାୱାର ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲଗାଇଥିଲେ । ଏହାପରେ ସେହିବର୍ଷ ଜୁନ୍‌ରେ ନିର୍ବାଚନ ହୋଇଥିଲା,କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବା ସହ ମୁଖ୍ୟମନ୍ତ୍ରୀ ବନିଥିଲେ ଏଆର ଅନ୍ତୁଲେ ।
ଦ୍ୱିତୀୟ ଥର , ୨୦୧୪ : ରାକପା ଦ୍ୱାରା ସେପ୍ଟେମ୍ବର ୨୦୧୪ରେ ସମର୍ଥନ ପ୍ରତ୍ୟାହାର ପରେ ରାଜ୍ୟର କଂଗ୍ରେସ ସରକାର ଅସୁବିଧାରେ ପଡିଥିଲା ଏବଂ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ପୃଥ୍ୱିରାଜ ଚୌହ୍ୱାନ । ରାକପା ଏବଂ କଂଗ୍ରେସ ଯଦିଓ ମିଳିତ ଭାବେ ସରକାର ଗଠନ କରିଥିଲେ ତେବେ ମୁଖ୍ୟମନ୍ତ୍ରୀ ପଦ ବୁଝାମଣାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏହାପରେ ଲାଗିଥିଲା ରାଷ୍ଟ୍ରପତି ଶାସନ । ପରେ ଅକ୍ଟୋବର ମାସରେ ନିର୍ବାଚନ ହୋଇଥିଲା । ଏଥିରେ ଭାଜପା ବିଜୟଲାଭ କରିବା ସହ ଦେବେନ୍ଦ୍ର ଫଡନବିସ୍‌ ବନିଥିଲେ ମୁଖ୍ୟମନ୍ତ୍ରୀ । ଅଲଗା ନିର୍ବାଚନ ଲଢୁଥିବା ଶିବସେନା ପରେ ସରକାରରେ ସାମିଲ ହୋଇଥିଲା ।
ଇନ୍ଦିରାଙ୍କ ସମୟରେ ରାଷ୍ଟ୍ରପତି ଶାସନର ହାପ୍‌ ସେଞ୍ଚୁରୀ
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୋଷ ଦେଉଛନ୍ତି । ସେମାନଙ୍କ ଅଭିଯୋଗ ମୋଦୀଙ୍କ ଶାସନ କାଳରେ ଅଧିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉଛି । ଭାଜପା ନିଜ କ୍ଷମତାର ଅପବ୍ୟବହାର କରୁଛି । କଂଗ୍ରେସ ମଧ୍ୟ ମୋଦୀଙ୍କୁ ନେଇ ସମାଲୋଚନା କରୁଛି । ଦେଶର ଗଣତନ୍ତ୍ର ଏବେ ବିପଦରେ ବୋଲି କହିଆସୁଛି କଂଗ୍ରେସ । ମାତ୍ର କଂଗ୍ରେସ ଭୁଲି ଯାଇଛି ଯେ, ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ ସମୟରେ ଦେଶରେ ଅଧିକ ଲାଗିଛି ରାଷ୍ଟ୍ରପତି ଶାସନ ।
ଭାରତ ସ୍ୱାଧୀନ ହେବା ପରଠାରୁ ଅଦ୍ୟାବଧି ୧୧୪ ଥର ଲାଗିଛି ରାଷ୍ଟ୍ରପତି ଶାସନ । ଜବାହାରଲାଲ୍‌ ନେହେରୁଙ୍କ ସମୟରେ ୮ଥର ଏହା ଲାଗିଥିଲା ବେଳେ ମୋରାଜୀ ଦେଶାଇଙ୍କ ସମୟରେ ୧୬ଥର, ନରସିଂହ ରାଓଙ୍କ ସମୟରେ ଲାଗିଛି ୧୧ଥର । ହେଲେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି ଇନ୍ଦିରା ଗାନ୍ଧୀ । ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୫୦ଥର ଲାଗିଛି ରାଷ୍ଟ୍ରପତି ଶାସନ ।

ରାଷ୍ଟ୍ରପତି ଶାସନ ଲାଗୁ

ଜବାହରଲାଲ୍‌ ନେହେରୁ ୮
ଇନ୍ଦିରା ଗାନ୍ଧୀ ୫୦
ମୋରାଜୀ ଦେଶାଇ ୧୬
ଚୌଧୁରୀ ଚରଣ ସିଂ ୪
ରାଜୀବ ଗାନ୍ଧୀ ୬
ନରସିଂହା ରାଓ ୧୧
ଅଟଳ ବିହାରୀ ବାଜପେୟୀ ୪
ମନମୋହନ ସିଂ ୧୨
ନରେନ୍ଦ୍ର ମୋଦୀ ୩

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*