ମହାରାଷ୍ଟ୍ରରେ ମିଳିତ ଭାବେ ସରକାର ଗଢିବେ ଶିବସେନା-ରାକପା-କଂଗ୍ରେସ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ, ରାକପା-କଂଗ୍ରେସକୁ ଉପ-ମୁଖ୍ୟମନ୍ତ୍ରୀ ପଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ମୁମ୍ବାଇ

ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ଅଣ-ଭାଜପା ସରକାର ବନିବାର ରାସ୍ତା ପରିଷ୍କାର ହୋଇଯାଇଛି । ଶିବସେନା-କଂଗ୍ରେସ ଏବଂ ରାକପା ମଧ୍ୟରେ ସରକାର ଗଢା ହେବା ନେଇ ପ୍ରାୟତଃ ସହମତି ବନିସାରିଛି । ଆଉ ରାକପା ମୁଖ୍ୟ ଶରଦ ପାୱାର ମଧ୍ୟ ଶୁକ୍ରବାର ମହାରାଷ୍ଟ୍ରରେ ୩ ଦଳ ମିଶି ସରକାର ଗଠନ କରିବେ ଏବଂ ୫ ବର୍ଷ କାର୍ଯ୍ୟକାଳ ଶେଷ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି । ଏହାସହ ସେ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମ୍ଭାବନାକୁ ମଧ୍ୟ ସେ ଖାରଜ କରିଦେଇଛନ୍ତି । ଆମେ ରାଜ୍ୟପାଳଙ୍କୁ ଶନିବାର ୩ଟାବେଳେ ସାକ୍ଷାତ ପାଇଁ ସମୟ ଦେବାକୁ ଅନୁରୋଧ କରିଛୁ ବୋଲି ପାୱାର ଗଣମାଧ୍ୟମକୁ ସୂଚନା ଦେବା ସହ ଶିବସେନା-ରାକପା-କଂଗ୍ରେସ ଏଠାରେ ଏକ ସ୍ଥାୟୀ ସରକାର ଗଠନ କରିବେ, ଯାହାକି ବିକାଶୋନ୍ମୁଖୀ ହେବ ବୋଲି ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ, ୩ ଦଳ ବର୍ତ୍ତମାନ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ(ସିଏମପି) ଉପରେ କାର୍ଯ୍ୟ କରୁଛନ୍ତି । ଏହା ସରକାରୀ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଇବାରେ ସହାୟକ ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଏଠାରେ ୩ ଦଳର ପ୍ରତିନିଧି ସାକ୍ଷାତ କରିବା ସହ ସିଏମପିର ଲକ୍ଷ୍ୟ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ପାୱାର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କର ସେହି ବୟାନକୁ ସମାଲୋଚନା କରିଥିଲେ ଯେଉଁଥିରେ ସେ ଶିବସେନା-ରାକପା-କଂଗ୍ରେସ ସରକାର ୬ ମାସ ବି ତିଷ୍ଟି ପାରିବ ନାହିଁ ବୋଲି କହିଥିଲେ । “ମୁଁ କିଛି ବର୍ଷ ହେବ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଜାଣିଛି । ହେଲେ ସେ ଜଣେ ଜ୍ୟୋତିଷ ଛାତ୍ର ବୋଲି ମୁଁ ଜାଣିନଥିଲି” ବୋଲି ପାୱାର ପରିହାସ କରି କହିଥିଲେ । ଏହା ପୂର୍ବରୁ ରାକପା ନେତା ନବାବ ମଲିକ କହିଥିଲେ ଯେ, ଶିବସେନା ସହ ମିଶିବାକୁ କିଛି କଂଗ୍ରେସ ନେତା ଦ୍ୱନ୍ଦ୍ୱରେ ଅଛନ୍ତି । ହେଲେ ଏକ ଡ୍ରାଫ୍ଟ କପି ଉପାର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଛି । ଯଦି ସେ ଏଥିରେ ସହମତି ନହୁଅନ୍ତି, ଅବା କଂଗ୍ରେସ ଶିବସେନା ସହ ମିଶିବାକୁ ଇଚ୍ଛା ପ୍ରକାଶ ନକରେ, ତେବେ ଆମେ ସରକାର ବନାଇବୁନି ।
ଏପରି ବନିଛି ସହମତି
ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା, କଂଗ୍ରେସ ଏବଂ ରାକପା ମଧ୍ୟରେ ଆଲୋଚନା ଜାରି ରହିଛି । ତିନି ଦଳ ମଧ୍ୟରେ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମପି)କୁ ନେଇ ସହମତି ବନିବାରେ ଲାଗିଛି । ଏହି ଫର୍ମୁଲା ଅନୁଯାୟୀ, ଶିବସେନାକୁ ପୁରା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମିଳିବାକୁ ଥିବାବେଳେ କଂଗ୍ରେସ ଏବଂ ରାକପାରୁ ଜଣେ ଲେଖାଏଁ ଉପ-ମୁଖ୍ୟମନ୍ତ୍ରୀ ହେବେ । ଏହାଛଡା ମନ୍ତ୍ରିମନ୍ଦଳରେ ରାକପାକୁ ୧୪ ଏବଂ କଂଗ୍ରେସକୁ ୧୨ ମନ୍ତ୍ରୀ ପଦ ମିଳିବ । ସେହିପରି ଶିବସେନା ଖାତାରେ ମୁଖ୍ୟମନ୍ତ୍ରୀ ପଦ ବ୍ୟତୀତ ୧୪ ମନ୍ତ୍ରୀ ପଦ ପାଇଁ ସହମତି ପ୍ରକାଶ ପାଇଛି । ଏତଦବ୍ୟତୀତ କଂଗ୍ରେସ ସରକାର ଗଠନ ସକାଶେ ଶିବସେନା ନିକଟରେ ଏକ ସର୍ତ୍ତ ରଖିଥିବା ମଧ୍ୟ ଜଣାପଡିଛି । କଂଗ୍ରେସ ଶିବସେନାକୁ କଟ୍ଟରପନ୍ଥୀ ହିନ୍ଦୁବାଦୀ ପାର୍ଟିର ଭାବମୂର୍ତ୍ତିରୁ ବାହାରକୁ ଆସିବା ପାଇଁ କହିଛି । ଆସନ୍ତା ନଭେମ୍ବର ୧୭ରେ ରାଜଧାନୀ ଦିଲ୍ଲୀରେ ରାକପା, କଂଗ୍ରେସ ଏବଂ ଶିବସେନା ମଧ୍ୟରେ ସରକାର ଗଠନ ନେଇ ଆଲୋଚନା ହେବ ବୋଲି ଜଣାପଡିଛି । ଯଦି ରାକପା(୫୪), ଶିବସେନା (ଶିବସେନା) ଏବଂ କଂଗ୍ରେସ(୪୪) ଏକାସାଥୀରେ ସରକାର ଗଢନ୍ତି, ତେବେ ମୋଟ୍‌ ବିଧାୟକଙ୍କ ସଂଖ୍ୟା ୧୫୪ ହେବ । ଏହାଛଡା ଶିବସେନା ନିଜ ପାଖରେ ୯ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରୁଥିବାରୁ ମୋଟ୍‌ ୧୬୩ ଜଣ ବିଧାୟକ ସରକାର ଗଠନ ପ୍ରକ୍ରିୟାରେ ସାମିଲ ହେବେ ବୋଲି ସୂତ୍ରରୁ ପ୍ରକାଶ ।
ଠାକରେ ପରିବାରର କିଏ ହେବ ମୁଖ୍ୟମନ୍ତ୍ରୀ?
ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ରାକପା ମଧ୍ୟରେ ସରକାର ଗଠନର ଫର୍ମୁଲା ସ୍ଥିର ହୋଇଯାଇଛି । ଏହା ସହ ଠାକରେ ପରିବାରର ସଦସ୍ୟ ମୁଖ୍ୟମନ୍ତ୍ରୀ ହେବା ନେଇ ନିଶ୍ଚିତ ହୋଇପାରିଛି । ହେଲେ ଠାକରେ ପରିବାରରୁ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ସସ୍‌ପେନ୍ସ ଜାରି ରହିଛି । ଏବେ ପ୍ରଶ୍ନ ଉଠୁଛି ଯେ, ନିଜେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶାସନ ଡୋର ସମ୍ଭାଳିବେ ନା ତାଙ୍କ ପୁଅ ଆଦିତ୍ୟ ଠାକରେ ହେବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଶିବସେନା ଆଦିତ୍ୟ ଠାକରେଙ୍କୁ ଆଗକୁ କରି ନିର୍ବାଚନ ଲଢିଥିଲା । ହେଲେ ଏବେ ସ୍ଥିତି ବଦଳି ଯାଇଛି । ଭାଜପା ସହ ସଂପର୍କ ଛିନ୍ନ କରିବା ପରେ ଶିବସେନା ନିଜର ପ୍ରବଳ ବିରୋଧୀ କଂଗ୍ରେସ ଏବଂ ରାକପା ଭଳି ରାଜନୈତିକ ଦଳ ସହ ମିଶି ସରକାର ଗଢିବାକୁ ଯାଉଛି । ଶରଦ ପାୱାର ଭଳି ବରିଷ୍ଠ ରାଜନେତାଙ୍କ ସହ ତାଳମେଳ ରଖି ସରକାର ଚଳାଇବା ଏବଂ ଭାଜପା ଭଳି ଦୃଢ ବିରୋଧୀ ଦଳକୁ ସାମନା କରିବା ନୂଆ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ତେଣୁ ଏହି କାରଣରୁ ଶିବସେନା ଆଦିତ୍ୟ ଠାକରେଙ୍କ ସ୍ଥାନରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ବନାଇବାକୁ ବିଚାର କରିପାରେ । ଉଦ୍ଧବ ସହଯୋଗୀ ଦଳଙ୍କ ସହ ମିଶି ଭଲଭାବେ ସରକାର ଚଳାଇବାର କ୍ଷମତା ରଖୁଥିବାବେଳେ ବିରୋଧୀ ଭାଜପାକୁ ମଧ୍ୟ କିପରି ମୁକାବିଲା କରାଯାଇପାରିବ ତାହା ଭଲଭାବେ ଜାଣନ୍ତି । ହେଲେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ଘଟଣା ଭାଜପା ପାଇଁ ସରକାରଙ୍କୁ ଟାର୍ଗେଟ କରିବାର ଏକ ଅସ୍ତ୍ର ମଧ୍ୟ ହୋଇପାରେ । ନିଜର ରାଜନୈତିକ ଲାଳସା ଚରିତାର୍ଥ କରିବା ସକାଶେ ଉଦ୍ଧବ ଗଠବନ୍ଧନ ଭାଙ୍ଗିଥିବାର ଆରୋପ ଭାଜପା ଲଗାଇବାକୁ ପଛାଇବ ନାହିଁ । ତେବେ ଉଦ୍ଧବ ଅବା ଆଦିତ୍ୟ, ଯିଏବି ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ପ୍ରଥମ ଥର ପାଇଁ ଠାକରେ ପରିବାର କିଙ୍ଗମେକର ଭୂମିକାରୁ ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ କରିବ ।
ପୁଣି ସରକାର ଗଠନ ପାଇଁ ଦାବି କଲା ଭାଜପା
ମହାରାଷ୍ଟ୍ରରେ ଇତିମଧ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଯାଇଛି । ତଥାପି ରାଜ୍ୟରେ ସରକାର ଗଠନ ନେଇ ପ୍ରୟାସ ଜୋରଦାର୍‌ ଚାଲିଛି । ଗୋଟିଏପଟେ ଶୁକ୍ରବାର ରାକପା ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ରରେ ଶିବସେନା ସହ କଂଗ୍ରେସ-ରାକପା ମିଶି ସରକାର ଗଢିବେ ବୋଲି ସୂଚନା ଦେଇଥିବାବେଳେ ଭାଜପା ମଧ୍ୟ ରାଜ୍ୟରେ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ପ୍ରଦେଶ ଭାଜପା ୟୁନିଟ୍‌ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଭାଜପା ପାଖରେ ସବୁଠୁ ଅଧିକ ବିଧାୟକ ଅଛନ୍ତି । ଏହା ନିକଟରେ ୧୦୫ ବିଧାୟକଙ୍କ ସହ ୧୪ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ଭାଜପା ହିଁ ରାଜ୍ୟରେ ସରକାର ଗଢିବ । ଭାଜପା ବ୍ୟତିରେକ ଏଠାରେ କେହି ସରକାର ଗଢିପାରିବେନି ବୋଲି ପାଟିଲ୍‌ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*