ମହାରାଷ୍ଟ୍ରରେ ମହାନାଟକ ଭାଜପା ମନା କରିବା ପରେ ଶିବସେନାକୁ ଡାକିଲେ ରାଜ୍ୟପାଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ମହାରାଷ୍ଟ୍ର ରାଜନୀତିରେ ସରକାର ଗଠନକୁ ନେଇ ଘଡିକେ ଘୋଡା ଛୁଟିବାର ଧାରା ରବିବାର ମଧ୍ୟ ଅବ୍ୟାହତ ରହିଛି । ରାଜ୍ୟପାଳଙ୍କୁ ଭେଟି ଭାରତୀୟ ଜନତା ପାର୍ଟି ସରକାର ଗଢିବାକୁ ଅରାଜି ହେବା ପରେ ମହାରାଷ୍ଟ୍ର ରାଜନୀତିରେ ମହାନ୍‌ ନାଟକର ଦୃଶ୍ୟ ମଞ୍ଚସ୍ଥ ହେବାର ଧାରା ଆରମ୍ଭ ହୋଇଯାଇଥିଲା । ମୁହୂର୍ତ୍ତେ ମୁହୂର୍ତ୍ତେରେ ବଡ ନାଟକୀୟ ପରିବର୍ତ୍ତନ ଘଟିବାର ସଙ୍କେତ ଆସିବା ଆରମ୍ଭ ହୋଇଥିଲା । ତାହାରି ଭିତରେ ନୂଆ ଏକ ରାଜନୈତିକ ସମୀକରଣ ମହାରାଷ୍ଟ୍ରରେ ବନୁଥିବାର ମିଳିଛି ସଙ୍କେତ । ଫଳାଫଳ ଘୋଷଣା ହେବା ପରଠାରୁ ୫୦-୫୦ଫର୍ମୁଲାକୁ ନେଇ ଅଡି ବସିଥିବା ମେଣ୍ଟ ସାଥୀ ଶିବସେନାକୁ ଅକଳରେ ପକାଇବା ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟପାଳଙ୍କ ପକ୍ଷରୁ ସରକାର ଗଠନ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ଗ୍ରହଣ କରାଯାଇନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ ଚର୍ଚ୍ଚା କରୁଥିଲାବେଳେ ଅନ୍ୟପଟେ କଂଗ୍ରେସ ଓ ରାକପା ସମର୍ଥନରେ ଶିବସେନା ସରକାର ଗଠନ ଲାଗି ଜୋରଦାର ପ୍ରୟାସ ଆରମ୍ଭ କରିଥିବା ଖବର ବି କେବଳ ମହାରାଷ୍ଟ୍ର ନୁହେଁ, ଭାରତୀୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ରବିବାର ଦିନ ଭାଜପା ପକ୍ଷରୁ ଏକ ପ୍ରତିନିଧି ମନ୍ଦଳୀ ରାଜ୍ୟପାଳ ଭଗତସିଂହ କୋଷିୟାରୀଙ୍କୁ ସାକ୍ଷାତ କରି ସରକାର ଗଠନ ସକାଶେ ସେମାନେ ନିଜର ରହିଥିବା ଅରାଜିର କଥା ବତାଇଥିଲେ । ରାଜ୍ୟପାଳଙ୍କୁ ଭେଟି ଆସିବାପରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା ଯେ, ୫୦-୫୦ ଫର୍ମୁଲାକୁ ନେଇ ମେଣ୍ଟ ସାଥୀ ଶିବସେନା ଅଡି ବସିବା ଏବଂ ରାଜ୍ୟପାଳଙ୍କ ନିମନ୍ତ୍ରଣ ପରେ ମଧ୍ୟ ସମର୍ଥନ ଦେବାର ପ୍ରତିଶ୍ରୁତି ନଦେବା ଅବସ୍ଥାରେ ଆମେ ସରକାର ଗଠନ ପାଇଁ ଅରାଜି ହୋଇଛୁ । (ଶେଷଭାଗ)
ଗତ ବିଧାନସଭା ନିର୍ବାଚନରେ ଭାଜପା ୧୦୫, ଶିବସେନା ୫୬ ଆସନ ଜିତିଥିଲାବେଳେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ୫୪ ଏବଂ କଂଗ୍ରେସ ୪୪ଆସନରେ ଜୟଯୁକ୍ତ ହୋଇଥିଲେ ।
ଦୁଇ ଦଳର ଟଣାଓଟରା ଖବର ଭିତରେ ରାଜ୍ୟପାଳ କୋଷିୟାରୀ ଶିବସେନାକୁ ସରକାର ଗଠନ ସକାଶେ ରବିବାର ସନ୍ଧ୍ୟାରେ ନିମନ୍ତ୍ରଣ କରିଥିଲେ । କାରଣ ବିଧାନସଭା ନିର୍ବାଚନ ଫଳ ଅନୁସାରେ ଶିବସେନା ଦ୍ୱିତୀୟ ବଡ ଦଳ ଭାବେ ଉଭା ହୋଇଛି । ସୋମବାର ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ସରକାର ଗଠନ ବାବଦର ଆଗ୍ରହ ବାବଦରେ ଜଣାଇବାକୁ କହିଛନ୍ତି । ଦ୍ୱିତୀୟ ବଡ ଦଳର ନେତା ଏକନାଥ ସିନେ୍ଧଙ୍କୁ ସରକାର ଗଠନ ବାବଦ ଆଗ୍ରହ ବିଷୟରେ ସୋମବାର ସନ୍ଧ୍ୟା ସାଢେ ୭ଟା ମଧ୍ୟରେ ଆନୁଷ୍ଠାନିକ ଭାବେ ଜଣାଇବାକୁ ରାଜ୍ୟପାଳ କହିଛନ୍ତି । ଏ ଖବର ଆସିବା ପରେ ରାଜନୈତିକ ହଲଚଲ ଆହୁରି ବଢି ଯାଇଥିଲା । ଶିବସେନା ପକ୍ଷରୁ ମଧ୍ୟ ସରକାର ଗଠନ ପାଇଁ ପ୍ରୟାସ ତେଜ କରାଯିବାକୁ ଦେଖି ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ବନିବାକୁ ଯାଉଥିବାର କଥା ବାରି ହୋଇପଡିଥିଲା ।
ସରକାରରୁ ହଟ୍‌
ଏନଡିଏ ଛାଡ
ମହାରାଷ୍ଟ୍ରରେ ସରକାର ଗଢିବାକୁ ହେଲେ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଯଦି ଶିବସେନା ସରକାର ଗଢେ ଆଉ ରାକପା ଏବଂ କଂଗ୍ରେସ ଭିତରୁ କିମ୍ବା ବାହାରୁ ସମର୍ଥନ କରନ୍ତି, ତାହା ହେଲେ ବିଧାୟକଙ୍କ ସଂଖ୍ୟା ୧୫୪ ହେବ ଆଉ ଗଢାଯାଇପାରିବ ସରକାର । ସେହି ଧାରାରେ ଚାଲିବାକୁ ଶିବସେନା ସଙ୍କେତ ଦେଇଛି । ତେବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଙ୍ଗଳବାର ଦଳୀୟ ବିଧାୟକମାନଙ୍କର ଆନୁଷ୍ଠାନିକ ବୈଠକ ପରେ କିଛି ଠୋସ୍‌ ନିଷ୍ପତ୍ତିର କଥା କହିବ ବୋଲି ବତାଉଥିଲେ ମଧ୍ୟ ଶିବସେନା ଆଗରେ ପ୍ରାକ୍‌ ସର୍ତ୍ତ ରଖିସାରିଛି । ଏନଡିଏରୁ ସେନାପୂର୍ଣ୍ଣ ଭାବରେ ବାହାର ହେବାକୁ କୁହାଯାଇଛି । ବିଶେଷ କରି ମୋଦୀ ସରକାରରେ ସାମିଲ ଥିବା ମନ୍ତ୍ରୀମାନେ ତୁରନ୍ତ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ଚର୍ଚ୍ଚା ତେଜ ଅଛି ।
ଉଦ୍ଧବ- ସୋନିଆ କଥା
ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ସମର୍ଥନ ଜୁଟାଇବା ଲାଗି କଂଗ୍ରେସ ସହ କଥା ହେବାକୁ ଗ୍ରୀନ ସିଗନାଲ୍‌ ଦେଇଛନ୍ତି । ଦଳର ମୁଖପାତ୍ର ତଥା ବରିଷ୍ଠ ନେତା ସଞ୍ଜୟ ରାଉତ ସୋନିଆଙ୍କୁ ଭେଟିବାକୁ ଯିବେ ବୋଲି ସ୍ଥିର ହୋଇଛି । ତୁରନ୍ତ ସଞ୍ଜୟଙ୍କୁ ଏଥି ଲାଗି ଦିଲ୍ଲୀ ଯିବାକୁ ନିଦେ୍ର୍ଦଶ କରିଛନ୍ତି ଉଦ୍ଧବ । ନିଜେ ଶିବସେନା ସୁପି୍ରମୋ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଫୋନ କରି କଥାବାର୍ତ୍ତା ହୋଇଥିବା ବିଷୟ ମଧ୍ୟ ଅସମର୍ଥିତ ସୂତ୍ରରୁ ଜଣାପଡିଛି । ରାକପା ମଧ୍ୟ ଶିବସେନା ସମର୍ଥନ ମାଗିଥିବା କଥାକୁ ସାର୍ବଜନୀନ କରି ବଦଳୁଥିବା ରାଜନୈତିକ ରଙ୍ଗର କଥା କହିଛି ।
ପୂର୍ବରୁ ରବିବାର ଅପରାହ୍ନରେ ଭାଜପା ପ୍ରତିନିଧିମନ୍ଦଳୀ ରାଜଭବନଠାରେ ରାଜ୍ୟପାଳଙ୍କୁ ଭେଟି ସେମାନେ ସରକାର ଗଠନ କରିବେ ନାହିଁ ବୋଲି ସୂଚାଇଥିଲେ । ପରେ ପ୍ରଦେଶ ଭାଜପା ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ସରକାର ଗଢୁନାହିଁ ବୋଲି ସୂଚନା ଦେବା ସହ ସହଯୋଗୀ ଶିବସେନା ଯଦି ଜନାଦେଶକୁ ଅପମାନିତ କରି କଂଗ୍ରେସ-ରାକପା ସହ ମିଶି ସରକାର ଗଢିବାକୁ ଚାହୁଁଛି, ତେବେ ଦଳ ସହ ଆମର ଶୁଭକାମନା ଅଛି ବୋଲି କହିଥିଲେ । ଜନାଦେଶ ଭାଜପା ଏବଂ ଶିବସେନାକୁ ମିଳିଥିଲା । ହେଲେ ଶିବସେନା ଆମ ସହ ସରକାର ଗଢିବାକୁ ଚାହୁଁନି ବୋଲି ପାଟିଲ୍‌ କହିଥିଲେ ।
ରାକପାର ସର୍ତ୍ତ
ରାଜ୍ୟପାଳ ଶିବସେନାକୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିବା ପରେ ରାକପା ମୁଖ୍ୟ ଶରଦ ପାୱାର ସରକାର ଗଠନ ନେଇ ଚର୍ଚ୍ଚା ପାଇଁ ଉଦ୍ଧବ ଠାକରେଙ୍କୁ ଡାକିଥିବା ସୂତ୍ରରୁ ପ୍ରକାଶ । ସେହିପରି ଶିବସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ ରାକପା ନେତା ନୱାବ ମାଲିକ୍‌ କହିଛନ୍ତି ଯେ, ନଭେମ୍ବର ୧୨ରେ ରାକପାର ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏହାପରେ ଯାଇ ଦଳ ନିଜର ଆଗାମୀ ପନ୍ଥା ବାବଦରେ ନିଷ୍ପତ୍ତି ନେବ ବୋଲି ନୱାବ କହିଛନ୍ତି । ହେଲେ ସମର୍ଥନ ପାଇଁ ଶିବସେନା ଆଗରେ ରାକପା କିଛି ସର୍ତ୍ତ ରଖିବ ବୋଲି ସେ କହିଛନ୍ତି । ସରକାର ଗଠନରେ ରାକପାର ସମର୍ଥନ ପାଇବା ସକାଶେ ଶିବସେନାକୁ ଏନଡିଏ ଠାରୁ ସମସ୍ତ ସଂପର୍କ ଛିନ୍ନ କରିବାକୁ ପଡିବ । ଏହାର ସମସ୍ତ ମନ୍ତ୍ରୀଙ୍କୁ ଏନଡିଏରୁ ଇସ୍ତଫା ଦେବାକୁ ପଡିବ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଶରଦ ପାୱାର ଶିବସେନା ସହ ମିଳିତ ହୋଇ ସରକାର ଗଠନ କରିବା ବାବଦ ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଦଳକୁ ଜନତା ବିରୋଧୀ ଦଳର ଭୂମିକା ତୁଲାଇବା ପାଇଁ ଜନା ଦେଶ ଦେଇଛନ୍ତି, ତେଣୁ ଦଳ ଏହି ଭୂମିକା ହିଁ ନିର୍ବାହ କରିବ ବୋଲି ସେ କହିଥିଲେ ।
କଂଗ୍ରେସର ସସ୍‌ପେନ୍ସ
ଅନ୍ୟପଟେ ରାକପାର ସମର୍ଥନ ସତ୍ତ୍ୱେ ଶିବସେନା ବିନା କଂଗ୍ରେସର ସମର୍ଥନରେ ସରକାର ଗଢିପାରିବ ନାହିଁ । ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ସରକାର ଗଠନ ପାଇଁ ନିଜର ସମର୍ଥନ ବାବଦରେ ସସ୍‌ପେନ୍ସ ଜାରି ରଖିଛି । ଏହା ଶିବସେନାକୁ ସମର୍ଥନ ଦେବ କି ନାହିଁ ସ୍ପଷ୍ଟ କରିନାହିଁ । ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହାନ କିନ୍ତୁ ଦଳ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେଉ ବୋଲି ଆଦୌ ଚାହୁଁନଥିବା କହିଛନ୍ତି । ତେଣୁ ନବ- ନିର୍ବାଚିତ ବିଧାୟକଙ୍କର ସରକାର ଗଠନ ନେଇ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଦଳୀୟ ହାଇ କମାନ୍ଦଙ୍କ ସହ ଆଲୋଚନା ପରେ ହିଁ ସ୍ଥିର ହେବ ବୋଲି ଚୌହାନ କହିଛନ୍ତି । ଏହା ପୂର୍ବରୁ କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ କଂଗ୍ରେସ-ରାକପାକୁ ଜନତା ବିପକ୍ଷରେ ବସିବାକୁ ଜନାଦେଶ ଦେଇଛି ବୋଲି କହିଥିଲେ ।
ପାଲିଙ୍କିରେ ବସିବାର ସମୟ
ରବିବାର ମୁମ୍ବାଇର ହୋଟେଲ ରିଟ୍ରିଟ୍‌ଠାରେ ଉଦ୍ଧବ ଠାକରେ ଶିବସେନାର ୫୬ ବିଧାୟକଙ୍କ ସହ ବୈଠକ କରିଥିଲେ । ଏହି ବୈଠକ ପରେ ସେ ମହାରାଷ୍ଟ୍ରରେ ଶିବସେନା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବାର ଦାବିକୁ ପୁଣିଥରେ ଦୋହରାଇଥିଲେ । ସେମାନେ ଅନ୍ୟ ଲୋକଙ୍କ ପାଇଁ ଅନେକ ଥର ପାଲିଙ୍କି ଉଠାଇ ସାରିଛନ୍ତି । ଏବେ ସେ ଏହା ନିଶ୍ଚିତ କରିବେ ଯେ, ଶିବ ସୈନିକ ପାଲିଙ୍କି ମଧ୍ୟରେ ନିଜେ ବସିବେ ।
ସରକାର ଗଠନ ନେଇ ବିକଳ୍ପ
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବହୁମତ ପାଇଁ ୧୪୫ ଆସନ ଦରକାର ହେଉଥିବାବେଳେ ଏବେ ରାଜ୍ୟରେ ସରକାର ଗଢିବା ସକାଶେ ଶିବସେନା ନିକଟରେ ୨ଟି ବିକଳ୍ପ ରହିଛି । ପ୍ରଥମଟି ହେଲା- ଶିବସେନା, ରାକପା ସହ ମିଶି ସରକାର ଗଢିବ ଏବଂ କଂଗ୍ରେସ ଏହାକୁ ବାହାରୁ ସମର୍ଥନ ଦେବ । ଏପରି ହେଲେ ଶିବସେନାର ୫୬, ରାକପାର ୫୪ ଏବଂ କଂଗ୍ରେସର ୪୪ ଆସନ ମିଶି ୧୫୪ ହେବ, ଯାହା ବହୁମତ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଅଧିକ ଅଟେ । ଏପରି ସ୍ଥିତିରେ ୩ ଦଳ ମିଶି ସରକାର ଗଢିପାରିବେ । ଦ୍ୱିତୀୟ ବିକଳ୍ପଭାବେ ଶିବସେନା ରାକପା ସହ ୨୪ ସ୍ୱାଧୀନ ବିଧାୟକ, ବହୁଜନ ବିକାଶ ଅଗାଡିର ୩ ଏବଂ ଏଆଇଏମଆଇଏମର ୨ ବିଧାୟକଙ୍କ ସହାୟତା ଲୋଡିପାରେ । ଏହାସତ୍ତ୍ୱେ ଶିବସେନା ପାଖରେ ୧୩୯ ବିଧାୟକଙ୍କ ସମର୍ଥନ ରହିବ । ଏପରି ସ୍ଥିତିରେ ମଧ୍ୟ ଏହା କଂଗ୍ରେସର ବିନା ସମର୍ଥନରେ ସରକାର ଗଢିପାରିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*