ମହାରାଷ୍ଟ୍ରରେ ବଜାୟ ରହିଲା ପରମ୍ପରା ବାଚସ୍ପତି ଭାବେ ନିର୍ବିରୋଧ ନିର୍ବାଚିତ ନାନା ପଟୋଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ମୁମ୍ବାଇ

କଂଗ୍ରେସ ବିଧାୟକ ନାନା ପଟୋଲେ ରବିବାର ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି । ଭାଜପାର ବାଚସ୍ପତି ପ୍ରାର୍ଥୀ କିଶନ କଠୋରେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ପଟୋଲେ ବିନା ପ୍ରତିଦ୍ୱନ୍ଦ୍ୱୀତାରେ ବିଧାନସଭା ଅଧ୍ୟକ୍ଷ ବନିଛନ୍ତି ।
ଶିବସେନା, ରାକପା ଏବଂ କଂଗ୍ରେସ ଗଠବନ୍ଧନ ମହାବିକାଶ ଅଘାଡି, ନାନା ପଟୋଲେଙ୍କୁ ସଂଯୁକ୍ତଭାବେ ନିଜର ପ୍ରାର୍ଥୀ ବନାଇଥିଲେ । ନାନା ପଟୋଲେ ନିର୍ଦ୍ଦନ୍ଦ୍ୱରେ ବିଧାନସଭା ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି ବୋଲି ପ୍ରୋଟେମ ସ୍ପିକର ଦୀଲିପ ୱାଲସେ ପାଟିଲ୍‌ ଘୋଷଣା କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ କିଛି ବରିଷ୍ଠ ନେତା ପଟୋଲେ(୫୭)ଙ୍କୁ ବାଚସ୍ପତି ଆସନ ନିକଟକୁ ନେଇଯାଇଥିଲେ । ଭାଜପା ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ ଏହି ଅବସରରେ ଜଣେ ବିଧାୟକ ଏବଂ କୃଷକ ନେତାଭାବେ ପଟୋଲେଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ଠାକରେ ମଧ୍ୟ ଜଣେ କୃଷକଙ୍କ ପୁଅ ବାଚସ୍ପତି ହୋଇଥିବାରୁ ସେ ବହୁତ ଖୁସି ବୋଲି କହିଥିଲେ ।
ବାଚସ୍ପତିି ସମସ୍ତଙ୍କ ସହ ନ୍ୟାୟ କରିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ବୋଲି ଉଦ୍ଧବ ଠାକରେ କହିଥିଲେ । ରାକପା ମନ୍ତ୍ରୀ ଜୟନ୍ତ ପାଟିଲ୍‌ ଏହି ଅବସରରେ ବାଚସ୍ପତି ପଦ ପାଇଁ ନିଜର ପ୍ରାର୍ଥୀ ପ୍ରତ୍ୟାହାର କରିନେଇଥିବାରୁ ଏବଂ ପଟୋଲେଙ୍କୁ ବାଚସ୍ପତି ହେବା ରାସ୍ତା ସୁଗମ କରିଥିବାରୁ ଭାଜପାକୁ ପ୍ରଶଂସା କରିଥିଲେ । ହରିଭାଉ ବାଗଡେଙ୍କ ପରେ ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ବନିଛନ୍ତି । ଫଡନଭିସ୍‌ ସରକାରବେଳେ ହରିଭାଉ ବାଗଡେ ୨୦୧୪-୧୯ ପର୍ଯ୍ୟନ୍ତ ବାଚସ୍ପତିି ଥିଲେ । ବିଦର୍ଭାର ସାକୋଲୀ ବିଧାନସଭା ଆସନରୁ ପଟୋଲେ ପ୍ରତିନିଧିତ୍ୱ କରୁଛନ୍ତି ।
ପ୍ରକାଶ ଥାଉ କି, ମହାରାଷ୍ଟ୍ର ବିଧାନସଭାରେ ଅଧ୍ୟକ୍ଷ ନିର୍ବାଚନ ନିର୍ବିରୋଧ କରିବାର ପରମ୍ପରା ରହିଛି । ହେଲେ ବାଚସ୍ପତି ପଦ ପାଇଁ ଭାଜପା ଏବଂ ଗଠବନ୍ଧନ ସରକାର ନିଜ ନିଜ ପ୍ରାର୍ଥୀ ଛିଡା କରାଇଥିଲେ । ହେଲେ ନବ-ନିର୍ବାଚିତ ବିଧାୟକମାନେ ଭାଜପାକୁ ନିଜର ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ, ଯେଉଁଥିରେ ମୁଖ୍ୟ ବିରୋଧୀ ଦଳ ସମ୍ମତି ପ୍ରକାଶ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*