ମହାରାଷ୍ଟ୍ରରେ ଥାକ୍‌ରେ ରାଜ,ରିମୋଟ କଣ୍ଟ୍ରୋଲ ରୁ ମୁଖ୍ୟମନ୍ତ୍ରୀ ଆସନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଏକମାସ ଧରି ଯେଉଁ ଅସ୍ଥିରତା ସୃଷ୍ଟି ହୋଇଥିଲା ତାହା ଶେଷରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଥାକ୍‌ରେଙ୍କ ସେହି ଜିଦ୍‌ ସହ ଶେଷ ହୋଇଛି । ଏହି ଜିଦ୍‌ କାରଣରୁ ବର୍ତ୍ତମାନ ସୁଦ୍ଧା ସରକାର ଗଠନରେ ବାଧା ସୃଷ୍ଟି ହୋଇଥିଲା । ଉଦ୍ଧବଙ୍କ ସର୍ତ୍ତ ଥିଲା ଯେ, ମୁଖ୍ୟମନ୍ତ୍ରୀ ପଦରେ ଶିବସୈନିକ ବସିବେ । ଗୁରୁବାର ସନ୍ଧ୍ୟାରେ ସେ ନିଜେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇ ବାପା ବାଲା ସାହେବ ଥାକ୍‌ରେଙ୍କୁ ଦେଇଥିବା ସେହି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି । ମହାରାଷ୍ଟ୍ରର ରାଜନୀତିରେ ବର୍ତ୍ତମାନ ସୁଦ୍ଧା ରିମୋଟ କଣ୍ଟ୍ରୋଲର ଭୂମିକା ତୁଲାଉଥିବା ଶିବସେନା ଅଧ୍ୟକ୍ଷ ଏବେ ମୁଖ୍ୟମନ୍ତ୍ରୀ ।

ସମ୍ପାଦକରୁ ମୁଖ୍ୟମନ୍ତ୍ରୀ :
ଦଳର ସଂସ୍ଥାପକ ବାଲା ସାହେବ ଥାକ୍‌ରେଙ୍କ ପରେ ଦଳର ନେତୃତ୍ୱ ସମ୍ଭାଳି ଥିବା ଉଦ୍ଧବଙ୍କ ପାଇଁ ଗୁରୁବାର ଥିଲା ସବୁଠାରୁ ବଡ଼ ବିଜୟର ମୁହୂର୍ତ୍ତ । ଉଦ୍ଧବ ବାଲ୍‌ କେଶବ ଥାକ୍‌ରେଙ୍କ ଜନ୍ମ ଜୁଲାଇ ୨୭, ୧୯୬୦ରେ ମୁମ୍ବାଇରେ ହୋଇଥିଲା । ୨୦୦୩ ମସିହାରେ ଦଳର କାର୍ଯ୍ୟକାରିଣୀ ଅଧ୍ୟକ୍ଷ ବନିବା ପୂର୍ବରୁ ତାଙ୍କୁ କେହି ଜାଣିନଥିଲେ । ରାଜନୀତିରେ ପାଦ ରଖିବା ପୂର୍ବରୁ ସେ ଦଳର ମୁଖପାତ୍ର ସାମନାର ପରିଚାଳନା ଦାୟିତ୍ୱରେ ଥିଲେ । ଏହାର ସମ୍ପାଦକ ମଧ୍ୟ ଥିଲେ । ଉଦ୍ଧବ ଜଣେ ପ୍ରଫେସନାଲ ଫଟୋଗ୍ରାଫର ଏବଂ ଲେଖକ ଅଟନ୍ତି ।

ପୁଅକୁ ବନାଇଲେ ପରିବାରର ପ୍ରଥମ ବିଧାୟକ :
ଉଦ୍ଧବଙ୍କ ବିବାହ ଜଣେ ବ୍ୟବସାୟୀ ମାଧବ ପାଟନକରଙ୍କ ଝିଅ ରଶ୍ମିଙ୍କ ସହ ଡିସେମ୍ବର ୧୩, ୧୯୮୯ରେ ହୋଇଥିଲା । ରଶ୍ମି ୧୯୮୭ରେ ଏଲ୍‌ଆଇସିରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ତାଙ୍କର ଭେଟଘାଟ ହୋଇଥିଲା ଏମ୍‌ଏନ୍‌ଏସ୍‌ ମୁଖିଆ ରାଜ ଥାକ୍‌ରେଙ୍କ ଭଉଣୀ ଜୟବନ୍ତିଙ୍କ ସହ । ପରେ ରଶ୍ମି ଉଦ୍ଧବଙ୍କୁ ଭେଟିଥିଲେ । ଉଭୟଙ୍କର ବିବାହ ହୋଇଥିଲା ଓ ସେମାନଙ୍କର ଦୁଇପୁଅ ଆଦିତ୍ୟ ଏବଂ ତେଜସ ଅଛନ୍ତି । ଆଦିତ୍ୟ ଜେଜେ ବାପା ବାଲା ସାହେବ ବାପା ଉଦ୍ଧବଙ୍କ ପଦାଙ୍କ ଅନୁସରଣ କରି କମ୍‌ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ । ଅନ୍ୟପଟେ ତେଜସ ଠିକ୍‌ ଏହାର ବିପରୀତ ଦିଗରେ ଯାଇ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । ଆଦିତ୍ୟ ହେଉଛନ୍ତି ଥାକ୍‌ରେ ପରିବାରର ପ୍ରଥମ ସଦସ୍ୟ, ଯିଏ ନିର୍ବାଚନୀ ମଇଦାନରେ ପ୍ରତ୍ୟକ୍ଷ ଭାବେ ପାଦ ଥାପିବା ସହ ଏବେ ବିଧାୟକ ବନିଛନ୍ତି ।
୨୦୧୨ରେ ବାଲା ସାହେବଙ୍କ ପରଲୋକ ପରେ ଉଦ୍ଧବ ବନିଥିଲେ ଶିବସେନାର ଅଧ୍ୟକ୍ଷ । ୨୦୦୨ ମସିହାରେ ପ୍ରଥମ ଥର ପାଇଁ ମୁମ୍ବାଇ ନଗର ନିଗମ ନିର୍ବାଚନ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିଲା । ନିର୍ବାଚନରେ ଦଳକୁ ବଡ଼ ସଫଳତା ମିଳିଥିଲା । ତେବେ ଅଧିକ ସମୟ ଉଦ୍ଧବ ନିଜ ଖବରକାଗଜ ସାମ୍ନାକୁ ଦେଉଥିଲେ । ୨୦୦୪ ରେ ବାଲା ସାହେବ ନିଜ ପୁତୁରା ରାଜ ଥାକ୍‌ରେଙ୍କୁ ଏଡାଇ ଉଦ୍ଧବଙ୍କୁ ଶିବସେନାର ପରବର୍ତ୍ତୀ ମୁଖିଆ ଭାବେ ଘୋଷଣା କରିଥିଲେ ।

୪୦ ବର୍ଷ ଧରି କେହି ଜାଣିନଥିଲେ :
୨୦୦୩ରେ ଉଦ୍ଧବଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷିତ କରାଯାଇଥିଲା । ତେବେ ରୋଚକ ବିଷୟ ହେଉଛି ଯେ, ଜୀବନର ପ୍ରଥମ ୪୦ବର୍ଷ ସେ ଦଳରୁ ଦୂରରେ ରହିଥିଲେ ଏବଂ ତାଙ୍କୁ ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ ଜାଣି ନଥିଲେ । ତେବେ ଦଳର ଅଧ୍ୟକ୍ଷ ବନିବା ପରେ ସମସ୍ତେ ଚକିତ ହୋଇପଡିଥିଲେ । ସେତେବେଳେ କୁହାଯାଉଥିଲା ଯେ, ରାଜ ଥାକ୍‌ରେ ଏହି ପଦରେ ବସିବାକୁ ପ୍ରକୃତ ଯୋଗ୍ୟ । ମାତ୍ର ବାଲା ସାହେବଙ୍କ ନିଷ୍ପତ୍ତି ଆଗରେ କେହି ମୁହଁ ଖୋଲି ପାରିନଥିଲେ । ଆଉ ବାଧ୍ୟରେ ରାଜ ନିଜକୁ ଶିବସେନାରୁ ଦୂରେଇ ନିଜର ଏକ ଦଳ ମହାରାଷ୍ଟ୍ର ନବ ନିର୍ମାଣ ସେନା ଗଠନ କରିଥିଲେ । ଏପରିକି ଦଳର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ମଧ୍ୟ ଉଦ୍ଧବଙ୍କ ସହ ମତଭେଦ କାରଣରୁ ଦଳ ଛାଡିଥିଲେ ।
କୁହାଯାଏ ଯେ, ଉଦ୍ଧବ ଦଳର ଦାୟିତ୍ୱ ସମ୍ଭାଳିବା ପରେ ଶିବସେନାର କଠୋର ହିନ୍ଦୁତ୍ୱବାଦୀ ଆଭିମୁଖ୍ୟକୁ ନରମ କରିଥିଲେ । ବୋଧହୁଏ ଏହି କାରଣରୁ କଂଗ୍ରେସ ଏବଂ ରାକପା ଭଳି ଦଳ ବିଚାରଧାରା ଭିନ୍ନ ଥାଇ ମଧ୍ୟ ଶିବସେନା ସହ ଗଠବନ୍ଧନ କରିବାକୁ ନିଷ୍ପତ୍ତି ନେଇଛି । ଉଦ୍ଧବ ବର୍ଷ ବର୍ଷ ଧରି ଚାଲିଆସିଥିବା ପରମ୍ପରାକୁ ଭାଙ୍ଗି ନିଜ ପୁଅ ଆଦିତ୍ୟଙ୍କୁ ନିର୍ବାଚନୀ ରାଜନୀତିରେ ଓହ୍ଲାଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ସହ ଦଳର ରିମୋଟ କଣ୍ଟ୍ରୋଲ ରାଜନୀତିରୁ ବାହାରି ଆସି କ୍ଷମତା ଚଳାଇବାର ଧାରାକୁ ଆସିଛନ୍ତି ଉଦ୍ଧବ । ତେବେ ସେ କିପରି ମହାରାଷ୍ଟ୍ରକୁ ଚଳାଉଛନ୍ତି, ଗଠବନ୍ଧନର ଦୁଇ ଦଳକୁ ସାଥିରେ ନେଇ ଆଗକୁ ବଢୁଛନ୍ତି ତା’ ଉପରେ ରହିଛି ସମସ୍ତ ନଜର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*