ମନ୍ଦିର ନିର୍ମାଣ ଟ୍ରଷ୍ଟ ଗଠନ ପ୍ରକ୍ରିୟା ତେଜ୍‌ କୌଣସି ରାଜନେତାଙ୍କୁ ମିଳିବନି ସ୍ଥାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆସନ୍ତା ବର୍ଷ ରାମ ନବମୀ ଆରମ୍ଭ କରାଯିବାର ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ସରକାର ଏଥିପାଇଁ ଟ୍ରଷ୍ଟ ବନାଇବାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି । ସୂତ୍ରାନୁଯାୟୀ, କେନ୍ଦ୍ର ସରକାର ଗତ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ବାବଦରେ ଆଟର୍ଣ୍ଣି ଜେନେରାଲ ଏବଂ ଆଇନ୍‌ ମନ୍ତ୍ରଣାଳୟର ପରାମର୍ଶ ନେଉଛନ୍ତି ।
ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ, ଧାରା ୬ ଅନ୍ତର୍ଗତ ସରକାର ଏକ ଟ୍ରଷ୍ଟ ଗଠନ କରି ମନ୍ଦିର ନିର୍ମାଣ ନେଇ ଯୋଜନା ପ୍ରସ୍ତୁତ କରନ୍ତୁ । ସେହିପରି ଟ୍ରଷ୍ଟର ସଠିକ୍‌ ପରିଚାଳନା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ନିୟମ ମଧ୍ୟ ଧାର୍ଯ୍ୟ କରନ୍ତୁ ବୋଲି କୋର୍ଟ କହିଥିଲେ । ଟ୍ରଷ୍ଟିଙ୍କ ନିକଟରେ ମନ୍ଦିର ନିର୍ମାଣ ନେଇ ନିଷ୍ପତ୍ତି ନେବାର ଅଧିକାର ରହିବ ବୋଲି କୋର୍ଟ କହିଥିଲେ ।
ଅନ୍ୟପଟରେ ଅଲ ଇନ୍ଦିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ(ଏଆଇଏମପିବି) ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା ପାଇଁ ଆବେଦନ କରିବାର ସମ୍ଭାବନା ରହିଛି । ଏନେଇ ବିଚାର ସକାଶେ ଏଆଇଏମପିବି ପକ୍ଷରୁ ନଭେମ୍ବର ୧୭ରେ ଏକ ବୈଠକ ଡକାଇଛି । ସେହିପରି ସୁନ୍ନି ସେଣ୍ଟ୍ରାଲ ୱକଫ୍‌ ବୋର୍ଡ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଚର୍ଚ୍ଚା ସକାଶେ ନଭେମ୍ବର ୨୬ରେ ଏକ ବୈଠକ ଡକାଇଥିବା ଜଣାପଡିଛି । ଅବଶ୍ୟ ରାୟ ପ୍ରକାଶ ଦିନ ବୋର୍ଡ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସମୀକ୍ଷା ଆବେଦନ କରାଯିବ ନାହିିଁ ବୋଲି କହିଥିଲା ।
ମକର ସଂକ୍ରାନ୍ତି ଅବା ରାମ ନବମୀରୁ ମନ୍ଦିର ନିର୍ମାଣ
ବିଶ୍ୱ ହିନ୍ଦୁ ପରିଷଦ ମନ୍ଦିର ନିର୍ମାଣ କାର୍ଯ୍ୟ ରାମ ନବମୀ ଠାରୁ ଆରମ୍ଭ ହେଉ ବୋଲି ଚାହୁଁଛି । ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଏହାଠାରୁ ଭଲ ଦିନ ଆଉ ନାହିଁ ବୋଲି ପରିଷଦ କହିଛି । ଅବଶ୍ୟ ଏନେଇ ଦିନ ଧାର୍ଯ୍ୟ ନିମନ୍ତେ ପରିଷଦ ସରକାରଙ୍କ ସହ କଥା ହେବ ବୋଲି କହିଛି । ମକର ସଂକ୍ରାନ୍ତିରୁ ମନ୍ଦିର ନିର୍ମାଣର ପୂର୍ବ କାର୍ଯ୍ୟଗୁଡିକୁ କରାଯିବ । ଚନ୍ଦ୍ରକାନ୍ତ ସୋମପୁରା ଦ୍ୱାରା କରାଯାଇଥିବା ମନ୍ଦିର ଡିଜାଇନ୍‌ ଅନୁସାରେ ହିଁ ମନ୍ଦିର ନିର୍ମାଣ ହେଉ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଚାହୁଁଛି ।
ରାଜନେତା ବାଦ୍‌
ପ୍ରସ୍ତାବିତ ଟ୍ରଷ୍ଟରେ ରାଜନେତାମାନଙ୍କୁ ବାହାରେ ରଖିବା ପାଇଁ ସ୍ଥିର କରାଯାଇଥିବା କୁହାଯାଉଛି । ନିର୍ମୋହୀ ଆଖଡାର ପ୍ରତିନିଧିଙ୍କୁ ଟ୍ରଷ୍ଟରେ ସୁଯୋଗ ଦେବାକୁ ସୁପ୍ରିମକୋର୍ଟ କହିସାରିଛନ୍ତି । ଏହି ଟ୍ରଷ୍ଟ ଗଠନ କାର୍ଯ୍ୟ ତ୍ୱରିତ ବେଗରେ କରାଯାଉଥିବା ଜଣାପଡିଛି । ଏଥିରେ କୌଣସି ରାଜନେତାଙ୍କୁ ସାମିଲ୍‌ କରାଯିବ ନାହିଁ । ସମାଜରେ ଅତ୍ୟନ୍ତ ସ୍ୱଚ୍ଛ ଏବଂ ଆଦର୍ଶ ପ୍ରତୀକ ହୋଇଥିବା କିଛି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ଟ୍ରଷ୍ଟରେ ସାମିଲ କରିବା ସକାଶେ କେନ୍ଦ୍ର ସରକାର ସ୍ଥିର କରିଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । ବିଶେଷ କରି ମାତା ବୈଷ୍ଣୋଦେବୀ ମନ୍ଦିର ଟ୍ରଷ୍ଟ ଯେପରିଭାବେ ଗଢାଯାଇଛି, ସେହି ଆକାରରେ ଏହି ଟ୍ରଷ୍ଟ ଗଠନ ଲାଗି କାର୍ଯ୍ୟ ଆରମ୍ଭ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*