ମନ୍ତ୍ରୀଙ୍କୁ ଦଳ ଓ ବିଭାଗ ବିରୋଧ କରି ବଢ଼ାଇ ଦେଲା ସନ୍ଦେହ କାଳିଆ ତାଲିକାରେ ୨୦ ଲକ୍ଷ ଅଯୋଗ୍ୟ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନିଜ ମନ୍ତ୍ରୀଙ୍କୁ ଭୁଲ ପ୍ରମାଣିତ କରିବାକୁ ଯାଇ କୃଷି ବିଭାଗ କାଳିଆ କେଳେଙ୍କାରୀକୁ ନୂଆ ମୋଡ଼ ଦେଇଛି । ପ୍ରଥମେ ଦଳ ତରଫରୁ ପ୍ରବକ୍ତା ପ୍ରତାପ ଦେବ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଭୁଲ ପ୍ରମାଣିତ କରିବାକୁ ଚେଷ୍ଟା କଲେ । ଏହାପରେ ଆଗକୁ ଆସିଲା କୃଷି ବିଭାଗ । ଯେତେବେଳେ ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଉଥିଲେ ମନ୍ତ୍ରୀ, ସେତେବେଳେ ପାଖରେ ସଚିବ ସୌରଭ ଗର୍ଗ ଥିଲେ । କିନ୍ତୁ ତଥ୍ୟ ସାର୍ବଜନୀନ ହେବାର ୨୪ ଘଣ୍ଟା ପରେ ଅଯୋଗ୍ୟର ପରିଭାଷା ବୁଝାଇବାକୁ କୃଷି ବିଭାଗ ସାମ୍ନାକୁ ଆସିବା ପ୍ରମାଣିତ କରିଦେଉଛି ଯେ, ସରକାର ଚାପରେ ଓ ଅଡ଼ୁଆରେ । ତଥ୍ୟ ଘୋଡ଼ାଇବାକୁ ଦଳ ଓ ବିଭାଗର ପ୍ରୟାସ ହିଁ କାଳିଆ ବିବାଦକୁ ଆହୁରି ଘନୀଭୂତ କରିଦେଇଛି ।
ଏହାକୁ ନେଇ ଭାରତୀୟ ଜନତା ପାର୍ଟି ବିବାଦକୁ ଆଉ ଏକ ଅଭିଯୋଗ ସହ ଦେଇଛି ଭିନ୍ନ ମୋଡ଼ । ୩ଲକ୍ଷ ୪୧ହଜାର ଅଯୋଗ୍ୟ ନୁହଁନ୍ତି, ୫୧ ଲକ୍ଷ ହିତାଧିକାରୀ ତାଲିକାରେ ୨୦ ଲକ୍ଷ ଅଯୋଗ୍ୟ ବୋଲି ସାମ୍ବାଦିକମାନଙ୍କ ଆଗରେ ଅଭିଯୋଗ କରିଛନ୍ତି ଭାଜପା ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏପ୍ରକାର ଅଭିଯୋଗ ଲାଗି ଶାସକ ଦଳ ଓ କୃଷି ବିଭାଗର ବିରୋଧୀ ଦଳକୁ ମଉକା ଦେଇଛି ।
କୃଷିମନ୍ତ୍ରୀ ବିଭାଗୀୟ ସଚିବଙ୍କ ଉପସ୍ଥିତିରେ ୩ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ତାଲିକାରୁ ବାଦ୍‌ ପଡ଼ିବେ ବୋଲି କହିଥିଲେ । ଏହି ଘୋଷଣା ଅଚାନକ ନଥିଲା । ଅଗଷ୍ଟ ମାସ ୬ ତାରିଖରୁ ପର୍ଯ୍ୟାୟ କ୍ରମେ କୃଷି ମନ୍ତ୍ରୀ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସାଧାରଣରେ ପ୍ରକାଶ କରିଆସୁଥିଲେ । ଯେତିକି ଯେତିକି ହିତାଧିକାରୀଙ୍କୁ ଯାଞ୍ଚ କରାଯାଉଥିଲା, ଅଯୋଗ୍ୟଙ୍କ ସଂଖ୍ୟା ସେତିକି ବଢ଼ିଥିଲା । ଅଗଷ୍ଟ ୨୨ ତାରିଖରେ କୃଷିମନ୍ତ୍ରୀ ଅରୁଣ ସାହୁ ୩୩ଲକ୍ଷ ହିତାଧିକାରୀଙ୍କ ଭିତରୁ ୨ଲକ୍ଷ ୬୬ହଜାର ଅଯୋଗ୍ୟ ବୋଲି ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଥିଲେ । ସେତେବେଳେ ଦଳ ଓ କୃଷି ବିଭାଗ ଥିଲା କେଉଁଠି? ପ୍ରାୟ ମାସକ ତଳେ ମନ୍ତ୍ରୀ ଯେତେବେଳେ ତାଲିକା ଯାଞ୍ଚ ସମୟରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରକାଶ କରିଥିଲେ, ସେତେବେଳେ ଅଯୋଗ୍ୟ କେହି ନାହାନ୍ତି ବୋଲି ଅନ୍ତତଃ ବିଭାଗ ପକ୍ଷରୁ କୁହାଯାଇ ପାରିଥାନ୍ତା । ସେତେବେଳେ ଯାଞ୍ଚ ସମୟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯିବା ବିଷୟ ଘୋଷଣା କରିଥିଲେ ମନ୍ତ୍ରୀ । ସେତେବେଳେ ଆହୁରି ୧୮ ଲକ୍ଷରୁ ଅଧିକ କାଳିଆ ହିତାଧିକାରୀଙ୍କୁ ଯାଞ୍ଚ କରିବା ପାଇଁ ବାକି ଥିଲା । ଅର୍ଥାତ୍‌ ସେତେବେଳେ ଦଳ ଏବଂ ବିଭାଗ ୨.୬୬ ଲକ୍ଷ ଅଯୋଗ୍ୟ ସଂଖ୍ୟା ଗ୍ରହଣ କରିନେଇଥିଲେ ।

୧୭୦ କୋଟି ଟଙ୍କା ଏହି ଅଯୋଗ୍ୟଙ୍କ ବାବଦରେ ରାଜକୋଷରୁ ଖର୍ଚ୍ଚ ହୋଇସାରିଛି ବୋଲି ମନ୍ତ୍ରୀଙ୍କ ମନ୍ତବ୍ୟ ହିଁ ନବୀନ ସରକାରଙ୍କୁ ଅପଦସ୍ତ କରିଦେଇଥିଲା । ତେଣୁ ୨୪ ଘଣ୍ଟା ପରେ ଦଳକୁ ଓ ବିଭାଗକୁ ବାହାରିବାକୁ ପଡ଼ିଥିଲା ସରକାରଙ୍କୁ ସୁରକ୍ଷା ଦେବା ପାଇଁ । କିନ୍ତୁ ଦଳ ଓ ବିଭାଗର ଯୁକ୍ତି ଏତେ ଦୁର୍ବଳ ଥିଲା ଯେ, ବିରୋଧୀ ଦଳକୁ ଅଧିକ ଘେରିବା ସକାଶେ ସୁଯୋଗ ଦେଇଦେଲା । ୨୦ହଜାର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ଏବଂ ୧୨ହଜାର ବଡ଼ଚାଷୀଙ୍କୁ କେବଳ ଅଯୋଗ୍ୟ ଦେଖାଇବାକୁ ଚେଷ୍ଟା କରିଛନ୍ତି ଦଳୀୟ ମୁଖପାତ୍ର ପ୍ରତାପ ଦେବ ଏବଂ କୃଷି ବିଭାଗ । ବାକି ୩ଲକ୍ଷ ୧୧ହଜାର ହିତାଧିକାରୀଙ୍କୁ ଅଯୋଗ୍ୟ ବୋଲି ମାନିବାକୁ ସେମାନେ ନାରାଜ । ଯଦି ସେମାନେ ଯୋଗ୍ୟ, (କ) ସେମାନଙ୍କର ନାମ ସଂଶୋଧିତ ତାଲିକାରେ ରହିବ କି? (ଖ) ସେମାନଙ୍କ ପାଇଁ ପରିବାର କାହିଁକି ପରବର୍ତ୍ତୀ କିସ୍ତି ଭରଣା କରିବାକୁ ଯିବେ? (ଗ) କେଉଁ ଆଧାରରେ ୯ହଜାର ନାବାଳକ ଯୋଗ୍ୟ ବୋଲି ମନେ କରାଯାଉଛି?
ଯେହେତୁ ବିଭିନ୍ନ କାରଣରୁ ଯଥା- ପରିବାରରୁ ଏକାଧିକ ହିତାଧିକାରୀ, ବୟସ କିମ୍ବା ଅନ୍ୟ ବୃତ୍ତି କାରଣରୁ ସେମାନେ କାଳିଆ ଟଙ୍କା ପାଇବାକୁ ହକ୍‌ଦାର୍‌ ନୁହଁନ୍ତି ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି, ତେବେ ସେମାନଙ୍କୁ ଯୋଗ୍ୟ ବୋଲି କେଉଁ ମାପକାଠିରେ ଦଳୀୟ ପ୍ରବକ୍ତା ଏବଂ ବିଭାଗ ଦର୍ଶାଇବାକୁ ଚାହୁଁଛନ୍ତି?
ସରକାର, ଦଳ ଓ ବିଭାଗ ଭିତରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ତାହାକୁ କେନ୍ଦ୍ରକରି ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି ଆଉ ଏକ ବଡ଼ ବାଣ ଛାଡ଼ିଛି । ଦଳର ସାଧାରଣ ସମ୍ପାଦକ ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ସଂଖ୍ୟା ୨୦ ଲକ୍ଷ ବୋଲି ଦର୍ଶାଇଛନ୍ତି । ତାଙ୍କର ଯୁକ୍ତି ହେଲା, କେନ୍ଦ୍ରକୁ ଯେଉଁ ୧୨ଲକ୍ଷ ଚାଷୀଙ୍କ ତାଲିକା ପ୍ରଥମେ ରାଜ୍ୟ ସରକାର ଦେଇଥିଲେ, ସେଥିରେ ୩ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ଼ ଓ ବ୍ୟାଙ୍କ ଜମାଖାତା ଉଲ୍ଲେଖ ନଥିଲା । ଏବେ ସୁଦ୍ଧା ୩୦ଲକ୍ଷରୁ ଅଧିକ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇପାରି ନାହିଁ ରାଜ୍ୟ । ତେଣୁ ଯେଉଁ ୫୧ଲକ୍ଷ ଚାଷୀଙ୍କୁ କାଳିଆ ଅର୍ଥ ଦିଆଯାଇଛି ବୋଲି ଦର୍ଶାଉଛନ୍ତି ସରକାର, ସେଥି ମଧ୍ୟରୁ ୨୦ଲକ୍ଷରୁ ଅଧିକ ଅଯୋଗ୍ୟ । ଯେହେତୁ ମନ୍ତ୍ରୀ ଓ ବିଭାଗ ଭିତରେ ଏବଂ ମନ୍ତ୍ରୀ ଓ ଦଳ କଥାରେ ତାଳମେଳ ରହୁ ନାହିଁ, ସେହେତୁ ସନେ୍ଦହ ସୃଷ୍ଟି ହେଉଛି ଯେ, ସତ୍ୟ ଉପରେ ପରଦା ଢାଙ୍କିବାକୁ ବିଳମ୍ବିତ ପ୍ରଚେଷ୍ଟା କରିଛନ୍ତି ସରକାର । ଏଥିଲାଗି ନିରପେକ୍ଷ ତଦନ୍ତ ଜରୁରୀ । ଭାଜପା ସାଧାରଣ ସମ୍ପାଦକ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ନିଜ ଦୋଷ ଢାଙ୍କିବା ପାଇଁ ଚାଷୀଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଯଦି ସରକାର ନିଅନ୍ତି, ତେବେ ଭାଜପା ଏହାକୁ ବିରୋଧ କରିବ ଏବଂ କୋର୍ଟକୁ ଯିବ ।
ଅଯୋଗ୍ୟଙ୍କୁ ବାଛିଲା କିଏ?
ସରକାରୀ କାଳିଆ ହିତାଧିକାରୀ ତାଲିକାରେ ଅଯୋଗ୍ୟ ପଶିଯାଇଛନ୍ତି ବୋଲି ସରକାର ଆଗରୁ ସ୍ୱୀକାର କରିଥିଲେ । ଏବେ ସଂଖ୍ୟା ଜଣାପଡ଼ିଲା । ଗତ ଫେବୃଆରୀ ମାସରେ କୃଷି ସଚିବ ସୌରଭ ଗର୍ଗ ତାଲିକାରେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ସେମାନଙ୍କୁ ବାଦ୍‌ ଦିଆଯିବ ବୋଲି କହିଥିଲେ । ଏବେ ସରକାରୀ ସଂଖ୍ୟା ୩ଲକ୍ଷ ୪୧ହଜାର ହୋଇଥିବାରୁ ସବୁ ମହଲ ପ୍ରଶ୍ନ କରୁଛନ୍ତି ଯେ, ଏହି ଅଯୋଗ୍ୟମାନଙ୍କୁ ବାଛିଲା କିଏ? ଭାଜପା ନେତାମାନେ ସାମ୍ବାଦିକ ସମ୍ମିଳନୀରେ ସେହି କଥା ହିଁ ଉଠାଇଛନ୍ତି । ପୃଥ୍ୱୀରାଜ ପଚାରିଛନ୍ତି ଯେ, ଯେଉଁମାନେ ଏହି ଅଯୋଗ୍ୟ ବ୍ୟକ୍ତିଙ୍କୁ ହିତାଧିକାରୀ ଭାବେ ଚୟନ ଓ ଚିହ୍ନଟ କରିଥିଲେ, ସେମାନେ ହିଁ ଦାୟୀ । କାଳିଆ ଯୋଜନା ଲାଗି ସବୁ ବାହାଦୁରୀ ନବୀନ ବାବୁ ନେଇଥିଲେ । ଯୋଜନା ଘୋଷଣା କରିବାଠୁ ଆରମ୍ଭ କରି ସମସ୍ତ ବିଜ୍ଞାପନରେ ତାଙ୍କ ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା । ଏଣୁ ଏହି ସ୍କାମ୍‌ ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ।
ପୃଥ୍ୱୀରାଜ ଦର୍ଶାଇଥିଲେ ଯେ, ବିନା ବଜେଟ୍‌ରେ ନିର୍ବାଚନ ଆଗରୁ ଆକସ୍ମିକ ପାଣ୍ଠିରୁ ଅର୍ଥ ନେଇ କାଳିଆ ଟଙ୍କା ବାଣ୍ଟିଥିଲେ । ମନ୍ତ୍ରୀମାନଙ୍କ ପରିବାରକୁ କାଳିଆ ଟଙ୍କା ମିଳିଥିଲା । ଏମାନେ ଅଯୋଗ୍ୟ କି ନୁହଁନ୍ତି, ସରକାର ସ୍ପଷ୍ଟ କରନ୍ତୁ । ପ୍ରଥମେ କୃଷକ ପରିଚୟପତ୍ର ଥିବା ୨୦ଲକ୍ଷଙ୍କୁ ଏଥିରେ ସାମିଲ୍‌ କରାଯାଇଥିଲା । କିନ୍ତୁ ନିର୍ବାଚନ ଲାଗି ୫୧ଲକ୍ଷକୁ ବଢ଼ାଇ ଦିଆଗଲା । ଯେଉଁ ୧୭୦ କୋଟିରୁ ଅଧିକ ଅଯୋଗ୍ୟମାନଙ୍କୁ ବଣ୍ଟାଯାଇଛି, ସେହି ଅର୍ଥ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ଆକାଉଣ୍ଟରୁ ଭରଣା କରାଯାଉ । ଯଦି ରାସନ କାର୍ଡ଼ ଭଳି କାଳିଆ ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ଜେଲ୍‌ ପଠାଇବାକୁ ଯୋଜନା ହୁଏ, ତେବେ ଭୟଙ୍କର ପରିଣାମ ଘଟିବ ବୋଲି ସେ ସତର୍କ କରିଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*