ମଦ ଓ ମଦୁଆରେ ଓଡ଼ିଶା ହେବ ନମ୍ବର ୱାନ୍‌ ମଦ ବିପ୍ଳବ ପାଇଁ ସରକାରଙ୍କ ସ୍ୱଚ୍ଛତା ଅଭିଯାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ଭାଜପା ବିଧାୟକ ନିତ୍ୟାନନ୍ଦ ଗନ୍ଦ ଜାଣିବାକୁ ଚାହିଁଥିଲେ ଯେ, ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ସରକାରଙ୍କ କିଛି ଯୋଜନା ଅଛି କି ନାହିଁ? ଏହାର ଜବାବରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯେଉଁ ଯୁକ୍ତି ବାଢ଼ିଥିଲେ, ତାହା ଅତ୍ୟନ୍ତ ରୋଚକ, ଉଦ୍ଭଟ ଏବଂ ଆଶ୍ଚର୍ଯ୍ୟଜନକ ଥିଲା ।
ମନ୍ତ୍ରୀ ପୁଜାରୀ କହିଥିଲେ ଯେ, ଓଡ଼ିଶାକୁ ମଦମୁକ୍ତ କରାଗଲେ ମଦୁଆମାନେ ଅତି ନିମ୍ନମାନର ଏବଂ ବିଶାକ୍ତ ମଦ ଚୋରାରେ କିଣିବେ । ଏହାଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଘୋର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ମଦୁଆଙ୍କ ପାଇଁ ନବୀନ ସରକାରଙ୍କର କେତେ ଦରଦ ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ । ଏହି କାରଣରୁ ଓଡ଼ିଶାରେ ମଦ ବିପ୍ଳବ ଆଣିବା ପାଇଁ ଏକ ବିରାଟ ଯୋଜନା ହାତକୁ ନେଇଛନ୍ତି ନବୀନ ସରକାର ।
ଅବକାରୀ ମନ୍ତ୍ରୀଙ୍କ ଯୁକ୍ତି ଥିଲା ଯେ, ଥରେ ରାଜ୍ୟରେ ମଦ ବିକି୍ର ନିଷେଧ ହୋଇଗଲେ ପଡ଼ୋଶୀ ରାଜ୍ୟରୁ ଚୋରାରେ ବିଷାକ୍ତ ମଦର ସୁଅ ଛୁଟିବ ଓଡ଼ିଶାକୁ । ଚୋରାରେ ମଦ ଆସିବ ବୋଲି ଏହାକୁ ପ୍ରତିହତ କରିବା ନିମନ୍ତେ ବ୍ୟବସ୍ଥା ନକରି ଅଧିକ ମଦ ଦୋକାନ ଖୋଲିବା ସକାଶେ ସରକାରଙ୍କର ନୀତି ହେଲା ଯେ, ଏ ରାଜ୍ୟରେ ଅଧିକରୁ ଅଧିକ ବେକାର ସୃଷ୍ଟି ହୁଅନ୍ତୁ । ସମସ୍ତେ ମଦୁଆ ପାଲଟି ଯାଆନ୍ତୁ ।
ଆଶ୍ଚର୍ଯ୍ୟଜନକ ଭାବେ ମଦ ବିପ୍ଳବ ଆଣିବା ପାଇଁ ନବୀନ ସରକାର ଏଥିରେ ‘ଟି’ ପ୍ରୟୋଗ କରିଛନ୍ତି । ବିବାହ, ବ୍ରତ, ଜାନିଯାତ୍ରା ଏବଂ ଉତ୍ସବାଦି ଅନୁଷ୍ଠାନରେ ମଦୁଆଙ୍କ ସଂଖ୍ୟା ବଢ଼ାଇବା ନିମନ୍ତେ ଅସ୍ଥାୟୀ ଲାଇସେନ୍ସ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତ ଆଦେଶ ସବୁ ଜିଲାପାଳମାନଙ୍କୁ ଗତ ୮ ତାରିଖରେ ଜଣାଇ ଦିଆଯାଇଛି । ଓଡ଼ିଶା ଅବକାରୀ ଆଇନ ୨୦୧୭ର ଧାରା ୨୩ (୪)ରେ ଏଧରଣର ବ୍ୟବସ୍ଥା ରହିଛି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଉ ନଥିଲା । ମାତ୍ର ମଦଖୋର୍‌ ସରକାର ଚଳିତବର୍ଷ ତାହା ଲାଗୁ କରିବାକୁ ଯାଉଛନ୍ତି । ଏଧରଣର ଅସ୍ଥାୟୀ ବା ସାମୟିକ ମଦ ଲାଇସେନ୍ସ ଦେବା ସକାଶେ ଜିଲାପାଳମାନଙ୍କୁ ଅଧିକାର ମିଳିଛି । ଲୋକେ ଏଧରଣର ଅସ୍ଥାୟୀ ଲାଇସେନ୍ସ ଚାହାନ୍ତି ଏବଂ ଏଥିପାଇଁ ବହୁ ପ୍ରସ୍ତାବ ଆସିଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏଭଳି ଆବେଦନର ତୁରନ୍ତ ଫଇସଲା ନିମନ୍ତେ ଜିଲାପାଳମାନଙ୍କୁ ମିଳିଛି ଅଧିକାର ।
ଆହୁରି ଜଘନ୍ୟ ହେଉଛି ସରକାରଙ୍କର ନିଶା ପ୍ରସାର ଯୋଜନା । ଅଧିକରୁ ଅଧିକ ମଦ ଦୋକାନ ଖୋଲିବା ପାଇଁ ସ୍ଥାନ ଚିହ୍ନଟ ସକାଶେ ରିପୋର୍ଟ ଦେବାକୁ ଅବକାରୀ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି ସରକାର । ଖୋଲିବାକୁ ଥିବା ଦୋକାନର କେତେ ନିକଟରେ ବା ଦୂରରେ ଅଫ୍‌ ସପ୍‌ ବା ଅନ୍‌ ସପ୍‌ ଅଛି, ନୂଆ ଦୋକାନରୁ କେତେ ମଦୁଆ କିଣିବେ, ଏ ବାବଦରେ ତଥ୍ୟ ଦେବାକୁ ମଧ୍ୟ ଦିଆଯାଇଛି ନିଦେ୍ର୍ଦଶ । ଅର୍ଥାତ୍‌ ଗାଁ ଗାଁରେ ମଦ ଦୋକାନ ଖୋଲିବାକୁ ଯାଉଛନ୍ତି ସରକାର । ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କ ଦେଢ଼ଶହ ବର୍ଷ ଜନ୍ମତିଥି ପାଳନ ଅବସରରେ ଏହାଠାରୁ ଆଉ ଅଧିକ ସମ୍ମାନ ନବୀନ ସରକାର କ’ଣ ଦେଇପାରିଥାନ୍ତେ?
ଅବକାରୀ ବିଭାଗ ସଂକ୍ରାନ୍ତ ଷ୍ଟାନ୍ଦିଂ କମିଟି ବୈଠକରେ ଅଧିକ ମଦ ଦୋକାନ ଖୋଲିବା ସକାଶେ ନିଷ୍ପତ୍ତି ନିଆଯାଇଥିଲା । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ବିଜଦର ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ । ଅଧିକ ମଦ ଦୋକାନ ଖୋଲିଲେ ଅଧିକ ରାଜସ୍ୱ ମିଳିବ । ତେଣୁ ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ଟାର୍ଗେଟ୍‌ ପୂରଣ କରିବେ ସେମାନଙ୍କୁ ପୁରଷ୍କୃତ କରାଯିବ ବୋଲି ଷ୍ଟାନ୍ଦିଂ କମିଟି ନିଷ୍ପତ୍ତି ନେଇଥିଲା ।
ମଦ ପ୍ରସାର ରୋକିବା ପାଇଁ ମହିଳାମାନଙ୍କ ଆନେ୍ଦାଳନକୁ ବଳପୂର୍ବକ ଦମନ କରୁଛନ୍ତି ସରକାର । ପୁଲିସ ମଦ ମାଫିଆମାନଙ୍କର ଏଜେଣ୍ଟ ସାଜିଛି । ଏଣେ ସାମାଜିକ ଅନୁଷ୍ଠାନଗୁଡ଼ିକରେ ମଦ ବିକି୍ର ପାଇଁ ଅସ୍ଥାୟୀ ମଦ ଦୋକାନ ଖୋଲିବା ଲାଗି ସରକାରଙ୍କ ଏହି ନିଷ୍ପତ୍ତି ପ୍ରମାଣିତ କରୁଛି ଯେ, ଉଭୟ ମଦ ଓ ମଦୁଆଙ୍କ କ୍ଷେତ୍ରରେ ଓଡ଼ିଶା ୧ନମ୍ବର ରାଜ୍ୟ ହେବାକୁ ଯାଉଛି ଖୁବ୍‌ଶୀଘ୍ର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*