ମଠ ଭଙ୍ଗାଭଙ୍ଗି ସାରିିବା ପରେ ମନେ ପଡ଼ିଲା ଆଇନ୍‌ ଜମି ଅଧିଗ୍ରହଣ ପାଇଁ ହେବ ଜନଶୁଣାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସବୁ ନୀତି ନିୟମ ଉଲ୍ଲଂଘନ କରି କେବଳ ନିଜ ଜିଦ୍‌ ପୂରଣ ପାଇଁ ଲାଗି ପଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏଭଳି ବେଆଇନ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ପୁରୀ ଜିଲାପାଳ ଓ ମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର । ପ୍ରଚଳିତ କୌଣସି ନିୟମକୁ ନମାନି କେବଳ ଆତଙ୍କବାଦୀଙ୍କ ଦ୍ୱାହି ଦେଇ ନବୀନ ସରକାର କୋକୁଆ ଭୟ ସୃଷ୍ଟି କରିଥିଲେ । ଅନେକ ପ୍ରଶ୍ନ ଉଠିଥିଲା ସରକାରଙ୍କର ଏଭଳି ପଦକ୍ଷେପକୁ ନେଇ । ଶେଷରେ ସୁପି୍ରମକୋର୍ଟରେ ଛାଟ ଖାଇବା ପରେ ଉଚ୍ଛେଦ ଅଭିଯାନ ମଝିରୁ ଜନ ଶୁଣାଣି କରିବା ପାଇଁ ବାହାରିଛନ୍ତି ସରକାର । ଏହି ମର୍ମରେ ନୋଟିସ ଜାରି କରାଯାଇଛି । ତେବେ ନଙ୍ଗୁଳୀ, ଏମାର ଓ ବଡ଼ ଆଖଡ଼ା ମଠ ଜନଶୁଣାଣି ଆଗରୁ କାହିଁକି ଭାଙ୍ଗି ଦିଆଗଲା, ଏହାର ଜବାବ କିଏ ଦେବ?
ପ୍ରାରମ୍ଭରୁ ନିର୍ଭୟର ଦୃଢ଼ ମତ ଥିଲା ଯେ, ସରକାର ଆଇନକାନୁନ୍‌ ଅନୁସରଣ କରିନାହାନ୍ତି । ପ୍ରଥମତଃ ୭୫ ମିଟର କେଉଁ ମାପକାଠିରେ ସ୍ଥିର କରାଗଲା, ତାହା ଏଯାବତ୍‌ ସରକାର ବୁଝାଇ ପାରିନାହାନ୍ତି । ଜଷ୍ଟିସ୍‌ ବିପି ଦାସ କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ବୋଲି ଯୁକ୍ତି କରୁଛନ୍ତି ସରକାର । ଏହି ଯୁକ୍ତି ସୁପି୍ରମକୋର୍ଟରେ ମଧ୍ୟ ଦର୍ଶାଯାଇଛି । କିନ୍ତୁ ନବୀନ ସରକାର ନିଜ ଆଡ଼ୁ ଦାସ୍‌ କମିଶନଙ୍କ ଆଗରେ ଏହି ପ୍ରସ୍ତାବ ରଖିଥିଲେ ବୋଲି ଆଜିଯାଏଁ ଲୁଚାଇ ରଖିଛନ୍ତି । ଦ୍ୱିତୀୟରେ ଶ୍ରୀମନ୍ଦିର ସୁରକ୍ଷା ଅଞ୍ଚଳ ପରିକଳ୍ପନା ବେଳେ ଯେଉଁମାନେ କ୍ଷତିଗ୍ରସ୍ତ ହେବେ, ସେମାନଙ୍କ ସହ ପ୍ରଶାସନ କୌଣସି ପ୍ରାଥମିକ ଆଲୋଚନା କରି ନଥିଲେ । ତୃତୀୟରେ ମଠଗୁଡ଼ିକ ଦେବୋତ୍ତର ବିଭାଗ ଅଧୀନରେ ଥିବା ବେଳେ ମୁ୍ୟନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ କିଭଳି ଭାଙ୍ଗିବା ନୋଟିସ ଦେଇପାରିବେ? ଚତୁର୍ଥରେ ଏମିତି କୌଣସି ଉଚ୍ଛେଦ ହୁଏ ନାହିଁ । ରାତିରେ ନୋଟିସ ଦେଇ ସକାଳୁ ଭାଙ୍ଗିବା ଏକ ବଡ଼ ମାନବାଧିକାର ଉଲ୍ଲଂଘନ ବ୍ୟାପାର ।
ଅଗଷ୍ଟ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୭୫ ମିଟର ଶ୍ରୀମନ୍ଦିର ସୁରକ୍ଷା ଅଞ୍ଚଳ କଥା କହିଥିଲେ । ସେତେବେଳେ ସେ ଆତଙ୍କବାଦୀଙ୍କ ବିପଦ କଥା ଉଠାଇ ଥିଲେ । କିନ୍ତୁ ଏଥିପାଇଁ ଲୋକଙ୍କ ସହ କୌଣସି ଆଲୋଚନା ନକରି ଜିଲା ପ୍ରଶାସନ ୨୬ ତାରିଖ ଦିନ ଭଙ୍ଗାଭଙ୍ଗି ଆରମ୍ଭ କରିଦେଲେ । ଲୋକଙ୍କ ସହ ଆଲୋଚନା ତ ଦୂରର କଥା, ମଠ ମହନ୍ତମାନଙ୍କୁ ବିଶ୍ୱାସକୁ ମଧ୍ୟ ନେଲେ ନାହିଁ । ଲୋକଙ୍କୁ ଭୟଭୀତ କରିବା ସକାଶେ ବନ୍ଧୁକଧାରୀ କଳା କମାନେ୍ଦାମାନଙ୍କୁ ଛାଇ ଦିଆଗଲା ଚାରିଆଡ଼େ । ସତେ ଯେମିତି କାଶ୍ମୀର ।
ମୁଖ୍ୟମନ୍ତ୍ରୀ ଭାବିଥିଲେ ଯେ, ବନ୍ଧୁକ ଡରରେ ଓ ପ୍ରଶାସନ ଚାପରେ ସବୁ ଚୁପ୍‌ଚାପ୍‌ ରହିବେ । କିନ୍ତୁ ପରେପରେ ଜନ ପ୍ରତିକି୍ରୟା ଆରମ୍ଭ ହେଲା । ଶଙ୍କରାଚାର୍ଯ୍ୟ ଉଚ୍ଛେଦକୁ ବିରୋଧ କରି ମୁହଁ ଖୋଲିଲେ । ମାମଲା ସୁପି୍ରମକୋର୍ଟକୁ ଗଲା । ରାଜ୍ୟ ସରକାର ସବୁ ପକ୍ଷଙ୍କ ସମର୍ଥନରେ ଉଚ୍ଛେଦ ଅଭିଯାନ ଚାଲିଛି ବୋଲି ଦର୍ଶାଇ ଥିଲେ ।

ସଲିସିଟର୍‌ ଜେନେରାଲ୍‌ ଓ ଆମିକସ୍‌ କୁ୍ୟରୀଙ୍କୁ ପୁରୀ ଆସିବା ପାଇଁ ଆଡ୍‌ଭୋକେଟ୍‌ ଜେନେରାଲ ଅନୁରୋଧ କରିଥିଲେ । ଗତ ୭ ତାରିଖ ଦିନ ସେମାନେ ପୁରୀ ଆସିବା ପରେ ଆମିକସ୍‌ଙ୍କ ଆଚରଣ ସନେ୍ଦହକୁ ବଢ଼ାଇ ଦେଇଥିଲା । ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ଦେବା ବଦଳରେ ପୁରୀରେ ଆମିକସ୍‌ କୁ୍ୟରୀ ରଞ୍ଜିତ୍‌ କୁମାର ସରକାରଙ୍କୁ ସାର୍ଟିଫିକେଟ୍‌ ଦେଇ ଚାଲିଗଲେ । ସମସ୍ତେ ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ଏକପ୍ରକାର ସଙ୍କେତ ଦେଇଗଲେ ଆମିକସ୍‌ କୁ୍ୟରୀ ।
କିନ୍ତୁ ମାମଲା ପୁଣି ଯେତେବେଳେ ସୁପ୍ରିମକୋର୍ଟରେ ଉଠିଲା, ସେତେବେଳେ ଆମିକସ୍‌ କୁ୍ୟରୀ ଆଉ ରିପୋର୍ଟ ଦେଇପାରିଲେ ନାହିଁ । କ୍ଷତିଗ୍ରସ୍ତ ପକ୍ଷ ମଧ୍ୟ ଉଚ୍ଛେଦକୁ ବିରୋଧ କଲେ । କୌଣସି ପକ୍ଷ ସହ ଆଲୋଚନା ନକରି ସେମାନଙ୍କ ସମ୍ମତି ବିନା ସରକାର ବେଆଇନ ଭାବେ ଓ ଜବରଦସ୍ତି ଉଚ୍ଛେଦ କରୁଛନ୍ତି ବୋଲି ଅଦାଲତକୁ ଜଣାଇଲେ । ଏହାକୁ ତର୍ଜମା କରି ସୁପ୍ରିମ୍‌କୋର୍ଟ ବିଚାର ପତି ଅରୁଣ ମିଶ୍ର ମନ୍ତବ୍ୟ ଦେଇଥିଲେ ଯେ, ଉଦେ୍ଦଶ୍ୟ ଯେତେ ମହତ ହୋଇଥାଉ ନା କାହିଁକି, ସବୁକିଛି ଆଇନ ଅନୁସାରେ ହେବା ଉଚିତ ।
ସ୍ପଷ୍ଟ ହୋଇଯାଇଥିଲା ଯେ, ଉଚ୍ଛେଦ ବେଳେ ପ୍ରଶାସନ ଆଇନ ଅନୁସରଣ କରିନାହାନ୍ତି । ସବୁ ବେଆଇନ ଭାବେ କରାଯାଇଛି । ମନ୍ଦିର-ମସ୍‌ଜିଦ୍‌ ବ୍ୟାପାରରେ ପୂର୍ତ୍ତ ବିଭାଗର ଭୂମିକା ନଥିବା ବେଳେ ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ଅଭିଯାନ ଓ ରାସ୍ତା ନିର୍ମାଣ ବେଳେ ପୂର୍ତ୍ତ ବିଭାଗକୁ ଦେଖିବାକୁ ମିଳିଲା । ସରକାର ବେଆଇନ ପନ୍ଥା ଅନୁସରଣ କରୁଛନ୍ତି ବୋଲି ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ହୃଦ୍‌ବୋଧ ହୋଇଥିଲା । ସେଥିପାଇଁ ଉଚ୍ଛେଦ ଅଭିଯାନ ଭିତରେ ସୁବର୍ଣ୍ଣ ଥଇଥାନ ପ୍ୟାକେଜ୍‌ ଘୋଷଣା କରିଥିଲେ । କିନ୍ତୁ ଏହାକୁ ମଧ୍ୟ ଲୋକେ ଗ୍ରହଣ ନକରିବା ଚିନ୍ତା ବଢ଼ାଇ ଦେଇଥିଲା । ୫ ତାରିଖ ଦିନ ଐତିହ୍ୟ ସୁରକ୍ଷାଞ୍ଚଳ ୭୫ ମିଟର ଭିତରେ ହେବ ବୋଲି ପୁଣି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ତାଙ୍କ ରିଲିଫ୍‌ ପ୍ୟାକେଜ୍‌କୁ ଲୋକେ ଗ୍ରହଣ କରୁନାହାନ୍ତି । ଜନ ଅସନ୍ତୋଷ ବଢ଼ୁଛି । ଅକ୍ଟୋବର ପ୍ରଥମ ସପ୍ତାହରେ ପୁଣି ମାମଲା ଉଠିବ ସୁପ୍ରିମ୍‌କୋର୍ଟରେ । ସେଥିପାଇଁ ଆଇନ ମନେ ପଡ଼ିଯାଇଛି ସରକାରଙ୍କର । ୨୪ ତାରିଖ ମଙ୍ଗଳବାର ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ଜନ ଶୁଣାଣି କରିବାକୁ ନୋଟିସ୍‌ ଜାରି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାଞ୍ଚଳ ଦ୍ୱାରା ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ କରିବାକୁ ସରକାରଙ୍କର ମନେ ପଡ଼ିଗଲା ମାସେ ପରେ । ଏବେ ପ୍ରଭାବିତ ଲୋକଙ୍କୁ ନେଇ ଗ୍ରାମସଭା ଜରିଆରେ ଜନଶୁଣାଣି କରବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ମାସେ ମଧ୍ୟରେ ସରିବ ଜନଶୁଣାଣି ।
ତେବେ ଏତେ ଦିନ ନବୀନ ସରକାର ଯେ ବେଆଇନ କାମ ଚଳାଇଥିଲେ, ଆଉ ଅଛପା ରହିଲା କି? ଏହି କଥା ହିଁ ଆରମ୍ଭରୁ ନିର୍ଭୟ କହିଆସିଥିଲା । ଜନଶୁଣାଣି ନକରି କେଉଁ ଆଇନ ବଳରେ ଜମି ଅଧିଗ୍ରହଣ କରିବାକୁ ବାହାରି ପଡ଼ିଥିଲେ ସରକାର? କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ ଢାଞ୍ଚାରେ ଓଡ଼ିଶା ସରକାର ଆଇନ କରି ନଥିଲେ କି? ଏତେ ତରବର କାହିଁକି ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ? ସୁପ୍ରିମ୍‌କୋର୍ଟକୁ କାହିଁକି ମିଛ କହିଥିଲେ ସରକାର? ଶ୍ରୀକ୍ଷେତ୍ରରେ ଆମିକସ୍‌ କୁ୍ୟରୀ ସବୁ ଆଇନ ବ୍ୟବସ୍ଥା ମଧ୍ୟରେ ହେଉଛି ବୋଲି ମିଥ୍ୟା ସାର୍ଟିଫିକେଟ୍‌ ଦେଇଥିଲେ କାହିଁକି?
ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ସରକାର ଅନେକ ମିଛ କହିସାରିଲେଣି । ଅନ୍ତତଃ ଜଗନ୍ନାଥଙ୍କୁ ତ ଡରନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*