ଭୋରୁ ସଚିବଙ୍କୁ ଦେଖି ଚମକି ଗଲେ ମହାଦେବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୫-ଟି ସଚିବ ଡାକ୍ତରଖାନାକୁ ବିଜେ କରୁଥିଲେ କିନ୍ତୁ ଲୋକେ ଆଦୌ ଆଶ୍ଚର୍ଯ୍ୟ ହେଉନଥିଲେ । କାରଣ ଥାନା ଓ ଡାକ୍ତରଖାନାକୁ ସଚିବଙ୍କ ଅଧିନକୁ ଠେଲି ଦେଇଥିଲେ ମୁଖିଆ । ଥାନାର ଅସଲି ମାଲିକ ମୁଖିଆ । ମୁଖିଆଙ୍କ ଆଖି,କାନ,ନାକ ଓ ସର୍ବୋପରି ମାର୍ଗଦର୍ଶକ ହେଉଛନ୍ତି ସଚିବ । ତେଣୁ ଥାନା ତାଙ୍କ ଅଧିନକୁ ଯିବାରେ କିଛି ଭାବିବାର ନଥିଲା । କିନ୍ତୁ ଡାକ୍ତରଖାନା ନବ ଦାସଙ୍କ ଅଧିନରେ ଥିଲେ ବି ୫-ଟି ସଚିବ ସବୁ ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କୁ ପୋଷ୍ଟ ଅଫିସ୍‌ ବନେଇ ଦେଇଚନ୍ତି । ଏବେ ଆହୁରି କିଛି ବିଭାଗ ମୋ ସରକାରଙ୍କ ଅଧିନକୁ ଗଲାଣି । ଆସ୍ତେ ଆସ୍ତେ ସଚିବ ଏହିସବୁ ବିଭାଗ ଉପରେ ନଜର ରଖିବେ ଏବଂ ବିଭାଗୀୟ ମନ୍ତ୍ରୀମାନଙ୍କୁ ରବର ଷ୍ଟାମ୍ପ୍‌ ବନେଇ ଦେବେ ।
କିନ୍ତୁ ଏପର୍ଯ୍ୟନ୍ତ ମନ୍ଦିର ତାଙ୍କ ଅଧିନକୁ ଯାଇନାହିଁ । ତେଣୁ ହଠାତ୍‌ ଭୋରୁ ସଚିବ ଯଦି କୌଣସି ମନ୍ଦିରକୁ ପଶିଯାଆନ୍ତି, ତେବେ ଠାକୁର ଆଶ୍ଚର୍ଯ୍ୟ ହବା ଥୟ । ଭାବି ବି ପାରନ୍ତି ଯେ, କିଛି ବିପଦ ଆସୁଚି । ଅବସ୍ଥା ସେଇଆ ହେଇଚି ଲିଙ୍ଗରାଜଙ୍କର । ଲିଙ୍ଗରାଜ ମହାପ୍ରୁ ୨୦ ବର୍ଷ ଭିତରେ କୌଣସି ପାୱାରଫୁଲ୍‌ ସଚିବଙ୍କୁ ବିନା ଜାଗରରେ ଏତେ ନିକଟରୁ କେବେ ବି ଦେଖିନଥିଲେ । ନୂଆବର୍ଷରେ ମନ୍ତ୍ରୀ ଓ ସଚିବମାନେ ଭୋରୁ ଯାଇ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । କିନ୍ତୁ କେବେ କେହି ଭୋରୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ଆମଭଳି ଲୋକମାନେ ମଧ୍ୟ ଦେଖିନଥିଲେ । ହଠାତ୍‌ ବୁଧବାର ଭୋରୁ ସାଢେ ୪ଟାରେ ୫-ଟି ସଚିବ ପହଞ୍ଚିଗଲେ ଲିଙ୍ଗରାଜଙ୍କ ପାଖରେ । ପ୍ରଭୁ ଆଶ୍ଚର୍ଯ୍ୟ ବି ହେଇଗଲେ । ମନେମନେ ଭାବିଥିବେ ପୁରୀରେ ମଠ-ଫଠ ଭାଙ୍ଗିଦିଆଯିବା ଭଳି ଏଠାରେ କିଛି ସେମିତି ହେବାକୁ ଯାଉଚି କି? ଏମିତି ବି ଭାବିଥାଇ ପାରନ୍ତି ଯେ, ଜଗା ଥାଉଁ ଥାଉଁ ମୋ ପାଖରେ ୟାଙ୍କର କି କାମ ପଡିଲା? ଦିନେ ନାହିଁ କାଳେ ନାହିଁ, ଏତିକି ବେଳେ କାଇଁ ମାଇଁ ମାଇଁ?
ସବୁଠୁ ପାୱାରଫୁଲ୍‌ ଅଫିସର ଯଦି ଲିଙ୍ଗରାଜଙ୍କ ଦର୍ଶନକୁ ଏତେ ସକାଳୁ ଯାଆନ୍ତି, ତେବେ ଲୋକମାନେ କିଛି ଭାବିବେ ହିଁ ଭାବିବେ । ଆଗରୁ ଯାଉଥିଲେ କେହି କିଛି ମନେକରିନଥାନ୍ତେ । ପୁଣି ଦଳବଳ ନେଇ ବାବୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ଅର୍ଥ ମହାଦେବଙ୍କର ଭାଗ୍ୟ ଉଦୟ ହବାକୁ ଯାଉଚି । ପ୍ରଭୁ ନିଜକୁ ବି ଧନ୍ୟ ମନେକରୁଥିବେ ।
ନିନ୍ଦୁକମାନେ କହିଲେଣି ଯେ, ମୋ ସରକାର ବୁଲିଆସିବା ପରେ ନବୀନ ସରକାର ଖୁବ୍‌ଶୀଘ୍ର ମହାଦେବଙ୍କ ପାଇଁ ପ୍ୟାକେଜ ଘୋଷଣା କରିବେ । ଦେଖାଯାଉ ମୁଖିଆ କେବେ ଏହି ପ୍ୟାକେଜ ଘୋଷଣା କରୁଚନ୍ତି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*