ଭୂ-କମ୍ପରେ ପିଓକେ ଛାରଖାର ୧୯ ମୃତ, ୪୦୦ ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ମଙ୍ଗଳବାର ଅପରାହ୍ଣରେ ଏକ ବଡ଼ଧରଣର ଭୂକମ୍ପରେ ଏକରକମ ଛାରଖାର ହୋଇଯାଇଛି ପାକ୍‌ ଅଧିକୃତ କାଶ୍ମୀରର ଅନେକ ସ୍ଥାନ । ମଙ୍ଗଳବାର ଅପରାହ୍ଣରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବାରେ ଉତ୍ତର ଭାରତର ଅନେକ ସ୍ଥାନ ସହ ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବାରୁ ଲୋକେ ବଡ଼ ଛାନିଆ ହୋଇଯାଇ ପଦାକୁ ବାହାରି ଆସିଥିଲେ । ଏହି ରିପୋର୍ଟ ଲେଖାଗଲା ବେଳକୁ ପାକ୍‌ ଅଧିକୃତ କାଶ୍ମୀରରେ ଭୂମିକମ୍ପ ଘଟଣାରେ ୧୯ଜଣ ଲୋକଙ୍କର ପ୍ରାଣହାନି ହୋଇଥିଲା ବେଳେ ୪୦୦ରୁ ବେଶୀ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ଜଣଙ୍କ ଅବସ୍ଥା ଗୁରୁତର ଥିବା ଏକ ରିପୋର୍ଟରେ କୁହାଯାଇଛି । ପାକ୍‌ ଅଧିକୃତ କାଶ୍ମୀରର ନୂଆ ମିରପୁର ଅଞ୍ଚଳରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା ବୋଲି ଆମେରିକାର ଜିଓଲୋଜିକାଲ୍‌ ସର୍ଭେ ଜଣାଇଛି । ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଝେଲମ ସହର ନିକଟ ପାହାଡ଼ିଆ ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା ବୋଲି ପାକିସ୍ତାନ ପାଣିପାଗ ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଆମେରିକାର ବିଶେଷଜ୍ଞମାନେ ତୀବ୍ରତା ୫.୮ ବୋଲି ବତାଇଥିଲା ବେଳେ ପାକିସ୍ତାନର ବିଶେଷଜ୍ଞମାନେ ୭.୧ ଥିଲା ବୋଲି କହିଛନ୍ତି । କିଛିକ୍ଷଣ ପାଇଁ ଆସିଥିବା ଏହି ଭୂମିକମ୍ପ ବେଳେ ଲୋକେ ଖୁବ୍‌ ଡରିଯାଇଥିଲେ । ରାସ୍ତାଘାଟ ଦବିଯିବା ସାଙ୍ଗକୁ ବହୁ ଅସୁରକ୍ଷିତ ଘର ଭୂଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ବିଶେଷ କରି ମିର୍‌ପୁର ଅଞ୍ଚଳରେ ହୋଇଛି ଅଧିକ କ୍ଷତି । ରାସ୍ତା ସବୁ ଫାଟି ଅାଁ କରିଯାଇଥିଲା ବେଳେ ଅନେକ ସ୍ଥାନରେ ମାଟି ଦବିଯାଇଛି । ରାସ୍ତାର ଗୋଟିଏ ପଟ ଉପରେ ଥିଲା ବେଳେ ଅନ୍ୟ ପଟଟି ଦବିଯାଇ ପଶିଯାଇଛି ଭିତରକୁ । ବହୁ ଗାଡ଼ି ଦବି ଯାଇ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।

ପାକିସ୍ତାନର ସବୁଠାରୁ ବଡ଼ ଜଳଭନ୍ଦାର ମଙ୍ଗଳା ଡ୍ୟାମ୍‌ ମିରପୁର ଅଞ୍ଚଳରେ ଥିବାରୁ ଏହାର ସୁରକ୍ଷାକୁ ନେଇ ଉଠିଛି ଚିନ୍ତା । ତେବେ ପ୍ରାରମ୍ଭିକ ରିପୋର୍ଟରେ ଡ୍ୟାମ୍‌ର କୌଣସି କ୍ଷତି ହୋଇନଥିବା କୁହାଯାଇଥିଲେ ହେଁ ଏଠାରୁ ଉତ୍ପାଦିତ ହେଉଥିବା ୯୦୦ ମେଗାୱାଟ୍‌ର ବିଦୁ୍ୟତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଝେଲମ୍‌ ଓ ମିରପୁର ସହ ପାକିସ୍ତାନର ବହୁ ସହର ପେଶୱାର, ରାୱଲପିନ୍ଦି, ଲାହୋର, କୋହାଟ, ସିଆଲ୍‌କୋର୍ଟ, ଚିତ୍ରାଲ, ମୁଲତାନ ଏବଂ ଆବୋଟାବାଦ ସହ ରାଜଧାନୀ ଇସ୍‌ଲାମାବାଦରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଥିବା ରିପୋର୍ଟ ମିଳିଛି ।
ଭାରତରେ ମଧ୍ୟ କେତେକ ସ୍ଥାନରେ ଭୂମିକମ୍ପ ଲୋକଙ୍କ ଭିତରେ ଭୟ ସଂଚାର କରିଥିଲା । ବିଶେଷ କରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲୋକ ଡରିଯାଇ ଅଫିସ୍‌ ଓ ଘରୁ ପଦାକୁ ଆସିଥିଲେ । ଅପରାହ୍ଣ ପ୍ରାୟ ୪ଟା ୩୫ମିନିଟ୍‌ ସମୟରେ ଦିଲ୍ଲୀ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ପଞ୍ଜାବ, ଉତ୍ତରାଖନ୍ଦ ଏବଂ ହରିଆଣା ସାଙ୍ଗକୁ ଜାମ୍ମୁ ଓ କାଶ୍ମୀର ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଥିଲେ ମଧ୍ୟ କୌଣସି ସ୍ଥାନରୁ କ୍ଷୟକ୍ଷତିର ରିପୋର୍ଟ ଏହି ଖବର ଲେଖାଗଲା ପର୍ଯ୍ୟନ୍ତ ହସ୍ତଗସ୍ତ ହୋଇନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*