ଭୁଲେ ଭଟକେ ତିୱାରୀ:ହଜିଲା ଲୋକକୁ ଆତ୍ମୀୟଙ୍କ ସହ ମିଳାଉଛି ଗୋଟା ପରିବାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଯେତେବେଳେ କୁମ୍ଭମେଳା କଥା ପଡେ ସେତେବେଳେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମର ଚିତ୍ର ମନକୁ ଭାସି ଆସେ । ଆଉ ଏହି ଗହଳି ଭିତରେ ଅନେକ ଲୋକ ନିଜ ଲୋକଙ୍କୁ ହଜେଇ ବସନ୍ତି । ଆଉ ଏହାକୁ ନେଇ ବି ସଂଖ୍ୟାଧିକ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଚଳଚ୍ଚିତ୍ରରେ ତ ନାୟକ ତା ନାୟିକା, ମା ତାର ପୁଅ କିମ୍ବା ଝିଅକୁ ଦୀର୍ଘ ବର୍ଷ ପରେ ଫେରିପାଏ କିନ୍ତୁ ବାସ୍ତବରେ କୁମ୍ଭମେଳାରେ ଥରେ ହଜିଲେ ପୁଣି ନିଜ ଲୋକଙ୍କୁ ପାଇବା ଖୁବ୍‌ କଷ୍ଟକର ହୋଇଥାଏ । ସେଥିପାଇଁ ଉତ୍ତରପ୍ରଦେଶ ସରକାର ତଥା କେନ୍ଦ୍ର ସଂସ୍କୃତି ବିଭାଗ ଏକ ଭୂଲେ ଭଟକେ ଶିବିର ଖୋଲିଥାଏ । ଏହିଠାରେ ହଜିଲା ଲୋକର ସୂଚନା ଦେଲେ, ତାକୁ ମାଇକରେ ପ୍ରଚାର କରି ଖୋଜିବାକୁ ଚେଷ୍ଟା କରନ୍ତି । କିନ୍ତୁ ପ୍ରୟାଗରାଜର ଗୋଟିଏ ପରିବାର ହଜିଯାଇଥିବା ଲୋକକୁ ତାଙ୍କ ଆତ୍ମୀୟଙ୍କ ସହ ମେଳେଇବା ଲାଗି ପ୍ରାୟ ସାତ ଦଶନ୍ଧି ଧରି ଏହି ସେବାରେ ଲାଗିପଡ଼ିଛନ୍ତି । ଏହି ପରିବାର ଓ ତାଙ୍କର ସମ୍ପର୍କୀୟ ୧୨୦ ଜଣ ଲୋକେ ଗତ କୁମ୍ଭମେଳାରେ ସାମିଲ ଥିଲେ । ଗତଥରର ସଂଖ୍ୟା କହୁଛି ଏହି ପରିବାର ପ୍ରତ୍ୟେକ ଦିନ ସର୍ବନିମ୍ନ ୨୫୦ ଜଣରୁ ନେଇ ସର୍ବାଧିକ ୧୭୦୦ ଜଣ ହଜିଯାଇଥିବା ଲୋକଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ମେଳେଇ ଦିଅନ୍ତି ।
ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏକ ଛୋଟିଆ ଘଟଣାରୁ । ୧୯୪୮ ମସିହାରେ ପ୍ରୟାଗରାଜସ୍ଥିତ ରାଜାରାମ ନାମ୍ନୀ ଜଣେ କୃଷକ କୁମ୍ଭମେଳାକୁ ଯାଇଥିଲେ । ସେଠାରେ ସେ ଜଣେ ମହିଳା ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ମହିଳା ଜଣକ ରାଜାରାମଙ୍କୁ କାକୁତି ମନତୀ ହୋଇ ହାତ ଯୋଡ଼ି ତାଙ୍କୁ ସାହାଯ୍ୟ କରିବା କଥା କହିଥିଲେ । ମହିଳା ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ ମେଳାରେ ହଜେଇ ଦେଇଛନ୍ତି । ସେ ଏତେ ଗହଳିରେ ତାଙ୍କ ପରିବାର ଲୋକଙ୍କୁ ଖୋଜି ଖୋଜି ପାଉନାହାନ୍ତି । ରାଜାରାମ ଏସବୁ ଶୁଣିବା ପରେ ମହିଳାଙ୍କୁ ସାହାଯ୍ୟ ପ୍ରତିଶୃତି ଦେଇ ଘରକୁ ନେଇଥିଲେ । ଘରେ ତାଙ୍କୁ ପରିବାର ସଦସ୍ୟ ଭଳି ଆତିଥ୍ୟତା ଦେଇ ରଖିଥିଲେ । ମହିଳାଙ୍କ ନିକଟରେ ଆଦୌ ଅର୍ଥ ନଥିଲା । ସେ ମହିଳାଙ୍କଠାରୁ ଠିକଣା ଜାଣିବା ପରେ, ଖୋଜ ଖବର ନେଇ ସେଠାକୁ ଯିବା ବ୍ୟବସ୍ଥା କରିଥିଲେ । ପରେ ଠିକଣା ବାବଦରେ ନିଶ୍ଚିତ ହେବାପରେ, ମହିଳାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କ ପରିବାର ସଦସ୍ୟ ମହିଳାଙ୍କୁ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ମହିଳା ଜଣକ ରାଜାରାମଙ୍କର ପାଦ ଛୁଇଁ ମୁନ୍ଦିଆ ମାରିଥିଲେ । ଆଉ ସେହି ଦିନରୁ ରାଜାରାମ ଓ ମହିଳାଙ୍କ ପରିବାର ଭିତରେ ଏକ ସୁସମ୍ପର୍କ ଗଢ଼ି ଉଠିଥିଲା । ସେଦିନୁ ରାଜାରାମ ମନସ୍ଥ କରିଦେଇଥିଲେ ଏହି ସେବା ହିଁ ପ୍ରଭୁସେବା । ଆଗକୁ ଆସୁଥିବା କୁମ୍ଭମେଳାରେ ସେ ହଜିଯାଇଥିବା ଲୋକଙ୍କୁ ପରିବାର ଲୋକଙ୍କ ସହ ମେଳେଇବା ଲାଗି କାମ କରିବେ ବୋଲି ଭାବିଥିଲେ ।
ଜଣେ ସାଧାରଣ ନାଗରିକର ସାମାଜିକ କର୍ତ୍ତବ୍ୟ ଭାବରେ ସେ ଯେଉଁ କାମ କରିଥିଲେ ପରେ ତାକୁ ଜୀବନର ଏକ ବ୍ରତ ଭାବରେ ଭାବି ନେଇଥିଲେ । ଆଗକୁ ଯେତେ କୁମ୍ଭମେଳା ଆସୁଥିଲା ସେ ସେଥିରେ ସବୁ କାମଦାମ ଛାଡ଼ି ହଜିଲା ଲୋକଙ୍କୁ ପରିବାର ସହ ମେଳାଉଥିଲେ । ଯେ ପର୍ଯ୍ୟନ୍ତ କୌଣସି ହଜିଲା ଲୋକ ତାଙ୍କ ପରିବାର ଲୋକଙ୍କୁ ପାଇନାହାନ୍ତି, ରାଜାରାମ ତାଙ୍କୁ ଘରେ ରଖି ପରିବାର ସଦସ୍ୟଙ୍କ ଭଳି ଆତିଥ୍ୟତା ଦିଅନ୍ତି । ଦୀର୍ଘ ବର୍ଷ ଧରି ସେ ଏମିତି ହଜିଲା ପରିବାରକୁ ମିଳାଉଥିଲେ । ପ୍ରଥମଥର ଏହି ସେବାରେ ଲାଗିବା ବେଳେ ରାଜାରାମଙ୍କୁ ୧୮ ବର୍ଷ ହୋଇଥିଲା । ପରେ ପରେ ସେ ଏଥିରେ ତାଙ୍କ ପରିବାର ସଦସ୍ୟଙ୍କୁ ମିଶାଇଥିଲେ । ଦୀର୍ଘ ୫ ଦଶନ୍ଧି ଧରି ହଜି ଯାଇଥିବା ଲୋକଙ୍କୁ ମିଳାଇବା ପରେ ରାଜାରାମଙ୍କ ନାମ ଭୁଲେ ଭଟକେ ତିୱାରୀ ହୋଇଯାଇଥିଲା । ଲୋକେ ତାଙ୍କୁ ସେହି ନାମରେ ଜାଣୁଥିଲେ । ୧୯୯୫ ମସିହାରେ ରାଜାରାମଙ୍କ ମୃତୁ୍ୟ ପରେ ତାଙ୍କ ପୁତ୍ର ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ଏକ ଶିବିର ଖୋଲିଛନ୍ତି ସେଠାରେ ହଜିଲା ଲୋକକୁ ଆଶ୍ରୟ ଦେବା ଲାଗି । ସେଠାରେ ଖାଦ୍ୟ ପାନୀୟ ବ୍ୟବସ୍ଥା ସବୁ ଉତ୍ତରପ୍ରଦେଶ ପୁଲିସ ସାହାଯ୍ୟ କରିଥାଏ । ଏବେ ରାଜାରାମଙ୍କ ନାତି ଆଶୁତୋଷ ବି ଏହି ସେବାରେ ସାମିଲ ଅଛନ୍ତି । ଏସବୁ ସେବା ବିନାମୂଲ୍ୟରେ ରାଜାରାମଙ୍କ ପରିବାର ଯୋଗାଇଥାନ୍ତି । ରାଜାରାମ ତାଙ୍କ ପରିବାରକୁ ଏହି ସେବାକୁ ପୀଢ଼ି ପରେ ପୀଢ଼ି କରିବା ଲାଗି କଥାଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*