ଭୁବନେଶ୍ୱର ମି ୱାଇ-ଫାଇ ଗଲା କୁଆଡ଼େ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

୨୦୧୮ ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ତତ୍‌କାଳୀନ ମେୟର ଅନନ୍ତ ନାରାୟଣ ଜେନା ଘୋଷଣା କରିଥିଲେ ଯେ, ବିଶ୍ୱକପ୍‌ ହକି ପୂର୍ବରୁ ଭୁବନେଶ୍ୱର ଦେଶର ପ୍ରଥମ ୱାଇ-ଫାଇ ସହରରେ ପରିଣତ ହେବ । ଏବେ ଅନନ୍ତ ମଧ୍ୟ ଭୁବନେଶ୍ୱରରୁ ବିଜଦ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବୋଧହୁଏ ସେ ନିଜ ଘୋଷଣାକୁ ଭୁଲି ଯାଇନଥିବେ ।
୨୦୧୮ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶୁଳ୍କ ୱାଇ-ଫାଇ ସେବାର ଶୁଭାରମ୍ଭ କଲେ ଏକ ଭବ୍ୟ ସମାରୋହରେ । ପ୍ରଥମ ଦିନ ୧୦୦ଟି ହଟ୍‌ସ୍ପଟ୍‌ ଚାଲୁ ହେଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଥମ ଦିନ ହିଁ ୨୭୫ଟି ଏକ୍ସେସ୍‌ ପଏଣ୍ଟ କାର୍ଯ୍ୟ କରିଥିଲା । ମୁଖ୍ୟତଃ କିଟ୍‌ ଛକ ଠାରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଏବଂ ଶିଶୁ ଭବନରୁ ବାଣୀ ବିହାର ଓ ନାଲକୋ ଛକରୁ ଆଚାର୍ଯ୍ୟ ବିହାର ଅଞ୍ଚଳବାସୀଙ୍କୁ ମୁକ୍ତ ୱାଇ-ଫାଇ ସେବା ଯୋଗାଇ ଦିଆଗଲା ବୋଲି ସେଦିନ ସଭାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରତି ଏକ୍ସେସ ପଏଣ୍ଟରେ ଏକାବେଳକେ ୧୫୦ ଜଣ ମୋବାଇଲ ବ୍ୟବହାରକାରୀ ଏହି ସେବା ପାଇପାରିବେ ବୋଲି କୁହାଯାଇଥିଲା । ପ୍ରତ୍ୟେକ ଉପଭୋକ୍ତାଙ୍କୁ ୨୫୦ ଏମ୍‌ବି ଡାଟା ଡାଉନଲୋଡ୍‌ କରିବା ପାଇଁ ସୁଯୋଗ ମିଳିବ ବୋଲି ମଧ୍ୟ ପ୍ରଚାର କରାଯାଇଥିଲା । ଏହି ଅବସରରେ ବିରାଟ ବିରାଟ ବିଜ୍ଞାପନ ପ୍ରକାଶ କରିଥିଲେ ସରକାର ।
ମୁଖ୍ୟମନ୍ତ୍ରୀ ଫ୍ରି ୱାଇ-ଫାଇ ସେବା ଶୁଭାରମ୍ଭ କରିବା ଅବସରରେ କହିଥିଲେ ଯେ, ‘ମୁଁ ଅତ୍ୟନ୍ତ ଖୁସି ଯେ ଭୁବନେଶ୍ୱର ମି ୱାଇ-ଫାଇ ପ୍ରୋଜେକ୍ଟ ଦେଶର ଏଧରଣର ପ୍ରଥମ ପ୍ରୋଜେକ୍ଟ ହେବାକୁ ଯାଉଛି । ଏହା ଦ୍ୱାରା ପୂରା ଭୁବନେଶ୍ୱରରେ ୱାଇ-ଫାଇ ସେବା ନିଶୁଳ୍କ ଉପଲବ୍ଧ ହେବ । ଏଥିରୁ ନୂଆ ପୀଢ଼ିର ଯୁବକ ଯୁବତୀମାନେ ଫାଇଦା ପାଇବେ ।’
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଲିଖିତ ଭାଷଣରେ କହିଥିଲେ ଯେ,ଏଭଳି ପ୍ରକଳ୍ପ ସରକାରଙ୍କୁ ମଧ୍ୟ ଡିଜିଟାଲ ବ୍ରିଜ୍‌ ଗଠନ ପାଇଁ ସାହାଯ୍ୟ କରିବ ।
ଡିସେମ୍ବରରେ ବିଶ୍ୱକପ୍‌ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା ଓଡ଼ିଶା । ଇତି ମଧ୍ୟରେ ବର୍ଷେ ବିତିଗଲାଣି । ମାତ୍ର ୱାଇ-ଫାଇ ସେବା ଚୁଲିକୁ ଚାଲିଗଲାଣି ବର୍ଷକ ଭିତରେ । ଏହି ପ୍ରକଳ୍ପ ଲାଗି ବିଏସ୍‌ସିଏଲ୍‌ର ସ୍ମାର୍ଟ ସଲୁ୍ୟସନ୍‌ ଏବଂ ମାଷ୍ଟର ସିଷ୍ଟମ ଇଣ୍ଟିଗ୍ରେଟେର ବାବଦକୁ ଏକ ଆଇଟି କମ୍ପାନୀ ହନିୱେଲକୁ କେତେ ଅର୍ଥ ଦିଆଯାଇଥିବ ତାହା ତଦନ୍ତ ସାପେକ୍ଷ । କିନ୍ତୁ ଶେଷ ନିଷ୍କର୍ସ ହେଲା ଏବେ କେଉଁଠି ଭୁବନେଶ୍ୱରରେ ନିଶ୍‌ୁଳ୍କ ୱାଇ-ଫାଇ ସେବା ମିଳୁନାହିଁ । ଯଦି କଳିଙ୍ଗ ଷ୍ଟାଡ଼ିୟମ ଏବଂ ଏଜି ଛକରେ କଦବା କେମିତି ଏହି ସେବା କେହି ଉପଲବ୍ଧ କରୁଥିବେ, ତାହା ଅଲଗା କଥା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାରା ସହରକୁ ନିଶୁଳ୍କ ୱାଇ-ଫାଇ ସେବା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ବୋଲି ଯେଉଁ ଦମ୍ଭ କରିଥିଲେ, ତାହା ପାଣିରେ ଗାର ସାବ୍ୟସ୍ତ ହୋଇସାରିଛି ।
ନବୀନ ସରକାର ନାଟକ କରିବାରେ ଧୁରନ୍ଧର । ମୁଖ୍ୟମନ୍ତ୍ରୀ ନିଜେ ଭାବି ନେଇ ସାରିଛନ୍ତି ଯେ, ଆଜିକା କଥା କାଲିକୁ ମନେ ରହେ ନାହିଁ ଓଡ଼ିଆଙ୍କର । ତେଣୁ ଗତବର୍ଷ ନଭେମ୍ବରରେ ଯେଉଁ ୱାଇ-ଫାଇ ସର୍ଭିସର ନାଟକ ଦେଖାଇଥିଲେ ସେ, ଏବେ ଲୋକେ ତାହା ଭୁଲି ଯାଇ ସାରିଲେଣି । ଆଗକୁ ନିର୍ବାଚନ ନାହିଁ । ଜାନୁଆରୀ-ଫେବୃଆରୀରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରରେ । ସେତେବେଳେ ହୁଏତ ପୁଣି ୱାଇ-ଫାଇ କଥା ମନେ ପକାଇ ପାରନ୍ତି ନବୀନ ସରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*