ଭିସି ସଜ୍ଜନାର: ମନେ ପଡ଼ୁଛି ‘ୱାରଙ୍ଗଲ ଏନ୍‌କାଉଣ୍ଟର’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ:ହାଇଦ୍ରାବାଦ

ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣା ଲୋକଙ୍କୁ ମନେ ପକାଇ ଦେଇଛି ୱାରଙ୍ଗଲ ଏନ୍‌କାଉଣ୍ଟର କଥା । ୨୦୦୮ରେ ୱାରଙ୍ଗଲରେ ଜଣେ ଯୁବତୀଙ୍କୁ ଏସିଡ୍‌ ଆକ୍ରମଣ ହୋଇଥିଲା । ଘଟଣାର ତିନି ଅଭିଯୁକ୍ତଙ୍କୁ ପୁଲିସ ଠିକ୍‌ ହାଇଦ୍ରାବାଦ ଘଟଣା ଭଳି ଏନ୍‌କାଉଣ୍ଟର କରି ମାରିଥିଲା । ସଂଯୋଗର ବିଷୟ ଯେ ୱାରଙ୍ଗଲ ଏନ୍‌କାଉଣ୍ଟର କ୍ୟାପଟେନ୍‌ ଥିଲେ ଭିସି ସଜ୍ଜନାର । ବର୍ତ୍ତମାନ ସଜ୍ଜନାର ସାଇବରାବାଦର ପୁଲିସ କମିଶନର ଅଛନ୍ତି ।
ଶୁକ୍ରବାରର ଏହି ଘଟଣା ପରେ କିଛି ଲୋକ ୧୯୯୬ ବ୍ୟାଚର ଏହି ଆଇପିଏସ୍‌ ଅଫିସର ଭିସି ସଜ୍ଜନାରଙ୍କୁ ହିରୋ ଭଳି ସମ୍ବୋଧିତ କରୁଥିଲା ବେଳେ ଆଉ କିଛି ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ, ୨୦୦୮ ମସିହାରେ ଏସ୍‌ପିଙ୍କ ଏନ୍‌କାଉଣ୍ଟର ପରେ ଏବେ ପୁଲିସ କମିଶନର ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର କରିଛନ୍ତି । ସଜ୍ଜନାର ହେଉଛନ୍ତି ପ୍ରକୃତ ହିରୋ । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ପୁଲିସ ଉପରେ ଫୁଲ ବର୍ଷା କରିଥିଲେ ।
ୱାରଙ୍ଗଲ ଘଟଣାଟି ହେଉଛି ୨୦୦୮ ମସିହାର । ଅଭିଯୁକ୍ତ ଏସ୍‌ ଶ୍ରୀନିବାସ ରାଓ ନିଜର ଦୁଇ ବନ୍ଧୁଙ୍କ ସହ ମିଶି ଇଞ୍ଜିନିୟରିଂ ଛାତ୍ରୀଙ୍କ ଉପରେ ଏସିଡ୍‌ ଫିଙ୍ଗିଥିଲେ । କାରଣ ଛାତ୍ରୀ ଜଣକ ଶ୍ରୀନିବାସଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ଘଟଣାକୁ ନେଇ ଲୋକଙ୍କ ଭିତରେ ବଡ଼ କ୍ଷୋଭ ସୃଷ୍ଟି ହୋଇଥିଲା । ପୁଲିସ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ଗିରଫର କିଛି ଘଣ୍ଟା ପରେ ଏହି ଅଭିଯୁକ୍ତ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିଲେ । ଏହାପରେ ସଜ୍ଜନାର କଲେଜ ଛାତ୍ରୀ ଏବଂ ଯୁବକଙ୍କ ପାଇଁ ପାଲଟିଯାଇଥିଲେ ହିରୋ । କଲେଜର ଛାତ୍ରୀମାନେ ତାଙ୍କ ଘରକୁ ଯାଇ ମାଳ ପିନ୍ଧାଇଥିଲେ । ମିଠା ବଣ୍ଟା ଯାଇଥିଲା, ପୁଲିସ ସମର୍ଥନରେ ସ୍ଲୋଗାନ ଦିଆଯାଇଥିଲା ।
୧୧ ବର୍ଷ ତଳ ଘଟଣାର ପୁନରାବୃତ୍ତି:
ଏସିଡ୍‌ ଆଟାକ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ପରେ ୱାରଙ୍ଗଲ ପୁଲିସ କହିଥିଲା ଯେ, ଘଟଣା ସ୍ଥଳରୁ ପ୍ରମାଣ ସଂଗ୍ରହ ସମୟରେ ଏହି ଅଭିଯୁକ୍ତମାନେ ପୁଲିସ ହାତରୁ ବନ୍ଧୁକ ଛଡ଼ାଇ ପଳାଇବାର ଚେଷ୍ଟା କରୁଥିଲେ । ପରେ କ୍ରସ ଫାୟାରିଂରେ ସେମାନଙ୍କର ମୃତୁ୍ୟ ହୋଇଥିଲା । ହାଇଦ୍ରବାଦ ଘଟଣାରେ ମଧ୍ୟ ପୁଲିସ ଅଭିଯୋଗ କରିଛି ଯେ, ଏହି ୪ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାର ଚେଷ୍ଟା କରିଥିଲେ । ତାଙ୍କ ଠାରୁ ଦୁଇଟି ବନ୍ଧୁକ ଜବତ ହୋଇଛି । କ୍ରସ ଫାୟାରିଂରେ ସେମାନଙ୍କର ମୃତୁ୍ୟ ହୋଇଛି । ୱାରଙ୍ଗଲରେ ୧୧ ବର୍ଷ ତଳେ ଯେପରି ଲୋକେ ଏହି ଘଟଣାରେ ଖୁସିବ୍ୟକ୍ତ କରି ଫୁଲ ବର୍ଷା କରିଥିଲେ, ମିଠା ବାଣ୍ଟି ଥିଲେ, ପୁଲିସ ସମର୍ଥନରେ ସ୍ଲୋଗାନ ଦେଇଥିଲେ ଠିକ୍‌ ସେହିଭଳି ପରିସ୍ଥିତି ଶୁକ୍ରବାର ହାଇଦ୍ରାବାଦରେ ମଧ୍ୟ ଦେଖିବାକୁ ମିଳିଛି । ଅର୍ଥାତ ୧୧ ବର୍ଷ ତଳର ଏନ୍‌କାଉଣ୍ଟର ଭଳି ହାଇଦ୍ରାବାଦ ଏନ୍‌କାଉଣ୍ଟରର ଥିଓରି ସମାନ । ଏହା ହେବା ମଧ୍ୟ ସ୍ୱାଭାବିକ କାରଣ ଏହି ଦୁଇ ଏନ୍‌କାଉଣ୍ଟରର କ୍ୟାପଟେନ ସେହି ସମାନ ବ୍ୟକ୍ତି । ସେ ହେଉଛନ୍ତି ଭିସି ସଜ୍ଜନାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*