ଭିନ୍ନ ଦଳ: ମୋଦୀ ଫାକ୍ଟର ଜାତୀୟସ୍ତରରେ ନବୀନ, ରାଜ୍ୟରେ ଭାଜପା ପରିଚୟ ସଙ୍କଟରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଜାତୀୟସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଏକ ପରିଚୟ ସଙ୍କଟ ସୃଷ୍ଟି ହୋଇଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଟନୀତି କାରଣରୁ । କିନ୍ତୁ ଠିକ୍‌ ସେହି କାରଣରୁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ମଧ୍ୟ ପରିଚୟ ସଙ୍କଟ ଦୁର୍ଦ୍ଦଶାରେ ପଡ଼ିଛି । ବିଚିତ୍ର ପରିସ୍ଥିତି, ପୁଣି ଭିନ୍ନ ଢଙ୍ଗରେ ଉଭୟ ଦଳ ସକାଶେ ଦେଖିବାକୁ ମିଳୁଛି ।
ସୋମବାର ଦିନ ରାଜ୍ୟସଭାରେ ଶୃଙ୍ଖଳିତ ଆଚରଣ ପାଇଁ ବିଜଦ ଓ ରାକପାକୁ ବହୁତ ଟେକିଲେ ପ୍ରଧାନମନ୍ତ୍ରୀ ମୋଦୀ । ମହାରାଷ୍ଟ୍ରରେ ସାମ୍ପ୍ରତିକ ରାଜନୈତିକ ହଟଚମଟ କାରଣରୁ ରାକପାକୁ ପ୍ରଶଂସା କରିବା ବୁଝାପଡ଼ି ଯାଉଛି । କିନ୍ତୁ ବିଜୁ ଜନତା ଦଳକୁ ଏତେ ପ୍ରଶଂସା କରିବାର କାରଣ କ’ଣ? ଗୋଟିଏ ସମୟ ଥିଲା, କେନ୍ଦ୍ରରେ ରାଜନୀତି ଗୋଟି ଚଳାଇବାରେ ଧୁରନ୍ଧର ଥିଲେ ନବୀନ ପଟନାୟକ । କଂଗ୍ରେସକୁ ମଧ୍ୟ ନଚାଇବାରେ ସଫଳ ହୋଇଥିଲେ ସେ । ମୋଦୀ -୧ ସରକାରରେ ବହୁବାର କେନ୍ଦ୍ର ସରକାର ଏବଂ ଭାଜପା ବିରୋଧରେ ଫଣା ଦେଖାଇ ଚମକାଇ ଦେଉଥିଲେ ନବୀନ । ନବୀନଙ୍କ କାରଣରୁ ଜାତୀୟସ୍ତରରେ ବିଜଦର ଏବଂ ନିଜର ଏକ ସ୍ୱତନ୍ତ୍ର ଭାବମୂର୍ତ୍ତି ଥିଲା । ଅନ୍ୟ ବିରୋଧୀ ଦଳଗୁଡ଼ିକ ନବୀନଙ୍କ ପରାମର୍ଶ, ସାହାଯ୍ୟ ଓ ସହଯୋଗ ଲୋଡ଼ିବା ପାଇଁ ନବୀନ ନିବାସ ଧାଉଁଥିଲେ । ବାମ ଦଳର ତୁଙ୍ଗ ନେତା ହୁଅନ୍ତୁ କିମ୍ବା ମମତା, ଚନ୍ଦ୍ରବାବୁ, ଚନ୍ଦ୍ରଶେଖର ରାଓ, ସୁପି୍ରୟା ସୁଲେ ଏବଂ ଏପରିକି ଆଡ୍‌ଭାନୀ ଓ ଦେବେଗୌଡ଼ାଙ୍କ ପରି ନେତା ପହଞ୍ଚୁଥିଲେ ନବୀନ ନିବାସରେ । ଏ ଚିତ୍ର ସବୁ ମୋଦୀ-୧ ସରକାରଙ୍କ ସମୟରେ ।
ମୋଦୀ-୨ ସରକାରରେ ଚିତ୍ର ବହୁତ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବାରମ୍ବାର ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ପଡ଼ୁଛି । କେନ୍ଦ୍ର ସରକାରଙ୍କ ଗୋଡ଼ାଣିଆ ଦଳରେ ପରିଣତ ହୋଇଛି ବିଜଦ । ଆଖିବୁଜା ସମର୍ଥନ କରୁଛି ସଂସଦରେ । ଏପରିକି ଅଯାଚିତ ଭାବେ ରାଜ୍ୟସଭାର ଗୋଟିଏ ଆସନ ଭାଜପା ହାତକୁ ଟେକି ଦେଇଛନ୍ତି ନବୀନ । ଜାତୀୟସ୍ତରରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ବଦ୍ଧମୂଳ ଧାରଣା ସୃଷ୍ଟି ହୋଇସାରିଛି ଯେ, ନବୀନ ଏବଂ ବିଜୁ ଜନତା ଦଳ ମୋଦୀ ସରକାରଙ୍କ ଅନୁଗତ ସହଯୋଗୀ ଦଳ । ତେଣୁ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳଗୁଡ଼ିକର ଯେଉଁ ବୈଠକ ହୁଏ, ବିଜଦ ଆଉ ଆମନ୍ତ୍ରିତ ହେଉ ନାହିଁ । ନବୀନଙ୍କ ପାଇଁ ଜାତୀୟସ୍ତରରେ ଏକ ପରିଚୟ ସଙ୍କଟ ସୃଷ୍ଟି ହୋଇଛି । ପୂର୍ବରୁ କଂଗ୍ରେସ ଏବଂ ଭାଜପାକୁ ବିରୋଧ କରୁଥିବା ଦଳଗୁଡ଼ିକ ଭିତରେ ନବୀନଙ୍କର ଯେଉଁ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ଥିଲା, ତାହା ହରାଇ ସାରିଛନ୍ତି ସେ ।
ପରିଚୟ ସଙ୍କଟ ଭିତରେ ନବୀନଙ୍କର ବ୍ୟକ୍ତିଗତ ଲାଭ ବି ହୋଇଛି । ମୋଦୀ ସରକାର ଓଡ଼ିଶାକୁ ଅଧିକ ଅର୍ଥ ଯୋଗାଇ ଆସୁଛନ୍ତି । କିନ୍ତୁ ବ୍ୟକ୍ତିଗତ ଲାଭଟି ହେଲା ଯେ, ଚିଟ୍‌ଫନ୍ଦ ଦୁର୍ନୀତିରୁ ମୁକୁଳି ଯାଇଛନ୍ତି ସରକାର । ଆଉ କୌଣସି ବିଜଦ ନେତା ସିବିଆଇ ଦ୍ୱାରା ଗିରଫ ହେବେ ନାହିଁ । ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦିଆଯିବ ନାହିଁ । ବ୍ଲାକ୍‌ରୋଜ୍‌ ଘଟଣାର ସିବିଆଇ ତଦନ୍ତ ଆଗେଇବ ନାହିଁ । ବୈଦେଶିକ ଚାନ୍ଦା ଅଭିଯୋଗର ତଦନ୍ତ ହେବ ନାହିଁ । ନିର୍ବାଚନ କମିଶନଙ୍କ ପାଖରେ ପଡ଼ିଥିବା ମିଥ୍ୟା ସତ୍ୟପାଠ ମାମଲାଟି ସେମିତି ପଡ଼ି ରହିବ । ଯଦି ଜାତୀୟସ୍ତରରେ ପରିଚୟ ସଙ୍କଟରେ ପଡ଼ି ଏତେଗୁଡ଼ିଏ ବ୍ୟକ୍ତିଗତ ଓ ଦଳୀୟ ଲାଭ ନବୀନ ପଟନାୟକଙ୍କର ହେଉଛି, ତେବେ ସେମିତି ସଙ୍କଟରେ ପଡ଼ିବା ବରଂ ବୁଦ୍ଧିମାନର କାମ ।
ମାତ୍ର ରାଜ୍ୟ ଭାଜପାର ଅବସ୍ଥା ଭାରି ଶୋଚନୀୟ । ନା କାନ୍ଦି ହେଉଛି, ନା ହସି ହେଉଛି । ଛୋଟିଆ ଉଦାହରଣ ଏଠାରେ ଦିଆଯାଇପାରେ । ସୋମବାର ଦିନ ବାଚସ୍ପତିଙ୍କ ବ୍ୟବହାରକୁ ନେଇ କ୍ଷୁବ୍ଧ ହୋଇପଡ଼ିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମଙ୍ଗଳବାର ଦିନ ବିଧାନସଭା ପ୍ରଶ୍ନକାଳ ଚଳାଇ ଦେବେ ନାହିଁ ବୋଲି ଘୋଷଣା କରିଥିଲେ । ଠିକ୍‌ ସେହିଦିନ ରାଜ୍ୟସଭାରେ ପିଏମ୍‌ ମୋଦୀ ଶୃଙ୍ଖଳିତ ଆଚରଣକୁ ନେଇ ବିଜଦର ଉଚ୍ଚ ପ୍ରଶଂସା କରିଥିଲେ । ମଙ୍ଗଳବାର ଦିନ ପ୍ରଶ୍ନକାଳରେ ଭାଜପା ବିଧାୟକମାନଙ୍କୁ ଚୁପ୍‌ଚାପ୍‌ ବସି ରହିବା ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳରେ ଅଂଶ ମଧ୍ୟ କରିଥିଲେ । ଏହାକୁ ଲକ୍ଷ୍ୟ କରି ବିରୋଧୀ ଦଳ ନେତାଙ୍କୁ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଯେଉଁ ଆକ୍ଷେପ କରିଥିଲେ, ତାହା ଭାଜପାର ପ୍ରତ୍ୟେକ କର୍ମୀଙ୍କ ହୃଦୟକୁ ବାଧିଥିବ ।
ନବୀନ-୫ ସରକାରରେ ମୁଖ୍ୟ ବିରୋଧୀ ଦଳ ଆସନ ପାଇ ବି ଭାଜପାର ଅବସ୍ଥା ଭାରି କରୁଣ । ନବୀନ ସରକାରଙ୍କୁ ଅପଦସ୍ତ ଓ ଅପମାନିତ କରିବା ପାଇଁ ଯେତେବେଳେ ନିଜକୁ ସଜାଡ଼ି ଆସୁଛି ଭାଜପା, ଠିକ୍‌ ସେତିକି ବେଳେ ହାଇକମାନ୍ଦ ଏମିତି ସଙ୍କେତ ଦେଉଛନ୍ତି ଯେ, ଦଳର ମୂଳରୁ ଚୁଳ ଯାଏଁ ଏକ ଅସହାୟତାର ବାତାବରଣ ଖେଳିଯାଉଛି । ସବୁଠୁ କଦର୍ଯ୍ୟ ଅବସ୍ଥା ଭାଜପା କର୍ମୀଙ୍କର । ମୋଦୀ ଏବଂ ଶାହାଙ୍କ ଯୋଗୁଁ ସେମାନଙ୍କର ମନୋବଳ ଭାଙ୍ଗି ଗଲାଣି । ମୋଦୀଙ୍କ ନବୀନ ପ୍ରୀତି କାରଣରୁ ହତାଶ କର୍ମୀ କେତେଦୂର ଦଳକୁ ଆଗେଇ ନେଇପାରିବେ?
୨୦୧୯ ନିର୍ବାଚନ ପୂର୍ବରୁ ତାଉରେ ଥିଲା ଭାଜପା । ନିଜ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା ଏହି ଦଳର । ମାତ୍ର ନିର୍ବାଚନ ପରେ କେନ୍ଦ୍ରରେ ପୁନର୍ବାର ମୋଦୀ ସରକାର ହୋଇଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଛି ଭାଜପା । କିନ୍ତୁ ପରିଚୟ ସଙ୍କଟରେ ପଡ଼ିଛି ଏହି ଦଳ । ଏତେଶୀଘ୍ର ଏହି ସଙ୍କଟରୁ ବାହାରିବା କୌଣସି ଲକ୍ଷଣ ଜଣାପଡ଼ୁ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*