ଭାରତ ମହାସାଗରରେ ଚୀନ ଗତିବିଧି ଉପରେ ଭାରତୀୟ ନୌସେନାର ତୀକ୍ଷ୍ଣ ନଜର ଜାପାନ ନୌସେନା ସହ କଲା ସମରାଭ୍ୟାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଗଲୱାନ ହିଂସା ପରେ ଚୀନ ଉପରେ ନଜର ରଖିବାକୁ ନୌସେନା ଭାରତ ମହାସାଗରରେ ଚୀନର ଗତିବିଧି ଉପରେ ନଜର ରଖିବା ସହ ଏହାର ଉପସ୍ଥିତିକୁ ବଢାଇ ଦେଇଛି । ଶନିବାର ନୌସେନା ଜାପାନ ପ୍ରତିପକ୍ଷ ସହ ମିଶି ସମରାଭ୍ୟାସ ମଧ୍ୟ କରିଥିବା ଜଣାପଡିଛି । ଏହି ସମରାଭ୍ୟାସରେ ଭାରତର ଆଇଏନଏସ ରାଣା, ଆଇଏନଏସ କୁଲିଶ ଏବଂ ଜାପାନର ଜେଏସ କଶୀମା ଏବଂ ଜେଏସ ଶିମାୟୁକୀ ସାମିଲ ହୋଇଥିଲେ । ସ୍ଥିତି ଉପରେ ନଜର ରଖିଥିବା କିଛି ଅଧିକାରୀଙ୍କ ଅନୁଯାୟୀ, ଚୀନ ସହ ଲଦାଖର ଗଲୱାନ ଘାଟୀରେ ଦେଖାଦେଇଥିବା ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ନୌସେନା ମଧ୍ୟ ଗତ କିଛି ଦିନ ଧରି ଏହାର ଗତିବିଧିକୁ ଜୋରଦାର କରିଛି । ଏହାସହ ଆମେରିକା ଏବଂ ଜାପାନର ନୌସେନା ସହ ଭାରତୀୟ ନୌସେନା ସହଯୋଗ ବୃଦ୍ଧି କରିଛି ।
ସୂଚନା ଅନୁଯାୟୀ, ଉକ୍ତ ସମୁଦ୍ରାଞ୍ଚଳ ବିଭିନ୍ନ ପ୍ରକାର ସଂପଦରେ ପରିପୂର୍ଣ୍ଣ ଏବଂ ଚୀନ ଏହି ଅଞ୍ଚଳରେ ଲଗାତାର ନିଜର ସୈନ୍ୟ କ୍ଷମତା ବୃଦ୍ଧି କରିବାରେ ଲାଗିଛି । ଏହା ଦେଖି ଭାରତୀୟ ନୌସେନା ଏହାର ଅଧିକାରୀମାନଙ୍କୁ ଉକ୍ତ ଅଞ୍ଚଳ ଉପରେ ଲଗାତାର ନଜର ରଖିବାକୁ ନିଦେ୍ର୍ଦଶ ଦେଇଛି । ଏହାଛଡା ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଫ୍ରାନ୍ସ ସହିତ ଭାରତ ନିଜର ସହଯୋଗ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେଉଛି ।
ଆଜି ଭାରତ-ଚୀନ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକ
ଗଲୱାନ ହିଂସକ ସଂଘର୍ଷ ପରେ ଲଗାତାର ବୃଦ୍ଧି ପାଉଥିବା ଉତ୍ତେଜନାକୁ କମ୍‌ କରିବା ପାଇଁ ଭାରତ ଏବଂ ଚୀନ ସେନା ମଧ୍ୟରେ ମଙ୍ଗଳବାର ଲେଫ୍ଟନାଣ୍ଟ ଜେନେରାଲ ସ୍ତରରେ ଆଲୋଚନା ହେବ । ଏହି ବୈଠକ ଏଲଏସିରେ ଥିବା ଭାରତର ଚୁଶୁଲଠାରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ରବିବାର ଦୁଇ ଦେଶ ମଧ୍ୟରେ ଏଲଏସିଠାରେ ତିକ୍ତତା କମ୍‌ କରିବାକୁ ପ୍ରତି ସପ୍ତାହରେ ବୈଠକ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ବୈଠକରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ବ୍ୟତୀତ ସୈନ୍ୟ କମାନ୍ଦରମାନେ ମଧ୍ୟ ସାମିଲ୍‌ ହେବେ । ଏହି ବୈଠକ ୱାର୍କିଂ ମେକାନିଜିମ୍‌ ଫର କାଉନସିଲେସନ ଆନ୍ଦ କୋର୍ଡିନେସନ (ଡବ୍ଲୁ୍ୟଏମସିସି) ଅନ୍ତର୍ଗତ ହେବ ।
ଗତ ସପ୍ତାହରେ ମଧ୍ୟ ଡବ୍ଲୁ୍ୟଏମସିସିର ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ହୋଇଥିଲା । ହେଲେ ସୂତ୍ରାନୁଯାୟୀ, ଏହି ବୈଠକବେଳେ ଗଲୱାନ ଉପତ୍ୟକାରେ ହିଂସକ ସଂଘର୍ଷବେଳେ ପ୍ରାଣ ହରାଇଥିବା ନିଜ ସୈନିକଙ୍କ ବିଷୟରେ ଚୀନ କିଛି ବି ଚର୍ଚ୍ଚା କରିନଥିଲା । ଭାରତ ଉକ୍ତ ଘଟଣାରେ ସହିଦ୍‌ ହୋଇଥିବା ସୈନିକଙ୍କ ସଂଖ୍ୟା ବାବଦରେ ସୂଚନା ଦେଇସାରିଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ଏନେଇ ନୀରବତା ଅବଲମ୍ବନ କରିଛି । ଭାରତ ଅନୁଯାୟୀ, ଗଲୱାନ ହିଂସାରେ ଏହାର ୨୦ ଏବଂ ଚୀନର ୪୦ ସୈନିକଙ୍କ ମୃତୁ୍ୟ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*