ଭାରତ ଚାପରେ ମୁନ୍ଦ ନୁଆଁଇଲା ପାକିସ୍ତାନ ଆଝାରର ୨ ଭାଇଙ୍କ ସମେତ ୪୪ ଆତଙ୍କୀ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ଇସଲାମାବାଦ

ପୁଲୱାମା ଆତଙ୍କୀ ହମଲାରେ ଜୈଶ-ଇ-ମହମ୍ମଦର ମୁଖିଆ ମାସୁଦ ଆଝାରର ହାତ ଥିବା ନେଇ ଭାରତ ତଥ୍ୟପ୍ରମାଣ ଦେବା ପରେ ପାକିସ୍ତାନ ମଙ୍ଗଳବାର ଆତଙ୍କୀ ସଂଗଠନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜୈଶ ସଂଗଠନର ଅନୂ୍ୟନ ୪୪ ସଦସ୍ୟଙ୍କୁ ଗିରଫ କରି ଅଟକ ରଖାଯାଇଥିବା ଜଣାପଡିଛି । ଗିରଫ ମଧ୍ୟରେ ଆଝାରର ୨ ଭାଇ- ମୁଫତି ରଫ୍‌ ଆସଘର ଏବଂ ହମାଦ ଆଝାର ରହିଥିବା ଜଣାପଡିଛି । କିଛି ଗଣମାଧ୍ୟମ ରିପୋର୍ଟରେ ହମାଦ୍‌ ଆଝାରକୁ ମସୁଦର ପୁଅ ବୋଲି ମଧ୍ୟ କୁହାଯାଉଛି । ପାକ୍‌ ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶାହୟାର ଆଫ୍ରିଦି ସରକାରଙ୍କ ଏହି କାର୍ଯାନୁଷ୍ଠାନ ବାବଦରେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି, ନିକଟରେ ଜୈଶ ଆତଙ୍କୀ ସଂଗଠନ ଏବଂ ଆଝାରର ପୁଲୱାମା ଆତଙ୍କୀ ହମଲାରେ ସଂଶ୍ଲିଷ୍ଟତା ବାବଦରେ ପାକିସ୍ତାନକୁ ଭାରତ ଯେଉଁ ନଥିପତ୍ର ହସ୍ତାନ୍ତର କରିଥିଲା ସେଥିରେ ରଫ୍‌ ଏବଂ ହମାଦର ନାମ ମଧ୍ୟ ଥିଲା । ଏହାଛଡା ଆଝାର ଏବଂ ତାର ପରିବାରକୁ କେଉଁ କେଉଁ ସୁବିଧା ଯୋଗାଇ ଦିଆଯାଇଛି ତାହାର ଏକ ତାଲିକା ମଧ୍ୟ ଭାରତ ପାକ୍‌ ସରକାରଙ୍କୁ ହସ୍ତାନ୍ତର କରିଥିଲା ।
ଜୈଶ ସଂଗଠନର ଦ୍ୱିତୀୟ ଟାଣୁଆ ନେତା ତଥା ଆଝାରର ଭାଇ ରଫ୍‌ ଆସଘରର ଗିରଫଦାରୀ ଏହା ସ୍ପଷ୍ଟ କରୁଛି ଯେ, ପାକିସ୍ତାନ ଭାରତର ଚାପ ଆଗରେ ମୁନ୍ଦ ନୁଅାଁଇବାକୁ ବାଧ୍ୟ ହୋଇଛି । ମସୁଦ ଆଝାର ପରେ ରଫ୍‌ ଆସଘର ହିଁ ଜୈଶ-ଇ-ମହମ୍ମଦ ସଂଗଠନର ପରବର୍ତ୍ତୀ ଉତ୍ତରାଧିକାରୀ । ମଙ୍ଗଳବାର ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେବାବେଳେ ପାକ୍‌ ଗୃହମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଯଦି ଗିରଫ ଜୈଶ ସଦସ୍ୟଙ୍କ ବିରୋଧରେ କୌଣସି ପ୍ରମାଣ ନମିଳିଲା, ତେବେ ସେମାନଙ୍କୁ ଛାଡି ଦିଆଯିବ । ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଭାରତ ଅବା ବିଶ୍ୱ ସଂପ୍ରଦାୟର ଚାପରେ ନେଇନାହିଁ, ଅଧିକନ୍ତୁ ଏହା ନ୍ୟାସନାଲ ଆକ୍ସନ୍‌ ପ୍ଳାନ୍‌ କମିଟିର ନିଷ୍ପତ୍ତିକ୍ରମେ ନେଇଛି ବୋଲି ସେ କହିଛନ୍ତି । ସୋମବାର ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁ୍ୟରେଶୀ ମଧ୍ୟ ପୁଲୱାମା ଆତଙ୍କୀ ହମଲାକୁ ନେଇ ଭାରତ ପଠାଇଥିବା ଡଜିୟର (ନଥିପତ୍ର)କୁ ଇସଲାମାବାଦ ନୀରିକ୍ଷଣ କରୁଛି ବୋଲି କହିଥିଲେ । ଏହି ଡଜିୟରରେ ଭାରତ ପାକିସ୍ତାନକୁ ଆଝାର ଏବଂ ଏହାର ମାଟିରୁ ବିଭିନ୍ନ ଆତଙ୍କୀ ହମଲାର ଷଢଯନ୍ତ୍ର କରିଥିବା ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲା । ସେହିପରି ଆସନ୍ତା ମାର୍ଚ୍ଚ ୧୨ରେ ପାକିସ୍ତାନ ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କୁ୍ୟରେଶୀ କହିଥିଲେ ।
ଅପରପକ୍ଷରେ ଭାରତୀୟ ସୁରକ୍ଷା ଏଜେନ୍ସୀଗୁଡିକ ପାକିସ୍ତାନର ଏପ୍ରକାର କାର୍ଯ୍ୟାନୁଷ୍ଠାନକୁ ଏକ ଫାର୍ସ ବୋଲି କହିଛି । ଯେଉଁମାନଙ୍କୁ ପାକିସ୍ତାନ ଅଟକ ରଖିଛି, ସେମାନଙ୍କୁ ଆତଙ୍କ ବିରୋଧୀ ଆଇନ୍‌ ଅନୁସାରେ ଗିରଫ କରାଯାଇନାହିଁ, ଅଧିକନ୍ତୁ ତଦନ୍ତ ପାଇଁ ଗିରଫ କରାଯାଇଛି । ତେଣୁ ସେମାନେ ପରବର୍ତ୍ତୀ ସମୟରେ ମୁକ୍ତ ହେବେ ବୋଲି ଯଥେଷ୍ଟ ସମ୍ଭାବନା ଅଛି । ଆଗରୁ ମଧ୍ୟ ଏହିଭଳି ଡ୍ରାମା ପାକିସ୍ତାନ ପୂର୍ବରୁ ବହୁବାର କରିସାରିଛି ବୋଲି ସୁରକ୍ଷା ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*