ଭାରତୀୟ ଇଞ୍ଜିନିୟରଙ୍କ ସୂଚନା ଯୋଗୁ ‘ବିକ୍ରମ’ର ସନ୍ଧାନ ପାଇଲା ନାସା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ୱାଶିଂଟନ

ଚେନ୍ନାଇର କମ୍ପୁ୍ୟଟର ପ୍ରୋଗ୍ରାମର ଏବଂ ମେକାନିକାଲ ଇଞ୍ଜିନିୟର ଶନମୁଗ ସୁବ୍ରମଣ୍ୟମ ପ୍ରଦାନ କରିଥିବା କିଛି ସୂଚନା ଉପରେ ଗବେଷଣା କରି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଭାରତର ଚନ୍ଦ୍ରାୟାନ-୨ ମିଶନର ଲ୍ୟାନ୍ଦର ‘ବିକ୍ରମ’ର ସନ୍ଧାନ ପାଇଛି । ସୋମବାର ନାସା ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାନ୍ଦିଂ କରିଥିବା ବିକ୍ରମର ଭଗ୍ନାବଶେଷକୁ ଖୋଜି ପାଇଥିବା କଥା ସ୍ପଷ୍ଟ କରିଛି । ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ପ୍ରାୟ ୮୭ ଦିନ ପରେ ବିକ୍ରମର ସନ୍ଧାନ ମିଳିଛି । ନାସା ନିଜ ଅର୍ବିଟର ଏଲଆରଓ ଉଠାଇଥିବା କିଛି ଫଟୋ ଜାରି କରିଛି । ଏଥିରେ ବିକ୍ରମ ଧକ୍କା ହୋଇଥିବା ସ୍ଥାନ ଏବଂ ବିଛାଡି ହୋଇପଡିଥିବା ଏହାର ଭଗ୍ନାବଶେଷ ଦେଖିବାକୁ ମିଳିଛି । ଫଟୋରେ ବ୍ଲୁ ଡଟ୍ସ୍‌ଗୁଡିକୁ ବିକ୍ରମର ଭଗ୍ନାବଶେଷଭାବେ ଦର୍ଶାଯାଇଥିବାବେଳେ ଚନ୍ଦ୍ରପୃଷ୍ଠରେ ଏହା ପଡିିବା ପରେ ହୋଇଥିବା ପରିବର୍ତ୍ତନକୁ ମଧ୍ୟ ଦେଖାଯାଇଛି । ‘ଏସ’ ଅକ୍ଷର ଦ୍ୱାରା ନାସା ଏହି ପରିବର୍ତ୍ତନକୁ ଦର୍ଶାଇଛି । ଏହି ସନ୍ଧାନ ପାଇଁ ନାସା ଭାରତୀୟ ଇଞ୍ଜିନିୟର ଶନମୁଗ ସୁବ୍ରମଣ୍ୟମଙ୍କୁ ଧନ୍ୟବାଦ ଜଣାଇଛି ।
ଏହା ପୂର୍ବରୁ ଗତ ସେପ୍ଟେମ୍ବର ୨୬ରେ ନାସା ଏଲଆରଓ ନିକଟରୁ ମିଳିଥିବା କିଛି ଫଟୋ ଜାରି କରିଥିଲା । ପରେ ଲୋକଙ୍କୁ ଚନ୍ଦ୍ରପୃଷ୍ଠରେ ଲ୍ୟାନ୍ଦର ବିକ୍ରମ ଧକ୍କା ହେବା ପରର ଏବଂ ପୂର୍ବର ସ୍ଥିତି ତୁଳନା କରିବାକୁ ଆହ୍ୱାନ୍‌ ଦିଆଯାଇଥିଲା । ଶନମୁଗ ସୁବ୍ରମଣ୍ୟମ ବହୁ ପରିଶ୍ରମ କରି ଫଟୋରେ ଭଗ୍ନାବଶେଷକୁ ଚିହ୍ନଟ କରିବା ପରେ ନାସାର ଏଲଆରଓ ପୋଜେକ୍ଟ ସହ ସଂପର୍କ କରିଥିଲେ । ସେ ଦେଇଥିବା ସୂଚନା ଆଧାରରେ ଏଲଆରଓ ଟିମ୍‌ ଚନ୍ଦ୍ରପୃଷ୍ଠରେ ବିକ୍ରମ ଧକ୍କା ହେବା ପୂର୍ବର ଏବଂ ପରର ଫୁଟେଜକୁ ବିଶ୍ଲେଷଣ କରିଥିଲେ । ଏହାପରେ ଚନ୍ଦ୍ରରେ ପଡିଥିବା ଭଗ୍ନାବଶେଷ ଚନ୍ଦ୍ରାୟାନ-୨ର ବିକ୍ରମ ଲ୍ୟାନ୍ଦର ଥିବା ସ୍ପଷ୍ଟ ହୋଇଥିଲା ।
ଶନମୁଗ ସୁବ୍ରମଣ୍ୟମ ଗଣମାଧ୍ୟମକୁ କହିଛନ୍ତି ଯେ, ବିକ୍ରମ ଲ୍ୟାନ୍ଦରର ହାର୍ଡ ଲ୍ୟାନ୍ଦିଂ ଘଟଣା ମୋ ଭିତରେ ଚନ୍ଦ୍ରପୃଷ୍ଠ ନେଇ ରୁଚି ଜାଗ୍ରତ କରିଥିଲା । ଏହି କାରଣରୁ ମୁଁ ଗତ କିଛି ଦିନ ଧରି ଚନ୍ଦ୍ରପୃଷ୍ଠର ଫଟୋଗୁଡିକୁ ସ୍କାନ୍‌ କରୁଥିଲି ଏବଂ ଦିନେ ଏଥିରେ ମୋତେ କିଛି ସକରାତ୍ମକ ଜିନିଷ ଦେଖାଯାଇଥିଲା । ବିକ୍ରମ ଲ୍ୟାନ୍ଦରର ଶେଷ ଭେଲୋସିଟୀ ଏବଂ ଏହାର ସ୍ଥିତିର ସମୀକ୍ଷା ପରେ ମୁଁ ଭଗ୍ନାବଶେଷ ଖୋଜିବା ଅଞ୍ଚଳକୁ ପରିବର୍ତ୍ତନ କରିଥିଲି । ଯେଉଁଠାରେ ବିକ୍ରମ ଲ୍ୟାନ୍ଦ କରିବାକୁ ଥିଲା, ସେହି ସ୍ଥାନରୁ କିଛି ଦୂରରେ ଏକ ଧଳା ବିନ୍ଦୁ ମୁଁ ଦେଖିବାକୁ ପାଇଥିଲି । ଏହି ବିନ୍ଦୁ ସ୍ପଷ୍ଟ ନଥିଲା । ଭାବିଥିଲି ଲ୍ୟାନ୍ଦର ଚନ୍ଦ୍ରପୃଷ୍ଠରେ ଧକ୍କା ହେବା ପରେ ଏହା ମାଟି ଭିତରେ ପଶିଯାଇଛି । ଏହାପରେ ଶନମୁଗ ନିଜର ସନ୍ଧାନ ବିଷୟରେ ନାସା ବୈଜ୍ଞାନିକଙ୍କୁ କହିଥିଲେ । ପରେ ବୈଜ୍ଞାନିକମାନେ ଯେତେବେଳେ ବିକ୍ରମ କ୍ରାସ୍‌ ହେବା ପରେ ନିଆଯାଇଥିବା ଫଟୋ ସହ ପୂର୍ବର କିଛି ଫଟୋ ତୁଳନା କରିଥିଲେ, ସେତେବେଳେ ସେମାନେ ଫରକ୍‌ ଜାଣିବାକୁ ପାଇଥିଲେ । ବିକ୍ରମ ଲ୍ୟାନ୍ଦର ନିଜ ଧାର୍ଯ୍ୟ ସ୍ଥଳଠାରୁ ପାଖାପାଖି ୨୫୦୦ ଫୁଟ୍‌ ଦୂରରେ ଛିଟିକି ପଡିଥିଲା ବୋଲି ଏହି ଗବେଷଣାରୁ ଜାଣିବାକୁ ମିଳିଥିଲା । ନାସା ପକ୍ଷରୁ ତାଙ୍କୁ ଇମେଲ୍‌ ମାଧ୍ୟମରେ ଧନ୍ୟବାଦ ଜଣାଯାଇଛି ବୋଲି ଶନମୁଗ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*