ଭାଜପା ସହ ଆସିବା ପରେ ଅଜିତ୍‌ ପାୱାରଙ୍କ ବିରୋଧରେ ଥିବା ୯ ମାମଲା ବନ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କୁ ମହାରାଷ୍ଟ୍ରର ୭୦ହଜାର କୋଟି ଟଙ୍କାର ଜଳସେଚନ ଘୋଟାଲାରେ ବଡ ଆଶ୍ୱସ୍ତି ମିଳିଥିବା କୁହାଯାଉଛି । ଜଳସେଚନ ଘୋଟାଲାର ୯ଟି ମାମଲାକୁ ବନ୍ଦ କରିଦେଇଛି ଦୁର୍ନୀତି ନିରୋଧ ବୁ୍ୟରୋ(ଏସିବି) । କୁହାଯାଉଛି ଯେ, ଭାଜପା ସହ ଆସି ଅଜିତ୍‌ ପାୱାର ଧୀରେ ଧୀରେ ‘କ୍ଳିନ୍‌’ ହେଉଛନ୍ତି । ଅର୍ଥାତ୍‌ ଭାଜପାକୁ ସମର୍ଥନ କରିବା ବଦଳରେ ଅଜିତ୍‌ ସଂଶ୍ଲିଷ୍ଟ ଥିବା କିଛି ମାମଲା ବନ୍ଦ କରିଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏପ୍ରକାର ଚର୍ଚ୍ଚାକୁ ଏସିବି ଖନ୍ଦନ କରିଛି । ଯେଉଁ ମାମଲାଗୁଡିକ ବନ୍ଦ ହୋଇଛି ତାହା ସହ ଅଜିତ୍‌ ପାୱାରଙ୍କ କୌଣସି ସଂପର୍କ ନାହିଁ । ମହାରାଷ୍ଟ୍ରରେ ହୋଇଥିବା ୭୦ହଜାର କୋଟିର ଜଳସେଚନ ଦୁର୍ନୀତିର ପାଖାପାଖି ୩୦୦୦ ପ୍ରକଳ୍ପ ତଦନ୍ତ ପରିସରଭୁକ୍ତ ହୋଇଥିଲା । ଏଥିମଧ୍ୟରୁ ୯ଟିକୁ ପ୍ରମାଣ ଅଭାବରୁ ବନ୍ଦ କରିଦିଆଯାଇଛି ବୋଲି ଏସିବି ପକ୍ଷରୁ କୁହାଯାଇଛି । ସେହିପରି ଏପର୍ଯ୍ୟନ୍ତ ଯେଉଁ ଟେନ୍ଦରଗୁଡିକର ଯାଞ୍ଚ କରାଯାଇଛି, ସେଥିରେ ଅଜିତ୍‌ ପାୱାରଙ୍କ ବିରୋଧରେ କିଛି ବି ମିଳିନାହିଁ ବୋଲି ଏସିବି କହିଛି ।
ଅଜିତ୍‌ ପାୱାରଙ୍କୁ କିଛି ମାମଲାରେ କ୍ଳିନ୍‌ଚିଟ୍‌ ମିଳିବା କ୍ଷଣି କଂଗ୍ରେସକୁ ମୋଦୀ ସରକାରଙ୍କ ଉପରେ ହମଲା କରିବାର ମଉକା ମିଳିଯାଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍‌ କରି କହିଥିଲେ ଯେ, ଅଜିତ୍‌ ପାୱାରଙ୍କ ଦ୍ୱାରା ମହାରାଷ୍ଟ୍ର ପ୍ରଜାତନ୍ତ୍ରକୁ ଲୁଟିବା ଅଧ୍ୟାୟର ପ୍ରକୃତ ସତ୍ୟ ଉଜାଗର ହୋଇଛି । ଏକ ବେଆଇନ୍‌ ସରକାର ଦ୍ୱାରା ଏସିବିକୁ ସବୁ ମାମଲା ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏଠାରେ ‘ଖାଏଙ୍ଗେ, ଖିଲାଏଙ୍ଗେ’ ଧାରା ଚାଲିଛି । କାରଣ ଏଠାରେ ସଚ୍ଚୋଟତା ପ୍ରତି ‘ଜିରୋ ଟଲେରାନ୍ସ’ ହେଉଛି ସରକାରଙ୍କ ନୀତି । ମୋଦୀ ହେ ତୋ ମୁମକିନ୍‌ ହେ ବୋଲି ସୁରଜେୱାଲା ଭାଜପାକୁ ଟାର୍ଗେଟ କରି କହିଛନ୍ତି ।
ପ୍ରକାଶ ଥାଉ କି, ଅଜିତ୍‌ ପାୱାର ହଜାର ହଜାର କୋଟି ଟଙ୍କାର ଜଳସେଚନ ଘୋଟାଲାର ଅଭିଯୁକ୍ତ ଅଟନ୍ତି । ଏହି ପ୍ରସଙ୍ଗରେ ଭାଜପା ଅନେକ ଥର ରାକପାକୁ ଘେରିସାରିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ନିଜେ ମଧ୍ୟ ଅଜିତ୍‌ଙ୍କୁ ଜେଲ୍‌ ପଠାଇବାର କଥା କହିସାରିଛନ୍ତି । ୨୦୧୦ ମସିହାରେ, ମହାରାଷ୍ଟ୍ରରେ କଂଗ୍ରେସ-ରାକପା ସରକାରରେ ଅଜିତ୍‌ ପାୱାର ଉପ-ମୁଖ୍ୟମନ୍ତ୍ରୀ ବନିଥିଲେ । ହେଲେ ଏହାର ୨ ବର୍ଷ ପରେ ଜଳସେଚନ ପ୍ରକଳ୍ପାରେ ଘୋଟାଲା ହୋଇଥିବା ଅଭିଯୋଗ ଆସିବା ପରେ ସେ ପଦରୁ ଇସ୍ତଫା ଦେଇଥିଲେ । ପରେ ୨୦୧୮ ମସିହାରେ ଏସିବି ଅଜିତ୍‌ ପାୱାରଙ୍କୁ ରାଜ୍ୟର ୭୦ହଜାର କୋଟିର କଥିତ ଜଳସେଚନ ଘୋଟାଲାରେ ଆରୋପୀ ବୋଲି ଦର୍ଶାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*