ଭାଜପା-ଶିବସେନା ମେଣ୍ଟକୁ ମହାରାଷ୍ଟ୍ରରେ ବହୁମତ ହରିଆନାରେ ଝୁଲା ବିଧାନସଭା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ରୋଚକ ଦିଗଟି ହେଉଛି ସାଧାରଣ ଭୋଟରଙ୍କ ଚକିତ କରିଦେଲା ଭଳି କ୍ଷମତା । ସେମାନଙ୍କ ମୁଡ୍‌କୁ ପରଖି ଥିବାର ଯେତେ ଦାବି ରାଜନେତାମାନେ କରୁଥିଲେ ମଧ୍ୟ ଶେଷରେ ପାଣିପାଗ ବିଗାଡ଼ିଦେବାର ବଡ଼ ଶକ୍ତି ରଖିଥା’ନ୍ତି ସାଧାରଣ ଭୋଟର । ଏକ୍‌ଜିଟ ପୋଲ୍‌ ନାଁରେ ନିଜକୁ ନିର୍ବାଚନ ବିଶେଷଜ୍ଞ ବୋଲାଇ ଯେଉଁସବୁ ତଥ୍ୟ ବଜାରକୁ ଛଡ଼ାଯାଏ ତାହାକୁ ହାସ୍ୟାସ୍ପଦ ସ୍ଥିତିରେ ପହଞ୍ଚାଇବାର ତାକତ୍‌ ବି ରଖନ୍ତି ସାଧାରଣ ଭୋଟର । ଗୁରୁବାର ମହାରାଷ୍ଟ୍ର ଓ ହରିଆନାର ବିଧାନସଭା ନିର୍ବାଚନ ସାଙ୍ଗକୁ ଅନ୍ୟ ୧୭ଟି ରାଜ୍ୟରେ ଉପନିର୍ବାଚନର ଫଳାଫଳ ଘୋଷିତ ହୋଇଥିଲା ବେଳେ ଏହି ସାଧାରଣ ଭୋଟରର କ୍ଷମତା ପୁଣି ପ୍ରମାଣିତ ହୋଇଛି । ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମେଣ୍ଟ କ୍ଷମତାକୁ ଫେରୁଥିଲା ବେଳେ ହରିଆନାରେ ବଡ଼ ଦଳ ଭାଜପା ବନିଥିଲେ ମଧ୍ୟ ସରକାର ଗଠନ ପାଇଁ ବେଶ୍‌ କସରତ କରିବାକୁ ପଡ଼ିବ ଦଳକୁ ।
ମହାରାଷ୍ଟ୍ରରେ ଭାଜପା- ଶିବସେନା ମେଣ୍ଟ ସରକାର ବନିବା ଏକପ୍ରକାର ସ୍ଥିର ହୋଇଯାଇଛି । ଖବର ଲେଖା ହେଲା ବେଳକୁ ଦୁଇ ଦଳ ମିଳିତଭାବେ ୧୬୩ ଆସନରେ ଆଗୁଆ ରହିଥିବା ଜଣାପଡିଛି । ଏଠାରେ ବହୁମତ ସାବ୍ୟସ୍ତ ପାଇଁ ୧୪୫ ଆସନ ଆବଶ୍ୟକ ହେଉଥିବାବେଳେ ଏହାକୁ ଅକ୍ତିଆର କରିସାରିଛନ୍ତି ଭାଜପା-ଶିବସେନା । ଏହାସତ୍ତ୍ୱେ ଏଥର ନିର୍ବାଚନରେ ଭାଜପା ଯେତେ ଭଲ ପ୍ରଦର୍ଶନ କରିବା ସକାଶେ ଆଶା କରିଥିଲା, ତାହା ହାସଲ କରିପାରିନାହିଁ । ଚଳିତ ଥର ଭାଜପା ଗତ ଥର ବିଜୟଲାଭ କରିଥିବା ସଂଖ୍ୟାକୁ ଛୁଇଁ ମଧ୍ୟ ପାରିନାହିଁ । ଭାଜପା ପାଖାପାଖି ୧୦୩ଟି ସିଟ୍‌ରେ ଜିତିବାକୁ ଯାଉଛି, ଯାହାକି ଗତ ଥର ଠାରୁ ପ୍ରାୟ ୨୦ଟି ଆସନ କମ୍‌ । ଅପରପକ୍ଷେ ସହଯୋଗୀ ଶିବସେନା ନିର୍ବାଚନ ପରିଣାମ ନେଇ ଖୁବ୍‌ ସନ୍ତୁଷ୍ଟ ଥିବା ଦେଖାଯାଇଛି । ଖବର ଲେଖା ହେଲା ବେଳକୁ ଶିବସେନା ୫୬ଟି ଆସନରେ ବିଜୟୀ ହୋଇସାରିଥିବାବେଳେ ୨ଟିରେ ଆଗୁଆ ଥିଲା । ନିର୍ବାଚନରେ ଭଲ ଫଳ ଆସିବା ଦେଖି ଶିବସେନା ଏବେ ସହଯୋଗୀ ଭାଜପାକୁ ୫୦-୫୦ ଫର୍ମୁୁଲାର କଥା ମଧ୍ୟ ମନେ ପକାଇ ଦେଇଛି ।
ଅନ୍ୟପଟେ କଂଗ୍ରେସ-ରାକପା ମେଣ୍ଟ ମଧ୍ୟ ରାଜ୍ୟରେ ୧୦୩ ଆସନ ଅକ୍ତିଆର କରିଛି । ସବୁଠୁ ବଡ ସଫଳତା ମିଳିଛି ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାକପାକୁ । ରାକପା କଂଗ୍ରେସଠାରୁ ଅଧିକ ଆସନ ଜିତିଥିବାବେଳେ ଶରଦ ପାୱାର ନିଜ ଦମ୍‌ରେ ୫୪ଟି ଆସନ ଜିତିଛନ୍ତି । କଂଗ୍ରେସ ମଧ୍ୟ ଗତ ଥରଠାରୁ ନିଜ ପ୍ରଦର୍ଶନରେ ସୁଧାର ଆଣିଛି । ଏହା ରାଜ୍ୟରେ ୪୬ଟି ଆସନରେ ଜିତିବାରେ ସକ୍ଷମ ହୋଇଛି ।
ଫଡନଭିସ୍‌ ସରକାରଙ୍କ ବହୁ ମନ୍ତ୍ରୀ ପରାଜିତ
ଏଥର ମହାରାଷ୍ଟ୍ରର ବିଭିନ୍ନ ହଟ୍‌ ସିଟରୁ ଫଡନଭିସ୍‌ ସରକାରଙ୍କ ୫ ମନ୍ତ୍ରୀ ପରାଜିତ ହୋଇଛନ୍ତି । ଏମାନେ ହେଲେ- ପଙ୍କଜା ମୁନେ୍ଦ, ରାମ ଶିନେ୍ଦ, ବିଜୟ ଶିବତାରେ, ବାଲା ଭେଗଡେ ଏବଂ ଅର୍ଜୁନ ଖୋତକର ପ୍ରମୁଖ । ପଙ୍କଜା ମୁନେ୍ଦ ରାକପା ନେତା ଡ଼ଦଞ୍ଜୟ ମୁନେ୍ଦଙ୍କଠାରୁ ପରାଜିତ ହୋଇଥିବାବେଳେ ଭାଜପା ପ୍ରାର୍ଥୀଙ୍କୁ ମାତ୍‌ ଦେଇ ବାରମତୀ ଆସନରୁ ରାକପା ନେତା ଅଜିତ ପାୱାର, ଭୋକର ଆସନରୁ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ପ୍ରମୁଖ ବିଜୟୀ ହୋଇଛନ୍ତି । ସେହପିରି ବର୍ଲି ଆସନରୁ ଆଦିତ୍ୟ ଠାକରେ ଏବଂ ନାଗପୁର ପଶ୍ଚିମ ଆସନରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ପ୍ରମୁଖ ବିଜୟୀ ହୋଇଛନ୍ତି ।
ଭାଜପାକୁ ଆଖି ଦେଖାଉଛି ସେନା
ନିର୍ବାଚନ ପୂର୍ବରୁ ଭାଜପାଠାରୁ କମ୍‌ ଆସନରେ ଲଢିବାକୁ ରାଜି ହୋଇଥିବା ଶିବସେନା ଏବେ ଏହାକୁ ଆଖି ଦେଖାଉଛି । ନିର୍ବାଚନରେ ୧୬୨ ଆସନରେ ଲଢିଥିବା ଭାଜପାର ବିଜୟଧାରା ୧୦୧-୧୦୫ ଆସନ ମଧ୍ୟରେ ଅଟକି ଯିବ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଶିବସେନା ୫୬ ଆସନରେ ବିଜୟୀ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିବସେନା ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ଉପରେ ଚାପ ପ୍ରୟୋଗ କରିବ । ନିର୍ବାଚନ ଜିତିବା ପରେ ଉଦ୍ଧବ ଠାକରେ ମଧ୍ୟ ନିଜ ପ୍ରତିକ୍ରିୟାରେ ସେ ନିର୍ବାଚନ ପୂର୍ବରୁ ଶାହାଙ୍କ ସହ ହୋଇଥିବା ୫୦-୫୦ ଫର୍ମୁଲା ଲାଗୁ କରାଯିବାର ସମୟ ଆସିଯାଇଛି ବୋଲି କହିଥିଲେ । ଆମେ ଏହି ଫର୍ମୁଲାରେ କୌଣସି ପ୍ରକାର ବୁଝାମଣା କରିବାକୁ ପ୍ରସ୍ତୁତ ନହୁଁ ବୋଲି ସେ କହିଥିଲେ । ସୂଚନା ଅନୁସାରେ ୫୦-୫୦ ଫର୍ମୁଲା ହେଉଛି ସେହି ଫର୍ମୁଲା, ଯାହା ଭାଜପା ଏବଂ ଶିବସେନାର ପ୍ରାର୍ଥୀକୁ ଅଢେଇ ବର୍ଷ କାଳ ମୁଖ୍ୟମନ୍ତ୍ରୀ ବନାଇବ । ଯଦି ଏହା ସମ୍ଭବ ହୁଏ, ତେବେ ଠାକରେ ପରିବାରର ପ୍ରଥମ ସଦସ୍ୟଭାବେ ବିଧାନସଭା ନିର୍ବାଚନ ଲଢିଥିବା ଆଦିତ୍ୟ ଠାକରେ ମଧ୍ୟ ମୁଖ୍ୟମନ୍ତ୍ରୀ ବନିବାର ସମ୍ଭାବନା ରହିଛି ।
ଫଡନଭିସ୍‌ କହିଲେ ୧୫ ବିଧାୟକ ଯୋଗାଯୋଗରେ ଅଛନ୍ତି
ଗୋଟିଏ ପଟେ ଶିବସେନା ସରକାର ଗଢିବା ନେଇ ୫୦-୫୦ ଫର୍ମୁଲା ଲାଗୁ କରିବାକୁ ଅଡି ବସିଥିବାବେଳେ ଫଡନଭିସ୍‌ ମଧ୍ୟ ତାଙ୍କ ସହ ୧୫ ସ୍ୱାଧୀନ ବିଧାୟକ ଯୋଗାଯୋଗରେ ଥିବା କଥା କହି ସେନାକୁ ଚୁପ୍‌ କରାଇବାକୁ ଚେଷ୍ଟା କରିଛନ୍ତି । ଅବଶ୍ୟ ସେ ରାଜ୍ୟରେ ଭାଜପା-ଶିବସେନା ମେଣ୍ଟ ସରକାର ଗଢିବ ବୋଲ ସେ ସ୍ପଷ୍ଟ କରିଛନ୍ତି । ୨୦୧୪ ତୁଳନାରେ ଚଳିତ ଥର ଦଳର ଭୋଟ୍‌ ସେୟାର ବୃଦ୍ଧି ପାଇଛି । ହେଲେ ଏହା ଚଳିତ ଥର କିଛି ଆସନ ହରାଇଛି । କିନ୍ତୁ ୨୦୧୪ରେ ଭାଜପା ୨୬୦ ଆସନରେ ନିର୍ବାଚନ ଲଢିଥିବାବେଳେ ତନ୍ମଧ୍ୟରୁ ୧୨୨ଟି ଜିତିଥିଲା । ହେଲେ ଚଳିତ ଥର ଦଳ ୧୬୨ ଆସନରେ ନିର୍ବାଚନ ଲଢିଥିଲା ବୋଲି କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌ ରାଜ୍ୟବାସୀଙ୍କୁ ପୁଣିଥରେ ସରକାର ଗଢିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ ।
ରାକପାର ଉତ୍ତମ ପ୍ରଦର୍ଶନ
କୌଣସି ଏକ ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ଏକ ଦଳ ସତ୍ତା ତାର ସତ୍ତା ହରାଇଛି ବୋଲି କୁହାଯାଇପାରିବ ନାହିଁ । ଭରାଠା ଟାଇଗର ଭାବେ ପରିଚିତ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଦଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ ପ୍ରଦର୍ଶନ ଦ୍ୱାରା ଏହା ସାବ୍ୟସ୍ତ କରିଛନ୍ତି । ନିର୍ବାଚନ ପୂର୍ବରୁ ଏବଂ ଏକଜିଟ୍‌ ପୋଲ୍‌ରେ ରାକପା ଏଥର ଭଲ ପ୍ରଦର୍ଶନ କରିବ ନାହିଁ ବୋଲି କୁହାଯାଉଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ସହଯୋଗୀ ଦଳ କଂଗ୍ରେସର ନେତୃବର୍ଗ ମହାରାଷ୍ଟ୍ରରେ ପ୍ରଚାର କାର୍ଯ୍ୟରେ ଅଧିକ ଉତ୍ସାହ ମଧ୍ୟ ଦେଖାଇନଥିଲେ । ନିଜର ଦଳର ନେତାଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢାଉ ଏବଂ ଦଳରେ ଅଭା୍ୟନ୍ତରୀଣ କନ୍ଦଳ ମଧ୍ୟ ପାୱାରଙ୍କ ପାଇଁ ମୁନ୍ଦବ୍ୟଥାର କାରଣ ହୋଇଥିଲା । ହେଲେ ଏସବୁ ପରିସ୍ଥିତି ମଧ୍ୟରେ ଶରଦ ପାୱାର ନିଜକୁ ଦୃଢଭାବେ ଛିଡା କରାଇଥିଲେ ଏବଂ ନିଜ ଦମ୍‌ରେ ପ୍ରଚାର କାର୍ଯ୍ୟ କରିଥିଲେ । ଏପରିକି ୭୯ ବର୍ଷୀୟ ପାୱାରଙ୍କୁ ବର୍ଷାରେ ଭିଜି ଭିଜି ପ୍ରଚାର କାର୍ଯ୍ୟ କରିବାର ମଧ୍ୟ ଦେଖାଯାଇଥିଲା । ନିର୍ବାଚନ ପ୍ରଚାରବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍‌ ଶାହା ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ।
ଶରଦ ପାୱାରଙ୍କ ଶକ୍ତିର ଆକଳନ ମଧ୍ୟ ବାରମତୀ ଆସନରୁ ତାଙ୍କର ପୁତୁରା ଅଜିତ୍‌ ପାୱାର ୧,୪୦,୦୦୦ରୁ ଊଦ୍ଧ୍ୱର୍ ଭୋଟ୍‌ରେ ଜିତିବା ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ନିଜ ପରିବାରର ଗଡ ବାରାମତୀ ବିଧାନସଭା ଆସନରୁ ରାକପାକୁ ୮୪%ରୁ ଅଧିକ ଭୋଟ୍‌ ମିଳିଛି । ଏଠାରେ ଛିଡା ହୋଇଥିବା ଅନ୍ୟ ସମସ୍ତ ପ୍ରାର୍ଥୀ ନିଜ ଅମାନତ ହରାଇଥିବା ଜଣାପଡିଛି । ଗତ ନିର୍ବାଚନରେ ୪୧ ଆସନ ଜିତିଥିବା ରାକପା ଏଥର ୫୪ଟି ଆସନରେ ବିଜୟୀ ହୋଇଛି ।
ଠାକରେ ପରିବାରର ପ୍ରଥମ ସଦସ୍ୟଭାବେ ବିଧାନସଭା ନିର୍ବାଚନ ଜିତିଲେ ଆଦିତ୍ୟ
ଠାକରେ ପରିବାରରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ନିର୍ବାଚନରେ ବିଜୟଲାଭ କରିଛନ୍ତି । ୟୁବ ସେନା ମୁଖ୍ୟ ଆଦିତ୍ୟ ଠାକରେ(୨୯) ୱର୍ଲି ଆସନରେ ରାକପା ପ୍ରାର୍ଥୀ ସୁରେଶ ମାନେଙ୍କୁ ୭୦ହଜାର ଭୋଟ୍‌ ବ୍ୟବଧାନରେ ହରାଇ ଦେଇଛନ୍ତି । ଏବାବଦରେ ଫଳାଫଳ ଘୋଷଣା ହେବା ପରେ ବାପା ଉଦ୍ଧବ ଠାକରେ ଆଦିତ୍ୟଙ୍କ ପାଇଁ ସେ ଗର୍ବିତ ବୋଲି କହିଛନ୍ତି । ଆଗକୁ ଅନେକ ଆଲୋଚନା ହେବାର ଅଛି ଏବଂ ଏହା ପରେ ଯାଇ କିଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ ଠାକରେ କହିଥିଲେ । ସେହିପରି ଆଦିତ୍ୟ ଲୋକମାନେ ମୋତେ ଆଶୀର୍ବାଦ ଦେଇଥିବାରୁ ଏବଂ ମୋତେ ଏତେସଂଖ୍ୟକ ଭୋଟ୍‌ରେ ଜିତାଇଥିବାରୁ ମୁଁ ଖୁସି ବୋଲି ଆଦିତ୍ୟ ଠାକରେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*