ଭାଜପା-ଶିବସେନା: ଭଙ୍ଗା ଗଢା ଗଠବନ୍ଧନ ଇତିହାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail
  • ୧୯୮୯ରେ ଏକାଠି ଆସିଥିଲେ ଭାଜପା-ଶିବସେନା
  • ୧୯୯୫ରେ ମହାରାଷ୍ଟ୍ରରେ ବନାଇଥିଲେ ଗଠବନ୍ଧନ ସରକାର
  • ବାଜପେୟୀ ସରକାରରେ ମଧ୍ୟ ସାମିଲ ଥିଲା ଶିବସେନା
  • ୨୦୦୪-୨୦୧୪ ଉପାସରକାର ସମୟରେ ଏକାଠି ବିରୋଧୀ ଦଳର ଦାୟିତ୍ୱ ତୁଲାଇଥିଲେ
  • ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାଠି ଲଢିଥିଲେ

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲଢେଇ କାରଣରୁ ଭାଙ୍ଗି ଯାଇଛି ଭାଜପା-ଶିବସେନାର ୩୦ବର୍ଷର ଗଠବନ୍ଧନ । ତେବେ ଦୁଇଦଳ ମଧ୍ୟରେ ଏହି ଟଣାଓଟରା ପ୍ରଥମ ଥର ପାଇଁ ଘଟିନାହିଁ । ୧୯୮୯ ମସିହାରେ ଔପଚାରିକ ଭାବେ ଦୁଇଦଳ ଏକାଠି ଆସିବା ପରେ ଏପରି ଅନେକ ଘଟଣାକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ମନ ମନାନ୍ତର ଓ ମତଭେଦ ଦେଖିବାକୁ ମିଳିଛି ।
ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେ ୧୯୮୯ରେ ଭାଜପା ସହ ଗଠବନ୍ଧନ କରିଥିଲେ । ଭାଜପା ପକ୍ଷରୁ ସ୍ୱର୍ଗତ ପ୍ରମୋଦ ମହାଜନ ଏହି ଗଠବନ୍ଧନରେ ମୁଖ୍ୟ ଭୂମିକା ତୁଲାଇଥିଲେ । ଦୁଇଦଳ ୧୯୮୯ ଲୋକସଭା ନିର୍ବାଚନ ଏବଂ ୧୯୯୦ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏକାଠି ଲଢିଥିଲେ । ଆଉ ଦୁଇଦଳଙ୍କର ଲୋକପି୍ରୟତା ଏବଂ ଜନମତ ବଢିବାରେ ଲାଗିଥିଲା ।
ଗଠବନ୍ଧନରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲଢିବା ପରେ ୧୯୯୧ରେ ବିଏମସି ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇଦଳ । ଆସନ ବୁଝାମଣା ନେଇ ଶିବସେନା ସହମତ ନହେବାରୁ ଭାଜପା ସହ ଭାଙ୍ଗିଥିଲା ଗଠବନ୍ଧନ । ଏଥିରେ ଅସନ୍ତୁଷ୍ଟ ହୋଇ ଛଗନ ଭୂଜବଳ ଶିବସେନା ଛାଡିଥିଲେ । ଯାହାକୁ ନେଇ ବଡ଼ କ୍ଷୁବ୍ଧ ଥିଲେ ବାଲା ସାହେବ ।
୧୯୯୫ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠୁ ବଡ଼ ଦଳ ଭାବେ ଆଗକୁ ଆସିଥିଲା । ଦ୍ୱିତୀୟ ସ୍ଥାନରେ ଶିବସେନା ଏବଂ ତୃତୀୟ ସ୍ଥାନରେ ଥିଲା ଭାଜପା । ପରେ ଭାଜପା ଏବଂ ଶିବସେନା ମିଳିତ ଭାବେ ସରକାର ବନାଇଥିଲେ ।
ମହାରାଷ୍ଟ୍ର ବାହାରେ ମଧ୍ୟ ଅର୍ଥାତ୍‌ କେନ୍ଦ୍ର କ୍ଷମତାରେ ମଧ୍ୟ ଶିବସେନା ଭାଜପା ସହ ରହିଛି । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଗଠିତ ଏନ୍‌ଡିଏ ସରକାରରେ ଶିବସେନା କୋଟାରୁ ଦୁଇ କ୍ୟାବିନେଟ୍‌ ଏବଂ ଜଣେ ରାଜ୍ୟ ମନ୍ତ୍ରୀ ରହିଥିଲେ । ତେବେ ଶ୍ରମସଂସ୍କାର, ମନ୍ଦିର ଏବଂ ୩୭୦ ପ୍ରସଙ୍ଗରେ ଶିବସେନା ନିୟମିତ ସମାଲୋଚନା କରୁଥିଲା ଭାଜପାକୁ ।
୧୯୯୯ ପରେ ମହାରାଷ୍ଟ୍ରରେ ଶିବସେନା ଏବଂ ଭାଜପା ବିରୋଧୀ ଦଳରେ ରହିଥିଲେ । ସେତେବେଳେ ସେମାନେ କେହି କାହାକୁ ଛାଡି ନଥିଲେ । କଂଗ୍ରେସ ନେତୃତ୍ୱରେ ଗଠିତ ଉପାସରକାରରେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଏହି ଦୁଇଦଳ ମିଳିତ ଭାବେ ବିରୋଧୀ ଦଳର ଭୂମିକା ତୁଲାଇ ଆସିଥିଲେ । ତେବେ ୨୦୧୪ ନିର୍ବାଚନରେ ଦୁଇ ଦଳ ଅଲଗା ଲଢିଥିଲେ ।
୨୦୧୨ରେ ଶିବସେନା ସଂସ୍ଥାପକ ବାଲା ସାହେବଙ୍କ ପରଲୋକ ହୋଇଥିଲା । ଆଉ ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ସହ ଶିବସେନାର ତାଳମେଳ ହେଲାନାହିଁ । ଦୁଇଦଳ ଅଲଗା ନିର୍ବାଚନ ଲଢିବେ । ତେବେ ନିର୍ବାଚନ ପରେ ଶିବସେନା ଭାଜପା ସରକାରରେ ସାମିଲ ହେଲା ଏବଂ କେନ୍ଦ୍ରରେ ମଧ୍ୟ ମୋଦୀ ସରକାରରେ ସହଯୋଗୀ ରହିଥିଲା । ଏହି ସମୟରେ ମଧ୍ୟ କୃଷକ,ନୋଟବନ୍ଦୀ, ଜିଏସଟି ଆଦି ପ୍ରସଙ୍ଗରେ ଶିବସେନା ଖୋଲାଖୋଲି ସମାଲୋଚନା କରିଆସିଥିଲା ମୋଦୀ ସରକାରଙ୍କୁ । ୨୦୧୮ରେ ଶିବସେନା ମୁଖିଆ ଉଦ୍ଧବ ଠାକରେ କହିଥିଲେ ଯେ, ଆମେ ଆଉ କେବେ ବି ଭାଜପା ସହ ଗଠବନ୍ଧନ କରିବୁ ନାହିଁ । ହେଲେ ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ଫେବୃଆରୀ ୨୦୧୯ରେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଓ ସମାନ କ୍ଷମତା ନେଇ ଆଲୋଚନା ପରେ ଗଠବନ୍ଧନ ହୋଇଥିଲା ।
ଦୁଇଦଳ ୨୦୧୯ ଲୋକସଭା ନିର୍ବାଚନ ମିଳିତ ଭାବେ ଲଢିଥିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଶିବସେନାର କୋଟାରୁ ମାତ୍ର ଜଣଙ୍କୁ ଅର୍ଥାତ୍‌ ଅରବିନ୍ଦ ସାୱନ୍ତଙ୍କୁ ମନ୍ତ୍ରିମନ୍ଦଳରେ ସାମିଲ କରାଯାଇଥିଲା । ଭାଜପାକୁ ଲୋକସଭା ନିର୍ବାଚନରେ ଜବରଦସ୍ତ ବିଜୟ ମିଳିଥିବା କାରଣରୁ ଚାହିଁକରି ମଧ୍ୟ ଶିବସେନା ଏହି ଭାଗିଦାରୀକୁ ଚ୍ୟାଲେଞ୍ଜ କରିପାରିନଥିଲା । ହେଲେ ଯେତେବେଳେ ବିଧାନସଭା ନିର୍ବାଚନ ଆସିଲା ସେତେବେଳେ ଟିକଟ ବଣ୍ଟନକୁ ନେଇ ଶିବସେନା ଭାଜପାକୁ ଦେଖାଇଥିଲା ନିଜ ତାକ୍‌ତ୍‌ । ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ବେଶ ଟଣାଓଟରା ଲାଗିଥିଲା । ଗଠବନ୍ଧନକୁ ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲାଗିଥିଲା ସସ୍‌ପେନ୍ସ । ନାମାଙ୍କନ ଦାଖଲ ହେବାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଦୁଇଦଳ ମଧ୍ୟରେ ଫାଇନାଲ ହୋଇଥିଲା ଡିଲ୍‌ । ମାତ୍ର ଶିବସେନା ତା’ ହକ୍‌ ଅନୁସାରେ ଆସନ ପାଇନଥିବାର ଅଭିଯୋଗ ମଧ୍ୟ ଆଣିଥିଲା ।
୨୪ ଅକ୍ଟୋବରରେ ମହାରାଷ୍ଟ୍ର ବିଧାନସଭା ଫଳାଫଳ ଆସିଥିଲା । ଭାଜପା ୧୦୫,ଶିବସେନା ୫୬, ରାକପା ୫୪, କଂଗ୍ରେସ ୪୪ଟି ଆସନ ଜିତିଥିଲା । ତେବେ ଭାଜପାକୁ ସରକାର ଗଠନ ପାଇଁ ଆବଶ୍ୟକୀୟ ଆସନ ମିଳିନଥିବାରୁ ମଉକାର ଫାଇଦା ନେଇ ଶିବସେନା ନିଜ ସର୍ତ୍ତକୁ ଆଗରେ ରଖିଥିଲା । ୫୦-୫୦ ଫୁର୍ମଲାକୁ ଅନ୍ତର୍ଗତ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ମିଳୁବୋଲି ଦାବି କରିଥିଲା ଦଳ । ହେଲେ ଶିବସେନାର ଏହି ଦାବିକୁ ମାନିନାହିଁ ଭାଜପା । ଯେଉଁ କାରଣରୁ ପୁଣି ଥରେ ୩୦ବର୍ଷର ଏହି ଗଠବନ୍ଧନ ଭାଙ୍ଗିଛି ଏବଂ ଦୁଇଦଳ ଅଲଗା ଅଲଗା ରାସ୍ତାରେ ଯିବାର ନିଷ୍ପତ୍ତି ନେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*