ଭାଜପା ଆଗରେ ଏବେ ନୂଆ ଏଜେନ୍ଦା ସ୍ଥିର କରିବାର ବଡ଼ ଚ୍ୟାଲେଞ୍ଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭାଜପାର ଏକ ମୁଖ୍ୟ ପ୍ରସଙ୍ଗ ବହୁ ପୂର୍ବରୁ ରହିଆସିଛି । ଆଜି ଦଳ ଯେଉଁ ସ୍ଥିତିର ପହଞ୍ଚିଛି ତା’ ପଛର ବଡ଼ କାରଣ ହେଉଛି ରାମମନ୍ଦିର ପ୍ରସଙ୍ଗ । ଶନିବାର ସୁପି୍ରମକୋର୍ଟଙ୍କ ନିଷ୍ପତ୍ତି ଭାଜପା କର୍ମକର୍ତ୍ତା ଓ ସମର୍ଥକଙ୍କୁ କିଛି ସମୟ ପାଇଁ ବଡ଼ ଆଶ୍ୱସ୍ତି ଆଣିବ ସତ, ହେଲେ ଦଳ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ ରହିବ ଆଗାମୀ ଯାତ୍ରା ପାଇଁ କେଉଁ ନୂଆ ଏଜେନ୍ଦାକୁ ସ୍ଥିର କରିବା । ଏହି ପ୍ରସଙ୍ଗ ଆଜିର ନୁହେଁ । ଦଳ ଗଠନ ହେବାର କିଛି ବର୍ଷ ପରେ ରାମମନ୍ଦିର ବିଷୟକୁ ଆଗକୁ ଆଣିଥିଲା ଭାଜପା । ଏହାଦ୍ୱାରା ଦଳ ନିଜର ଭିତ୍ତିଭୂମିକୁ ମଜଭୁତ କରିଥିଲା, ସମର୍ଥକମାନଙ୍କୁ ସଙ୍ଗଠିତ କରିବାରେ ସଫଳ ହୋଇଥିଲା । ରାମମନ୍ଦିର ନିର୍ମାଣ ପରେ ଦଳର ଏହି ଏଜେନ୍ଦା ପୁରୁଣା ହୋଇଯିବ ଓ ପଛକୁ ହଟିଯିବ । ତେଣୁ ଦଳକୁ ଏବେ ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହେବାକୁ ପଡିବ ଏଥିରେ କୌଣସି ସନେ୍ଦହ ନାହିଁ ।
ଏହା ସତ ଯେ, ୨୦୧୪ ଲୋକସଭା ନିର୍ବାଚନରେ ଭାଜପା ବିକାଶକୁ ପ୍ରମୁଖ ପ୍ରସଙ୍ଗ କରି କ୍ଷମତାକୁ ଆସିଥିଲା । ୨୦୧୯ ନିର୍ବାଚନରେ ମଧ୍ୟ ଏହି ପ୍ରସଙ୍ଗ ରହିଥିଲା ବେଳେ ଦଳର ଅନ୍ୟ ଏଜେନ୍ଦା ଭିତରେ ଥିଲା ରାମମନ୍ଦିର ନିର୍ମାଣ । ଏବେ ବିକାଶର ଏହି ସଫଳତାର ଯାତ୍ରା କେତେ ଆଗକୁ ଯାଇଛି ତାହା ଉପରେ ଯୁକ୍ତି କରିବା ସଠିକ୍‌ ନୁହେଁ । ମାତ୍ର ଏହା ସତ ଯେ, ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଦଳ ବିକାଶ ସହ ଆଉ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନିଜ ଏଜେନ୍ଦାରେ ସାମିଲ କରିବ । ଏହି ପ୍ରସଙ୍ଗ ରାମମନ୍ଦିର ନିର୍ମାଣକୁ ନେଇ ରହିବ ନାହିଁ । ତେବେ ଏହା କେଉଁ ପ୍ରସଙ୍ଗ ହେବ ତାହା ଦେଖିବା ଦରକାର ।
ଦଳର ଯେଉଁ ନୂଆ ପ୍ରସଙ୍ଗ ଆଗାମୀ ଦିନ ପାଇଁ ରହିବ ତାହା ପୁଣି ଥରେ ଯେ, ଲୋକଙ୍କ ବିଶ୍ୱାସ ଓ ଧାର୍ମିକ ଭାବନାକୁ ନେଇ ରହିବ ତାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଗ୍ରହଣୀୟ ହୋଇନପାରେ । ପୁଣି ଥରେ ବିକାଶର ପ୍ରସଙ୍ଗ ଦଳକୁ ଭିନ୍ନ ପରିସ୍ଥିତିରେ ପକାଇପାରେ । କାରଣ ଦ୍ୱିତୀୟ ପାଳିର ପ୍ରାରମ୍ଭରୁ ଦଳ ଆର୍ଥିକ ମୋର୍ଚ୍ଚାରେ ସଫଳତା ହାସଲ କରିବାରେ କିଛି ମାତ୍ରାରେ ବିଫଳ ହୋଇଛି । ଅଭିବୃଦ୍ଧି କମିଛି, ବେକାରୀ ହାର ବଢିଛି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାର ପ୍ରକି୍ରୟାର ସୁଫଳ ଦେଖିବାକୁ ଏବେ ବାକି ରହିଲା । ଅର୍ଥନୀତି ଆଗକୁ କେଉଁ ଧାରାରେ ଯିବ ତାହା ବର୍ତ୍ତମାନ ଠାରୁ ଆକଳନ କରିବା ଯେହେତୁ ସମ୍ଭବ ନୁହେଁ ସେହି କାରଣରୁ ୨୦୨୪ ନିର୍ବାଚନରେ ଲୋକେ କେଉଁ ପ୍ରସଙ୍ଗରେ, କେଉଁ ସଫଳତାକୁ ଦୃଷ୍ଟିରେ ରଖି ଭୋଟ୍‌ ଦେବେ ତାକୁ ଆକଳନ କରିବା ଦଳ ପାଇଁ ଏବେ ଠାରୁ ଚ୍ୟାଲେଞ୍ଜ ଭରା ରହିବ । ରାମମନ୍ଦିର ପ୍ରସଙ୍ଗ ଆସ୍ଥା ଓ ବିଶ୍ୱାସର ପ୍ରସଙ୍ଗ ଥିବାରୁ ଏଥିରେ ଅଧିକରୁ ଅଧିକ ଲୋକେ ସାମିଲ ହୋଇଥିଲେ । ସଙ୍ଗଠନ ମଜବୁତ ହୋଇଥିଲା, ଦଳ ଆଗକୁ ବଢିଥିଲା ।
ଏବେ ରାୟ ପ୍ରକାଶ ପାଇଛି । ବର୍ତ୍ତମାନ ସରକାରଙ୍କ ଉପରେ ନୂଆ ଚାପ ହେଉଛି ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରିବା । ରାମମନ୍ଦିର ନିର୍ମାଣ ମାହୋଲ କିଛି ସମୟ ପାଇଁ ସରକାରଙ୍କୁ ଆଶ୍ୱସ୍ଥି ଆଣିପାରେ ସତ ହେଲେ ଆଗକୁ ପୁଣି ଥରେ ସେହି ଆର୍ଥିକ ସମସ୍ୟା ଓ ସାମାଜିକ ସମସ୍ୟା ପ୍ରସଙ୍ଗ ଭାବେ ମୁନ୍ଦ ଟେକିବ । ତେଣୁ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଦୂର ହୋଇନାହିଁ । ଅର୍ଥନୀତିର ସ୍ଥିତିକୁ ସୁଧାରିବା ସହ ସାମାଜିକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ନେବାକୁ ପଡିବ କଡ଼ା ପଦକ୍ଷେପ । ବଡ଼ ପ୍ରସଙ୍ଗର ସମୟସୀମା ଶେଷ ହୋଇଯାଇଥିବାରୁ ବିକାଶକୁ ନେଇ କ୍ଷୁବ୍ଧ, ଅସନ୍ତୁଷ୍ଟ ଥିବା ମତଦାତାଙ୍କୁ କିପରି ଦଳ ସହ ଯୋଡି ରଖାଯାଇପାରିବ ତା’ଉପରେ ବିଚାରବିମର୍ଶ କରିବା ପାଇଁ ସମୟ ଆସିଯାଇଛି । ଦେଖାଯାଉ ୨୦୨୪ ବେଳକୁ କେଉଁ ନୂଆ ଏଜେନ୍ଦା ନେଇ ଦଳ ମଇଦାନକୁ ଓହ୍ଲାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*