ଭର୍ତ୍ତୃହରିଙ୍କ ବଦଳରେ ଅନୁଭବ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବଙ୍କୁ ଏଥର ପୁନଃ ମନୋନୀତ କରିନପାରେ ବିଜୁ ଜନତା ଦଳ । ୧୯୯୮ରୁ ଭର୍ତ୍ତୃହରି ସମ୍ମାନଜନକ କଟକ ଆସନରୁ ଲଗାତାର ବିଜଦ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ଏବେ ସେ ଲୋକସଭାରେ ଅଛନ୍ତି ବିଜଦ ଦଳପତି । ତାଙ୍କ ବଦଳରେ ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତିଙ୍କୁ ଟିକଟ ମିଳିପାରେ ବୋଲି ସୂଚନା ମିଳିଛି । ଯଦି ଏହି ସୂଚନା ସତ୍ୟ ହୁଏ, ତେବେ ବିଜୁ ଜନତା ଦଳ ଗଠନ ସହ ସମ୍ପୃକ୍ତ ଅଧିକାଂଶ ବରିଷ୍ଠ ନେତା ଏଥର ଟିକଟ ପାଇବେ ନାହିଁ । ଅବଶ୍ୟ ଅନ୍ୟ ଗୋଟିଏ ମହଲ କଟକ ଆସନ ପାଇଁ ବରିଷ୍ଠ ଆଡ୍‌ଭୋକେଟ୍‌ ଅଶୋକ ପରିଜା ବିଜଦ ପ୍ରାର୍ଥୀ ହୋଇପାରନ୍ତି ବୋଲି କହୁଛନ୍ତି । ତେବେ ଅନୁଭବ ହୁଅନ୍ତୁ କି ଅଶୋକ, ଭର୍ତ୍ତୃହରି ଟିକଟ ପାଉନାହାନ୍ତି ବୋଲି ବିଜଦ ଭିତରେ ଆଲୋଚନା ବଢ଼ିବାରେ ଲାଗିଛି ।
ଭର୍ତ୍ତୃହରି ଜଣେ ଦକ୍ଷ ସାଂସଦ । ଶ୍ରେଷ୍ଠ ସାଂସଦ ପୁରସ୍କାର ମଧ୍ୟ ସେ ପାଇସାରିଛନ୍ତି । ଲୋକସଭା ଆଲୋଚନାରେ ତାଙ୍କ ଯୁକ୍ତି ଅନ୍ୟ ସବୁ ଦଳର ସମ୍ମାନ ହାସଲ କରିସାରିଛି । ତାଙ୍କର ବାଗ୍ମୀତା ଏବଂ ଯୁକ୍ତିକୁ ନେଇ କାହାର ସନେ୍ଦହ ନାହିଁ । କିନ୍ତୁ ଏକାଧିକ ସଂସଦୀୟ ପୁରସ୍କାର ପାଇବା କାରଣରୁ ସନେ୍ଦହୀ ସଭାପତି ନବୀନ ପଟନାୟକ ଖୁସି ନୁହଁନ୍ତି । ଦ୍ୱିତୀୟରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ସେ ସମ୍ବନ୍ଧୀ । ଭାଜପାର ଅନ୍ୟ ନେତାଙ୍କ ସହ ତାଙ୍କର ସମ୍ପର୍କ ଭଲ । ଏହି କାରଣରୁ ତାଙ୍କୁ ଲୋକସଭା ଲାଗି ପୁନର୍ବାର ଟିକଟ ଦେବାକୁ ଚାହୁଁନାହାନ୍ତି ନବୀନ ଏବଂ ତାଙ୍କର ମାର୍ଗ ଦର୍ଶକ ।

ଭର୍ତ୍ତୃହରିଙ୍କୁ ବାଙ୍କୀ ଆସନରୁ ଲଢ଼ାଇବା ପାଇଁ ଏକ ଯୋଜନା ମଧ୍ୟ ଚାଲିଛି । ବାଙ୍କୀ ବିଧାୟକ ପ୍ରଭାତ ତି୍ରପାଠୀ ଭର୍ତ୍ତୃହରିଙ୍କର ଅତି ଘନିଷ୍ଠ । ଚିଟ୍‌ଫନ୍ଦ କାରଣରୁ ପ୍ରଭାତ ଏଥର ଟିକଟ ପାଉ ନାହାନ୍ତି । କିନ୍ତୁ ତାଙ୍କ ପୁଅ ବାଙ୍କୀରୁ ଲଢ଼ିବା ପାଇଁ ଅରାଜି । ଭର୍ତ୍ତୃହରିଙ୍କୁ ବିଧାନସଭା ଆସନ ପାଇଁ ଲଢ଼ାଇ ଦେଲେ ପ୍ରଭାତ ତାଙ୍କୁ ସମର୍ଥନ କରିବେ ବୋଲି ବିଜଦ ନେତୃତ୍ୱ ମନେ କରୁଛନ୍ତି । ଏଥିପାଇଁ ଲୋକସଭା ବଦଳରେ ବିଧାନସଭା ସକାଶେ ଭର୍ତ୍ତୃହରିଙ୍କୁ ଲଢ଼ାଇବା ପ୍ରସ୍ତାବ ଉପରେ ଗୁରୁତ୍ୱର ସହ ବିଚାର କରୁଛନ୍ତି ନବୀନ ପଟନାୟକ ।
ଭର୍ତ୍ତୃହରି ବିଜଦର ଜଣେ ପ୍ରତିଷ୍ଠାତା ସଦସ୍ୟ । ଆସନ୍ତା ଲୋକସଭା ନିର୍ବାଚନରେ ଭୁବନେଶ୍ୱରର ପ୍ରସନ୍ନ ପାଟଶାଣି, ଢେଙ୍କାନାଳର ତଥାଗତ ସତପଥୀ ଏବଂ ସମ୍ବଲପୁରର ନଗେନ୍ଦ୍ର ପ୍ରଧାନଙ୍କୁ ବିଜଦ ଟିକଟ ଦେଇ ନପାରେ ବୋଲି କୁହାଯାଉଥିବା ବେଳେ ଏହି ତାଲିକାରେ ଭର୍ତ୍ତୃହରିଙ୍କୁ ଯୋଡ଼ି ଦିଆଯିବା କାରଣରୁ ନବୀନ ଓ ତାଙ୍କର ମାର୍ଗଦର୍ଶକ ବିଜୁ ଜନତା ଦଳର ସମ୍ପୂର୍ଣ୍ଣ ନବୀକରଣ ଦିଗରେ ଆଗଉଛନ୍ତି ବୋଲି ମନେକରାଯାଉଛି । ଏହାର ପ୍ରଭାବ ଏବଂ ପ୍ରତିଫଳ କ’ଣ ହେବ, ତାହା ନିର୍ବାଚନ ପ୍ରଚାର ବେଳେ ଏବଂ ଭୋଟ୍‌ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିଯିବ ।
ଅନୁଭବ ମହାନ୍ତି ନବୀନଙ୍କ ଅତି ଘନିଷ୍ଠ । କୌଣସି ସମୟରେ ବହୁ ପୂର୍ବରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରନ୍ତି ନାହିଁ ନବୀନ । କିନ୍ତୁ ଅନୁଭବ ଥିଲେ ତାହାର ଏକ ବ୍ୟତିକ୍ରମ । ଅନୁଭବ ଅଭିନେତାରୁ ନେତା ସାଜିଛନ୍ତି ଏବଂ ଦଳର ଜଣେ ତାରକା ପ୍ରଚାରକ ମଧ୍ୟ । ଅନ୍ୟପକ୍ଷରେ ଆଡ୍‌ଭୋକେଟ୍‌ ଅଶୋକ ପରିଜା ତାମିଲ ଖଣି ବେପାରୀ ପ୍ରଭାକରନ୍‌ଙ୍କର ଅତି ଘନିଷ୍ଠ ବୋଲି କୁହାଯାଉଛି । ପ୍ରଭାକରନ୍‌ଙ୍କ ସମ୍ପର୍କ ତୃତୀୟ ମହଲା ସହ ଅଛି । ଖଣି ମାଲିକମାନେ ଏବେ ନବୀନ ସରକାରଙ୍କର ଅତ୍ୟନ୍ତ ଅନୁଗତ ହୋଇପଡ଼ିଛନ୍ତି । ଏହି କାରଣରୁ ଅଶୋକ ବିଜଦ ଟିକଟରେ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*