ବେଙ୍ଗାଲୁରୁ ହିଂସା, ମୁଖ୍ୟମନ୍ତ୍ରୀଙ୍କ ଶାନ୍ତି ଅନୁରୋଧ ,୩ ମୃତ, ୨୫୦ରୁ ଅଧିକ ଗାଡି ପାଉଁଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଙ୍ଗାଲୁରୁ

କରୋନା ସଂକଟ କାଳରେ ଯେତେବେଳେ ସାମାଜିକ ଦୂରତ୍ୱ ଉପରେ ଜୋର ଦିଆଯାଉଛି, ଭିଡ଼ ଓ ଜନଗହଳିରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଉଛି ସେତେବେଳେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି ଅଘଟଣ । ମଙ୍ଗଳବାର ବିଳମ୍ବିତ ରାତିରେ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ କ୍ଷୁବ୍ଧ କିଛି ଲୋକ ହାଙ୍ଗାମା ସୃଷ୍ଟି କରିଥିଲେ । ପୁଲିସ୍‌ ଷ୍ଟେସନ୍‌ ଏବଂ ବିଧାୟକଙ୍କ ଘରେ ଭଙ୍ଗା ରୁଜା ସହ ନିଆଁ ଲଗାଇଥିଲା ବେଳେ ରାସ୍ତାରେ ୨୫୦ରୁ ଅଧିକ ଗାଡିକୁ ଜାଳି ଦେଇଥିଲେ । ୩ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ୬୦ ରୁ ଅଧିକ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ କରିଛନ୍ତି ଅନୁରୋଧ । ମଙ୍ଗଳବାର ରାତିର ଏହି ତାନ୍ଦବ ବୁଧବାର ସକାଳେ ବେଶ ଜଳଜଳ ହୋଇ ଦିଶିଥିଲା । ସକାଳୁ ଲୋକେ ଘରୁ ବାହାରିଲା ବେଳକୁ ରାସ୍ତାରେ ବିଛାଡି ହୋଇପଡିଥିଲା ଜଳାପୋଡା ଗାଡି । ବର୍ତ୍ତମାନ ଅଞ୍ଚଳରେ କର୍ଫୁ୍ୟ ଜାରି କରାଯାଇଛି ।
କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ଦ୍ୱାରା ସୋସିଆଲ ମିଡିଆରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଆକ୍ଷେପ କଲାଭଳି ପୋଷ୍ଟ ପରେ ଆରମ୍ଭ ହୋଇଥିଲା ଏହି ହିଂସକ ଘଟଣା । ପରିସ୍ଥିତି ଏପରି ହୋଇଥିଲା ଯେ, ପୁଲିସକୁ ନିୟନ୍ତ୍ରଣ କରିବା ପାଇଁ ଗୁଳି ଚଳାଇବାକୁ ପଡିଥିଲା । ଏହି ଘଟଣା ସହରର କେଜିହାଲ୍ଲି ଏବଂ ଡିଜେହାଲ୍ଲି ଅଞ୍ଚଳରେ ଘଟିଥିଲା । ଘଟଣାକୁ ନେଇ ବେଙ୍ଗାଲୁରୁରେ ଜାରି ହୋଇଛି ୧୪୪ ଧାରା ।
ଘଟଣାକ୍ରମ
ଘଟଣାର ଆରମ୍ଭ ସୋସିଆଲ ମିଡିଆରେ ଏକ ଉତ୍ତେଜନାମୂଳକ ପୋଷ୍ଟକୁ ନେଇ ଆରମ୍ଭ ହୋଇଥିଲା । କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ନବୀନ ଏହି ପୋଷ୍ଟ କରିଥିଲେ । ପରିସ୍ଥିତି ବିଗିଡିବାରୁ ଡିଲିଟ୍‌ କରିଦେଇଥିଲେ ପୋଷ୍ଟକୁ । ଏହାକୁ ନେଇ ବଡ଼ ସଂଖ୍ୟାରେ ଉତ୍ୟକ୍ତ ଲୋକେ ବିଧାୟକ ଶ୍ରୀନିବାସଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଥିଲେ ।
ସୋସିଆଲ ମିଡ଼ିଆରେ ପୋଷ୍ଟ ଭାଇରାଲ ହେବା ପରେ ରାତି ୯ ଟା ରେ ଶ୍ରୀନିବାସଙ୍କ ଘର ଏବଂ ଡିଜେହିଲ୍ଲି ପୁଲିସ୍‌ ଷ୍ଟେସନ୍‌ ଆଗରେ ଲୋକେ ଏକଜୁଟ୍‌ ହେବାକୁ ଆରମ୍ଭ କରିଥିଲେ । ପରେ ଉଭୟ ପୁଲିସ୍‌୍‌ ଷ୍ଟେସନ୍‌ ଏବଂ ଘରକୁ ଭଙ୍ଗାରୁଜା କରିଥିଲେ ସେମାନେ । ନିଆଁ ମଧ୍ୟ ଲଗାଇ ଦେଇଥିଲେ । ଘର ଆଗରେ ଏବଂ ପୁଲିସ୍‌ ଷ୍ଟେସନ୍‌ ଆଗରେ ଥିବା ଗାଡି ଗୁଡିକୁ ନିଆଁ ମଧ୍ୟ ଲଗାଇଥିଲେ । ରାତି ୧୦ଟା ପରେ ପୁଲିସ୍‌ ପ୍ରଶାସନ ଲୋକଙ୍କୁ ବୁଝାଇବା ଆରମ୍ଭ କରିଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ । ପୁଲିସକୁ ମଧ୍ୟ ଆକ୍ରମଣ କରାଯାଇଥିଲା । ୬୦ଜଣ ପୁଲିସ୍‌ ଆହତ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଦେଖି ରାତି ୧୨ଟାରେ ପୁଲିସ୍‌ ପକ୍ଷରୁ ଫାୟାରିଂ କରାଯାଇଥିଲା । ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ଡାକ୍ତରଖାନାରେ ଜଣଙ୍କର ମୃତୁ୍ୟ ହୋଇଥିଲା । ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ରାତି ୩ଟାରେ ସହରରେ ୧୪୪ଧାରା ଏବଂ ଡିଜେ ହଲ୍ଲି, କେଜି ହଲ୍ଲି କର୍ଫୁ୍ୟ ଲଗାଯାଇଥିଲା । ରାତିରେ ବିଧାୟକଙ୍କ ପୁତୁରାଙ୍କୁ ଗିରଫ କରିଥିଲା ପୁଲିସ୍‌ ।

ହନୁମାନ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲିମ୍‌ ଯୁବକ

ମଙ୍ଗଳବାର ରାତିର ଏହି ଘଟଣା ଭିତରେ ଆଉ ଏକ ଘଟଣା ସୋସିଆଲ୍‌ ମିଡିଆରେ ବଡ଼ଚର୍ଚ୍ଚା ସୃଷ୍ଟି କରିଛି । ସାମ୍ପ୍ରଦାୟିକ ପ୍ରସଙ୍ଗକୁ ନେଇ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ ପରେ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ଘରେ ଭଙ୍ଗାରୁଜା ଏବଂ ଗାଡ଼ିପୋଡ଼ା ଘଟଣା ଘଟିଥିଲା । ତେବେ ବିଧାୟକଙ୍କ ଘର ସମ୍ମୁଖରେ ଥିବା ହନୁମାନ ମନ୍ଦିରକୁ ସୁରକ୍ଷା ଦେଇଥିଲେ କିଛି ମୁସ୍‌ଲିମ୍‌ ଯୁବକ । ସେମାନେ ମନ୍ଦିର ଆଗରେ ଏକ ଶୃଙ୍ଖଳ ତିଆରି କରି ଠିଆ ହୋଇ ରହିଥିଲେ । ହାତକୁ ହାତରେ ଧରି ସେମାନେ ମନ୍ଦିର ଆଗରେ ଠିଆ ହୋଇ ଉପଦ୍ରବଙ୍କ କବଳରୁ ମନ୍ଦିରକୁ ସୁରକ୍ଷା ଦେଇଥିଲେ । ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା ବେଳେ ଲୋକେ ସ୍ଥାନୀୟ ଯୁବକଙ୍କ ଏହି ଉଦ୍ୟମକୁ ପ୍ରଶଂସା କରୁଛନ୍ତି । ବିଧାୟକଙ୍କ ସମ୍ପର୍କୀୟ ପୁତୁରା ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ନେଇ ଆପତ୍ତିଜନକ ପୋଷ୍ଟ କରିବା ପରେ ଏଭଳି ସ୍ଥିତି ଉପୁଜି ଥିଲା । ସୋସିଆଲ୍‌ ମିଡିଆରେ ଲୋକେ ମୁସ୍‌ଲିମ୍‌ ଯୁବକମାନଙ୍କ ଏହି ଉଦ୍ୟମକୁ ପ୍ରଶଂସା କରି ଲେଖୁଛନ୍ତି ଯେ, ହିନ୍ଦୁସ୍ଥାନର ପ୍ରକୃତ ଚିତ୍ର ହେଉଛି ଅନେକତା ମଧ୍ୟରେ ଏକତା । ସବୁ ଧର୍ମର ଲୋକେ ଅନ୍ୟ ଧର୍ମର ଲୋକଙ୍କ ପ୍ରତି ସମ୍ମାନ ଓ ଆଦର ଭାବ ରଖୁଛନ୍ତି । ଏହା ହେଉଛି ଭାରତୀୟ ସଂସ୍କୃତି ଓ ପରମ୍ପରାର ବଡ଼ ଉଦାହରଣ ।

ୟେଦୁରପ୍ପା ଦେଲେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ବେଙ୍ଗାଲୁରୁର ଏହି ହିଂସା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ସେ ପ୍ରଶାସନକୁ ମଧ୍ୟ ଅପରାଧିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ ଜାରି କରିଛନ୍ତି । କହିଛନ୍ତି ଯେ, ସାମ୍ବାଦିକ, ପୁଲିସ୍‌, ସାଧାରଣ ଲୋକଙ୍କ ଉପରେ ଆକ୍ରମଣକୁ ଗ୍ରହଣ କରାଯିବ ନାହିଁ । ସରକାର ମଧ୍ୟ ଏଭଳି ଗୁଜବକୁ ବରଦାସ୍ତ କରିବେ ନାହିଁ ।
ଅନ୍ୟପଟେ କଂଗ୍ରେସ ମଧ୍ୟ ଘଟଣାକୁ ନିନ୍ଦା କରିଛି । ରାଜ୍ୟର କଂଗ୍ରେସ ମୁଖିଆ ବିକେ ଶିବକୁମାର କହିଛନ୍ତି ଯେ, ଏଭଳି ଘଟଣା ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟ କାରଣରୁ ହୋଇଛି । ଆମେ ଶାନ୍ତି ବାତାବରଣ ରଖିବା ପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେବୁ । ବେଙ୍ଗାଲୁରୁ ପୁଲିସ୍‌ କମିଶନର କମଲ ପନ୍ଥ କହିଛନ୍ତି ଯେ, ଏବେ ସ୍ଥିତି ନିୟନ୍ତ୍ରଣରେ । ସୁରକ୍ଷା ବ୍ୟବସ୍ଥା ପାଇଁ ଆର୍‌ପିଏଫ୍‌, ସିଆରପିଏଫ୍‌, ସିଆଇଏସ୍‌ଏଫ୍‌ ସଜାଗ ଅଛନ୍ତି । ଘଟଣାର ଯାଞ୍ଚ ଚାଲିଛି । ଏହି ଘଟଣାରେ ୧୧୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି । ବେଙ୍ଗାଲୁରୁ ହିଂସା ସମ୍ପର୍କରେ ମନ୍ତ୍ରୀ ସି ଟି ରବି କହିଛନ୍ତି ଯେ, ମୋତେ ଲାଗୁଛି ଏହା ଏକ ସୁନିୟୋଜିତ ହିଂସା । ସୋସିଆଲ ମିଡିଆରେ ଏକ ପୋଷ୍ଟର ଏକ ଘଣ୍ଟା ମଧ୍ୟରେ ହଜାର ହଜାର ଲୋକ ଏକାଠି ହେବା, ୩୦୦ ରୁ ଅଧିକ ଗାଡି ଜଳାଇବା, ବିଧାୟକଙ୍କ ଘର ଭାଙ୍ଗିବା ଆଦି ଘଟଣା ଏକ ସୁନିୟୋଜିତ ହିଂସା । ଏହା ପଛରେ ଏସ୍‌ଡିପିଆଇ (ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍‌ ଇନ୍ଦିଆ)ର ହାତ ଅଛି । ଏହି ଘଟଣାରେ ପୁଲିସ୍‌ ଏସଡିପିଆଇ ନେତା ମୁଜମିଲ ପାସାଙ୍କୁ ଗିରଫ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*