ବେଙ୍ଗଲରେ ଦିଦିଙ୍କୁ ମୁକାବିଲା କରିବେ ଦାଦା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ:କୋଲକାତା

ଆସନ୍ତା ୨୩ ତାରିଖରେ ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲି ଦାୟିତ୍ୱ ଗ୍ରହଣ କରିବେ । ସୌରଭ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ । ସେ ମଧ୍ୟ ସଫଳ ଅଧିନାୟକ ଭାବେ ଜଣାଶୁଣା । ଅଧିନାୟକ ଭାବେ ଦାୟିତ୍ୱ ତୁଲାଇ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବାରେ ଦ୍ୱିତୀୟ ବ୍ୟକ୍ତି ହେବାକୁ ଯାଉଛନ୍ତି । ତେବେ ସମ୍ପାଦକ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବାଦୀୟ ପୁତ୍ର ଓ ବ୍ୟବସାୟୀ ଜୟ ଶାହା ନିର୍ବାଚିତ ହୋଇଥିବାରୁ ଗାଙ୍ଗୁଲିଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ତାଙ୍କୁ ପଶ୍ଚିମବଙ୍ଗରେ ଭାଜପାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରାଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି କୋଲକାତାରୁ ମୁମ୍ବାଇ ଯାଏ ।
ପଶ୍ଚିମବଙ୍ଗରେ ଏବେ ତୃଣମୂଳ କଂଗ୍ରେସ ସହ ଜବରଦସ୍ତ ଟକ୍କର ଚାଲିଛି ଭାରତୀୟ ଜନତାପାର୍ଟିର । ଗତ ଲୋକସଭା ନିର୍ବାଚନରେ ଭାଜପା ୧୮ଟି ସିଟ୍‌ ଜିଣି ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା ଦେଇସାରିଛି । ଏବେ ବଙ୍ଗଳା ଭାରି ଅଶାନ୍ତ । ରାଜନୈତିକ ଧୃବୀକରଣ ହୋଇସାରିଲାଣି । କଂଗ୍ରେସ ଏବଂ ବାମଦଳ ଏବେ ଅସ୍ତିତ୍ୱ ରକ୍ଷାରେ ଲାଗି ପଡ଼ିଥିବା ବେଳେ ଆସନ୍ତା ନିର୍ବାଚନ ମୁଖ୍ୟତଃ ହେବାକୁ ଯାଉଛି ତୃଣମୂଳ କଂଗ୍ରେସ ଓ ଭାଜପା ଭିତରେ ।
୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ସକାଶେ ନିର୍ବାଚନ ହେବ । ଏଥିପାଇଁ ଦୁଇ ଦଳ କମର କଷି ସାରିଲେଣି । ଦୁର୍ଗା ପୂଜା ବେଳେ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଏକ ଉଲ୍ଲେଖନୀୟ ରାଜନୈତିକ ଘଟଣା ବୋଲି ବିବେଚନା କରାଯାଉଛି । ଏହି ପରିପ୍ରେକ୍ଷୀରେ ସୌରଭ ଗାଙ୍ଗୁଲି ଯେଭଳି ବିସିସିଆଇ ସଭାପତି ହେଲେ, ସେ ଦୃଷ୍ଟିରୁ ତାଙ୍କୁ ନେଇ ରାଜନୀତିରେ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଶାହାଙ୍କ ପୁତ୍ର ବିସିସିଆଇ ସମ୍ପାଦକ ହୋଇଥିବାରୁ ଏହି ଚର୍ଚ୍ଚା ଅଧିକ ଘନିଭୂତ ହେବାରେ ଲାଗିଛି ।
ବିସିସିଆଇ ସଭାପତି ଭାବେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ରହିବ ୯ ମାସ । ଏହା ପରେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି । ଏହି ୯ ମାସ କାର୍ଯ୍ୟକାଳକୁ କୁଲିଂ ପିରିୟଡ଼ ଭାବେ ବିଚାର କରାଯାଉଛି । ଯଦିଓ ରାଜନୀତି ପ୍ରବେଶ ସମ୍ଭାବନାକୁ ସ୍ୱୀକାର କରୁନାହାନ୍ତି ଗାଙ୍ଗୁଲି, କିନ୍ତୁ ଏହାକୁ ଅସ୍ୱୀକାର ମଧ୍ୟ କରୁନାହାନ୍ତି । ଦାଦା ଭାବେ ଅତି ଲୋକପ୍ରିୟ ଗାଙ୍ଗୁଲି ଦିଦି ଭାବେ ଜଣା ମମତା ବାନାର୍ଜୀଙ୍କୁ ବ୍ୟକ୍ତିତ୍ୱ ଓ ପ୍ରତିଷ୍ଠା ଦୃଷ୍ଟିରୁ ଭଲ ଚ୍ୟାଲେଞ୍ଜ ଦେଇପାରିବେ ବୋଲି ଭାଜପା ନେତୃତ୍ୱ ମନେ କରୁଛନ୍ତି । ଗତ ୩-୪ ବର୍ଷ ଭିତରେ ପଶ୍ଚିମବଙ୍ଗରେ ଭାଜପାର ସଂଗଠନ ମଜଭୁତ ହୋଇଛି । ତୃଣମୂଳ କଂଗ୍ରେସ ଛାଡ଼ି ଅନେକ ନେତା ଭାଜପାରେ ସାମିଲ ହୋଇଛନ୍ତି । ତେବେ ମମତା ଦିଦିଙ୍କୁ ଚ୍ୟାଲେଞ୍ଜ କଲାଭଳି ଚେହେରାର ଅଭାବ ଅଛି ଭାଜପାରେ । ଅନେକ ଗାଙ୍ଗୁଲିଙ୍କୁ ଦାଦି ବୋଲି ମଧ୍ୟ ସମ୍ବୋଦନ କରୁଛନ୍ତି । ଏହାର ଅର୍ଥ ହେଲା ଯେଉଁ ବଡ଼ ଭାଇ କିଭଳି କାମ ଆଦାୟ କରାଯାଇପାରେ ଜାଣିଥାନ୍ତି ।
ଲୋଧା କମିଶନଙ୍କ ସୁପାରିସ ଅନୁସାରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସରିଲା ବେଳକୁ ମୁନ୍ଦ ଉପରକୁ ଆସିସାରିଥିବ ପଶ୍ଚିମବଙ୍ଗ ନିର୍ବାଚନ । ତେଣୁ ସେହି ସମୟରେ ତାଙ୍କୁ ବଙ୍ଗଳାରେ ଭାଜପା ଲଞ୍ଚ କରିବାରେ ସମ୍ଭାବନା ଅଧିକ । ଗତ ଶନିବାର ଦିନ ନୂଆଦିଲ୍ଲୀରେ ଶାହାଙ୍କୁ ଭେଟିଥିଲେ ଗାଙ୍ଗୁଲି । ହୁଏତ ବିସିସିଆଇ ସଭାପତି ପଦ ଛଡ଼ା ପଶ୍ଚିମବଙ୍ଗ ରାଜନୀତି ସମ୍ପର୍କରେ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥାଇପାରେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*