ବୁଲ୍‌ବୁଲ୍‌ : ଓଡିଶାକୁ ୫୫୨, ପଶ୍ଚିମବଙ୍ଗକୁ ୪୧୪.୯ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୂଆଦିଲ୍ଲୀ/ଭୁବନେଶ୍ୱର

ନଭେମ୍ବର ମାସରେ ଦେଖାଦେଇଥିବା ବାତ୍ୟା ବୁଲ୍‌ବୁଲ୍‌ କ୍ଷୟକ୍ଷତି ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ସହାୟତା ରାଶିର ଘୋଷଣା କରିଛନ୍ତି । ଓଡିଶା ଓ ପଶ୍ଚିମବଙ୍ଗରେ ବୁଲ୍‌ବୁଲ୍‌ ବ୍ୟାପକ କ୍ଷତି ଘଟାଇଥିଲା । ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଓଡିଶା ପାଇଁ ୫୫୨ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୪୧୪ କୋଟି ୯୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ନଭେମ୍ବର ୯ ତାରିଖରେ ବୁଲ୍‌ବୁଲ୍‌ ଲ୍ୟାନ୍ଦଫଲ୍‌ କରିଥିଲା ।
ବୁଲ୍‌ବୁଲ୍‌ ପାଇଁ ଓଡିଶାବାସୀ ବେଶ୍‌ ଆତଙ୍କିତ ଥିଲେ । କାରଣ ପୂର୍ବରୁ ‘ଫନି’ ଓଡିଶାରେ ବିଶେଷ କରି ଉପକୂଳ ଓଡିଶାରେ ତାନ୍ଦବଲୀଳା ରଚିଥିଲା । ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର ଜିଲ୍ଲାରେ ବଶେଷ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ, ରାଜ୍ୟରେ ୩ଲକ୍ଷ ହେକ୍ଟର ଧାନଫସଲ ନଷ୍ଟ ହୋଇଥିଲା । ସେହିପରି ୫୫୦୦ ରୁ ଅଧିକ ଘର ଆଂଶିକ ଭାଙ୍ଗିଥିଲା । ପରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଥିଲେ । ସେମାନେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ଦେଇଥିଲେ । ସରକାରୀ ଆକଳନ ଅନୁସାରେ, ରାଜ୍ୟରେ କୌଣସି ବ୍ୟକ୍ତିଙ୍କର ବୁଲ୍‌ବୁଲ୍‌ କାରଣରୁ ମୃତୁ୍ୟ ହୋଇନଥିଲାବେଳେ ବେସରକାରୀ ରିପୋର୍ଟ ଅନୁସାରେ ୩ ଜଣଙ୍କର ମୃତୁ୍ୟ ଘଟିଥିଲା ଏହି ବାତ୍ୟା ପାଇଁ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ନଭେମ୍ବର ୨୮ରେ ରାଜ୍ୟସଭାରେ ବାତ୍ୟାରେ କୌଣସି ଜୀବନହାନୀ ଘଟିନଥିବା ସୂଚନା ଦେବା ସହ କହିଥିଲେ ଯେ, ବାତ୍ୟା କାରଣରୁ ମୋଟ୍‌ ୩୮.୦୮ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନ୍ୟପଟେ ଓଡିଶା ତୁଳନାରେ ପଶ୍ଚିମବଙ୍ଗ ବୁଲ୍‌ବୁଲ୍‌ କାରଣରୁ ଅଧିକ ପ୍ରଭାବିତ ହୋଇଥିବା ବେସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।
କେନ୍ଦ୍ରକୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ସାମୁଦ୍ରିକ ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଓଡିଶା ରାଜ୍ୟକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଓଡିଶାବାସୀଙ୍କ ଆବଶ୍ୟକତାକୁ ସର୍ବଦା ପ୍ରାଥମିକତା ଦେଇଥିବାରୁ ଧନ୍ୟବାଦ । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୫୫୨ କୋଟି ଟଙ୍କା ରାଜ୍ୟ ସରକାରଙ୍କର ବୁଲବୁଲ ସ୍ଥିତିକୁ ଭଲରେ ଅନୁଧ୍ୟାନ କରିବାରେ ତଥା ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଜୀବନଜୀବିକାର ପୁନଃଉଦ୍ଧାର କାର୍ଯ୍ୟରେ ସହାୟକ ହେବ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*