ବିରୋଧ ଭିତରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ ବିଜଦ, ୱାଇଏସ୍‌ଆର୍‌ କଂଗ୍ରେସ ଦେଲେ ସମର୍ଥନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ବିରୋଧୀ ଦଳଗୁଡ଼ିକର ପ୍ରବଳ ପ୍ରତିବାଦ ଭିତରେ ନାଗରିକତା ସଂଶୋଧନ ବିଧେୟକ-୨୦୧୯ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ କରାଯାଇଛି । ସବୁ ଦଳଗୁଡ଼ିକ ନିଜ ବିଚାରଧାରାରୁ ଉପରକୁ ଉଠି ଦେଶ ହିତରେ ଏହି ବିଲ୍‌କୁ ଦେଖିବା ଆବଶ୍ୟକ ବୋଲି ଅମିତ ଶାହା କହିଥିଲେ ।
ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଉପସ୍ଥାପନ କରିଛନ୍ତି । ସେ ଏହି ଅବସରରେ ବିଲ୍‌କୁ ବିରୋଧ କରୁଥିବା ବିରୋଧୀ ଦଳଙ୍କଉଦେ୍ଦଶ୍ୟରେ ଜବାବ ରଖିଥିଲେ । “ଯଦି ଆପଣମାନେ ଏହି ବିଲ୍‌କୁ ଭୁଲ୍‌ ସାବ୍ୟସ୍ତ କରିଦେବେ, ତେବେ ଆମେ ଏହାକୁ ପ୍ରତ୍ୟାହାର କରିନେବୁ”ବୋଲି ଅମିତ୍‌ ଶାହା ବିରୋଧୀ ଦଳଙ୍କୁ କହିଥିଲେ । ଯେଉଁଭଳିଭାବେ ଆମେ ଭାରତରେ ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତିତ, ସେହିପରିଭାବେ ପଡୋଶୀ ଦେଶମାନଙ୍କରୁ ଏଠାକୁ ଆସିଥିବା ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ମଧ୍ୟ ଆମେ ପ୍ରତିବଦ୍ଧ ଅଟୁ । ଆମେ ଯେଉଁ ବିଲ୍‌ ଆଣିଛୁ, ତାହା ଆମ ଘୋଷଣା ପତ୍ର ଅନୁଯାୟୀ ହୋଇଛି ବୋଲି ସେ କହିଥିଲେ । ଲକ୍ଷ ଲକ୍ଷ ଲୋକ ବାଂଲାଦେଶ, ଆଫଗାନିସ୍ଥାନ ଏବଂ ପାକିସ୍ତାନରୁ ଏଠାକୁ ତଡା ଖାଇଆସିଛନ୍ତି । କୌଣସି ଲୋକ ନିଜ ଘରଦ୍ୱାର, ଗାଁ ଖାଲି ଖାଲି ଛାଡି ଦେଇନଥାଏ । ବହୁତ ଅପମାନିତ ହେବା ପରେ ଯାଇ ସେମାନେ ଏଠାକୁ ଆସିଛନ୍ତି । ଭାରତରେ ଅନେକ ବର୍ଷ ରହିବା ପରେ ମଧ୍ୟ ଏହି ଲୋକମାନେ ଏଠାରେ ଶିକ୍ଷା, ରୋଜଗାର, ନାଗରିକତା ଅବା ଅନ୍ୟ କୌଣସି ସୁବିଧା ପାଇପାରିନାହାନ୍ତି । ତେଣୁ ଏହି ବିଲ୍‌ ଆଇନ୍‌ରେ ପରିଣତ ହେଲେ ଲକ୍ଷ ଲକ୍ଷ ଲୋକ ନରକ ଯନ୍ତ୍ରଣାରୁ ମୁକ୍ତ ହେବେ ବୋଲି ଶାହା ଜୋର ଦେଇ ଲୋକସଭାରେ କହିଥିଲେ ।
ନାଗରିକତା ସଂଶୋଧନ ବିଲ୍‌ କୌଣସିପ୍ରକାରର ଭେଦଭାବ କରେ ନାହିଁ, ଏହା ଧର୍ମ ଆଧାରରେ ଉତ୍ପୀଡନ ସହିଥିବା ଲୋକଙ୍କୁ ଶରଣ ପ୍ରଦାନ କରିବ । ପଡୋଶୀ ଦେଶରୁ ଭାରତକୁ ଆସିଥିବା ସଂଖ୍ୟାଲଘୁ- ହିନ୍ଦୁ, ଶିଖ, ଜୈନ୍ୟ, ବୌଦ୍ଧ, ପାର୍ସି, ଖ୍ରୀଷ୍ଟିଆନ ମାନେ ନାଗରିକତା ପାଇଁ ଆବେଦନ କରିପାରିବେ । ଲୋକଙ୍କ ପାଖରେ ଆବଶ୍ୟକୀୟ ଦସ୍ତାବିଜ୍‌ ଥାଉ କି ନଥାଉ, ତାଙ୍କୁ ନାଗରିକତା ପ୍ରଦାନ କରାଯିବ । କାହା ପାଖରେ ରାସନ କାର୍ଡ ନଥିଲେ ମଧ୍ୟ ନାଗରିକତା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ କହିଥିଲେ । ଆବେଦନ କରିବା ପରେ ଅଣ-ମୁସଲିମ୍‌ ଶରଣାର୍ଥୀଙ୍କୁ ୨୦୨୦ ସୁଦ୍ଧା ନାଗରିକତା ମିଳିଯିବ । ସେମାନଙ୍କ ନାମ ମଧ୍ୟ ଭୋଟର ତାଲିକାରେ ସ୍ଥାନ ପାଇବ ବୋଲି ଶାହା ଆଶ୍ୱସ୍ତ କରିଛନ୍ତି ।
ପ୍ରକାଶ ଥାଉ କି, ନାଗରିକତା ସଂଶୋଧନ ବିଲ୍‌ର ଉପସ୍ଥାପନକୁ ସୋମବାର ବିରୋଧୀ ଦଳଗୁଡିକ ବିରୋଧ କରିଥିଲେ । ତେଣୁ ବିଲ୍‌ ଉପସ୍ଥାପନ ନେଇ ଲୋକସଭାରେ ଭୋଟିଂ ହୋଇଥିଲା । ଏଥିରେ ୨୯୩ ଭୋଟ୍‌ ବିଲର ଉପସ୍ଥାପନକୁ ସମର୍ଥନ କରି ପଡିଥିବାବେଳେ ଏହା ବିରୋଧରେ ୮୨ ଭୋଟ୍‌ ପଡିଥିଲା । କଂଗ୍ରେସ ସମେତ ୧୧ଟି ବିରୋଧୀ ଦଳ ବିରୋଧ କରିଥିଲେ । ଅଣ-ଭାଜପା ଦଳ ବିଜଦ, ୱାଇଏସଆର କଂଗ୍ରେସ ଏହାକୁ ସମର୍ଥନ ଦେଇଥିଲେ । ପରେ ବିଲ୍‌ ଉପସ୍ଥାପିତ ହୋଇଥିଲା ଲୋକସଭାରେ । ବିରୋଧୀ ଦଳ ଏହା ଉପରେ ନିଜର ମତ ଏବଂ ବିରୋଧ ବ୍ୟକ୍ତ କରିଥିଲେ । ହେଲେ ଶାହା ଯେତେବେଳେ ବିଲ୍‌ ନେଇ କହିବା ଆରମ୍ଭ କଲେ, ସେତେବେଳେ ବିରୋଧୀ ଦଳର ସାଂସଦମାନେ ବିରୋଧ କରିଥିଲେ । ଏସବୁ ଦେଖି ଶାହା କହିଥିଲେ ଯେ, ଯେତେବେଳେ ବିରୋଧୀ ଦଳର ନେତାମାନେ କହୁଥିଲେ, ମୁଁ ଶୁଣୁଥିଲି । ହେଲେ ମୁଁ କହିଲା ବେଳକୁ ସମସ୍ତେ ମଝିରେ ମଝିରେ ଉଠୁଛନ୍ତି । ମୋତେ ବି ୧୮ଲକ୍ଷ ଲୋକ ନିର୍ବାଚିତ କରିଛନ୍ତି । ତେଣୁ ମୋ କଥା ମଧ୍ୟ ଶୁଣନ୍ତୁ ।
ମନମୋହନ ଓ ଆଡଭାନୀ
ନାଗରିକତା ନେଇ ଏଭଳି ଆଇନ୍‌ ପୂର୍ବରୁ ମଧ୍ୟ ବନିଛି । ୧୯୪୭ ମସିହାରେ ଲକ୍ଷ ଲକ୍ଷ ଲୋକ ଭାରତରେ ଶରଣ ନେଇଥିଲେ । ଆମେ ତାଙ୍କୁ ନାଗରିକତା ପ୍ରଦାନ କରି ଅଧିକାର ପ୍ରଦାନ କରିଥିଲୁ । ଏହି ଶରଣାର୍ଥୀଙ୍କ ମଧ୍ୟରୁ ହିଁ ଆମକୁ ମନମୋହନ ସିଂହ ଏବଂ ଲାଲକୃଷ୍ଣ ଆଡଭାନୀ ଭଳି ଲୋକ ମିଳିଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ, ଉପ-ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ଏହାପରେ ୧୯୭୧ ମସିହାରେ ମଧ୍ୟ ସମାନ ପ୍ରାବଧାନ ଲାଗୁ କରାଯାଇଥିଲା । ହେଲେ ଏବେ କାହିିଁକି ଏହାକୁ ବିରୋଧ କରାଯାଉଛି ବୋଲି ଶାହା ପ୍ରଶ୍ନ କରିଥିଲେ । ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଦଖଲ କ୍ରମେ ବାଂଲାଦେଶ ନିର୍ମାଣ ହୋଇଥିଲା । ସେହି ସମୟରେ ଆମେ ଲକ୍ଷ ଲକ୍ଷ ଲୋକଙ୍କୁ ଶରଣ ଦେଇଥିଲୁ । ୟୁଗାନ୍ଦା, ଶ୍ରୀଲଙ୍କାରୁ ଆସିଥିବା ଲୋକେ ମଧ୍ୟ ଏଠାରେ ଶରଣ ନେଇଥିବାବେଳେ ଏବେ କାହିିଁକି ଆପତ୍ତି କରାଯାଉଛି ବୋଲି ଗୃହମନ୍ତ୍ରୀ ପଚାରିଥିଲେ ।
ଏହି ବିଧେୟକ ନେଇ ପୂର୍ବତ୍ତୋର ରାଜ୍ୟଗୁଡିକର ଚିନ୍ତା ଦୂର କରିବା ପୂର୍ବକ ଶାହା କହିଥିଲେ ଯେ, ଆମେ ଆସାମ, ଅରୁଣାଚଳ ଏବଂ ତ୍ରିପୁରା ଭଳି ରାଜ୍ୟରେ ବଙ୍ଗାଲ ଇଷ୍ଟ ଫ୍ରୋଣ୍ଟିଅର ଆଇନ୍‌ ଲାଗୁ ରହିବ । ଏହାଛଡା ନାଗାଲ୍ୟାନ୍ଦ, ମିଜୋରାମ ଏବଂ ମଣିପୁରରେ ଇନର ଲାଇନ୍‌ ପରମିଟ୍‌ ଲାଗୁ ହେବ ବୋଲି ସେ କହିଥିଲେ ।
ଆଇନ୍‌ ବିଶାରଦମାନଙ୍କ ସହ ମୁଁ ପ୍ରାୟ ୧୧୯ ଘଣ୍ଟା ବୈଠକ କରିବା ପରେ ଏହି ସଂଶୋଧନ ବିଲ୍‌ ସ୍ୱରୂପ ପାଇଛି ବୋଲି ଗୃହମନ୍ତ୍ରୀ କହିଥିଲା ବେଳେ କଂଗ୍ରେସ ପକ୍ଷରୁ ଏହି ବିଲ୍‌କୁ ନେଇ ପ୍ରଚନ୍ଦ ବିରୋଧ କରାଯାଇଛି । କଂଗ୍ରେସ ନେତା ମନିଷ ତିୱାରୀ ଏହି ବିଲ୍‌ ସମ୍ପୂର୍ଣ୍ଣ ଭାବରେ ଅସାମ୍ବାଦିକ ବୋଲି ଲୋକସଭାରେ କହିଥିଲେ । ସମ୍ବିଧାନର ଧାରାଗୁଡ଼ିକର ଏହା ବିରୋଧାଚରଣ କରୁଛି । ସେ ଗୃହମନ୍ତ୍ରୀ ଶାହାଙ୍କୁ ପ୍ରଶ୍ନ କରିଥିଲେ, ଯଦି ଆପଣ ସମ୍ବିଧାନ ଅନୁସାରେ ଜଣେ ନାଗରିକ ସହ ଭେଦଭାବ କରିପାରିବେ ନାହିଁ ତା’ହେଲେ ନାଗରିକତା ଦେଲାବେଳେ ଆପଣ କିପରି ଭେଦଭାବ କରିବେ? ଆଗକୁ ତିୱାରୀ କହିଥିଲେ ଶରଣାର୍ଥୀମାନଙ୍କୁ ଦେଶରେ ବସବାସ କରିବାକୁ ଦେବା ବିରୋଧରେ ଆମେ ନାହୁଁ । ହେଲେ ଆମେ କେବଳ ଚାହୁଁଛୁ ସରକାର ଏକ ବ୍ୟାପକ ଆଇନ୍‌ ଏଥିପାଇଁ ଆଣୁ । ଯେତେବେଳେ କୌଣସି ଶରଣାର୍ଥୀ ଭାରତ ଆସେ ସେତେବେଳେ ତାହାର ଧର୍ମ ଦେଖାଯାଇପାରିବ ନାହିଁ ।
କପି ଚିରିଲେ ଓୱେସି
ନାଗରିକତା ସଂଶୋଧନ ବିଲ୍‌ ଆଗତ ସମୟରେ ଗୃହରେ ବଡ଼ ଗରମାଗରମ ଭାଷଣ ଦେଖିବାକୁ ମିଳିଥିଲା । ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଆଶାଦୁଦ୍ଦିନ ଓୱେସି ନିଜ କଥା ରଖିଲାବେଳେ ହଠାତ୍‌ ବିଲ୍‌ର କାଗଜକୁ ଚିରିଦେବାରେ ସମସ୍ତେ ଚମକି ପଡ଼ିଥିଲେ । ଏହାର ତୀବ୍ର ବିରୋଧ କରିଥିଲେ ଭାଜପାର ସାଂସଦମାନେ । ଆଗତ ସଂଶୋଧନ ବିଲ୍‌କୁ ହିଟଲରଙ୍କ ଆଇନ୍‌ଠାରୁ ମଧ୍ୟ ଖରାପ ବୋଲି ସେ ଦର୍ଶାଇଥିଲେ । ତେବେ ତାଙ୍କର ଭାଷଣ ରେକର୍ଡକୁ ଯିବ ନାହିଁ ବୋଲି ପିଠାସୀନ ଅଧ୍ୟକ୍ଷ ନିଦେ୍ର୍ଦଶ ଦେଇଥିଲେ ।
୨୫ ବର୍ଷ ଯାଏ ନମିଳୁ ଭୋଟ୍‌ ଅଧିକାର
ଏହି ବିଲ୍‌ ବାବଦରେ ଆଲୋଚନା କଲାବେଳେ ଶିବସେନା ପକ୍ଷରୁ ଦାବି ରଖାଯାଇଥିଲା । ଦଳର ସାଂସଦ ବିନାୟକ ରାଉତ ଏହି ବିଲ୍‌ରେ ଏପରି ବ୍ୟବସ୍ଥା ରଖିବାକୁ କହିଲେ ଯେ, ଭାରତୀୟ ନାଗରିକତା ପ୍ରଦାନ କରାଯାଉଥିବା ଲୋକଙ୍କୁ ୨୫ ବର୍ଷ ଯାଏ ଭୋଟ୍‌ଦାନ ଅଧିକାର ଦିଆନଯାଉ । କେବଳ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଶରଣାର୍ଥୀ ନୁହଁନ୍ତି ଶ୍ରୀଲଙ୍କାର ଶରଣାର୍ଥୀଙ୍କୁ ମଧ୍ୟ ସମାନ ସୁଯୋଗ ଦେବାକୁ ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*