ବିମାନରେ ନିଆଁ, ବର୍ତ୍ତିଗଲେ ୧୮୨ ଯାତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ରାୟପୁର

ଶୁକ୍ରବାର ମୃତୁ୍ୟମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅନୂ୍ୟନ ୧୮୨ ବିମାନ ଯାତ୍ରୀ । ମଝି ଆକାଶରେ ପାଖାପାଖି ଘଣ୍ଟାଏ କାଳ ମରଣକୁ ଅତି ନିକଟରୁ ଦେଖିଥିଲେ ଏହି ଯାତ୍ରୀମାନେ । ହେଲେ ଯେତେବେଳେ ସୁରକ୍ଷିତ ଭାବେ ଅବତରଣ କରିଥିଲେ ସେତେବେଳେ ନିଜକୁ ମଣିଥିଲେ ଖୁବ୍‌ ସୌଭାଗ୍ୟଶାଳୀ । ସମ୍ଭବତଃ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଏବଂ ଆରାଧ୍ୟ ଦେବାଦେବୀଙ୍କୁ ଯାତ୍ରୀଙ୍କ ନିରନ୍ତର ପ୍ରାର୍ଥନା ବଞ୍ଚାଇ ଦେଇଥିଲା ସମସ୍ତଙ୍କୁ । ଏଥିସହିତ ଏକ ଅବଶ୍ୟମ୍ଭାବୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ବାହାରିଥିବା ଏୟାର ଇନ୍ଦିଆର ଏଆଇ-୬୭୦ ବିମାନ ।
ରିପୋର୍ଟ ଅନୁଯାୟୀ, ଏଆଇ-୬୭୦ ବିମାନ ସଂଧ୍ୟା ୫.୦୬ ମିନିଟରେ ଅନୂ୍ୟନ ୧୮୨ ଜଣ ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ବାହାରିଥିଲା । ହେଲେ ପାଖାପାଖି ୩୫ ମିନିଟର ଉଡାଣ ପରେ ବିମାନରେ ଥିବା ବିଶ୍ୱଜିତ୍‌ ବେହେରା ନାମକ ଯାତ୍ରୀ ଟଏଲେଟ୍‌ ଯିବାବେଳେ ଇଞ୍ଜିନର ବାମପଟେ ନିଅାଁ ଲାଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ଏବିଷୟରେ ବିମାନ କର୍ମଚାରୀଙ୍କୁ ଜଣାଇଥିଲେ । ବିମାନ କର୍ମଚାରୀ ଏହି ସୂଚନା କ୍ୟାପଟେନଙ୍କୁ ଦେବା ପରେ ସେ ଯାତ୍ରୀଙ୍କୁ ଭୟଭୀତ ନହୋଇ ଶାନ୍ତ ରହିବାକୁ ଅନୁରୋଧ କରିଥିଲେ । ଏହାପରେ ଅତ୍ୟନ୍ତ ଭୟଭୀତ ହୋଇପଡିଥିବା ଯାତ୍ରୀଙ୍କୁ ବଞ୍ଚାଇବା ଲାଗି ଲାଗିପଡିଥିଲେ ପାଇଲଟ । କହିବାକୁ ଗଲେ ଏହା ତାଙ୍କ ପାଇଁ ପରୀକ୍ଷାର ବେଳ ଥିଲା । ପ୍ରଥମେ ପାଇଲଟ୍‌ ପ୍ରଥମେ ବିମାନରେ କିଛି ଯାଞ୍ଚ କରିବା ସହ ଉପସ୍ଥିତ ବୁଦ୍ଧି ଖଟାଇ ଇଞ୍ଜିନ-୧କୁ ବନ୍ଦ କରିଦେଇଥିଲେ । ପରେ ସେ ନିକଟସ୍ଥ ରାୟପୁର ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ବିମାନର ଇଞ୍ଜିନରେ ତ୍ରୁଟି ଥିବା କଥା କହି ରାୟପୁର ବିମାନ ବନ୍ଦରରେ ସିଙ୍ଗଲ୍‌ ଇଞ୍ଜିନ ସାହାଯ୍ୟରେ ବିମାନର ଜରୁରୀ ଅବତରଣ କରାଇବାରେ ସଫଳ ହୋଇଥିଲେ । ବିମାନଟି ଉଡାଣର ପ୍ରାୟ ୫୦ ମିନିଟ୍‌ ପରେ ସଂଧ୍ୟା ୫.୫୭ ମିନିଟ୍‌ରେ ରାୟପୁରରେ ଅବତରଣ କରିଥିଲା । ଏହାସହ ରାୟପୁର ବିମାନ ବନ୍ଦରକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା । ବିମାନର ଜରୁରିକାଳୀନ ଦ୍ୱାର ଦେଇ ସ୍ଲାଇଡ୍‌ ମାଧ୍ୟମରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ପରେ ବିମାନକୁ ଦଉଡି ସାହାଯ୍ୟରେ ରନୱେରୁ ଟଣାଯାଇ ବାହାରକୁ ନିଆଯାଇଥିଲା । ପାଖାପାଖି ରାତି ୮.୩୦ ବେଳକୁ ରାୟପୁର ବିମାନ ବନ୍ଦର ପୁନଃ କାର୍ଯ୍ୟକ୍ଷମ ହୋଇଥିଲା । ଖବର ଲେଖା ହେଲାବେଳକୁ ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଏୟାରଇନ୍ଦିଆ ପକ୍ଷରୁ ପ୍ରୟାସ କରାଯାଉଛି ।
ପ୍ରାଥମିକ ତଦନ୍ତରୁ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ହେତୁ ଏହା ଜରୁରୀ ଅବତରଣ କରିଥିବା ସୂଚନା ରହିଥିବାବେଳେ ଏହାର ଅନ୍ୟ ସମ୍ଭାବ୍ୟ କାରଣ ବିଷୟରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଯାଇଛି । ଡିଜିସିଏ ଏବଂ ଏୟାର ଇନ୍ଦିଆ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*