ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣ, ୩ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଢେଙ୍କାନାଳ/ତାଳଚେର/ବଣାଇ
ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣ ଯୋଗୁଁ ୭ ବର୍ଷର ଏକ ଶିଶୁ ସହ ୩ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଲକ୍ଷାଧିକ ଟଙ୍କାର ଫସଲ ଓ ସମ୍ପତ୍ତି ନଷ୍ଟ ହୋଇଛି ।
ତାଳଚେର ଦେଉଳବେଡ଼ା ଗ୍ରାମର କେଦାରନାଥ ପ୍ରସାଦ ସକାଳୁ ନିଜ ଘର ଆଗରେ ଠିଆ ହୋଇଥିଲା ବେଳେ ହଠାତ୍‌ ଏକ ଦନ୍ତାହାତୀର ସମ୍ମୁଖୀନ ହୋଇଥିଲେ । ଘଟଣାସ୍ଥଳରେ ହାତୀଟି ତାଙ୍କୁ ଦଳିଦେଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇଟି ଦନ୍ତାହାତୀ ମହାବୀର ରୋଡ୍‌ ଫରେଷ୍ଟ ରେଞ୍ଜରୁ ଆସି ଗୁରୁଜାଙ୍ଗ ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ତିନିଦିନ ଧରି ବୁଲୁଛନ୍ତି । ସେମାନେ ଅନେକ ଘରଦ୍ୱାର ଓ ଫସଲ ମଧ୍ୟ ନଷ୍ଟ କରିସାରିଲେଣି । ଏ ଖବର ଜଣାପଡ଼ିବା ପରେ ପୁଲିସ ଏବଂ ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାର ଉଦ୍ୟମ କରିଥିଲେ । ପରେ ମୃତକ କେଦାରନାଥଙ୍କ ପରିବାରକୁ କ୍ଷତିପୂରଣ ଚେକ୍‌ ପ୍ରଦାନ କରାଯାଇଥିଲା । ସେହିପରି ଢେଙ୍କାନାଳରେ ମଧ୍ୟ ୬୫ ବର୍ଷୀୟ ଦୟାନିଧି ସାହୁଙ୍କ ହାତୀ ଆକ୍ରମଣରେ ମୃତୁ୍ୟ ଘଟିଛି । ସେ ନିଜ ଘରୁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ମୃତୁ୍ୟ ଖବର ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ୫୫କୁ ଅବରୋଧ କରିଥିଲେ ।
ସୁନ୍ଦରଗଡ଼ର ବଣାଇରେ ୭ ବର୍ଷର ଏକ ଶିଶୁର ମୃତୁ୍ୟ ଘଟିଛି । ଏକ ଦନ୍ତାହାତୀ ବଣାଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବରଘାଟ ଅଞ୍ଚଳରେ ପ୍ରବେଶ କରିଥିଲା । ପରେ ସେ ଏକ ଘର ଭିତରେ ପଶିବାର ଉଦ୍ୟମ କରୁଥିଲା ବେଳେ ଘରର କାନ୍ଥଟି ଭାଙ୍ଗି ପଡ଼ିଥିଲା । କାନ୍ଥଟି ଘର ଭିତରେ ଥିବା ୭ ବର୍ଷର ଶିଶୁ ଉପରେ ପଡ଼ିଯାଇଥିଲା । ପରିବାର ଲୋକେ ଶିଶୁଟିକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*