ବିଧାୟକଙ୍କ ଦାଦାଗିରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଶାସକ ଦଳର ଜଣେ ବିଧାୟକଙ୍କୁ ଆଇନ ହାତକୁ ଅପରାଧରେ ଗିରଫ କରି ଜେଲ ପଠାଇ ସାହାସ ପ୍ରଶାସନ କିମ୍ବା ପୁଲିସର ନାହିଁ ବୋଲି ଆମେ ସ୍ଥିର ନିଶ୍ଚିତ ।

ଟଣାଗଡ଼ର ବିଜୁ ଜନତା ଦଳ ବିଧାୟକ ସରୋଜ କୁମାର ମେହେର ଜଣେ ସରକାରୀ କର୍ମଚାରୀଙ୍କ ପ୍ରତି ଯେଉଁ ଅଭଦ୍ର ଓ ଅଶୋଭନୀୟ ଆଚରଣ କଲେ ତାହା ନିନ୍ଦନୀୟ । କେବଳ ଦୁଃଖ ପ୍ରକାଶ କରି ଶାସକ ଦଳର ବିଧାୟକ ହୋଇଥିବାରୁ ଆଇନ ଜାଲରୁ ସେ ବର୍ତ୍ତି ଯାଇପାରିବେ କି? ଓଡ଼ିଶାରେ ଯେଉଁ ଶାସନତନ୍ତ୍ର ଅଛି, ଅନୁଭୂତି ଦୃଷ୍ଟିରୁ କୁହାଯାଇପାରେ ଯେ, ସମ୍ପୃକ୍ତ ଜେଇଙ୍କ ପତ୍ନୀଙ୍କ ପକ୍ଷରୁ ଦିଆଯାଇଥିବା ଏତଲାର ଦଫାରଫା ହୋଇଯିବ । ବିଧାୟକଙ୍କର କୌଣସି ସମସ୍ୟା ହେବ ନାହିଁ । ପୂର୍ବରୁ ଏଭଳି ଏକାଧିକ ଘଟଣା ବିଜୁ ଜନତା ଦଳର ବିଧାୟକମାନେ କରିଦେଖାଇ ସାରିଛନ୍ତି । ତହସିଲଦାରଙ୍କୁ ଶାସକ ଦଳର ବିଧାୟକ ଲଣ୍ଠନ ଫୋପାଡ଼ିଛନ୍ତି । ନିର୍ବାଚନ ସଭାରେ ବିଧାୟକ ଲୋକଙ୍କୁ ହାତ ଉଠାଇଛନ୍ତି । ଜଣେ ଏସ୍‌ପିଙ୍କୁ ଶ୍ରୀମନ୍ଦିର ଭିତରେ ବିଜଦ ବିଧାୟକ ବାଡ଼େଇଛନ୍ତି । ଏବେ ସେହି ଏସ୍‌ପି ସରକାରଙ୍କର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ । ଯେତେବେଳେ ଏହି ବିଧାୟକମାନଙ୍କର କିଛି ହୋଇନାହିଁ, ସେତେବେଳେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କର କାହିଁକି ବା କିଛି ହେବାକୁ ଯିବ?
ପରବର୍ତ୍ତୀକାଳରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତୀବ ଚିନ୍ତାଜନକ । ସମ୍ପୃକ୍ତ ଜେଇଙ୍କୁ ବିଧାୟକ ତାଙ୍କ ଘରୁ ଡାକିନେଇଥିଲେ । ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହା ପରେ ସବୁ ଲୋକଙ୍କ ସାମ୍ନାରେ ତାଙ୍କୁ ଶହେ ଥର ଉଠା ବସା କରାଇଥିଲେ । ଲାଗୁଛି ଏହି ବିଧାୟକ ଜଣଙ୍କର ଆଇନ ପ୍ରତି ସମାନ୍ୟତମ ସମ୍ମାନ ନାହିଁ । ସେ ଯେଉଁ ନିମ୍ନମାନର କାମ କଥା କହୁଛନ୍ତି, ତାହା ୧୯ ବର୍ଷ ଶାସନର ଟ୍ରେଡମାର୍କ । ଏଥିପାଇଁ କୌଣସି ଜେଇଙ୍କୁ ଦାୟୀ କରାଯାଇପାରିବ ନାହିଁ । ସାରା ଓଡ଼ିଶାରେ ରାସ୍ତାଗୁଡ଼ିକର ଦୁର୍ଦ୍ଦଶା ପଛରେ ପିସି ରାକ୍ଷସର ଭୂମିକା ଜଳଜଳ ଦେଖାଯାଉଛି ସମସ୍ତଙ୍କୁ । ଏହି ରାକ୍ଷସ କବଳରେ ଶାସକ ଦଳ ଦ୍ୱାରା ଅନୁଗୃହୀତ ଠିକାଦାର ଏବଂ ଜନ ପ୍ରତିନିଧି ଓ ଅଫିସରମାନେ ଦୀର୍ଘଦିନ ଧରି ରାଜ ଚଳାଇ ଆସିଛନ୍ତି । ସରୋଜ ଯେଉଁ କଥା ଉଠାଇଛନ୍ତି ତାହା ଭୁଲ ନୁହେଁ । ରାସ୍ତା କାମ ନିମ୍ନମାନର ହୋଇଛି ସୁତରାଂ ଜନତା ପ୍ରତିକ୍ରିୟାଶୀଳ ହେବାକୁ ବାଧ୍ୟ । ଆଶା କରୁ ଚାରିଆଡ଼େ ଜନତା ଏଭଳି ସ୍ୱର ଉଠାନ୍ତୁ । କିନ୍ତୁ ସରୋଜ କହିପାରିବେ କି ଯେଉଁ ଠିକାଦାରଙ୍କୁ ରାସ୍ତା କାମର ଦାୟିତ୍ୱ ଦିଆଯାଇଛି ତାଙ୍କର ରାଜନୈତିକ ସଂଶ୍ଳିଷ୍ଟତା କ’ଣ? ବିଜୁ ଜନତା ଦଳର ଅନୁଗୃହୀତ ଠିକାଦାର ନୁହଁନ୍ତି କି? ଯେଉଁ ନିର୍ବାହୀ ଯନ୍ତ୍ରୀଙ୍କୁ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରିବା ପାଇଁ ବିଧାୟକ ନିଦେ୍ର୍ଦଶ ଦେଲେ, ସେହି ଅଫିସର ଜଣକ ପିସି ଭାଗିଦାରୀ ନୁହଁନ୍ତି କି? ସରୋଜ ଦାଦାଗିରି ଦେଖାଇ ହିରୋ ହେବାର ପ୍ରୟାସ କରନ୍ତୁ ନାହିଁ । ସେ ଏକ ମାରାତ୍ମକ ଅପରାଧ କରିଛନ୍ତି । ଜାଣିନାହୁଁ ଶାସକ ଦଳର ଏଭଳି ଗୁନ୍ଦାରାଜ ବିରୋଧରେ ଅଫିସର ସଂଘ ସ୍ୱର ଉଠାଇବ କି ନାହିଁ । କାରଣ ସମସ୍ତେ ବଡ଼ ପ୍ରଭାବଶାଳୀ ଆଇଏଏସ୍‌ ଅଫିସର ନୁହଁନ୍ତି । ଜିଲାପାଳ ଯେଉଁ ତଦନ୍ତ ଆଦେଶ ଦେଇଛନ୍ତି ତାହା ନିରର୍ଥକ ବୋଲି ଏବେଠୁ ଦୃଢତାର ସହ କୁହାଯାଇପାରିବ । କାରଣ ଶାସକ ଦଳର ଜଣେ ବିଧାୟକଙ୍କୁ ଆଇନ ହାତକୁ ଅପରାଧରେ ଗିରଫ କରି ଜେଲ ପଠାଇ ସାହାସ ପ୍ରଶାସନ କିମ୍ବା ପୁଲିସର ନାହିଁ ବୋଲି ଆମେ ସ୍ଥିର ନିଶ୍ଚିତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*