ବିଧାନସଭା ନିର୍ବାଚନ ମହାରାଷ୍ଟ୍ରରେ ୬୦.୦୫%, ହରିୟାନାରେ ୬୫% ମତଦାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଆଜି ମହାରାଷ୍ଟ୍ର ଏବଂ ହରିୟାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଦେଶର ୧୮ଟି ରାଜ୍ୟର ୫୧ଟି ବିଧାନସଭା ଆସନ ଏବଂ ୨ ଲୋକସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ସମସ୍ତ ଆସନରେ ସୋମବାର ସକାଳେ ମତଦାନ ଅନୁଷ୍ଠିତ ହୋଇ ସଂଧ୍ୟା ୬ଟାବେଳେ ଶେଷ ହୋଇଥିଲା । ଗୋଟିଏ-ଦୁଇଟି ଘଟଣାକୁ ଛାଡିଦେଲେ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି । ପ୍ରାୟତଃ ଅଧିକାଂଶ ରାଜ୍ୟରେ ମତଦାନ ହାର ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ରିପୋର୍ଟ ଲେଖା ହେଲାବେଳକୁ ସଂଧ୍ୟା ୬ଟା ସୁଦ୍ଧା ମହାରାଷ୍ଟ୍ରରେ ୬୦.୦୫% ଏବଂ ହରିୟାନାରେ ୬୫% ମତଦାନ ହୋଇଥିବା ରେକର୍ଡ କରାଯାଇଛି ।
ଅନୂ୍ୟନ ୯୦ଟି ଆସନ ପାଇଁ ହରିୟାନାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଥିଲା । ଏଠାକାର ମେୱାତ ଜିଲ୍ଲାରେ କେବଳ ୪ଟି ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିବା ଜଣାପଡିଛି । ହେଲେ ସୋମବାର ସକାଳୁ ମତଦାନ ଆରମ୍ଭ ହେବାବେଳେ ବିଭିନ୍ନ ବୁଥ୍‌ରେ ଲୋକଙ୍କ ଭିଡ କମ୍‌ ଦେଖିବାକୁ ମିଳିଥିଲା । ଧୀରେ ଧୀରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ସଂଧ୍ୟା ୬ଟା ସୁଦ୍ଧା ମତଦାନ ହାର ୬୫%ରେ ପହଞ୍ଚôଥିବା ଜଣାପଡିଛି । ହରିୟାନାରେ ଏହି ମତଦାନ ହାର ଗତ ୧୯ ବର୍ଷର ନିର୍ବାଚନ ମଧ୍ୟରୁ ସବୁଠାରୁ କମ୍‌ ବୋଲି କୁହାଯାଉଛି । ୨୦୦୦ରୁ ୨୦୧୪ ମସିହା ମଧ୍ୟରେ ମତଦାନ ହାର ଲଗାତାର ବୃଦ୍ଧି ପାଇ ୭୬.୦୬% ପହଞ୍ଚôଥିଲା । ହେଲେ ୨୦୧୯ ବିଧାନସଭାରେ ଏହି ହାର ଅସମ୍ଭବ ସଂଖ୍ୟାରେ କମିଛି । ମତଦାନ ନେଇ ଲୋକଙ୍କ ନିରାଶାଭାବ ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ।
ଅପରପକ୍ଷରେ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ମତଦାନ ସୋମବାର ସଂଧ୍ୟା ୬ଟାରେ ଶେଷ ହୋଇଛି । ସଂଧ୍ୟା ୬ଟା ଯାଏ ରାଜ୍ୟରେ ୬୦.୦୫% ମତଦାନ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାର୍ଡଠାରେ ଶିବସେନା ଏବଂ ରାକପା ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ରାକପା ନେତା ଡବୁ ଆସୱାନୀ ଆହତ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ପତ୍ନୀ ଅମୃତା ଏବଂ ମା’ ସରିତାଙ୍କ ସହ ନାଗପୁରରେ ମତଦାନ କରିଥିଲେ । ଶିବସେନାରେ ଠାକରେ ପରିବାର ତରଫରୁ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆଦିତ୍ୟ ଠାକରେ ଏବଂ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ନିଜ ମତସାବ୍ୟସ୍ତ କରିଥିଲେ । ଏହି ଅବସରରେ ଉଦ୍ଧବ ଠାକରେ ଲୋକଙ୍କୁ ଘରୁ ବାହାରି ମତସାବ୍ୟସ୍ତ କରିବାକୁ ଆହ୍ୱାନ କରିଥିଲେ । କାରଣ ଏହି ମତଦାନ ଆପଣମାନେ କେବଳ ନିଜ ପାଇଁ କରୁନାହାନ୍ତି, ଅଧିକନ୍ତୁ ମହାରାଷ୍ଟ୍ରକୁ ଉଜ୍ଜ୍ୱଳ କରିବାକୁ କରିବେ ବୋଲି ସେ କହିଥିଲେ ।
ଛତିଶଗଡର ବସ୍ତର ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ଚିତ୍ରକୋଟ ବିଧାନସଭା ଆସନରେ ରେକର୍ଡ ମତଦାନ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ସଂଧ୍ୟା ୫ଟା ସୁଦ୍ଧା ଚିତ୍ରକୋଟ ବିଧାନସଭା ଉପ-ନିର୍ବାଚନରେ ୭୪.୩୯ ପ୍ରତିଶତ ମତଦାନ ହୋଇଛି । ଏହି ମତଦାନ ହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*