ବିଧାନସଭା ଚାଲିପାରୁ ନାହିଁ, ଦରକାର ବିଧାନ ପରିଷଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସବୁ ପୁରୁଣା ରେକର୍ଡ଼କୁ ଭାଙ୍ଗିଦେଲେ ସରକାର । ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ପରିସମାପ୍ତି ଦିବସର ୧୭ ଦିନ ପୂର୍ବରୁ ବନ୍ଦ ହୋଇଗଲା ।
ଗତବର୍ଷ ପଞ୍ଚଦଶ ବିଧାନସଭାର ଶୀତକାଳୀନ ଅଧିବେଶନଟି ୫ଦିନ ପୂର୍ବରୁ ବନ୍ଦ ହୋଇଯାଇଥିଲା । ସେତେବେଳେ ସରକାରଙ୍କ ଯୁକ୍ତି ଥିଲା ଯେ, ଆଉ କୌଣସି ସରକାରୀ କାର୍ଯ୍ୟ ନାହିଁ । ଏହାକୁ ସେତେବେଳକାର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ବିରୋଧୀ ଦଳ ଭାଜପା ତୀବ୍ର ବିରୋଧ କରିଥିଲେ । ତକ୍ରାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ସମାଲୋଚନାରେ କହିଥିଲେ ଯେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାକୁ ଥିବା ବେଳେ ସରକାର ଏହା କରାଇ ଦେଲେ ନାହିଁ ।
ଷୋଡ଼ଶ ବିଧାନସଭାର ପ୍ରଥମ ତଥା ବଜେଟ୍‌ ଅଧିବେଶନଟି ମଧ୍ୟ ୫ଦିନ ଆଗରୁ ବନ୍ଦ କରିଦେଇଥିଲେ ସରକାର । ସେହି ଗୋଟିଏ ଘୋଷା ଯୁକ୍ତି – ଆଉ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା । ନବୀନ ସରକାର କ୍ଷମତାକୁ ଆସିବା ପରେ ଅଧିକାଂଶ ଅଧିବେଶନ ନିର୍ଦ୍ଧାରିତ ଦିବସ ଠାରୁ ବହୁ ପୂର୍ବରୁ ବନ୍ଦ ହୋଇଛି । ଏଥର ଶୀତ ଅଧିବେଶନରେ କିନ୍ତୁ ରେକର୍ଡ଼ କରିଦେଲେ ସରକାର ।
୨୦୧୮ ଶୀତ ଅଧିବେଶନ ବିଷୟ ଉଲ୍ଲେଖ କରିବାର କାରଣଟି ହେଲା, ଏହି ଅଧିବେଶନ ପରେପରେ ହକି ବିଶ୍ୱକପ୍‌ ଆୟୋଜିତ ହୋଇଥିଲା କଳିଙ୍ଗ ଷ୍ଟାଡିୟମରେ । ଏହା ପରେପରେ ଆସିଲା ତିନି ଭାଜପା ଶାସିତ ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ହଠାତ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଚୈତନ୍ୟ ଉଦୟ ହେଲା । ଚାଷୀଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ କାଳିଆ ଯୋଜନା ଘୋଷଣା କଲେ । ଯେଉଁ ସରକାର ମାତ୍ର ୨୦ ଦିନ ତଳେ ଆଉ କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ଘୋଷଣା କରି ଶୀତ ଅଧିବେଶନକୁ ବନ୍ଦ କରିଦେଇଥିଲେ, ସେହି ସରକାର ଗୃହକୁ ବିଶ୍ୱାସକୁ ନନେଇ ଆକସ୍ମିକ ପାଣ୍ଠିରୁ କାଳିଆ ଟଙ୍କା ଦେବାର ବ୍ୟବସ୍ଥା କରିଦେଲେ ।
୧୧୩ ଜଣ ବିଧାୟକଙ୍କ ବଳରେ ବଳିଆନ ସରକାର ଏତେ ପଳାୟନପନ୍ଥୀ କାହିଁକି? ଯେଉଁ ସରକାର ବିଧାନସଭାର ଘୋଷିତ କାର୍ଯ୍ୟ ଦିବସର ସଦୁପଯୋଗ କରିପାରୁ ନାହାନ୍ତି, ସେହି ସରକାରଙ୍କୁ ବିଧାନ ପରିଷଦ ଦରକାର କି?
ଏବେ ସରକାର ଏବଂ ବିଜୁ ଜନତା ଦଳ ବିଧାନ ପରିଷଦ ପଛରେ ପଡ଼ିଛନ୍ତି । ଏଥିପାଇଁ କେନ୍ଦ୍ରର ମୋଦୀ ସରକାରଙ୍କ ସହ ସବୁ ପ୍ରକାର ଡିଲ୍‌ କରିବାକୁ ମଧ୍ୟ ପ୍ରସ୍ତୁତ ବିଜୁ ଜନତା ଦଳ । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡକାଇଥିବା ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ ନେତା ପିନାକୀ ମିଶ୍ର ବିଧାନ ପରିଷଦ ଗଠନ ଲାଗି ସମ୍ବିଧାନ ସଂଶୋଧନ ସକାଶେ ଦାବି କରିଥିଲେ । ବିଜୁ ଜନତା ଦଳ ନେତାମାନେ ମଧ୍ୟ ଏବେ ସେହି ଲାଇନରେ ଆଲୋଚନା କରୁଛନ୍ତି ।
ଗତବର୍ଷ ସେପ୍ଟେମ୍ବରରେ ପଞ୍ଚଦଶ ବିଧାନସଭାର ବର୍ଷାକାଳୀନ ଅଧିବେଶନରେ ବିଧାନ ପରିଷଦ ଗଠନ ସଂକଳ୍ପ ଅନୁମୋଦିତ ହୋଇଥିଲା । ଏହାକୁ ବିଜଦ ସଂକଳ୍ପ ବୋଲି କୁହାଯାଇପାରେ । କାରଣ କୌଣସି କଂଗ୍ରେସ ଓ ଭାଜପା ବିଧାୟକ ସଂକଳ୍ପକୁ ସମର୍ଥନ କରି ନଥିଲେ । ବରଂ ଆକ୍ଷେପ କରିଥିଲେ ଯେ, ରାଜନୈତିକ ଥଇଥାନ ସକାଶେ ଏଭଳି ସଂକଳ୍ପ ପାରିତ କରାଇଛନ୍ତି ସରକାର ।
ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଯୁକ୍ତି ଥିଲା ଯେ, ଓଡ଼ିଶାରେ ଅଭିବୃଦ୍ଧି ବେଗ ଧରିଛି । ଏହାକୁ ଅଧିକ ଗତିଶୀଳ କରିବା ପାଇଁ ବ୍ୟାପକ ପରାମର୍ଶର ଆବଶ୍ୟକତା ଅଛି । ଏହି ଦୃଷ୍ଟିରୁ ବିଧାନ ପରିଷଦ ଅତ୍ୟନ୍ତ ସହାୟକ ହେବ ।
ସେତେବଳକାର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଦର୍ଶାଇ ଥିଲେ ଯେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଏବଂ ତର୍କବିତର୍କର ଆବଶ୍ୟକତା ଥିବାରୁ ବିଧାନସଭାରେ ପାରିତ ହେଉଥିବା ବିଲ୍‌ଗୁଡ଼ିକ ଉପରେ ଉପର ସଦନରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇପାରିବ । ଏବେ ବି ବିକ୍ରମ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଛନ୍ତି ।

ଗୁରୁବାର ଦିନ ଅଧିବେଶନକୁ ୧୭ ଦିନ ଆଗରୁ ବନ୍ଦ କରିବା ପ୍ରସ୍ତାବ ତାଙ୍କରି ଦ୍ୱାରା ହିଁ ଅଣାଯାଇଥିଲା ।
ଯେଉଁ ସରକାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ବ୍ୟାପକ ବିଚାରବିମର୍ଶ କରିବା ପାଇଁ ଆଗ୍ରହୀ ନୁହଁନ୍ତି, ସେହି ସରକାରଙ୍କର ବିଧାନ ପରିଷଦର ଆବଶ୍ୟକତା ଅଛି କି? ନା କେବଳ ରାଜନୈତିକ ଥଇଥାନ ପାଇଁ ହାତୀ ପୋଷିବା ସକାଶେ ନବୀନ ସରକାର ଏତେ ବ୍ୟଗ୍ର? ଯେଭଳି କୌଣସି ଅଧିବେଶନ ଘୋଷିତ କାର୍ଯ୍ୟ ଦିବସ ପୂର୍ଣ୍ଣାଙ୍ଗ କରିପାରୁ ନାହିଁ, ଏହାକୁ ଦେଖିବା ପରେ କେବଳ ମୁର୍ଖମାନେ ହିଁ ଦାବି କରିବେ ଯେ, ଓଡ଼ିଶାରେ ବିଧାନ ପରିଷଦର ଆବଶ୍ୟକତା ଅଛି ।
ବିଧାନସଭାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଆଲୋଚିତ ହେଲା ନାହିଁ । ଏହି ବେଞ୍ଚ ପ୍ରତିଷ୍ଠା ଦାବିରେ ତିନିଦିନ ସମ୍ବଲପୁର ଜିଲା ବନ୍ଦ ପାଳିତ ହୋଇଗଲା । ସରକାର ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କାଳିଆ ତାଲିକା ପ୍ରକାଶ କଲେ ନାହିଁ । ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରତିକି୍ରୟା । ଏହା ଉପରେ ମଧ୍ୟ ବିସ୍ତାରରେ ଗୃହ ଆଲୋଚନା କଲା ନାହିଁ । ଜଣେ ପୂର୍ବତନ ମନ୍ତ୍ରୀଙ୍କ ଜମି ଦୁର୍ନୀତି ଉପରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଗଲା ନାହଁ । ଆବାସ ଦୁର୍ନୀତି ହୋଇଥିବା ସ୍ୱୀକାର କରୁଥିବା ସରକାର ନିଜ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇଲେ ଅଥଚ ପୂର୍ଣ୍ଣାଙ୍ଗ ଆଲୋଚନା ପାଇଁ ରାଜି ହେଲେ ନାହିଁ ।
ଯେଉଁ ସରକାର ଜଣେ ମନ୍ତ୍ରୀଙ୍କ ବାନ୍ଧବୀ ପ୍ରୀତି ଲାଗି ୧୭ ଦିନ ଆଗରୁ ଅଧିବେଶନକୁ ବନ୍ଦ କରିଦେଇ ରେକର୍ଡ଼ କଲେ, ସେହି ସରକାରଙ୍କୁ କ’ଣ ପାଇଁ ଦରକାର ବିଧାନ ପରିଷଦ? ଏହା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ଅଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*