ବିଜେପୁର ଉପନିର୍ବାଚନ- ୫|ଅସଲ ପ୍ରସଙ୍ଗ ବେଫୋକସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବିଜେପୁର

ପ୍ରଚାର ଲାଗି ହାତରେ ମାତ୍ର ୬ ଦିନ । ୧୯ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ୨୦ ଅନ୍ଧାରୀ ବିଜେ ଓ ଗାନ୍ଧୀ ମହାତ୍ମ୍ୟ । ୨୧ରେ ଭୋଟ ଏବଂ ୨୪ରେ ଫଳ । ତେଣୁ ଦଳ ବା ପ୍ରାର୍ଥୀଙ୍କ ହାତରେ ଆଉ ବେଶୀ ସମୟ ନାହିଁ । ପ୍ରଚାର ଜୋର ଧରିଛି ସତ, କିନ୍ତୁ ଅସଲ ପ୍ରସଙ୍ଗ ଫୋକସ୍‌ ବାହାରକୁ ଚାଲି ଯାଇଛି । ଯଦି ବିରୋଧୀଦଳ, ବିଶେଷ କରି ଭାଜପା ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଆକ୍ରମଣକୁ ଶାଣିତ କରେ, ତେବେ ବ୍ୟାକ୍‌ଫୁଟ୍‌ରେ ଥିବା ବିଜଦ ପାଇଁ ହୁଏତ ସମସ୍ୟା ବଢିପାରେ ।
ଏଥର ବି ବିଜେପୁର ଲଢେଇ ଦି’ଦଳ ଭିତରେ ହେଉଛି । ଏକଦା ବିଜେପୁର କଂଗ୍ରେସର ଦୁର୍ଗ ଥିଲା । ୧୪ଟି ନିର୍ବାଚନରେ କଂଗ୍ରେସ ଏହି ଆସନ ଜିଣିଛି ୮ ଥର । କଂଗ୍ରେସର ସୁବଳ ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ହ୍ୟାଟ୍ରିକ କରିଛନ୍ତି ଏହି ଆସନରୁ । କଂଗ୍ରେସର ଦୁର୍ଭାଗ୍ୟ, ସୁବଳଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ରୀତା ଗତ ଉପନିର୍ବାଚନରେ ବିଜଦ ଟକିଟରେ ଲଢି ଜିଣିଥିଲେ ଏବେ ପୁଣି ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ବହୁ ପରୀକ୍ଷା କରିସାରିଲାଣି ଏଇ ଦି ବର୍ଷ ଭିତରେ । ତିନିଟି ନିର୍ବାଚନରେ ୩ ଜଣ ପ୍ରାର୍ଥୀ । ଏଥର ନୂଆ ଚେହେରା ମଇଦାନକୁ ଉତାରି ଥିଲେ ବି କଂଗ୍ରେସ ଗଲା ଦୁଇଟି ନିର୍ବାଚନରେ ରେସ୍‌ରେ ନଥିଲା । ୨୪ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ମଧ୍ୟ ରେସ୍‌ରେ ନାହିଁ । ଖାଲି ଲଢିବା ନାଁରେ ଲଢୁଛି କଂଗ୍ରେସ । ସେଥିଲାଗି ମୁଖ୍ୟତଃ ଲଢେଇ ବିଜଦର ରୀତା ସାହୁ ଓ ଭାଜପାର ସନତ ଗଡ଼ତିଆଙ୍କ ଭିତରେ ହେଉଛି ।
ବିଜଦର ମନ୍ତ୍ରୀ ଓ ନେତାମାନେ ସେଠାରେ ଡେରା ପକାଇଛନ୍ତି । ୨୦୧୮ ଉପନିର୍ବାଚନ ବେଳେ ବି ପକେଇଥିଲେ । ପାଟକୁରା ନିର୍ବାଚନ ବେଳେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ପାଟକୁରା ଅପେକ୍ଷା ବିଜେପୁରରେ ସ୍ଥିତି ବିଜଦ ଲାଗି ସେତେ ଅନୁକୂଳ ନୁହେଁ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜେପୁର ଜିଣି ଏହି ଆସନଟିକୁ ଛାଡ଼ିଦେବା ଯୋଗୁ ବିଜଦ ପ୍ରାର୍ଥୀ ଅଡ଼ୁଆରେ ପଡ଼ିଛନ୍ତି । ରୀତା କାହିଁକି ଛିଡ଼ା ହୋଇନଥିଲେ, ଏବେ କାହିଁକି ହେଲେ ଏବଂ ମୁଖ୍ୟମନ୍ତ୍ରୀ କାହିଁକି ବିଜେପୁର ଲୋକଙ୍କ ବିଶ୍ୱାସ ସହ ଖେଳିଲେ, ଏହି ପ୍ରଶ୍ନ ଉଠିଛି ଓ ବିଜଦକୁ ଅଡ଼ୁଆରେ ପକାଇବା କଥା ସତ । ଭାଜପାର ଷ୍ଟାର ପ୍ରଚାରକ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ପ୍ରଚାର ସମୟରେ ସେଇ କଥା ମଧ୍ୟ ଉଠେଇଛନ୍ତି ।କିନ୍ତୁ ବଡ଼ ପ୍ରସଙ୍ଗ ହେଉଛି ବିଜେପୁରର ସମସ୍ୟା । ମୁଖ୍ୟମନ୍ତ୍ରୀ ୨୦୧୭ରେ ବିଜେପୁର ଉପନିର୍ବାଚନକୁ ଆଖିରେ ରଖି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କାହିଁକି ପୂରଣ ହୋଇନାହିଁ, ପୁଣି ବିଜଦ ସେଇ ବିକାଶ ନାମରେ ଭୋଟ କେମିତି ମାଗୁଛି ? ଏହା ଲୋକଙ୍କ ମତରେ କୋର୍‌ ଇସୁ୍ୟ । ରିପୁନାଥ, ଅଶୋକ ପାଣିଗ୍ରାହୀ, ଆଦିତ୍ୟପ୍ରତାପ ମିଶ୍ର ଇସୁ୍ୟ ନୁହଁନ୍ତି । ସେମାନେ ଗୋଟିଏ ଗୋଟିଏ ଖବର ମାତ୍ର । ଭାଜପା ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ିଲେ ପାଖରେ ନ ଅଟକି ଯଦି ବିକାଶ କୁଆଡ଼େ ଗଲା ବୋଲି ପ୍ରଶ୍ନ ଛାଇଦିଏ ବିଜଦ ନେତାଙ୍କୁ , ତେବେ ରୀତା ବଡ଼ ଅସୁବିଧାରେ ପଡ଼ିବେ ।
ବିଜେପୁରରେ ସମସ୍ତଙ୍କୁ ପକା ଘର ମିଳିନାହିଁ । ଅଥଚ ଗତ ବିଧାନସଭା ନିର୍ବାଚନ ଆଗରୁ ସମସ୍ତଙ୍କୁ ବିଜୁ ପକାଘର ମିଳିଗଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିଲେ । ଗଙ୍ଗାଧର ମେହେର ଉଠା କେନାଲ ଯୋଜନା ଘୋଷଣାକୁ ଗତ ଉପନିର୍ବାଚନ ବେଳେ ଟ୍ରମ୍ପକାର୍ଡ ଭାବେ ଉପଯୋଗ କରିଥିଲା ବିଜଦ । ପାଖାପାଖି ଦୁଇ ବର୍ଷ ଭିତରେ କାମ ଆରମ୍ଭ ହୋଇପାରିଲା ନାହିଁ । ସ୍କୁଲରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଅଥଚ ମୋ ସରକାର ନାମରେ ସୁନ୍ଦରଗଡ଼ରେ ଜଣେ ଅଧିକାରୀଙ୍କୁ ସସ୍‌ପେନ୍ଦ କରି ବିଜେପୁର ଭୋଟରଙ୍କୁ ପ୍ରଭାବିତ କରିବାର ଉଦ୍ୟମ କରୁଛନ୍ତି ସରକାର । ପାନୀୟ ଜଳ ଏକ ବିରାଟ ସମସ୍ୟା । ନିଯୁକ୍ତି କଥା ଛାଡ଼ନ୍ତୁ, ରାସ୍ତା କଥା ତ ଚିନ୍ତା କରନ୍ତୁ ସରକାର । ସବୁଠାରୁ ଦୁଇ ଅବହେଳିତ ନିର୍ବାଚନ ମନ୍ଦଳୀ ହେଉଛି ବିଜେପୁର ଓ ପଦ୍ମପୁର ।
ଲୋକେ ବିଜଦ ନେତାଙ୍କ ପ୍ରତିଶ୍ରୁତିରେ ଅତିଷ୍ଠ । ତୃଣମୂଳ ସ୍ତରରେ ଭୟଙ୍କର ଅସନ୍ତୋଷ ରହିଛି । କେବଳ ଏଥିରେ ନିଆଁ ଧରାଇବା ବାକି । ଯଦି ଭାଜପା ଏଇ କାମ ଟିକକ ଭଲ ଭାବେ କରିପାରେ, ତେବେ ନିର୍ବାଚନୀ ଅଘଟଣକୁ କଦାପି ଏଡ଼ାଇ ଦିଆଯାଇନପାରେ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*