ବିଜେପୁର ଉପନିର୍ବାଚନ ପ୍ରସଙ୍ଗ -୨ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ରକ୍ଷା ସମ୍ମାନର ପ୍ରଶ୍ନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବିଜେପୁର

ଦଶହରା ସରିବା ପରେ ଏବେ ଉପକୂଳ ଓଡ଼ିଶାର ନେତାମାନେ ବିଜେପୁର ମୁହାଁ ହୋଇଛନ୍ତି । ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ମଙ୍ଗଳବାର ରାତିରୁ ପର୍ଯ୍ୟାୟକ୍ରମେ ଯାଇଛନ୍ତି ବିଜେପୁରକୁ । ବିଜେପୁର, ବରପାଲି, ଗାଈସିଲଟ ବ୍ଲକ୍‌ରେ ଯାହାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, ସେହି ଅଞ୍ଚଳରେ ପହଞ୍ଚô ଗଲେଣି ନେତାଏ । ଏଣେ ଭାରତୀୟ ଜନତା ପାର୍ଟି ନେତା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିବା ପାଇଁ ବୌଦ୍ଧିକ କସରତ ଚଳାଇଛନ୍ତି । ତାଙ୍କୁ ଦଳ ଅଣଦେଖା କରିଛି ବୋଲି ସେ ଅଭିଯୋଗ କରୁଛନ୍ତି । ସମାନ ଅବସ୍ଥା କଂଗ୍ରେସର । ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ଅର୍ଥ-କ୍ଷମତା-ବାହୁ ବଳ ଦୃଷ୍ଟିରୁ ବିଜୁ ଜନତା ଦଳ ଢେର୍‌ ଆଗରେ ଅଛି । କିନ୍ତୁ ଏହା ବୋଲି ଯେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ନାହିଁ, ଏକଥା ନୁହେଁ । ଚାପା ଅସନ୍ତୋଷରୁ ଯଦି ବିରୋଧୀ ଦଳ ବିଶେଷକରି ଭାରତୀୟ ଜନତା ପାର୍ଟି ଫାଇଦା ନେଇପାରେ, ତେବେ ଅନେକ ହିସାବ କିତାବ ବା ଗଣିତ ବିଗିଡ଼ି ଯିବାର ଆଶଙ୍କା ରହିଛି ।
ବିଜେପୁର ଉପନିର୍ବାଚନଟି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଉଠିଛି । ତିନିଟି ବଡ଼ ପ୍ରଶ୍ନ ଚକର୍‌ କାଟୁଛି ବିଜଦ ମୁନ୍ଦ ଉପରେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପୁରକୁ ଦ୍ୱିତୀୟ ଆସନ ଭାବେ ବାଛିଥିଲେ ନବୀନ ପଟନାୟକ । ସାଧାରଣତଃ ଆରମ୍ଭରୁ ସେ ହିଞ୍ଜିଳିରୁ ଜିତି ଆସୁଛନ୍ତି । ସେଠାରେ ତାଙ୍କ ପାଇଁ କୌଣସି ସମସ୍ୟା ନଥିଲା । ଏହା ସତ୍ତ୍ୱେ ହଠାତ୍‌ ପଶ୍ଚିମ ଓଡ଼ିଶାବାସୀଙ୍କ ‘ଅନୁରୋଧ’ କ୍ରମେ ନବୀନ ବିଜେପୁରକୁ ଦ୍ୱିତୀୟ ଆସନ ଭାବେ ବାଛିଥିଲେ । ଏହି ଆସନରୁ ସେ ୧ଲକ୍ଷ ୧୦ହଜାର ୬୦୪ଟି ଭୋଟ୍‌ ପାଇ ନିର୍ବାଚିତ ହୋଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଭାଜପାର ସନତ୍‌ ଗଡ଼ତିଆ । ସେ ପାଇଥିଲେ ୫୩ହଜାର ୪୦୨ଟି ଭୋଟ । କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ୍‌ଙ୍କୁ ମିଳିଥିଲା ୧୦ହଜାର ୩୪୪ଟି ଭୋଟ । ଏଥର ଉପନିର୍ବାଚନରେ ନବୀନ ନାହାନ୍ତି କି ନାହାନ୍ତି ରିପୁ । କିନ୍ତୁ ସନତ ଭାଜପା ପ୍ରାର୍ଥୀ ଭାବେ ପୁଣି ଥରେ ବିଜେପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ନବୀନଙ୍କ ସ୍ଥାନରେ ପୁଣି ସ୍ଥାନ ପାଇଛନ୍ତି ରୀତା ସାହୁ । ରୀତା ୨୦୧୮ ଉପନିର୍ବାଚନରେ କଂଗ୍ରେସରୁ ଆସି ବିଜଦ ପ୍ରାର୍ଥୀ ଭାବେ ୧ଲକ୍ଷ ୨ହଜାରରୁ ଅଧିକ ଭୋଟ ପାଇଥିଲେ । କିନ୍ତୁ ତାଙ୍କୁ ଗତ ନିର୍ବାଚନରେ ପ୍ରାର୍ଥୀ କରାଯାଇ ନଥିଲା । ଏବେ ପୁଣି ରୀତା ପ୍ରାର୍ଥୀ ହୋଇଥିବାରୁ ଦୁଇଟି ପ୍ରଶ୍ନ ବିଜଦ ଆଗରେ ଉଠିଛି । ରୀତା ହୋଇ ନଥିଲେ, ପୁଣି ହେଲେ କାହିଁକି? ଗତ ଥର କିଛି ଅସୁବିଧା ଥିଲା କି? ଦ୍ୱିତୀୟ ପ୍ରଶ୍ନଟି ହେଲା- ନବୀନ ବିଜେପୁର ଆସିଥିଲେ କାହିଁକିଁ? ଏବେ ଛାଡ଼ିଗଲେ କାହିଁକି? ଏହି ଦୁଇଟି ପ୍ରଶ୍ନ ବିଜଦ ପାଇଁ ଭାରି ଅଡ଼ୁଆ । କିନ୍ତୁ ଗତ ନିର୍ବାଚନରେ ନବୀନ ରୀତାଙ୍କ ଅପେକ୍ଷା ୮ହଜାରରୁ ଅଧିକ ଭୋଟ ପାଇଥିଲେ । ଯେହେତୁ ନବୀନ ଏହି ଆସନ ଛାଡ଼ିବା କାରଣରୁ ଉପନିର୍ବାଚନ ହେଉଛି, ବିଜଦ ସକାଶେ ଏହି ଆସନଟି ଏକ ସମ୍ମାନର ପ୍ରଶ୍ନ ହୋଇ ଉଠିଛି । ବିଜେପୁର ନବୀନଙ୍କ ଆସନ ଥିଲା । ନବୀନଙ୍କ ଆସନ ରକ୍ଷା କରିବେ ରୀତା । ଯଦି ରୀତା ନବୀନଙ୍କ ଠାରୁ ଅଧିକ ଭୋଟ ପାଆନ୍ତି, ତେବେ ଲୋକେ ଧରିନେବେ ଯେ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ରୀତା ସାହୁ ଅଧିକ ଲୋକପି୍ରୟ । ତେଣୁ ବିଜଦ ବିଜେପୁର ଆସନ ଜିଣିବାକୁ ସବୁପ୍ରକାର ବଳ ଖଟେଇଦେବ । ମାତ୍ର ନବୀନ ଗତଥର ଯେତିକି ଭୋଟ ପାଇଥିଲେ, ରୀତା ତାହାକୁ ଯେଭଳି ଟପି ନପାରନ୍ତି, ସେଥିପାଇଁ ମଧ୍ୟ ଦୃଷ୍ଟି ଦେବ ଦଳ । ଏକଥା ବିଜେପୁରରେ ବେଶ୍‌ ଆଲୋଚନା ହେଉଛି । ଏଭଳି ଦ୍ୱନ୍ଦ୍ୱ ଭାଜପାକୁ ହୁଏତ ଅଧିକ ସୁବିଧା ଦେଇପାରେ ।
ବିଜେପୁର ଉପନିର୍ବାଚନରେ ବିଜଦ ପାଇଁ ରଣସଜ୍ଜାଠୁ ଆରମ୍ଭ କରି କୌଶଳ ନିର୍ଦ୍ଧାରଣ କରିବା ଦାୟିତ୍ୱରେ ଅଛନ୍ତି ୫-ଟି ସଚିବ ଭିକେ ପାନ୍ଦିଆନ । ପ୍ରଥମ ଥର ପାଇଁ ମେଡିକାଲ୍‌ ସମୀକ୍ଷା ଆଳରେ ସେ ମାଲକାନଗିରି ଓ ନବରଙ୍ଗପୁର ଯାଇଛନ୍ତି । ବିଜେପୁର ଆସିବେ ବୋଲି ଏଠାରେ ଚର୍ଚ୍ଚା ଜୋର୍‌ ଧରିଲାଣି । ସରକାରୀ କାମରେ ଆସି ସମୀକ୍ଷା ବାହାନାରେ ସେ ବିଜୁ ଜନତା ଦଳ ସକାଶେ ଏଠାରେ କାମ କରିବେ ବୋଲି ଚର୍ଚ୍ଚା ପରିପ୍ରେକ୍ଷୀରେ ଏହା ଏକ ରାଜନୈତିକ ବିବାଦ ସୃଷ୍ଟି କରିବାର ଆଶଙ୍କା ଅଛି । ଗତ ଉପନିର୍ବାଚନ ପରି ଏଥର ମଧ୍ୟ ପ୍ରାୟୋଜିତ ହିଂସାକାନ୍ଦକୁ ଏଡ଼ାଇ ଦେଇପାରୁ ନାହାନ୍ତି ଲୋକେ । ମୁଖ୍ୟମନ୍ତ୍ରୀ ଧୂଆଁଧାର୍‌ ପ୍ରଚାର କରିବେ ନାହିଁ ବୋଲି ଆଲୋଚନା ହେଉଛି । ତେଣୁ ତାଙ୍କ ସଚିବ ଖୋଲାଖୋଲି ମଙ୍ଗ ଧରିବା ଚର୍ଚ୍ଚାକୁ ଉପେକ୍ଷା କରିହେଉ ନାହିଁ । ଯେଉଁ ସଂଖ୍ୟାରେ ମନ୍ତ୍ରୀ ଓ ବିଧାୟକମାନେ ଏଠାରେ ପହଞ୍ଚିଗଲେଣି, ଲାଗୁଛି ପୁରା ସରକାର ଉଠି ଆସିଲାଣି । ପାଟକୁରାରେ ଯେଉଁ ଫର୍ମୁଲା ଗ୍ରହଣ କରିଥିଲା ବିଜଦ, ଏଠାରେ ମଧ୍ୟ ସମାନ ଫର୍ମୁଲା ଲାଗୁ କରାଯିବ । ବିକାଶର ସବୁ ପ୍ରତିଶ୍ରୁତି ଅଜାଡ଼ି ଦେବେ ମନ୍ତ୍ରୀ ଓ ବିଜଦ ନେତାମାନେ ।
କିନ୍ତୁ ୨୦୧୮ ଉପନିର୍ବାଚନ ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଗୁଡ଼ିକ ପ୍ରାୟତଃ ପ୍ରତିଶ୍ରୁତିରେ ରହିଯାଇଛି । ଏବେ ନୂଆ ପ୍ରତିଶ୍ରୁତି ଭୋଟରଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରିବ କି ନାହିଁ, ସେ ନେଇ ଘୋର୍‌ ସନେ୍ଦହ ଅଛି । ତେବେ ବିଜଦ କଂଗ୍ରେସର ପୂର୍ବ ସଂଗଠନ ଏବଂ ନେଟ୍‌ୱାର୍କ ଉପରେ ଅଧିକ ନିର୍ଭର କରୁଛି । ଏଥିପାଇଁ ରୀତାଙ୍କୁ ପୁଣି ପ୍ରାର୍ଥୀ କରିଛି ଦଳ । ଏହା ବୁମେରାଂ ହେବ କି ନାହିଁ, ଫଳ କହିବ । ତେବେ ଭାଜପାରେ ଅଶୋକ ପାଣିଗ୍ରାହୀଙ୍କ ବିଦ୍ରୋହରୁ ବିଜଦ ଫାଇଦା ନେବାକୁ ଚେଷ୍ଟା କରିପାରେ । ମାତ୍ର ଭାଜପା ନେତାଙ୍କ କହିବା କଥା ଯେ, ୨୦୧୮ ଉପନିର୍ବାଚନରେ ପରାଜୟ ପରେ ଅଶୋକ ଆଉ ସକି୍ରୟ ନଥିଲେ । ଗତ ନିର୍ବାଚନରେ ସନତ ପ୍ରାର୍ଥୀ ହେବା ପରେ ସେ ଏହାକୁ ବିରୋଧ କରି ନଥିଲେ । ଏବେ ଦଳକୁ ସମାଲୋଚନା କରୁଥିବାରୁ ତାଙ୍କର ଅନ୍ୟ କିଛି ଉଦେ୍ଦଶ୍ୟ ଥାଇପାରେ ବୋଲି ଦଳୀୟ ନେତାମାନେ ମନ୍ତବ୍ୟ ଦେଉଛନ୍ତି ।
ବିଜେପୁର ଉପନିର୍ବାଚନ ଏଥିପାଇଁ ଅଧିକ ଚର୍ଚ୍ଚିତ, କାରଣ ମାତ୍ର ୫ମାସ ତଳେ ଏହି ଆସନରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ତେଣୁ ନବୀନଙ୍କ ସମ୍ମାନ କାରଣରୁ ଏହି ଉପନିର୍ବାଚନଟି ଅଧିକ ରୋଚକ ହେବ ବୋଲି ମନେ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*