ବିଜଦ-ଭାଜପାକୁ ଅଡୁଆ ପ୍ରାର୍ଥୀ ତାଲିକା ଚିଟ୍‌ଫନ୍ଦ ଓ ମହିଳା ଚିନ୍ତା ବଢ଼ାଇବେ ନବୀନଙ୍କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସବୁ ନିର୍ବାଚନ ବେଳେ ସବୁ ବଡ଼ ଦଳ ସକାଶେ ପ୍ରାର୍ଥୀ ମନୋନୟନ ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବା ପରେ ଅନେକ ଦଳରେ ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଆବିର୍ଭାବ ହୋଇପଡ଼ନ୍ତି । ଆସନ୍ତା ନିର୍ବାଚନରେ ମଧ୍ୟ ଏଭଳି ସମସ୍ୟା ଘେରରେ ତିନି ପ୍ରମୁଖ ଦଳ ବିଜଦ, ଭାଜପା ଓ କଂଗ୍ରେସ ପଡ଼ିବା ବିଚିତ୍ର ନୁହେଁ । ତେବେ ସବୁଠୁ ଅଧିକ ସମସ୍ୟା ଏବଂ ସଂକଟ ସୃଷ୍ଟି ହେବ ୧୯ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ କ୍ଷେତ୍ରରେ ।
ତିନି ଦଳ ଭିତରୁ ସବୁଠୁ ସୁବିଧାଜନକ ସ୍ଥିତି ହେଉଛି କଂଗ୍ରେସର । କଂଗ୍ରେସ ଆଗତୁରା ପ୍ରାର୍ଥୀ ଘୋଷଣା କରିବ ବୋଲି ପୂର୍ବରୁ କହୁଥିଲେ ସୁଦ୍ଧା, ଏତେ ସହଜ ନୁହେଁ । କଂଗ୍ରେସ ଇତିହାସରେ ଯଥେଷ୍ଟ ଆଗରୁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୁଏ ନାହିଁ । ତେବେ ଓଡ଼ିଶାରେ କଂଗ୍ରେସ ଉପରେ ବିଜୁ ଜନତା ଦଳ ଏତେ ଦାଉ ସାଧି ସାରିଲାଣି ଯେ, ପ୍ରାର୍ଥୀ ମନୋନୟନ ଏହି ଦଳ ପାଇଁ ବଡ଼ ସମସ୍ୟା ହେବ ନାହିଁ । ମିଳିଥିବା ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, କଂଗ୍ରେସ ଆପାତତଃ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି । ତେବେ ବାମ ଦଳ ଓ ଝାମୁମୋ ସହ ମେଣ୍ଟ ହେବାକୁ ଯାଉଥିବାରୁ, ଆସନ ବୁଝାମଣା ଚିତ୍ର ସ୍ପଷ୍ଟ ହେବା ପରେ କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ମୋଟାମୋଟି ପ୍ରତି ଆସନ ପାଇଁ ଦୁଇଜଣ ଲେଖାଏଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଏଆଇସିସି ଅନୁମୋଦନ ସକାଶେ ପଠାଯାଇଥିଲେ ହେଁ, କିଏ ପ୍ରାର୍ଥୀ ହେବ, ତାହା ଆପାତତଃ ସ୍ଥିର ହୋଇସାରିଛି ।

ଏକ ସମୟରେ କଂଗ୍ରେସ ତଳମୁହାଁ ଏବଂ ଭାଜପା ଉପର ମୁହାଁ ହେଉଥିବା ଦେଖାଯାଇଥିଲା । ଏହାକୁ ଲକ୍ଷ୍ୟକରି ଅନେକ ଭାଜପା ଆଡ଼କୁ ଢଳିଥିଲେ । ଅନ୍ୟ ଦଳରୁ ଯାଇ ମିଶିଥିଲେ ଭାଜପାରେ । ଏମାନଙ୍କୁ ନେଇ ଏକ ସମସ୍ୟା ସୃଷ୍ଟି ହୋଇଛି ଦଳ ଭିତରେ । ଏମାନଙ୍କୁ ଦଳର ମୂଳ କର୍ମୀମାନେ ବିରୋଧ କରୁଛନ୍ତି । ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି । ଦଳର ପୁରୁଣା ନେତାମାନେ ଅସନ୍ତୋଷକୁ ଉସୁକାଇବାରେ ଲାଗିପଡ଼ିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଯାଜପୁର ଏବଂ ଭଦ୍ରକ ଜିଲା । ଏପରି ଅବସ୍ଥା ଅନେକ ଜିଲାରେ ଦେଖିବାକୁ ମିଳୁଛି । କେନ୍ଦ୍ରାପଡ଼ା ପରି ଅନ୍ୟ କେତେକ ଜିଲାରେ ଭାଜପା ନେତାମାନେ ଅନ୍ୟ କାହାକୁ ପୁରେଇ ଦେଉନାହାନ୍ତି । ଫଳରେ ଏକ ବଡ଼ ସମସ୍ୟା ସୃଷ୍ଟି ହେବ ପ୍ରାର୍ଥୀ ମନୋନୟନକୁ ନେଇ । ଭାଜପା ବିସ୍ତାରକ, ପ୍ରଭାରୀ, ବୁଥ୍‌ କମିଟି, ପନ୍ନା କମିଟି ଗଠନ କରିଥିଲେ ହେଁ, ପ୍ରାର୍ଥୀ ମନୋନୟନ ବେଳେ ପୁରୁଣା ଏବଂ ନୂଆଙ୍କୁ ନେଇ ଏକ ଦ୍ୱନ୍ଦ୍ୱ ରାଜ୍ୟ ନେତୃତ୍ୱକୁ ଖୁବ୍‌ ଅଡ଼ୁଆରେ ପକାଇବ । ବିକଳ୍ପର ଯେଉଁ ସମ୍ଭାବନା ଦଳ ସୃଷ୍ଟି କରିଥିଲା, ତାହା ପ୍ରାର୍ଥୀ ମନୋନୟନ ପରେ ଏହା କେତେ ପ୍ରତିଫଳିତ ହୋଇଛି ଜଣାପଡ଼ିବ । ତେବେ ଭାଜପା ଅପେକ୍ଷା କରିବ ଶାସକ ଦଳର ପ୍ରାର୍ଥୀ ଘୋଷଣାକୁ । ଦଳୀୟ ନେତୃତ୍ୱ ଜାଣନ୍ତି ଯେ, ଶାସକ ଦଳରେ ଅସନ୍ତୋଷ ଅଛି ଚରମରେ । ବିଜଦର ପ୍ରାର୍ଥୀ ତାଲିକା ଘୋଷଣା ପରେ ପରେ ଏହି ଅସନ୍ତୋଷରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିପାରେ ଭାଜପା ।
ସବୁଠୁ ବଡ଼ ସମସ୍ୟା ବିଜୁ ଜନତା ଦଳର । ଦଳର ନେତାମାନେ ଅନ୍ତରରେ ଧରି ନେଇସାରିଲେଣି ଯେ, ଏହା ନବୀନ ପଟନାୟକଙ୍କର ଶେଷ ନିର୍ବାଚନ । ତାଙ୍କ ନେତୃତ୍ୱରେ ଶେଷ ନିର୍ବାଚନ ଲଢ଼ୁଥିବା ବିଜଦ ଟିକଟ ପାଇଁ ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଯେନତେନ ପ୍ରକାରେଣ ଦେହରେ ପ୍ରାର୍ଥୀ ଷ୍ଟାମ୍ପ ଲାଗିଯାଉ ବୋଲି ଆଶାୟୀମାନେ ଚାହାନ୍ତି । ନବୀନଙ୍କ ଭାବମୂର୍ତ୍ତି ଆଧାରରେ ନିର୍ବାଚନ ଜିଣିବା ସହଜ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି ଆଶାୟୀଙ୍କ ମନରେ, ତାହା ପ୍ରାର୍ଥୀ ମନୋନୟନ ବେଳେ ଅଧିକ ସମସ୍ୟା ସୃଷ୍ଟି କରିବ ନେତୃତ୍ୱ ସକାଶେ । ପ୍ରତିଟି ଆସନରେ ୫ରୁ ୭ ଆଶାୟୀ । ସେମାନଙ୍କ ବ୍ୟାନର୍‌ ପ୍ରମାଣିତ କରୁଛି ଯେ, ପ୍ରାର୍ଥୀ ତାଲିକା ଘୋଷଣା ପରେପରେ ଅସନ୍ତୋଷକୁ ପ୍ରଶମିତ କରିବା ଏତେ ସହଜ ନୁହେଁ ।
ପୂର୍ବରୁ ଏକ ଧାରଣା ବଜାରକୁ ଚାଲିଯାଇଛି ଯେ, ଏଥର ଦୁର୍ନୀତିଗ୍ରସ୍ତ ଏବଂ ବିଭିନ୍ନ କେଳେଙ୍କାରୀରେ ଫଶିଥିବା ବିଧାୟକ ଓ ନେତାଙ୍କୁ ଟିକଟ ମିଳିବ ନାହିଁ । ଏହା ଅନ୍ୟ ଆଶାୟୀଙ୍କ ମନରେ ବଡ଼ ଆଶା ସୃଷ୍ଟି କରିଛି । ରାହୁଲ ଗାନ୍ଧୀ ଭୁବନେଶ୍ୱର ଆସିଥିବା ବେଳେ ରାଜ୍ୟ ସରକାରଙ୍କୁ ଚିଟ୍‌ଫନ୍ଦ ଚୋରଙ୍କ ସରକାର ବୋଲି କହିଥିଲେ । ଏବେ ଯଦି ଚିଟ୍‌ଫନ୍ଦ ଦୁର୍ନୀତିରେ ସମ୍ପୃକ୍ତ ନେତା ଓ ବିଧାୟକଙ୍କୁ ନବୀନ ଟିକଟ ଦିଅନ୍ତି, ତେବେ ଦୋହରା ସମସ୍ୟା ଦେଖାଦେବ । କଂଗ୍ରେସ ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବ । ଯଦି ବହୁ ବିଧାୟକଙ୍କର ଟିକଟ କାଟି ଏକ ନୂଆ ଟିମ୍‌ ସହ ଲୋକଙ୍କ ଆଗକୁ ଯିବାକୁ ଚେଷ୍ଟା କରନ୍ତି ନବୀନ, ତେବେ ପୁରୁଣା ନେତାମାନେ ଏହାକୁ କିଭଳି ବରଦାସ୍ତ କରିବେ, ତାହା ମଧ୍ୟ ନବୀନଙ୍କୁ ଚିନ୍ତାରେ ପକାଇବ । ତେଣୁ ପ୍ରାର୍ଥୀ ମନୋନୟନ ହିଁ ନବୀନଙ୍କ ପାଇଁ ସବୁଠୁ ବଡ଼ ଅଗ୍ନି ପରୀକ୍ଷା ।
ଦ୍ୱିତୀୟରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରଖିବାକୁ ଏକ ଅଭିଯାନ ଆରମ୍ଭ କରିଥିଲେ ନବୀନ । ଏହାକୁ ନେଇ ନେତ୍ରୀଙ୍କ ଭିତରେ ଟିକଟ ପାଇବାକୁ ନେଇ ଆଶା ସୃଷ୍ଟି ହୋଇଛି । ଅଧିକରୁ ଅଧିକ ନେତ୍ରୀ ଟିକଟ ଦୌଡ଼ରେ ସାମିଲ ହୋଇଗଲେଣି । ଅନେକ ଆସନରେ ପ୍ରଚାର ମଧ୍ୟ ସେମାନଙ୍କ ଢଙ୍ଗରେ ଆରମ୍ଭ କଲେଣି । ସେମାନଙ୍କ ପୋଷ୍ଟର, ବ୍ୟାନର୍‌ କର୍ମୀଙ୍କ ଭିତରେ ସନେ୍ଦହ ବଢ଼ାଇ ସାରିଛି । ଏଠାରେ କିଛି ଉଦାହରଣ ଦିଆଯାଇପାରେ । ମୟୂରଭଞ୍ଜର ବଡ଼ସାହି ଆସନ ପାଇଁ ଅବସର ନେଇଥିବା ଓଏଏସ୍‌ ମାହେଶ୍ୱରୀ ସେଠୀ ତାଙ୍କ ଢଙ୍ଗରେ କର୍ମୀଙ୍କୁ ଭେଟୁଛନ୍ତି । ମୋରଡ଼ାରେ ବିଧାୟକ ଅଛନ୍ତି ପ୍ରବୀଣ ଭଞ୍ଜଦେଓ । କିନ୍ତୁ ସମ୍ପା ମଜୁମ୍‌ଦାର୍‌ ମଧ୍ୟ ଦାବିଦାର ହୋଇ ବାହାରିଲେଣି । କରଞ୍ଜିଆରେ ପୂର୍ବତନ ମନ୍ତ୍ରୀ ରଘୁ ହେମ୍ବ୍ରମ୍‌ଙ୍କ ବୋହୂ ବାସନ୍ତୀ ହେମ୍ବ୍ରମ୍‌ ପ୍ରଚାର ଦୌଡ଼ରେ ସାମିଲ ହୋଇଗଲେଣି ।
ଏହା ଗୋଟିଏ ଜିଲାର ଚିତ୍ର । ଉଣା ଅଧିକେ ସବୁ ଜିଲାରେ ବିଜଦ ନେତ୍ରୀମାନେ ଏତେ ସଂଖ୍ୟାରେ ଟିକଟ ଆଶାୟୀ ହୋଇପଡ଼ିଛନ୍ତି ଯେ, ଏହାକୁ କିଭଳି ସମାଧାନ କରିବେ, ତାହା ନବୀନଙ୍କ ପାଇଁ ମୁନ୍ଦବ୍ୟଥାର କାରଣ ହୋଇପାରେ ।
ଯଦି ୨୦୧୪ ନିର୍ବାଚନ ତାରିଖ ୨୦୧୯ରେ ଲାଗୁ କରନ୍ତି ନିର୍ବାଚନ କମିଶନ, ତେବେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ସବୁ ଦଳକୁ ଆପାତତଃ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ପଡ଼ିବ । ଏହା ପରେପରେ ସାମ୍ନାକୁ ଆସିବେ ବିଦ୍ରୋହୀ ପ୍ରାର୍ଥୀ । ବିଜୁ ଜନତା ଦଳ ସବୁଠୁ ଅଧିକ ବିଦ୍ରୋହୀ ପ୍ରାର୍ଥୀ ସାମ୍ନା କରିବ ବୋଲି କରାଯାଉଥିବା ଆଶଙ୍କା ଅମୂଳକ ହୋଇ ନପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*